Friday 10 April 2020

11 mini stories on Corona

Corona: 11 Mini-stories in Odia

କରୋନା: ୧୧ ଅଣୁଗଳ୍ପ
। ମୃଣାଳ ।

୧. ମୁଖା

ମଣିଷର ମୁହଁ ତ ଧୀରେ ଧୀରେ ଏମିତିରେଇ ଅଦୃଶ୍ୟ ହୋଇଯାଉଥିଲା । ତା ଜାଗାରେ ଲାଗୁଥିଲା ମୁଖା । ପରସ୍ତ ପରସ୍ତ ମୁଖା । ହେଲେ କରୋନା ଭାଇରସ୍ ଆସିଲା ପରେ ସେ ମୁଖାଗୁଡ଼ିକ ସବୁ ଦୃଶ୍ୟମାନ ହେଉଛନ୍ତି । ସମସ୍ତଙ୍କ ମୁହଁରେ ମୁଖା । ଏ ମହାମାରୀ ମଣିଷର ସଠିକ୍ ସ୍ଥିତି ଦେଖେଇ ଦେଲା ।
୨. ମୁଖା-୨
ନବଘନର ଦେଖା ହେଲା ତାର ପୂର୍ବତନ ପ୍ରେମିକା ପାର୍ବତୀ ସହିତ । ନବଘନ ଏବେ ଛକ ମୁଣ୍ଡରେ ଔଷଧ ଦୋକାନ କରିଛି । ପାର୍ବତୀ ଆସିଥିଲା ମାସ୍କ୍ କିଣି ।
ପାର୍ବତୀ ତାକୁ କହିଲା, ଭାଇନା, ଗୋଟେ ମାସ୍କ୍ ଦେଲ । ମୁଖା ମ! କରୋନାରୁ ବଞ୍ଚିବା ପାଇଁ ଆଜିକାଲି ସମସ୍ତେ ପିନ୍ଧୁନାହାନ୍ତି- ସେଇ ମୁଖା ।
ପାର୍ବତୀ ଏମିିତି ଭାବରେ କଥାଗୁଡ଼ାକ କହିଲାର,ଯେମିତି ତା ସହିତ କେବେ କିଛି ସମ୍ପର୍କ ନଥିଲା । ଛାତି ଭିତରଟା ମନ୍ଥି ହୋଇଗଲା ନବଘନର ।
କହିଲା, ଗୋଟେ ମୁଖାରେ କଣ ହେବ? ତୁମର ତ ଭିନ୍ନ ଭିନ୍ନ ଅନେକ ଚେହେରା । ଅନେକ ମୁହଁ । ବେଶି ମୁଖା ଦରକାର ପଡ଼ିବ ।
୩. ଏକାଏକା
କାହାରି ସହିତ ମିଶନି । ଏକୁଟିଆ ଘରେ ବସିରୁହ । ଏମିତି ହେବ ବୋଲି ଜାଣିଥିଲେ ଜମା ପୁଅ ପାଖକୁ ଆସିନଥାନ୍ତେ ସତ୍ୟକାମବାବୁ । ସେ ତାଙ୍କର ଗାଁରେ ଥାନ୍ତେ । କଣ ଟିକେ ସର୍ଦ୍ଦି କାଶ ହୋଇଛି ଯେ ପୁଅ ବୋହୁ କହୁଛନ୍ତି ଏକା ଘରେ ବସି ରୁହ । ଜମା ବାହାରକୁ ବାହାରନି । କରୋନା ନା ମରୋନା କଣ ଭାଇରସ୍ ମାତିଛି । ଆବେ ଏମିତି ସର୍ଦ୍ଦି କାଶ ଆମର କେତେ ହୁଏ- ଆପେ ଛାଡ଼ିଯାଏ । ଏମିତି ଏକଘରିକିଆ ହୋଇ ବସେ କିଏ!
ସମସ୍ତେ ଏକା ଏକା । ପୁଅ ବସିଛି ଗୋଟେ ଘରେ । ବୋହୁ ଗୋଟେ ଘରେ । ସେ ଗୋଟେ ଘରେ । ତାଙ୍କ ଆଗରେ ଟିଭି । ପୁଅ ଧରି ବସିଛି ଲ୍ୟାପ୍ଟପ୍ । ସେ ଅଫିସ୍ ଯାଉନି । ୱାର୍କ ଆଟ୍ ହୋମ୍ କରୁଛି । ଘରେ ବସି କାମ । ଆଉ ଗୋଟେ ଘରେ ବୋହୁ ହାତରେ ମୋବାଇଲ୍ ଧରି ବସିଛି ।
ଏମିିତି ଏକା ଘରେ ବସି କେମିତି ସମୟ କଟେଇବେ ସତ୍ୟକାମ ବାବୁ! ବିରକ୍ତ ଲାଗିଲାଣି ତାଙ୍କୁ । ଏମିତି ଥୁଣ୍ଟା ଗଛ ବୋଲି ବସି ରହିବାଠୁଁ ବୋଧେ କେରୋନା ହୋଇଗଲେ ଭଲ । ଅନ୍ତତଃ ପୁଅବୋହୁ ପାଖରେ ଆସି ପଚାରିବେ: ବାପା କେମିତିି ଅଛ । ବାପା ପାଣି ପିଇବ?
ମନେ ମନେ କହିଲେ ସତ୍ୟକାମବାବୁ: ପ୍ରଭୁ କରୋନା ଭାଇରସ୍ରୁ କିଛି ମୋ ପାଖକୁ ପଠେଇ ଦିଅ ।

୪. ଭ୍ୟାକେସନ୍

ପ୍ରତିବର୍ଷ ଖରାଦିନେ ବୁଲି ଯାନ୍ତି ପ୍ରଶାନ୍ତ ବାବୁ । ଏବର୍ଷ ବି ଭାବୁଛନ୍ତି ଯିବେ । କେବେ କଉଠି ଖରାଦିନଟା କଟେଇବେ ତାକୁ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି । ବେଡ୍ରୁମ୍ରେ କଟେଇବେ ନା ଡ୍ରଇଂରୁମ୍ରେ? ନା ଚାରିଦିନ ଶୋଇବା ଘରେ ଆଉ ତିନିଦିନ ଦାଣ୍ଡ ଘରେ ।

୫. କୁକୁଡ଼ା

କି କରୋନା ବ୍ୟାପିଲା ଆଉ ଲୋକେ କଣ ଯେ ବୁଝିଲେ- କୁକୁଡ଼ା ମାଂସ ଅନେକେ ଆଉ ଖାଉନାହାନ୍ତି । ଏଥିକୁ ନବଘନ ଭାରି ହରଡ଼ ଘଣାରେ ପଡ଼ିଛି । ଲାଭ ଆଶାରେ ସେ କୁକୁଡ଼ା ଚାଷ କରିଥିଲା । କୁକୁଡ଼ାତକ ବେଶ ହୃଷ୍ଟପୁଷ୍ଟ ହୋଇଛନ୍ତି । ଏଇ ସମୟରେ କରୋନା ଚଡ଼କ । ଏବେ ମାଲ୍ ବିକ୍ରି ହେଉନି । କଣ କରାଯାଏ ।
ଇଆଡ଼େ ନବଘନର ଫାର୍ମରେ ଥିବା କୁକୁଡ଼ାମାନେ ଭେରି ହ୍ୟାପି । ସେମାନେ ତ ଜାଣନ୍ତି- ତାଙ୍କ ଜୀବନ କେତେଦିନର । କରୋନା ଯୋଗୁଁ ତାଙ୍କ ଜୀବନ ଅବଧି ଆଉ କିଛିଦିନ ବଢ଼ିଯାଇଛି । ଏଥିକୁ ସେମାନେ ଖୁସି । ତାର ଘେରା ଘର ଭିତରେ ବେଶ ଗୁଟୁରୁ ମୁଟୁରୁ ହେଉଛନ୍ତି । ଆଉ ତାଙ୍କ ଭାଷାରେ କରୋନା ଭାଇରସ୍କୁ ଧନ୍ୟବାଦ ଜଣଉଛନ୍ତି ।

୬. ଗାଈ

ପୋଷା ଗାଈର ନାଁ ଥାଏ । ମାଲିକ ଶ୍ରଦ୍ଧାରେ ଦେଇଥାଏ । ପୋଷା ଗାଈକୁ ମାଲିକ ଆଦର ଯନି କରେ । ଏ ଗଳ୍ପଟି ଯେଉଁ ଗାଈକୁ ନେଇ ସେ ନା ପୋଷା ନା ବୁଲା । ମଝାମଝି ଅବସ୍ଥାରେ । ତାର ଗୋଟେ ମାଲିକ ଅଛି । ହେଲେ ତାର କିଛି ନାଁ ଦିଆଯାଇନି । ମାଲିକ ସକାଳେ ସଂଜେ ତା କ୍ଷୀର ତକ ଦୁହିଁ ନେଇ ଘରୁ ବାହାର କରିଦିଏ । ଦିନସାରା ସେ ପରିବା ବଜାର ବୁଲି ବୁଲି କେଉଁଠୁ ଚୋରେଇ, କେଉଁଠୁ ଛଡ଼େଇ କେଉଁଠି ବା ଅଳିଆଗଦାରୁ ଅଧା ପଚା ପରିବା ଖାଇ ପେଟ ପୂରାଏ । ରାତିରେ ରାସ୍ତା ମଝିରେ ଶୁଏ । ତା ମାଲିକ ତାକୁ ଘରେ ପୂରାଏନି ।
କରୋନା ଭାଇରସ୍ ବ୍ୟାପିବା ପରେ କିଏ ଜଣେ କହିଲା: ଗୋମୂତ୍ର ପିଇଲେ କରୋନା ଭାଇରସ୍ ମରିଯାଏ । ତା କଥା ମାନି ଅନେକେ ଗୋମୂତ୍ର ପିଇବାକୁ ଲାଗିଲେ । ଏବେ ଗାଈର ଅବସ୍ଥା ଦେଖ- ରାତିରେ ଶୋଇଥିବ ସକାଳେ ଦେଖିଲାବେଳକୁ ତିନି ଲୋକ ତା ପଛରେ ଗିନା, ବୋତଲ ଧରି ଠିଆ ହୋଇଛନ୍ତି । ସେ ମୂତ୍ରତ୍ୟାଗ କଲେ ସେମାନେ ତାକୁ ନେଇ ପିଇବେ ।
ଏମିତି ଦିତିନ ହେବା ପରେ ମାଲିିକ ଦେଖିଲା ଗୋମୂତ୍ରର ଦାମ ଏବେ କ୍ଷୀରଠୁଁ ଅଧିକ । ତହୁଁ ସେ ଗାଈକୁ ଏବେ ରାତିରେ ଘରକୁ ଡାକି ନେଉଛି । ଭଲ ଖାଇବାକୁ ଦେଉଛି । ଆଉ ସକାଳେ ହେଲେ କହୁଛି: ମୂତି ଦେ । ଟିକେ ଅଧିକା କରି ମୂତି ଦେ ଲୋ.. ।
ନାମହୀନା ଗାଈର ମାନ୍ୟତା ଏବେ ବଢ଼ିଯାଇଛି ।

୭. ଅସ୍ତିତ୍ତ୍ୱ

ମୁଁ ଯେ ଗୋଟେ ମଣିଷ, ମୁଁ ବଞ୍ଚିଛି, ଏ ଦୁନିଆରେ ଅଛି- ସେକଥା କେହି ବୋଧେ ଖିଆଲ କରନ୍ତିନି । ବଡ଼ ସହରରେ ରମେଶ ଭଳି ଅତ୍ୟନ୍ତ ସାଧାରଣ ଲୋକକୁ ଅନେକ ସମୟରେ ଏମିତି ଲାଗେ । ନିଜର ଅସ୍ତିତ୍ତ୍ୱ ପ୍ରତି ବେଳେବେଳେ ସନ୍ଦେହ ହୁଏ । ମୁଁ ବଞ୍ଚିଛି ତ?
ଏବେ ଭିଡ଼ ବଜାରରେ ଥରେ ଛିଙ୍କିଦେଲେ ଲୋକେ ଯେମିତି ତଟସ୍ଥ ହୋଇ ରମେଶକୁ ଚାହୁଁଛନ୍ତି- ତାକୁ ଭାରି ଭଲ ଲାଗୁଛି । ଲାଗୁଛି ହଁ ଏ ବଡ଼ ସହରରେ ବି - ତାର ଗୋଟେ ଅସ୍ତିତ୍ୱ ଅଛି । ସାରା ସହରର ଲୋକଙ୍କୁ ଡରେଇ ଦେବାର କ୍ଷମତା ଅଛି ତାର ।
କ୍ଷମତାଟା ତାର ନା କରୋନା ଭାଇରସ୍ର- ସେକଥା ଆମେ ସମସ୍ତେ ଜାଣୁ । କିନ୍ତୁ ଯେତେଦିନ କରୋନ ଭାଇରସ୍ର ଡର ଅଛି ତାକୁ ତା ଆନନ୍ଦ ନେଇ ବଞ୍ଚିବାକୁ ଦିଅନ୍ତୁ । କରୋନା ଭାଇରସ୍କୁ ଲୋକେ ଡରିବା ବନ୍ଦ କରିଦେଲେ ସେ ପୁଣି ତାର ଅସ୍ତିତ୍ୱ ହରେଇ ବସିବ ।

୮. ସଟ୍ଡାଉନ୍

ଏଥର ତା ଜନ୍ମଦିନରେ ବବ୍ଲିକୁ ଇନ୍ଭାଇଟ୍ କରିବ ବୋଲି ଭାବିିଥିଲା କାବୁଲା । ବବ୍ଲି ଯଦି ଆସେ ତାହେଲେ ସେଇଠି ତା ମନକଥା ଖୋଲି କହିଦେବ: ଆଇ ଲଭ୍ ଇଉ । ଗଲା ଛ ମାସ ଧରି କାବୁଲା ଏଇ ଶବ୍ଦ ତିନୋଟି କେମିତି ବବ୍ଲିକୁ କହିବ- ତାହା ପ୍ରାକ୍ଟିସ୍ କରୁଛି । ପ୍ରତି ରାତିରେ ବବ୍ଲି ତା ସ୍ୱପ୍ନରେ ଆସୁଛି । ସେମାନେ ହାତୋର ହାତ ଛନ୍ଦି ପପ୍କର୍ଣ୍ଣ ଖାଉ ଖାଉ ସିନେମା ଦେଖୁଛନ୍ତି, ପାର୍କରେ ବୁଲୁଛନ୍ତି ଆହୁରି କେତେ କଥା କରୁଛନ୍ତି ।
ଆଉ ମାତ୍ର ଦି ଦିନ ଥିଲା ତା ଜନ୍ମଦିନ- ବବ୍ଲିକୁ ସେ ଜନ୍ମଦିନକୁ ଆସିବା ପାଇଁ କହି ବି ସାରିଥିଲା, ବବ୍ଲି ହଁ ବି କରି ସାରିଥିଲା- ଏଇ ସମୟରେ ସହର ସଟ୍ ଡାଉନ୍ । ପ୍ରଶାସନର କଡ଼ା ନିର୍ଦ୍ଦେଶ: କେହି ଘରୁ ବାହାରିବେନି । ବବ୍ଲି ଫୋନ୍ କରି କହିଦେଲା- ମୁଁ ଆସି ପାରିବିନି । ସରି ।
ଛାତିଟା ମନ୍ଥି ହୋଇଗଲା କାବୁଲାର । କରୋନା- ତୁମେ ଏଡ଼େ ବଡ଼ ଭିଲିଆନ୍ । ଗୋଟେ ଲଭ୍ଷ୍ଟୋରି ଆରମ୍ଭ ହେବା ପୂର୍ବରୁ ସେଥିରେ ଷ„ ପୂରେଇ ଦେଲ!

୯. ଗୁରୁଜୀ

ସବୁ ଈଶ୍ୱରଙ୍କ ଇଚ୍ଛାରେ ହୁଏ ଆଉ ମୁଁ ହେଲି ଈଶ୍ୱରର ଇଚ୍ଛା ଜାଗ୍ରତ କରିବା ଲୋକ- ଏକଥା କହୁଥିବା ଗୁରୁଜୀ ହେଇ ଦେଖନ୍ତୁ ମୁଖା ପିନ୍ଧି ଗମ୍ଭିରି ଘର ଭିତରେ ବସିଛନ୍ତି । କରୋନା ଡରରେ ବାହାରକୁ ବାହାରୁ ନାହାନ୍ତି ।

୧୦. ଭଗବାନ କେଉଁଠି ଅଛନ୍ତି?

ମନ୍ଦିର ଦେଖନ୍ତୁ ବନ୍ଦ । ମସଜିଦ ଦେଖନ୍ତୁ ବନ୍ଦ । ଗୀର୍ଜାରେ ବି କେହି ଲୋକ ନାହାନ୍ତି । ହେଲେ ହାସପାତାଳର ଦୁଆର ମେଲା । ସେଠି ଦେଖନ୍ତୁ ଭିଡ଼ ।
ଈଶ୍ୱର ଯଦି ସେଠି ଥାନ୍ତେ- ଆଉ ଲୋକମାନଙ୍କର ଯଦି ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ଥାନ୍ତା- ତେବେ ସେଠି ଭିଡ଼ ହୋଇଥାନ୍ତା- ହାସପାତାଳ ଥାନ୍ତା ଖାଲି ।
ମାନେଟା ସରଳ । ଭଗବାନ ସେ ଧର୍ମାନୁଷ୍ଠାନର ସିଂହାସନରେ ନାହାନ୍ତି । ଅଛନ୍ତି ହାସପାତାଳରେ । ଯେଉଁଠି ଦେଖନ୍ତୁ ଡାକ୍ତର, ନର୍ସ ଆଉ ଚିକିତ୍ସାକର୍ମୀମାନେ ଦିନରାତି ମଣିଷର ସେବା କରୁଛନ୍ତି । ସେମାନଙ୍କ ଜୀବନ ବଞ୍ଚଉଛନ୍ତି ।

୧୧. ଅସ୍ତିତ୍ତ୍ୱ-୨

ଦିଲ୍ଲୀର ରାଜରାସ୍ତାରେ ପୁଅକୁ କାନ୍ଧରେ ବସେଇ ଚାଲିଛି ସଦାଶିବ, ପଛରେ ତା ସ୍ତ୍ରୀ ଲତା ଆଉ ତା କୋଳରେ କୁନି ଝିଅ । ସଦାଶିବ ରାଜମିସ୍ତ୍ରୀ କାମ କରେ । ଲତା ଇଟା ବୁହେ, ସିମେଣ୍ଟ ବୁହେ, ପାଣି ବୁହେ - ମୁଲିଆଣୀ । ଦୁହେଁ ଦିଳ୍ଲୀର ଗୋଟେ ବିଶାଳ ବିଲïିଂ ପ୍ରୋଜେକଫରେ କାମ କରିବାକୁ ଆସିଛନ୍ତି- ସେମାନଙ୍କ ଭଳି ଆଉ ଶହେ ଜଣଙ୍କ ସହିତ ।
କରୋନା ଭାଇରସ୍ ବ୍ୟାପିଛି- ସମସ୍ତେ ନିଜ ନିଜ ଘରକୁ ପଳାଅ- ତୁରନ୍ତ ପଳାଅ ।
ଆଉ ଶହେ ଜଣ ଭିନ୍ନ ରାଜ୍ୟର ମୁଲିଆ ମଜଦୁର ମିସ୍ତ୍ରୀଙ୍କ ସହିତ ସଦାଶିବ ବି ବାହାରି ଆସିଛି ରାଜରାସ୍ତାକୁ । କେମିତି ଘରକୁ ଫେରିବ- ସେ ଜାଣିନି । କେମିତି ବଞ୍ଚିବ ସେ ଆଉ ତାର ପରିବାର- ଜାଣିନି । ସଦାଶିବ କେବଳ ଏତିକି ଜାଣିଛି- ତାକୁ ତା ପରିବାର ସହିତ ଘରକୁ ଫେରିବାକୁ ପଡ଼ିବ ।
**

No comments:

Post a Comment