NItidina 18.7.2020 |
ଶବ୍ଦ ଛବି ଅକ୍ଷର । ଡ. ମୃଣାଳ ଚାଟାର୍ଜୀ
ସହରରୁ ଜନଗହଳି କମାନ୍ତୁ
୧୯୪୦ ଦଶକର ଆରମ୍ଭରୁ ଭାରତରେ ସହରୀକରଣ (ଅର୍ବାନାଜାଇସେନ୍)ର
ଗତି ଦ୍ରୁତ ହୋଇଥିଲା । ୧୯୯୧ ବିଶବାୟନ ଏବଂ ଉଦାରୀକରଣ ପରେ ଏହାର ଗତି ଆହୁରି ଦ୍ରୁତ ହୋଇଛି । ଅନେକ
କାରଣରୁ ସାରା ବିଶ୍ୱରେ ସହରୀକରଣ ହେଉଛି । ୨୦୧୮ ସୁଦ୍ଧା ବିଶ୍ୱର ୫୫ ଶତାଂଶ ଲେରାକ ସହରାଞ୍ଚଳରେ
ବାସ କରୁଛନ୍ତି । ୧୯୫୦ ବେଳକୁ ଏହା ୬୮ ଶତାଂଶରେ ପହଞ୍ଚିବ । ଏସିଆରେ ବର୍ତ୍ତମାନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ
ବସବାସ କରୁଥିବା ଲୋକସଂଖ୍ୟା ପ୍ରାୟ ସମାନ । ଭାରତରେ ୧୯୦୧ ଜନଗଣନା ଅନୁସାରେ ୧୧.୪ ଶତାଂଶ ଲୋକ ସହରାଞ୍ଚଳରେ
ବାସ କରୁଥିଲେ । ୨୦୦୧ ଜନଗଣନା ବେଳକୁ ଏ ସଂଖ୍ୟା ୨୮.୫୩ରେ ପହଞ୍ଚିଥିଲା । ବିଶ୍ୱ ବ୍ୟାଙ୍କ୍ର ଆକଳନ
ଅନୁସାରେ ୨୦୧୭ ବେଳକୁ ଭାରତର ୩୪ ଶତାଂଶ ଲୋକ ସହରାଞ୍ଚଳରେ ବାସ କରୁଛନ୍ତି । ୨୦୨୦ ମଝାମଝିରେ ଏହା
୪୦ ଶତାଂଶ ପାଖାପାଖି ପହଞ୍ଚିଯାଇଥିବାର ଅନୁମାନ କରାଯାଏ । ସହରରେ ବସବାସକାରୀମାନଙ୍କୁ ଛାଡ଼ିଦେଲେ
ଗ୍ରାମାଞ୍ଚଳରୁ ପ୍ରତିଦିନ ବହୁ ଲୋକ ବିଭିନ୍ନ କାରଣରୁ ସହରକୁ ଆସିଥାନ୍ତି । ଅସ୍ଥାୟୀ ଭାବେ ରହିଥାନ୍ତି
।
ମୋଟ ଉପରେ, ସାରା ଦେଶରେ ଥିବା ଅଧିକାଂଶ ସହରରେ ଜନସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଜନସଂଖ୍ୟା ଦୃଷ୍ଟିରୁ ଭିତ୍ତିଭୂମିର ବିକାଶ ହେଉନଥିବାରୁ ଅନେକ ସହରରେ ଜୀବନ ଦୁର୍ବିସହ ହେଇଯାଇଛି । ଆଗରୁ ଯେଉଁ ଖୋଲା ସ୍ଥାନଗୁଡି଼କ ଥିଲା, ତାହା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ସେଗୁଡି଼କରେ ଅନେକ ବସ୍ତି ତିଆରି ହୋଇଗଲାଣି, ହେବାରେ ଲାଗିଛି ।
ମେଟ୍ରୋ ସହରଗୁଡି଼କରେ ଏକ ତୃତୀୟାଂଶରୁ ଅଧିକ ଲୋକସଂଖ୍ୟା ବସ୍ତି ଓ ବସ୍ତି ଆଖପାଖ ଅଞ୍ଚଳରେ ରହିଛି । ପୁଣି ଏଗୁଡି଼କରେ ଲୋକସଂଖ୍ୟା ଘନତା ସବୁଠୁ ଅଧିକ । ଉତ୍ତର ପୂର୍ବ ଦିଲ୍ଲୀର ଲୋକସଂଖ୍ୟା ଘନତ୍ୱ (ପପୁଲେସନ୍ ଡେନ୍ସିଟି, ଗୋଟେ ବର୍ଗ କିଲୋମିଟରରେ କେତେ ଲୋକ ରହୁଛନ୍ତି) ହେଲା ୩୬, ୧୫୫ । ମୁମ୍ବାଇର ଧାରାବି ବସ୍ତିରେ ଏ ସଂଖ୍ୟା ହେଲା ୨, ୭୭, ୧୩୬ । ଭାରତର ହେଲା ୩୮୨ । ଓଡ଼ିଶା କଥା ଦେଖନ୍ତୁ । ଓଡ଼ିଶାର ଲୋକସଂଖ୍ୟା ଘନତ୍ୱ ହେଲା ୨୭୦ । ଭୁବନେଶ୍ୱରର ୨,୧୩୧ ।
ମେଟ୍ରୋ ସହରଗୁଡି଼କ ବ୍ୟତୀତ ଗୁଆହାଟି, ଭୁବନେଶ୍ୱର, ରାଞ୍ଚି, ରାୟପୁର ଭଳି ଛୋଟ ସହରଗୁଡି଼କରେ ମଧ୍ୟ କ୍ଷମତାଠାରୁ ବହୁ ଅଧିକ ବିସ୍ତାର ହେଲାଣି ।
ଗ୍ରାମାଞ୍ଚଳର ଲୋକମାନେ ସହରକୁ ସ୍ଥାନାନ୍ତରିତ ହେଉଛନ୍ତି, ବିଶେଷ ଭାବେ ରାଜଧାନୀ ସହରଗୁଡି଼କୁ । ମିଜୋରାମର ଜନସଂଖ୍ୟା ପ୍ରାୟ ୧୨ଲକ୍ଷ, ଏହା ମଧ୍ୟରୁ ୩ଲକ୍ଷ ରାଜଧାନୀ ଆଇଜଲରେ ବାସ କରନ୍ତି । ସିକ୍କିମରେ ସମୁଦାୟ ଜନସଂଖ୍ୟା ୬ଲକ୍ଷରୁ ଅଧିକ ହେବ । ଏହା ମଧ୍ୟରୁ ୧ଲକ୍ଷ ଲୋକ ରାଜଧାନୀ ଗାଙ୍ଗ୍ଟକରେ ରୁହନ୍ତି ।
ଗ୍ରାମାଞ୍ଚଳରୁ ଲୋକମାନେ ସହରାଭିମୂଖୀ ହେବାର ଅନେକ କାରଣ ରହିଛି । ମୁଖ୍ୟତ ସାମାଜିକ କାରଣ ଓ ଉଚ୍ଚାକାଂକ୍ଷା ଯୋଗୁଁ ଅଧିକାଂଶ ଲୋକେ ସହରରେ ବାସ କରିବାକୁ ଚାହୁଁଛନ୍ତି । ଥରେ ସହରକୁ ଗଲେ, ଆଉ ଗାଁକୁ ଫେରିବାକୁ ଚାହୁଁନାହାନ୍ତି । ଯେଉଁମାନେ ଗାଁରେ ରହୁଛନ୍ତି, ସେମାନେ ବି ସହର ଯିବାର ସ୍ୱପ୍ନ ଦେଖୁଛନ୍ତି ।
ସହରଗୁଡି଼କରେ ଅତ୍ୟଧିକ ଭିଡ଼ ଅସଂଖ୍ୟ ସମସ୍ୟା ସୃଷ୍ଟି କରୁଛି । ଆମର ବଡ଼ ସହରଗୁଡି଼କରେ, ବିଶେଷକରି ବମ୍ବେ ଏବଂ ଦିଲ୍ଲୀରେ କରୋନା ଅଧିକ ବ୍ୟାପୀଛି । ଅତ୍ୟଧିକ ଭିଡ଼ ଜନିତ ସମସ୍ୟାର ଏହା ସର୍ବୋକୃଷ୍ଟ ଓ ସଦ୍ୟତମ ଉଦାହରଣ । ଏବେ ଏକ ସମୟ ଆସିଛି- ଆମ ସହରଗୁଡି଼କୁ ଭିଡ଼ମୁକ୍ତ କରିବା ପାଇଁ ବିଚାର କରିବା, ଦୀର୍ଘ ଯୋଜନା କରିବା ।
ସାମାଜିକ ସମୀକ୍ଷକ ମୋହନ ଗୁରୁସ୍ୱାମୀ ଲେଖିଛନ୍ତି, ‘ଅଧିକାଂଶ ରାଜଧାନୀ ସହରରେ ବିଭିନ୍ନ ସ୍ତରର ସରକାରୀ କାର୍ଯ୍ୟାଳୟଗୁଡି଼କ ରହିଛି । ଏହି ବାସ୍ତବ ଓ ପରିକଳ୍ପିତ କ୍ଷମତାକେନ୍ଦ୍ର ଚତୁଃପାଶ୍ୱର୍ରେ ଯଥା ସମ୍ଭବ ଭିଡ଼ ରହୁଛି ।’ ତେଣୁ ଭିଡ଼ କମାଇବା ପାଇଁ ରାଜଧାନୀକୁ କୌଣସି ଛୋଟ ସହରକୁ ସ୍ଥାନାନ୍ତର କରାଯାଇପାରେ ।
ଉଦାହରଣ ସ୍ୱରୂପ, ମନ୍ତ୍ରଣାଳୟ, ବିଭାଗ ଓ ଏଜେନ୍ସି ବ୍ୟତୀତ ଆମର ନୂଆଦିଲ୍ଲୀରେ ଥିବା ପିଏସ୍ୟୁ(ପବ୍ଲିକ ସେକ୍ଟର ୟୁନିଟ) କର୍ପୋରେଟ ଅଫିସ୍ଗୁଡି଼କୁ ଅନ୍ୟତ୍ର ସ୍ଥାନାନ୍ତର କରିବାରେ ବିଶେଷ ଅସୁବିଧା ହେବ ନାହିଁ । କର୍ପୋରେଟ ଅଫିସ୍ଗୁଡି଼କ ପ୍ରକୃତରେ ରାଜଧାନୀରେ ରହିବା ଆବଶ୍ୟକ ନୁହେଁ । ଭାରତୀୟ ପାଣିପାଗ ବିଭାଗ କାହିଁକି ନୂଆଦିଲ୍ଲୀରେ ରହିବା ଆବଶ୍ୟକ? ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ କାହିଁକି ରାଜଧାନୀରେ ରହିବା ଆବଶ୍ୟକ? ସେହିପରି ଆଇଟିବିପି, ସିଆଇଏସ୍ଏଫ୍, ଏସ୍ଏସ୍ବି, ବିଏସ୍ଏଫ୍, ଆଇସିଜି, ଆଇସିଏଆର, ଆଇସିଏମ୍ଆର, ଆଇସିଏଚ୍ଆର, ସେଲ୍, ଭେଲ୍, ସିଓପିଇଏସ୍ ଏବଂ ଅନ୍ୟାନ୍ୟ ବହୁ ଅଫିସ୍ଗୁଡି଼କ ରାଜଧାନୀରେ ନ ରହିଲେ ବିଶେଷ ଅସୁବିଧା ହେବ ନାହିଁ । ଏହା ଦିଲ୍ଲୀର ସ୍ଥିତି ।
ସମାନ ପରିସ୍ଥିତି ରାଜ୍ୟର ପ୍ରାୟ ସମସ୍ତ ରାଜଧାନୀ ସହରଗୁଡି଼କରେ ରହିଛି । ଗୋଟିଏ ସହରରେ ଅଧିକ କାର୍ଯ୍ୟାଳୟ ଏକାଠି ମିଶିମାଶି ରହିଛି । ଏହା ଅଧିକ ଲୋକଙ୍କୁ ସେଠାରେ ଜମା ହେବାକୁ ବାଧ୍ୟ କରୁଛି । ଫଳରେ ଭିତ୍ତିଭୂମି ଉପରେ ଅଧିକ ଚାପ ସୃଷ୍ଟି ହେଉଛି ।
ବେଙ୍ଗାଲୁରୁ ସହରକୁ ବିଚାର କରାଯାଉ, ଏହା ବର୍ତ୍ତମାନ ଦୁନିଆର ସବୁଠାରୁ ଟ୍ରାଫିକ ସମସ୍ୟା ସହରଗୁଡି଼କ ମଧ୍ୟରୁ ଗୋଟିଏ । ଏହାର ଟ୍ରାଫିକ ସମସ୍ୟା ହିଁ ବାୟୁର ଗୁଣବତ୍ତା ହ୍ରାସ ପାଇଁ ଅଧିକ ଦାୟୀ । ଟ୍ରାଫିକ ଜାମ୍ରେ ଲକ୍ଷ ଲକ୍ଷ ଲୋକଙ୍କ ଘଣ୍ଟା ଘଣ୍ଟା ସମୟ ମଧ୍ୟ ନଷ୍ଟ ହେଉଛି । ସହର ମଧ୍ୟରେ କିପରି ଦ୍ରୁତ ଗତିରେ ଗମନାଗମନ, ନାଗରିକଙ୍କ ନିମନ୍ତେ ଅଧିକ ସୁବିଧା, ଚାକଚକ୍ୟ, ଆଧୁନିକୀକରଣକୁ ଦୃଷ୍ଟିରେ ରଖି ଅନେକ ସହରରେ ନିର୍ମାଣ କାର୍ଯ୍ୟ ଚାଲିଛି । ସହରର ଉନ୍ନତି ପାଇଁ ଏ କାର୍ଯ୍ୟକ୍ରମଗୁଡି଼କ ଅଧିକ ଲୋକଙ୍କୁ ଆକର୍ଷିତ କରିବ । ଯାହା ଫଳରେ ଟ୍ରାଫିକ ସମସ୍ୟା କମିବା ପରିବର୍ତ୍ତେ ଆହୁରି ବଢ଼ିବ । ଅନେକ ସ୍ଥାନରେ ଆଧୁନିକୀକରଣ କରିବାକୁ ହେଲେ ପୁରୁଣା କୋଠା, ନିର୍ମାଣ ସୌଧକୁ ଭାଙ୍ଗିବାକୁ ପଡି଼ବ । ଏପରି ସ୍ଥଳେ ଅନେକ ସହରର ଅଧିକ ଜନଗହଳିପୂର୍ଣ୍ଣ ଆଭ୍ୟନ୍ତରୀଣ ଅଞ୍ଚଳକୁ ଆମେ କିପରି ଆଧୁନିକୀକରଣ କରିପାରିବା, ପୁଣି ଲୋକ ସଂଖ୍ୟା ହ୍ରାସ ନ କରି? ଏହା ବଡ଼ କଠିନ ବ୍ୟାପାର । ଆମର ନଦୀ ଏବଂ ବାୟୁକୁ ସୁରକ୍ଷା ଦେବାରେ ଆମର ଅକ୍ଷମତା ଏହାର ସାକ୍ଷୀ ।
ଏ ଦୃଷ୍ଟିରୁ ସରକାରୀ କାର୍ଯ୍ୟାଳୟଗୁଡି଼କର ସ୍ଥାନାନ୍ତର ପ୍ରସ୍ତାବ ଅତ୍ୟନ୍ତ ଉପଯୋଗୀ ମନେହୁଏ । ଦେଶ ବା ରାଜ୍ୟରେ କାର୍ଯ୍ୟାଳୟଗୁଡି଼କ ଭିନ୍ନ ଭିନ୍ନ ସ୍ଥାନରେ ସ୍ଥାପିତ
କରିଦେଲେ କେବଳ ଦିଲ୍ଲୀ କିମ୍ବା ଅନ୍ୟାନ୍ୟ
ରାଜଧାନୀ ସହରର ଲାଭ ନୁହେଁ, ବରଂ ସାମଗ୍ରିକ ଭାବେ ଦେଶର ଭଲ ହେବ । ଛୋଟ ସହରର ଆଧୁନିକୀକରଣ କରିହେବ ।
ବସ୍ତìତଃ ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା ଏବଂ ଲକ୍ଷ୍ମୌ ପରି ଜନଗହଳି ପୂର୍ଣ୍ଣ ସହରରୁ ରାଜନୈତିକ ରାଜଧାନୀକୁ
ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଦରକାର । ନୂଆ ରାଜଧାନୀ ତିଆରି ହେଲେ
ଏହା ନିର୍ମାଣ କ୍ଷେତ୍ରକୁ ପ୍ରଭାବ ପକାଇବ, ଯାହା ଭବିଷ୍ୟତରେ ଭାରତର ମୁଖ୍ୟ ଅର୍ଥନୈତିକ ଅଭିବୃଦ୍ଧି କରାଇବ । ନିର୍ମାଣରେ ଦଶ ଲକ୍ଷ ଗ୍ରାମୀଣ ଶ୍ରମିକଙ୍କୁ ନିଯୁକ୍ତି ଦେବାର ଏବଂ ଶିଳ୍ପ ସାମଗ୍ରୀ ଚାହିଦା ସୃଷ୍ଟି କରିବାର ସାମର୍ଥ୍ୟ ଅଛି । ନିର୍ମାଣ କେବଳ ଇସ୍ପାତ ଏବଂ ସିମେଣ୍ଟ ପାଇଁ ନୁହେଁ, ବରଂ ବିଭିନ୍ନ ଉପକରଣ, ଗମନାଗମନ ବ୍ୟବସ୍ଥା, ଶକ୍ତି ଏବଂ ଜଳ ଯୋଗାଣ ଭଳି ଭିତ୍ତିଭୂମି, ଅତ୍ୟାବଶ୍ୟକ ସାମଗ୍ରୀ, ଅନ୍ୟଗୁଡି଼କ ମଧ୍ୟରେ ସ୍ୱେରେଜ ଟ୍ରିଟମେଣ୍ଟ, ନିଷ୍କାସନ ବ୍ୟବସ୍ଥା ପାଇଁ ମଧ୍ୟ ବୃହତ ଚାହିଦା ସୃଷ୍ଟି କରିବ । ଫଳରେ ଭାରତର ଶିଳ୍ପାୟନ ଆଗକୁ ବଢ଼ିବାର ସମ୍ଭାବନା ରହିଛି ।
କରୋନା-କାଳୀନ ପରିସ୍ଥିତିରେ ଯେଉଁ ବିପୁଳ ସଂଖ୍ୟକ ଶ୍ରମିକ କର୍ମଶୂନ୍ୟ ହୋଇଯାଇଛନ୍ତି- ସେମାନଙ୍କୁ କାମ ଦେବାକୁ ପଡ଼ିବ । ଗୋଟେ ହିସାବ କହେ ଯେ ୨୦୫୦ ସୁଦ୍ଧା ଭାରତକୁ ୮୦ କୋଟି ଲୋକଙ୍କୁ ପାଇଁ ଅର୍ଥପୂର୍ଣ୍ଣ ନିଯୁକ୍ତି ସୃଷ୍ଟି କରିବାକୁ ପଡ଼ିବ । ନିଯୁକ୍ତି ପାଇଁ କୃଷି ଉପରେ ନିର୍ଭରଶୀଳତା କମେଇବାକୁ ପଡ଼ିବ । ଅନ୍ୟଥା କୃଷି-ଶ୍ରମିକଙ୍କ ସଂଖ୍ୟା ବିପୁଳ ଭାବେରେ ପଢ଼ିଯିବ । ଏବଂ ଜମି ଛୋଟ ଛୋଟ ଖଣ୍ଡରେ ଭାଗ ହୋଇଯିବ । ବର୍ତ୍ତମାନ ଆମର ହାରାହାରି ଜମି ମାଲିକାନା ୦.୬୩ ହେକ୍ଟର । ଏହା ଆହୁରି କମିଗଲେ କୃଷି କ୍ଷେତ୍ରରେ ଆଧୁନିକୀକରଣ, ଯନ୍ତ୍ରର ବ୍ୟବହାରରେ ଅସୁବିଧା ହେବ ।
ବିଶ୍ୱର ଅନେକ ଦେଶ ନିଜ ରାଜଧାନୀରୁ ରାଜନୈତିକ ରାଜଧାନୀକୁ (ପଲିଟିକାଲ୍ କ୍ୟାପିଟାଲ୍) ଅନ୍ୟ ସହରକୁ
ଉଠେଇ ନେଉଛନ୍ତି ବା ପାଖାପାଖିରେ ନୂଆ ସହର ଗଢ଼ିଦେଉଛନ୍ତି । ଚୀନ ତାହା କରୁଛି । ବେଜିଂରୁ ଗହଳି
କମେଇବା ପାଇଁ ସହର ପ୍ରଶାସନିକ କାର୍ଯର୍୍ୟାଳୟ ସମେତ ଅନେକ କାର୍ଯ୍ୟାଳୟକୁ ସେମାନେ ଟୋଙ୍ଗ୍ଝାଉ
ବୋଲି ସହରକୁ ନେଇଯାଇଛନ୍ତି । ଆଉ ଜିଙ୍ଗ୍-ଜିନ୍-ଝି ବୋଲି ଏକ ନୂଆ ରାଜଧାନୀ-ଅଞ୍ଚଳ ତିଆରିର ଯୋଜନା
କରୁଛନ୍ତି । ମାଲୟେସିଆ ତାହା କରିଛି । ରାଜନୈତିକ ରାଜଧାନୀକୁ ସେମାନେ କୁଆଲାଲାମ୍ପୁରରୁ ଉଠେଇ
ନେଇଛନ୍ତି ୩୩ କିଲୋମିଟୀର ଦୂର ପୁଟ୍ରାଜାୟାକୁ । ଭାରତରେ ବି କେତେକ ରାଜ୍ୟ ଏହା କରିଛନ୍ତି । ଗୁଜରାଟରେ
ରାଜନୈତିକ ରାଜଧାନୀ ହେଲା ଗାନ୍ଧୀନଗର । ଅହମଦାବାଦଠୁଁ ୨୦ କିଲୋମିଟର ଦୂର । ଆସାମର ରାଜନୈତିକ ରାଜଧାନୀ
ହେଲା ଦିସ୍ପୁର । ଗୁଆହାଟୀଠୁଁ ୧୦ କିଲୋମିଟର ଦୂର ।
୨୦୧୪ ସାଧାରଣ ନିର୍ବାଚନରେ ବିଜେପି ତା’ର ଇସ୍ତାହାରରେ ଭାରତର ଅର୍ଥନୈତିକ ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଶହ ନୂତନ ସହର ସୃଷ୍ଟି କରିବାକୁ ଉଲ୍ଲେଖ କରିଥିଲା । ବର୍ତ୍ତମାନ ହେଉଛି ସେ ସ୍ୱପ୍ନକୁ ସାକାର କରିବାର ସଠିକ୍ ସମୟ । ନୂଆ ସହର ଶିଳ୍ପାୟନ ଏବଂ କର୍ମନିଯୁକ୍ତିର ନୂତନ ଦିଗନ୍ତ ଖୋଲିଦେବା ସହିତ ପୁରୁଣା
ବଡ଼ ସହର ଗୁଡ଼ିକୁ ବାସଯୋଗ୍ୟ କରି ରଖିବା ଦିଗରେ ସହାୟକ ହେବ ।
****
ସଂଚାର ମାର୍ଗ ଢେଙ୍କାନାଳ ୭୫୯ ୯୦୦୧
ସାମ୍ବାଦିକତାରୁ ଗଣମାଧ୍ୟମ-ଶିକ୍ଷା କ୍ଷେତ୍ରକୁ ଆସିଥିବା ଲେଖକ ଏବେ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନର ପୂର୍ବ-ଭାରତୀୟ ଶାଖାର ଆଞ୍ଚଳିକ ନିର୍ଦ୍ଦେଶକ ଏବଂ ପ୍ରଫେସର ଅଛନ୍ତି । ମତାମତ ବ୍ୟକ୍ତିଗତ ।
***
No comments:
Post a Comment