Sunday 19 July 2020

Column | Pathe Prantare 19.7.2020

ପଥେ ପ୍ରାନ୍ତରେ । ମୃଣାଳ । ୧୯.୭.୨୦୨୦

କରୋନା ପାଇଁ...

ଅତିଥି ଗୋଟେ ଜାଗାରେ ବେଶି ଦିନ ରହିବା ଉଚିତ ନୁହେଁ । ସେଥିରେ ତାର ଇଜ୍ଜ୍‌ତ କମିଯାଏ । କରୋନାକୁ ଦେଖୁନାହାନ୍ତି, ମାର୍ଚ୍ଚରେ ତାର ଯେଉଁ ଇଜ୍ଜତ ଥିଲା- ଲୋକେ ତାକୁ ଯେମିତି ଭୟ କରୁଥିଲେ- ଏବେ ଆଉ କାଇଁ! ଏବେ ତ ସରକାର ବି ସବୁ ଦୋକାନପତ୍ର ଖୋଲିଦେଲେ । ହୋଟେଲ୍‌ ମଲ୍‌ ବି ଖୋଲିଦେଲେ । କରୋନାକୁ ଦେଖନ୍ତୁ କେମିତି ବେହିଆ ତଥାପି ଏ ଦେଶ ଛାଡ଼ି ଯାଉନି ।

ବିରୋଧୀ ଦଳିଆ ଯେମିତି ସଂସାରର ସବୁ ଅସୁିବଧା ପାଇଁ ସରକାରୀ ଦଳକୁ ଦାୟୀ କରନ୍ତି, ପିଲାମାନେ ପରୀକ୍ଷାରେ ଫେଲ୍‌ ହେଲାମାତ୍ରେ ଆଜିକାଲି ସମସ୍ତେ ଯେମିତି ଶିକ୍ଷକମାନଙ୍କୁ ଦାୟୀ କରୁଛନ୍ତି, ସେମିତି ଆଜିକାଲି ସବୁକିଛି ପାଇଁ କରୋନାକୁ ଦୋଷ ଦେବାର ଗୋଟେ ଟ୍ରେଣ୍ଡ୍‌- ଧାରା ଚାଲିଛି ।

ସେଦିନ ନବଘନ କହିଲା: ଜୀବନରେ ଏଇ ପ୍ରଥମ ଥର ଇଏ କରୋନା ପାଇଁ ମୁଁ ଏ ଖରାରେ ସୁଇଜରଲ୍ୟାଣ୍ଡ୍‌ ଯାଇ ପାରିଲିନି, ବୁଝିଲୁ ।

- ଆଚ୍ଛା, ଗଲା ବର୍ଷ ତୁ ସୁଇଜରଲ୍ୟାଣ୍ଡ୍‌ ଯାଇଥିଲୁ?

- ନା । ମୁଁ କେବେବି ସୁଇଜରଲ୍ୟାଣ୍ଡ୍‌ ଯାଇନି । ହେଲେ ମୁଁ ଯାଇନଥିଲି ପଇସାପତ୍ର ଅସୁବିଧାରୁ । ଏବର୍ଷ ଯାଇପାରିଲିନି- ସିର୍ଫ କରୋନା ପାଇଁ ।

କରୋନା ପାଇଁ ଦର୍ଜିୀମାନଙ୍କ ପାଇଁ ଗୋଟେ ନୂଆ ଅସୁବିଧା ଆରମ୍ଭ ହୋଇଛି: ଭାଇ, କପଡ଼ା ବଂଚିଲେ ଗୋଟେ ଯୋଡ଼େ ମୁଖା ତିଆରି କରି ଦେବ ।

ଶିକ୍ଷକମାନଙ୍କ ପାଇଁ ଅସୁବିଧା: ଅନ୍‌ଲାଇନ୍‌ରେ ପାଠ ପଢ଼ାଅ । ଜୀବନସାରା କ୍ଲାସ୍‌ରେ ପଢ଼େଇ ଆସିଲେ ଶିକ୍ଷକମାନେ । ସାମ୍ନାରେ ବସିଛନ୍ତି ଛାତ୍ରମାନେ । କିଏ ଶୁଣୁଛି, କିଏ ଶୁଣୁନି- ବୁଝି ହେଉଛି । ଆକଟ କରି ହେଉଛି । ଏମିତିରେ କମ୍ପ୍ୟୁଟର ସାମ୍ନାରେ ବସି ପଢ଼ାଅ । ପିଲା ଶୁଣିଲେ କି ନ ଶୁଣିଲେ ବୁଝି ହେଉନି । ବୁଝିଲେ କି ନ ବୁଝିଲେ ଜାଣି ହେଉନି ।

ପଢ଼ାପଢ଼ିରୁ ମନେ ପଡ଼ିଲା- ସମ୍ବଲପୁରୀ ଭାଷାରେ ଗୋଟେ କଥା ଅଛି: ଯତ୍‌ ପଢ଼ା- ତତ୍‌ ବେଢ଼ା । ଉପକୂଳିଆ ଓଡ଼ିଆ ଭାଷାରେ ବି ଏଇ ଜାତୀୟ କଥାଟିଏ ଅଛି: ଯେତେ ପାଠୁଆ ସେତେ କାଠୁଆ । ବେଢ଼ା ଶବ୍ଦର ଅର୍ଥ ହେଲା: ବୋକା । ଢେଙ୍କାନାଳରେ ବି ଶବ୍ଦ ଟି ପ୍ରଚଳିତ । ତ ପାଠ ପଢ଼ି ବୋକା କିଆଁ ହେବେ! ନ ପଢ଼ିଲେ ଭଲ । ଲକ୍‌ଡାଉନ୍‌ ସମୟରେ ଏମିତିରେହିଁ ସ୍କୁଲ କଲେଜ ବନ୍ଦ । ଏତେ ପରିଶ୍ରମ କରି ଅନ୍‌ଲାଇନ୍‌ରେ ପାଠ କିଆଁ ପଢ଼ିବେ? ସେଥିରେ କୁଆଡ଼େ ସେଫ୍ରସ୍‌ ଅଧିକ ବୋଲି ଜାଣିବାଶୁଣିବା ଲୋକେ କହୁଛନ୍ତି । ତେଣୁ କିଛି ପିଲା ପାଠ ନପଢ଼ିବାକୁ ବୁଦ୍ଧିମାନର କାମ ଭାବି ସେ କାର୍ଯ୍ୟଟି ଆଉ କରୁନାହାନ୍ତି ।

କଣ କରୁଛନ୍ତି ତେବେ? ବାହାରକୁ ତ ଯିବା ମନା । ତେଣୁ ଖେଳପଡ଼ିଆରେ ଖେଳକୁଦ ନାହିଁ । ସିନେମା ଥେଟର ନାହିଁ । ତେବେ? ଏସବୁ ଏବେ ଘର ଭିତରକୁ ଚାଲି ଆସିଛି । ସବୁ କଥା ଚାଖଣ୍ଡେ ଲମ୍ବା ମୋବାଇଲ୍‌ ଭିତରେ ପଶିଯାଇଛି । ମୋ ଭଣଜା ଚନ୍ଦୁ ତା ଗାଁ ଘରେ ବସି ଇଣ୍ଟରନ୍ୟାସନାଲ ଲୁଡୋ ଚାମ୍ପିଆନ୍‌ସିପ୍‌ ଅର୍‌ଗାଇଜ୍‌ କରୁଛି । ସେଥିରେ କୁଆଡ଼େ ଆମେରିକାରୁ ଆରମ୍ଭ କରି ବାଂଲାଦେଶ ଯାଏଁ ଦେଶର ପିଲାମାନେ ଭାଗ ନେଇଛନ୍ତି । ତା ମାମୁଁ ପୁଅ ଭାଇ ରାକୁ ଇଣ୍ଟରନ୍ୟାସନାଲ୍‌ ରକ୍‌ କନ୍‌ସର୍ଟ ଆୟୋଜନ କରୁଛି । କିଏ କବିତା ପାଠୋତ୍ସବରେ କବିତା ପଢ଼ୁଛନ୍ତି । ତାକୁ ଫେସ୍‌ବୁକ୍‌ରେ ଛାଡ଼ୁଛନ୍ତି । ତାକୁ ଶୁଣୁଛି କିଏ କହିପାରିବିନି, ହେଲେ ଲାଇକ୍‌ ବହୁତ ମିଳୁଛି ।

ଆଚ୍ଛା କରୋନା ପାଇଁ କିଛି ଲୋକଙ୍କ ଅସଲି ଚେହେରା ଜଣାପଡ଼ିଲା । ମୋତେ ଘରଭଡ଼ା ଦେଇଥିଲାବେଳେ ଉପକାରୀ ଘରମାଲିକ କରୋନା କାଳରେ ଏବେ ଫୁଲ୍‌ ଭିଲିଆନ୍‌ ହୋଇ ଠିଆହୋଇଛନ୍ତି । ଘରକୁ କେହି ଆସିବା ମନା । କେହି ବାହାରକୁ ଯିବା ମନା । ସରକାର ଯାହା ଗୃହବନ୍ଦୀ କରିଛନ୍ତି- ଘରମାଲିକ ପୂରା ବାକ୍ସବନ୍ଦୀ କରି ରଖିଛନ୍ତି ଆମକୁ ।

କରୋନା କାଳରେ କିଛି ଅଂଗର ବି ଉପକାରିତା ଜଣାପଡ଼ିଲା । ମଣିଷର କାନ କଥା ଦେଖୁନାହାନ୍ତି । କାନ ଯଦି ବାହାରକୁ ବାହାରିକି ନ ରହିଥାନ୍ତା, ତେବେ ଏବେ ମୁଖାର ଫିତା କଉଠି ରହନ୍ତା? ଆପଣ ଏବେ ଯେମିତି ସହଜରେ ମୁଖା ପିନ୍ଧି ଦଉଛନ୍ତି, ତାହା କରି ପାରନ୍ତେ? କାନ ବିଚରା ଉପରେ ଏ କରୋନା ଟାଇମ୍‌ରେ କେତେ ବୋଝ ଭାବୁନାହାନ୍ତି! ମୁଖାର ଫିତା ଲଟକି ରହିବ, ଚଷମାର ଦଣ୍ଡି ଗେଂଜା ହୋଇ ରହିବ ମୋବାଇଲ୍‌ର ଇଅର ଫୋନ୍‌ର ଭୁଣ୍ଡି ପଶି ରହିବ । ପୁଣି ଝିଅପିଲା ହୋଇଥିଲେ କାନଫୁଲ ରହିବ । ଆଜିକାଲି କିଛି ପୁଅ ବି କାନଫୁଲ ପିନ୍ଧୁଛନ୍ତି । କାନ ବିଚରା କେତେ ବୋଝ ବୋହିବ!

ବୋଲବମ୍‌ ଯାତ୍ରା

ଓଡ଼ିଶାରେ ଏଥର ବୋଲ୍‌ବମ୍‌ ଯାତ୍ରା ମନା କରାଯାଇଛି । ଏଥିକୁ ବହୁ ଭୋଳା- ଭକ୍ତଙ୍କ ମନ ଖରାପ । ସେମାନେ ବାହୁଙ୍ଗୀ କାନ୍ଧେଇ ରାସ୍ତା ମଝିରେ ଗୀତ ଗାଇ ଗାଇ ମହାଦେବ ମନ୍ଦିରକୁ ଯାଇ ପାରିବେନାହିଁ । ଆହା କି କି ଗୀତ ସେମାନେ ଗାଆନ୍ତି । ବୋଲବମ୍‌ ଯାତ୍ରା ପାଇଁ କେତେ ମୁ୍ୟଜିକ୍‌ ସିଡି ବାହାରିଥିଲା । ଗୋଟାକର ନାଁ ହେଲା: ରେଳଗାଡ଼ି ଛୁକୁ ଛୁକୁ - ବୋଲବମ୍‌ ଷ୍ଟାଇଲ୍‌ - ତ୍ରିଶୂଳଧାରୀ ଭୋଲେବାବା । ହଁ ନୀଲ୍‌ ନିତିନ୍‌ ମୁକେଶ୍‌ ଯେମିତି ଗୋଟିଏ ଲୋକର ନାଁ, ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ ଯେମିତି ଗୋଟିଏ ସିନେମାର ନାମ- ସେମିତି ଇଏ ଗୋଟିଏ ସିଡିର ନାଁ ।


ବିହାର ଝାଡ଼ଖଣ୍ଡରେ ଭୋଳା-ପ୍ରେମୀ ଆହୁରି ଅଧିକ । ସେମାନଙ୍କ ଗୀତ ବି ଆହୁରି ମନୋରଂଜକ । କେତୋଟି ଟାଇଟଲ୍‌ ଲେଖୁଛି । ଏଇଥିରୁ ଜାଣନ୍ତୁ ସେମାନେ ଭୋଳକୁ କେତେ ଆଉ କେଉଁଥିପାଇଁ ଭଲ ପାଆନ୍ତି ।

ଭୋଲା ମସ୍ତ୍‌ ବନା ଦେଗା

ଚିଲ୍ଲମ୍‌ କା ସୁଟ୍ଟା

ମେରା ଭୋଲା ସୁପରଷ୍ଟାର୍‌

ଭୋଲେନାଥ୍‌ କି ଚିଲମ୍‌

ଭୋଲେ କି ଫୌଜ

ମେସେଜ୍‌ ଭୋଲେନାଥ୍‌ କା

ସବିତା ମାଉସୀ

ସବିତା ମାଉସୀ ତାଙ୍କ ସାଂଗ ଘରକୁ ଗଲେ । ସାଇପଡ଼ିଶାର ଆଉ ସ୍ତ୍ରୀଲୋକମାନେ ବି ଆସିଲେ । ସମସ୍ତଙ୍କ ସହିତ ଗପସପ ହେଲା । ଚା ଜଳଖିଆ ଆସିଲା । ଗପ ଲମ୍ବିଲା । ଗଲାବେଳକୁ କହିଲେ, ବୁଝିଲ- ମୋର କରୋନା ଟେଷ୍ଟ୍‌ ହେଲା । ଡାକ୍ତର କହିଲେ: ତମର ପଜିଟିଭ୍‌ । ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । ତ କ୍ୱାରେଣ୍ଟାଇନ୍‌ରେ ଯିବା ପୂର୍ବରୁ ଭାବିଲି ତମ ମାନଙ୍କ ସହିତ ଦେଖା ସାକ୍ଷାତ କରି ଯାଏ । ୧୪ ଦିନ ଏବେ ଆଉ ଦେଖା ହେବନି ତ!

ପନିୀ

ପନିୀ ଦୁଇ ପ୍ରକାର । ପ୍ରଥମ ହେଲେ ଏମିତି କନ୍ୟା ଯିଏ ପତିଙ୍କର ସବୁ କଥା ଶୁଣେ । ତା ଭାବନାକୁ ବୁଝେ । ତାକୁ ଭଲ ପାଏ । ଏଟା ଆଣି ଦିଅ, ସେଟା କରି ଦିଅ ବୋଲି କହେନି । କଦାପି ଝିଂଘାସ ବା କଟୁ ବାଣୀ ଶୁଣାଏନି । ପତି ରାଗରୁଷା କଲେ, ହସି ହସି ତାକୁ ମନେଇନିଏ ।

ଆଉ ଦ୍ୱିତୀୟ ପ୍ରକାର ହେଲେ ଏମିତି କନ୍ୟା- ଯେମିତି ସମସ୍ତଙ୍କ ପାଖରେ ଅଛନ୍ତି ।

***

ସଂଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧


No comments:

Post a Comment