Friday 3 July 2020

Column SABDA CHABI AKHYARA | Naram Shakti


Odia Daily NItidina 4.7.2020
ଶବ୍ଦ ଛବି ଅକ୍ଷର | ଡ. ମୃଣାଳ ଚାଟାର୍ଜୀ ନରମ ଶକ୍ତି ପ୍ରଥମେ ନରମ ଶକ୍ତି ବା ସଫ୍ଟ ପାୱାର ଶବ୍ଦଟିର ଅର୍ଥଟିକୁ ବିଶ୍ଲେଷଣ କରିବାର ଆବଶ୍ୟକତା ରହିଛି । ଗୋଟିଏ ଦେଶର ଶକ୍ତି କହିଲେ ଯାହା ଆମେ ବୁଝୁ, ତାହା ହେଲା ସାମରିକ ଏବଂ ଅର୍ଥନୈତିକ ଶକ୍ତି । ଏହା ବାଦ୍ ବି ଗୋଟିଏ ଦେଶର ଆଉ ଏକ ଶକ୍ତି ଥାଇପାରେ । ଯେଉଁ ଶକ୍ତିରେ ଡରାଣ ନାହିଁ । କିନ୍ତୁ ନିଜ ପ୍ରତି ଆକର୍ଷିତ କରିବାର ସାମର୍ଥ୍ୟ ରହିଛି । ଏହି ଶକ୍ତିକୁ ସଫ୍ଟ ପାୱାର ବା ନରମ ଶକ୍ତି ବୋଲି କୁହାଯାଏ । ନିଜକୁ ଭଲ ପାଇବାକୁ, ସମ୍ମାନ କରିବାକୁ, ପ୍ରକାରନ୍ତେ ପ୍ରୋତ୍ସାହିତ କରିବାର କ୍ଷମତା ଏଥିରେ ରହିଛି । ସଫ୍ଟ ପାୱାରରେ ପ୍ରମୁଖ ଭୂମିକା ରହିଛି ସମ୍ପୃକ୍ତ ଦେଶର ସଂସ୍କୃତିର । ସେ ଦେଶର - କଳା, ସାହିତ୍ୟ, ସଙ୍ଗୀତ, ନାଟକ, ସିନେମା, ଟେଲିଭିଜନ କାର୍ଯ୍ୟକ୍ରମ, ଖାଦ୍ୟ, ପୋଷାକ, ପ୍ରସାଧନ ଇତ୍ୟାଦି କେତେ ସୃଜନାତ୍ମକ ଏବଂ କେତେ ବିପଣନ ଯୋଗ୍ୟ । ଏହା ଅନ୍ୟାନ୍ୟ ଦେଶକୁ କେତେଦୂର ଯାଇପାରୁଛି ଏବଂ ଗ୍ରହଣୀୟ ହେଇପାରୁଛି । ସାଂସ୍କୃତିକ ଭଣ୍ଡାର ଛଡ଼ା ସେ ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ କିପରି କାମ କରୁଛି, ଆର୍ନ୍ତଜାତିକ ସ୍ତରରେ ତାର ଖ୍ୟାତି କେମିତି, ଅର୍ଥନୈତିକ ମଡେଲ୍ କେମିତି , ଲୋକମାନଙ୍କ ଆଚାର ବ୍ୟବହାର କେମିତି- ଏ ସବୁ ନରମ ଶକ୍ତି ବା ସଫ୍ଟ ପାୱାର ଆର୍ନ୍ତଗତ । ହାଭାର୍ଡ ବିଶ୍ୱିଦ୍ୟାଳୟର ଅଧ୍ୟାପକ ଯୋଶେଫ ନାଇ ଏ ଶବ୍ଦଟିକୁ ପ୍ରଥମେ ବ୍ୟବହାରକୁ ଆଣିଥିଲେ । ୧୯୯୦ରେ ସେ ଗୋଟେ ବହି ଲେଖିଥିଲେ: ବାଉଣ୍ଡ ଟୁ ଲିଡ୍: ଦି ଚେନ୍ଜିଂ ନେଚର ଅଫ ଆମେରିକାନ୍ ପାୱାର । ସେଥିରେ ସେ ଏ ବିଷୟରେ ଲେଖିଥିଲେ । ତାପରେ ୨୦୦୪ରେ ସେ ଆଉ ଗୋଟେ ବହି ଲେଖିଲେ: ସଫ୍ଟ ପାୱାର: ଦି ମିନ୍ସ ଟୁ ସକ୍ସେସ୍ ଇନ୍ ୱାର୍ଲଡ୍ ପଲିଟିକ୍ସ । ଏଥିରେ ସେ ଏ କନ୍ସେପଫ୍କୁ ଆହୁରି ବିସ୍ତାରିତ କଲେ । ଏବେ ବିଶ୍ୱର ସବୁ ଦେଶ ଅନ୍ୟ ଦେଶର ନାଗରିକଙ୍କ ପାଖରେ ନିଜକୁ ଗ୍ରହଣୀୟ କରିବା ପାଇଁ ସଫ୍ଟ ପାୱାରକୁ ବ୍ୟବହାର କରୁଛନ୍ତି । ଭାରତରେ କଳା, ସାହିତ୍ୟ, ନାଟକ, ସିନେମାର ଏକ ସମୃଦ୍ଧ ପରମ୍ପରା ଏବଂ ଭଣ୍ଡାର ରହିଛି । ଭାରତୀୟ ସିନେମା ବିଶ୍ୱରେ ଏକ ବିଶେଷ ସ୍ଥାନ ଅଧିକାର କରିଛି । ସାରା ବିଶ୍ୱରେ ଯେଉଁ ଭାରତୀୟମାନେ ବସବାସ କରୁଛନ୍ତି, ସେମାନେ ତ ଏହା ପୃଷ୍ଠପୋଷକତା କରନ୍ତି, ତାଙ୍କୁ ଛାଡ଼ି ଆହୁରି ଅନେକ ଦେଶରେ ଭାରତୀୟ ସିନେମା ବେଶ୍ ଜନପ୍ରିୟ । ରାଜ କପୁରଙ୍କ ‘ଶ୍ରୀ ୪୨୦’ ଏବଂ ‘ମେରାନାମ ଜୋକର’ ସିନେମା ରୁଷିଆରେ ଖୁବ୍ ଲୋକପ୍ରିୟ ଥିଲା । ଦକ୍ଷିଣୀ ହିରୋ ରଜନୀକାନ୍ତ ଜାପାନରେ ଖୁବ୍ ଲୋକପ୍ରିୟ । ଶାହାରୁଖ ଖାନ, ସଲମାନ ଖାନଙ୍କ ସିନେମାକୁ ବିଶ୍ୱର ଅଧା ଦେଶର ଲୋକ ଖୁବ୍ ଆନନ୍ଦରେ ଦେଖନ୍ତି । ପଶ୍ଚିମ ବଙ୍ଗରେ ନିର୍ମିତ ଚଳଚ୍ଚିତ୍ର ବାଂଲାଦେଶରେ ଖୁବ୍ ଜନପ୍ରିୟ । ଭାରତର ଏହି ନରମ ଶକ୍ତିକୁ ଆହୁରି ଋଦ୍ଧିମନ୍ତ କରିବାର ପର୍ଯାପ୍ତ ସୁଯୋଗ ରହିଛି । ବର୍ତ୍ତମାନ ଭାରତର ପଡ଼ୋଶୀ ଦେଶମାନଙ୍କ ସହିତ ଯେଉଁ ସମ୍ପର୍କ ରହିଛି, ତାକୁ ଭଲ କରିବା ପାଇଁ ଏହି ନରମ ଶକ୍ତି ଅଧିକ ଫଳପ୍ରଦ ହୋଇପାରିବ । ଏଥିପାଇଁ ବଲିଉଡ୍ ସିନେମାକୁ ବିଭିନ୍ନ ଭାଷାରେ ଅନୁଦିତ କରି ବିଶ୍ୱସ୍ତରରେ ବିପଣନ କରିବାର ଆବଶ୍ୟକତା ରହିଛି । ତାହା ସହିତ ଭାରତରେ ଅନ୍ୟାନ୍ୟ ଭାଷାରେ ନିର୍ମିତ ହେଉଥିବା ଚଳଚ୍ଚିତ୍ରକୁ ସମାନ ଗୁରୁତର ସହ ବିପଣନ କରିବାର ଆବଶ୍ୟକତା ରହିଛି । ଉଦାହରଣ ସ୍ୱରୂପ- ୨୦୧୩ରେ ସମିର ତାହିରଙ୍କ ନିର୍ଦ୍ଦେଶିତ ମାଲାୟଲମ ସିନେମା ‘ନୀଳ ଆକାଶମ୍ ପାଚାକାଡାଲ ଚୁଭାନ୍ନା ଭୂମି’(ନୀଳ ଆକାଶ ସବୁଜ ଜଳ ନାଲି ମାଟି) ସଂପ୍ରତି ବାଂଲାଦେଶରେ ଖୁବ ଜନପ୍ରିୟ ହୋଇଛି । ସିନେମାଟି ଚେ ଗଭେରାଙ୍କ ଡାଇରି ଅବଲମ୍ବନରେ ଦି ମଟର-ସାଇକଲ୍ ଡାଇରୀ ଛାୟାରେ ନିର୍ମିତ । ଏ ସିନେମାଟି ବାଲାଂଦେଶରେ ଜନପ୍ରିୟ ହେଲାପରେ, ସେଠାରେ ବହୁ ଲୋକ ଅନ୍ୟାନ୍ୟ ମାଲାୟଲମ ସିନେମା ଦେଖିବାକୁ ଆଗ୍ରହୀ ହେଉଛନ୍ତି । ମାଲାୟଲମ ସିନେମାର ବଙ୍ଗଳା ସବ୍ଟାଇଟଲ କରି ତାକୁ ଦେଖୁଛନ୍ତି । ସେମାନେ ଦକ୍ଷିଣୀ ସିନେମା ଦେଖିବା ପରେ ଦକ୍ଷିଣ ଭାରତୀୟ ସଂସ୍କୃତି ସହ ପରିଚିତ ହେବାସହ ସେମାନଙ୍କ ମଧ୍ୟରେ ଭଲ ପାଇବା ସୃଷ୍ଟି ହେଉଛି । ସାଧାରଣ ଲୋକର ଏ ଭଲ ପାଇବା ଉଭୟ ଦେଶ ଭିତରେ ଥିବା ସମ୍ପର୍କକୁ ମଜଭୁତ କରିପାରେ । ଯଦି ସମ୍ପର୍କରେ ତିକ୍ତତା ଥାଏ, ତାକୁ ମଧ୍ୟ ଠିକ୍ କରିବାରେ ସାହାଯ୍ୟ କରିପାରେ । ତେଣୁ ବଲିଉଡ ଚଳଚ୍ଚିତ୍ରକୁ ପ୍ରୋତ୍ସାହନ ସହିତ ଆଞ୍ଚଳିକ ସ୍ତରରେ ନିର୍ମିତ ଚଳଚ୍ଚିତ୍ରଗୁଡି଼କୁ ଉପଯୁକ୍ତ ଭାବେ ପ୍ରୋତ୍ସାହନ ଏବଂ ବିପଣନ କରିବାର ଆବଶ୍ୟକତା ରହିଛି । ଏ ଦିଗରେ କାରିଗରୀ ଜ୍ଞାନର ଅଭିବୃଦ୍ଧି ଫଳରେ ସବ୍ଟାଇଟଲ କରିବା, ସୋସିଆଲ ମିଡିଆରେ ଏହାକୁ ପହଞ୍ଚାଇବା ଏବଂ ଏଥିରୁ ଅର୍ଥ ଉପାର୍ଜନ କରିବା ଏବେ ସହଜ ହୋଇଛି । ତେଣୁ ଏ ଦିଗ ପ୍ରତି ସରକାର ଏବଂ ମନୋରଞ୍ଜନ ଶିଳ୍ପରେ ଅଂଶୀଦାର, ସମସ୍ତେ ଚିନ୍ତା କରିବା ଦରକାର । ଏଥିରେ କେବଳ ଅର୍ଥ ଉପାର୍ଜନ ହେବନାହିଁ, ତାହା ସହିତ ଦେଶର ନରମ କ୍ଷମତା ବା ସଫ୍ଟ ପାୱାରକୁ ମଧ୍ୟ ବଢ଼େଇ ହେବ । *** 29.6.2020

No comments:

Post a Comment