Monday 3 August 2020

Article on the occasion of 155 years of Odia Journalism Day, 4 August


Odia Daily Nirbhay, 4 August 2020

୪ ଅଗଷ୍ଟ ୨୦୨୦, ୧୫୫ ତମ ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ

ଉତ୍କଳ ଦୀପିକା: ଆଧୁନିକ ଓଡ଼ିଆ ସମ୍ବାଦପତ୍ରର ଅଗ୍ରସୂରୀ
ମୃଣାଳ ଚାଟାର୍ଜୀ 
ଶିଳାଲେଖକୁ ଯଦି ସାମ୍ବାଦିକତାର ଆଦି-ରୂପ ଭାବେ ଗ୍ରହଣ କରାଯାଏ, ତେବେ ଓଡ଼ିଶାର ଖଣ୍ଡଗିରି, ଉଦୟଗିରି, ଲଳିତଗିରି ପ୍ରଭୃତି ବୌଦ୍ଧ ବିହାର ଓ ଜଉଗଡ଼ଠାରେ ସମ୍ରାଟ ଅଶୋକଙ୍କ (୩୦୪-୨୩୨ ଖ୍ରୀଷ୍ଟପୂର୍ବ) ଦ୍ୱାରା ଉତ୍‌କୀର୍ଣ୍ଣ ଶିଳାଲେଖର ସନ୍ଧାନ ମିଳୋ 
ଇତିହାସକୁ ଯଦି ପର୍ଯ୍ୟାୟ କ୍ରମେ ଲେଖିବା କଥା ଉଠେ, ତେବେ ମାଦଳା ପାଞ୍ଜିକୁ ଓଡ଼ିଶାରେ ସାମ୍ବାଦିକତାର ପ୍ରାଚୀନ ସମୟର ଉଦାହରଣ ଭାବେ ନିଆ ଯାଇପାରେ । ମାଦଳା ପାଞ୍ଜିର ଲେଖା ଦ୍ୱାଦଶରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ଆରମ୍ଭ ହୋଇଥିଲା । ଜଗନ୍ନାଥ ମନ୍ଦିର, ପୁରୀ ଏବଂ ମୋଟ ଉପରେ ଓଡ଼ିଶାର ଘଟଣାବଳୀ ଏଥିରେ ସ୍ଥାନ ପାଇଛି । ବର୍ଷକୁ ବର୍ଷ ତାଳପତ୍ରରେ ଏହା ଲେଖା ହୋଇ ଆସୁଥିଲା । 
ସମସାମୟିକ ଘଟଣାବଳିର ବର୍ଣ୍ଣନାକୁ ସାମ୍ବାଦିକତା ଭିତରେ ଧରିଲେ କୁଜିବର ପତ୍ର କୁ ଅନେକେ ଓଡ଼ିଶାରେ ପ୍ରଥମ ପତ୍ରିକାର ମାନ୍ୟତା ଦିଅନ୍ତି । ଚୌଦ୍ୱାର ନିକଟରେ କୁଜିବର ମଠର ମଠାଧୀଶ ସାଧୁ ସୁନ୍ଦର ଦାସ କୁଜିବର ପତ୍ର ୧୭୬୯ରେ ଆରମ୍ଭ କରିଥିଲେ । ତାଳପତ୍ର ଉପରେ ଲେଖା ଯାଉଥିବା ଏଇ ପତ୍ରିକାଟି ଅନିୟମିତ ଭାବେ ବାହାରୁ ଥିଲା । ଏଥିରେ ଧର୍ମକଥା, ସାମାଜିକ ପ୍ରସଙ୍ଗ ଏବଂ ବେଳେ ବେଳେ ରାଜନୈତିକ ଏବଂ ପ୍ରଶାସନିକ ଘଟଣା ବି ସ୍ଥାନ ପାଉଥିଲା । 
ଓଡ଼ିଶାକୁ ମୁଦ୍ରଣ ଯନ୍ତ୍ର ଆସିଲା ଉନବିଂଶ ଶତାବ୍ଦୀର ତୃତୀୟ ଦଶକରେ । ମିସନ୍‌ ପ୍ରେସ୍‌ । ଏଠି ପ୍ରଥମେ ପ୍ରକାଶିତ ହେଲା ନୁ୍ୟ ଟେଷ୍ଟାମେଣ୍ଟ । ପରେ ପରେ ପାଠ୍ୟ-ପୁସ୍ତକ ଏବଂ ସାମୟିକ ପତ୍ର୍ର-ପତ୍ରିକା । ମିଶନ ପ୍ରେସ୍‌ ପ୍ରଥମ ଓଡ଼ିଆ ସାମୟିକ ପତ୍ରିକା ଜ୍ଞାନାରୁଣ (୧୮୪୯) ଏବଂ ପ୍ରବୋଧ ଚନ୍ଦ୍ରିକା (୧୮୫୬) ପ୍ରକାଶ କରିଥିଲା । ରେଭରେଣ୍ଡ ସି. ଲେସି ଜ୍ଞାନାରୁଣର ସଂପାଦକ ଥିଲେ । ଜ୍ଞାନାରୁଣ ଅଳ୍ପ କେତୋଟି ସଂଖ୍ୟା ପରେ ବନ୍ଦ ହୋଇଗଲା । ପ୍ରବୋଧ ଚନ୍ଦ୍ରିକାର ପ୍ରକାଶନ ତିନି ବର୍ଷ ପର୍ଯ୍ୟନ୍ତ ଜାରି ରହିଥିଲା । ଧାର୍ମିକ ଖବର, ଦେଶ ଦୁନିଆ ବିଶେଷ କରି ଇଂଲଣ୍ଡର ଖବର, ସାହିତ୍ୟ ଆଦି ବିଷୟ ସେଥିରେ ସ୍ଥାନ ପାଉଥିଲା । ପ୍ରବୋଧ ଚନ୍ଦ୍ରିକାରେ ସଂପାଦକ କିଏ ଥିଲେ, ସେ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । କେତେକ ଐତିହାସକିଙ୍କ ମତରେ ଲେସି ଏହାର ସଂପାଦନା ଦାୟିତ୍ୱରେ ଥିଲେ । ଏସବୁର ପ୍ରକାଶନ କଟକରେ ସୀମିତ ଥିଲା । କଟକ ସେ ସମୟରେ ରାଜ୍ୟର ସାମାଜିକ ତଥା ରାଜନୈତିକ ପ୍ରାଣକେନ୍ଦ୍ର ଥିଲା ।
୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷର ଠିକ୍‌ ପାଞ୍ଚ ବର୍ଷ ପୂର୍ବରୁ ୧୮୬୧ ମସିହାରେ ବାଲେଶ୍ୱରରୁ ବୋଧଦାୟିନି ପ୍ରକାଶିତ ହୋଇଥିଲା । ଏ ପର୍ଯ୍ୟନ୍ତ ପ୍ରକାଶିତ ପତ୍ରିକାଗୁଡ଼ିକ ମୁଖ୍ୟତଃ ମିସନାରୀମାନଙ୍କ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ହିଁ ସୀମିତ ଥିଲା । ସେଥିରେ ନା ବିଶେଷ କୌଣସି ଖବର ଥିଲା, ନା ଲୋକଙ୍କୁ ଆକୃଷ୍ଟ କଲା ପରି କୌଣସି ବିଷୟ । ଫଳରେ ଲୋକମାନେ କ୍ରମଶଃ ଏହାଠାରୁ ଦୂରେଇ ଗଲେ । ଶେଷକୁ ପ୍ରକାଶନ ବନ୍ଦ ହେଲା । 
ମିସନ ପ୍ରେସ ପ୍ରତିଷ୍ଠା ହେବାର ୨୭ ବର୍ଷ ପରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ୧୮୬୪ ମସିହାରେ କଟକରେ ପ୍ରତିଷ୍ଠା କରାଗଲା କଟକ ପ୍ରିଣ୍ଟିଂ କମ୍ପାନି । ଏହା ଥିଲା ଓଡ଼ିଶାର ଦ୍ୱିତୀୟ ପ୍ରେସ୍‌ ବା ମୁଦ୍ରଣ ଯନ୍ତ୍ରାଳୟ ।
ଏଇଠୁ ୧୮୬୬ ମସିହା ୪ ଅଗଷ୍ଟରେ ପ୍ରକାଶିତ ହୋଇଥିଲା ଉତ୍କଳ ଦୀପିକା । ପ୍ରକୃତ ଅର୍ଥରେ ଏକ ପୂର୍ଣାଙ୍ଗ ସମ୍ବାଦପତ୍ର ।  ଉତ୍କଳ ଦୀପିକା ଅନେକ ଦୃଷ୍ଟିରୁ ଆଧୁନିକତାର ବାର୍ତ୍ତାବହ ଥିଲା । ଏକ ଆଦର୍ଶ ସମ୍ବାଦପତ୍ର ଯେମିତି ହେବା କଥା ଉତ୍କଳ ଦୀପିକା ଥିଲା ତାର ଏକ ଖସଡ଼ା । ସେଇଥିପାଇଁ ଉତ୍କଳ ଦୀପିକାକୁ ପ୍ରଥମ ଓଡ଼ିଆ ଖବରକାଗଜର ମାନ୍ୟତା ଦିଆଯାଏ ଏବଂ ୪ ଅଗଷ୍ଟ ଦିନଟିକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ । 
ଉତ୍କଳ ଦୀପିକାର ପ୍ରକାଶକ ଓ ସମ୍ପାଦକ ଥିଲେ ଗୌରୀ ଶଙ୍କର ରାୟ । ତତ୍କାଳୀନ ଆୟକର କମିଶନର ତଥା କଟକସ୍ଥିତ ଐତିହାସିକ ରେଭେନ୍ସା କଲେଜର ପ୍ରତିଷ୍ଠାତା ଟି.ଇ ରେଭେନ୍ସାଙ୍କ ସିରସ୍ତାଦାର ବିଚିତ୍ରାନନ୍ଦ ଦାସଙ୍କ ସହାୟତାରେ ସେ ଏହାକୁ ପ୍ରକାଶ କରିଥିଲେ । 
ଓଡ଼ିଶାର ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ଜୀବନରେ ଉତ୍କଳ ଦୀପିକା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହା ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରଶାସନ ସମ୍ମୁଖକୁ ଆଣିଥିଲା । ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା । ଏଥିରେ ଦଶ ଲକ୍ଷରୁ ଅଧିକ ଲୋକ ଖାଦ୍ୟାଭାବରେ ପ୍ରାଣ ହରାଇଥିଲେ । ପ୍ରଶାସନ ତୃଣମୂଳ ସ୍ତରର ଅବସ୍ଥା ଠିକ୍‌ ଭାବେ ଆକଳନ କରି ନ ପାରିବାରୁ ମୃତ୍ୟୁ ସଂଖ୍ୟା ଏତେ ଅଧିକ ହୋଇଥିଲା । ଏ ସମୟରେ ଉତ୍କଳ ଦୀପିକା ଅତ୍ୟନ୍ତ ସକ୍ରିୟ ଭାବେ କାର୍ଯ୍ୟ କରିଥିଲା । ଦୁର୍ଭିକ୍ଷର ପ୍ରତିଟି ଖବର ଉତ୍କଳ ଦୀପିକାରେ ସ୍ଥାନ ପାଉଥିଲା । ଭୋକିଲା ଲୋକଙ୍କ ସହାୟତା ପାଇଁ ପ୍ରଶାସନ କଣ ପଦକ୍ଷେପ ନେବା ଉଚିତ୍‌, ସେ ସଂପର୍କରେ ଅନେକ ସୁଚିନ୍ତିତ ପରାମର୍ଶ ଦେଉଥିଲା ଉତ୍କଳ ଦୀପିକା । ଓଡ଼ିଶା ଇତିହାସର ଏକ ଘୋର ତମସାଚ୍ଛନ୍ନ ସମୟରେ ଉତ୍କଳ ଦୀପିକା ପ୍ରକୃତରେ ଏକ ପ୍ରଦୀପ ଭଳି କାର୍ଯ୍ୟ କରିଥିଲା । 
ଓଡ଼ିଆଙ୍କ ସାମାଜିକ, ଅର୍ଥନୈତିକ ଏବଂ ବୈଷୟିକ ସ୍ୱାର୍ଥ ସହିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଦିଗରେ ଏହା ଉଦ୍ୟମ କରିଥିଲା । ସାଧାରଣ ଲୋକଙ୍କ ସହ ଏହାର ସଂପର୍କ ଥିଲା ପ୍ରଗାଢ । ନିଜ ସମସ୍ୟା ସଂପର୍କରେ ଚିଠି ମାଧ୍ୟମରେ ଖବର ପଠାଇବାକୁ ଉତ୍କଳ ଦୀପିକା ଲୋକଙ୍କୁ ପୋ୍ରତ୍ସାହିତ କରୁଥିଲା । ଏହାର ଆଉ ଏକ ବିଶେଷତ୍ୱ ହେଲା ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ, ସରକାରୀ କର୍ମଚାରୀମାନଙ୍କ ବଦଳି, ପ୍ରାକୃତିକ ବିପର୍ଯ୍ୟୟ, ବିଶିିଷ୍ଟ କର୍ମଚାରୀଙ୍କ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ପ୍ରକାଶିତ ହେଉଥିଲା । ଏଥିରେ ଦେଶ ବିଦେଶର ଖବର, ଶିକ୍ଷା, ଜାତୀୟ ଜୀବନକୁ ସମୃଦ୍ଧ କଲାପରି ପ୍ରସଙ୍ଗ, ଓଡ଼ିଆ ଭାଷା ସାହିତ୍ୟ ସମ୍ବନ୍ଧୀୟ ଆଲୋଚନାମାନ ପ୍ରକାଶ ପାଉଥିଲା । ଘଟଣା ଓ ପ୍ରସଙ୍ଗର ତର୍ଜମା ଓ ବିଶ୍ଲେଷଣରୁ ଫିଚର ଲିଖନ ପୁସ୍ତକ-ସମୀକ୍ଷାଠୁଁ ସ୍ତମ୍ଭ - ଏକ ଆଧୁନିକ ଖବରକାଗଜର ସବୁ ବିଭବ ଉତ୍କଳ ଦୀପିକାରେ ଦେଖାଯାଇଥାଏ । 
୧୮୬୬ରୁ ୧୯୩୬ ଯାଏଁ- ସାତ ଦଶନ୍ଧି ଧରି ଧାରାବାହିକ ଭାବରେ ଏହାର ପ୍ରକାଶନ ଜାରି ରହିଥିଲା । ଜନ୍ମକାଳରୁହିଁ ଆଧୁନିକ ସାମ୍ବାଦିକତାର ବିଭିନ୍ନ ବିଭବ ବହନ କରି ଆତ୍ମପ୍ରକାଶ କରିଥିବା ଉତ୍କଳ ଦୀପିକା ଓଡ଼ିଆ ସାମ୍ବାଦିକତାର ମାନକୁ ଆରମ୍ଭରୁ ବେଶ ଉଚ୍ଚରେ ରଖିପାରିଥିଲା । ଡ. ପ୍ରଦୀପ ମହାପାତ୍ର ତାଙ୍କ ପୁସ୍ତକ ଓଡ଼ିଆ ସାଂବାଦିକତାର କ୍ରମବିକାଶରେ ଉତ୍କଳ ଦୀପିକା (୧୯୯୯)ର ଭୂମିକାରେ କହନ୍ତି: ଉତ୍କଳ ଦୀପିକାର ମୁଦ୍ରିତ ପୃଷ୍ଠାରେ ଓଡ଼ିଆ ସାମ୍ବାଦିକତାର କ୍ରମବିକାଶ ଘଟିଥିଲା । ସମ୍ବାଦ ଗଠନ ଢାଞ୍ଚା, ସମ୍ବାଦ ସଂଗ୍ରହ ସୂତ୍ର ଠାରୁ ଆରମ୍ଭ କରି ପୃଷ୍ଠା ପ୍ରଯୋଜନା ପରିପାଟୀ ଯାଏଁ ସାମ୍ବାଦିକତାର ବିଭିନ୍ନ କଳାକୌଶଳ କ୍ରମଶଃ ସତୁରି ବର୍ଷ ମଧ୍ୟରେ ପୀକ୍ଷିତ ହୋଇ ଓଡ଼ିଆ ସାମ୍ବାଦିକତାର ମୂଳ ସ୍ରୋତ ସୃଷ୍ଟି କରିବାରେ ସହାୟକ ହୋଇଥିଲା । ମୁଦ୍ରଣ ଓ ସମ୍ପାଦନା ଶୈଳୀ ସମ୍ପର୍କରେ ଉତ୍କଳ ଦୀପିକା ପୃଷ୍ଠାରେ ବିଭିନ୍ନ ସମୟରେ ଆଲୋଚନା ହେଉଥିଲା । ଉତ୍କଳ ଦୀପିକା ପରିବାରର ମୁରବୀ ଭଳି ସମକାଳୀନ ଓଡ଼ିଆ ସାମ୍ବାଦିକତାକୁ ଯେ ନିୟନ୍ତ୍ରଣ କରୁଥିବା କହିବା ବାହୁଲ୍ୟ ମାତ୍ର । 
ଉତ୍କଳ ଦୀପିକାର ଆରମ୍ଭରୁ ୧୯୧୭ ମାର୍ଚ ମାସରେ ତାଙ୍କ ମୃତ୍ୟୁ ଯାଏଁ ଗୌରୀଶଂକର ରାୟ ଏହାର ସଂପାଦକ ଥିଲେ । କିନ୍ତୁ ବିଂଶ ଶତାବ୍ଦୀର ଆରମ୍ଭ ବେଳୁ ବାର୍ଦ୍ଧକ୍ୟ ଏବଂ ଦୀର୍ଘ ପୀଡ଼ା ଜନିତ ଦୂର୍ବଳତା ତାଙ୍କୁ ଶିଥିଳ କରିଦେଇଥିଲା । ୧୯୦୬ ମସିହାରେ ସେ ଉତ୍କଳ ସଭାର ସଂପାଦକ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କର ଶାରୀରିକ ଅସୁସ୍ଥତାର ପ୍ରଭାବ ଉତ୍କଳ ଦୀପିକାର ପରିଚାଳନା ଉପରେ ପଡ଼ିଥିଲା । ଏହାର ଲୋକପ୍ରିୟତାରେ ଭଟ୍ଟା ଦେଖା ଦେଇଥିଲା । ଅନ୍ୟପକ୍ଷରେ ସାପ୍ତାହିକ ଆଶା ଏବଂ ସମାଜ ଜନପ୍ରିୟତା ସୋପାନ ଚଢ଼ିଚାଲିଥିଲେ । 
ତାଙ୍କ ମୃତ୍ୟୁ ପରେ ନୀଳମଣି ବିଦ୍ୟାରନି ଏହାର ସଂପାଦନା ଭାର ଗ୍ରହଣ କରିଥିଲେ । ୧୯୨୩ ମସିହାରେ ତାଙ୍କ ପରଲୋକ ଯାଏଁ ସେ ଉତ୍କଳ ଦୀପିକାର ସଂପାଦନା ସହିତ ସଂପୃକ୍ତ ଥିଲେ । ତା ପରେ ଉତ୍କଳ ଦୀପିକା କ୍ରମଶଃ ପରିଚାଳନା ଓ ପ୍ରସାରଣ ଦୃଷ୍ଟିରୁ ପଛକୁ ହଟିଯାଇଥିଲା ଏବଂ ୧୯୩୬ରେ ଏହାର ପ୍ରକାଶନ ବନ୍ଦ ହୋଇଗଲା । 
ଓଡ଼ିଶାର ଏକ କଠିନ ସମୟରେ ଉତ୍କଳ ଦୀପିକା ଜନ୍ମ ନେଇ ସୂଚନା ମାଧ୍ୟମରେ ସମାଜକୁ କେମିତି ସାହାଯ୍ୟ କରିହୁଏ- ତାର ଏକ ଉଦାହରଣ ସୃଷ୍ଟି କରିଥିଲା । ବର୍ତ୍ତମାନର କଠିନ ସମୟରେ ଗଣମାଧ୍ୟମ ଉତ୍କଳ ଦୀପିକା ଠୁଁ ଶିକ୍ଷା ନେଉ । ଘନ ତମିସ୍ରା ଭିତରେ ଗଣମାଧ୍ୟମ ଆଲୋକ-ବର୍ତ୍ତିକା ହେଉ । 
***

No comments:

Post a Comment