Tuesday, 25 July 2023

Bahi Katha. My fortnightly column on books. 26.7.23


 

ବହିକଥା । ମୃଣାଳ ଚାଟାର୍ଜୀ । ୨୬.୭.୨୩

କୌଟିଲ୍ୟଙ୍କ ପ୍ରାସଙ୍ଗିକତା

ବହି: କୌଟିଲ୍ୟନମିକସ ଫର ମଡର୍ଣ୍ଣ ଟାଇମସ୍‍

ଲେଖକ: ଶ୍ରୀରାମ ବାଲସୁବ୍ରମଣ୍ୟମ

ପ୍ରକାଶକ: ବ୍ଲୁମ୍‍ସବରି

ପୃଷ୍ଠା: ୨୬୬, ମୂଲ୍ୟ: ୬୦୦ ଟଙ୍କା । ପ୍ରଥମ ପ୍ରକାଶ: ୨୦୨୨

ଏ ପୁସ୍ତକର ଲେଖକ ଶ୍ରୀରାମ ବାଲସୁବ୍ରମଣ୍ୟମ ଜଣେ ଅର୍ଥନୈତିଜ୍ଞ । ୫ ବର୍ଷର କଠିନ ପରିଶ୍ରମରେ ଏ ବହିଟିକୁ ସେ ଲେଖିଛନ୍ତି । କୌଟିଲ୍ୟ ଭାରତୀୟ ଅର୍ଥ ଶାସ୍ତ୍ରରେ ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଅଧିକାର କରିଛନ୍ତି । କିନ୍ତୁ ମଜାକଥା ହେଲା ଯେ କୌଟିଲ୍ୟଙ୍କ ସଂପର୍କରେ ପ୍ରାମାଣିକ ତଥ୍ୟ ବିଶେଷ ନାହିଁ । କୌଟିଲ୍ୟ ବା ଚାଣକ୍ୟ ଜଣେ ବ୍ୟକ୍ତି ନା କେଇ ଶହ ବର୍ଷ ଧରି ଅର୍ଥଶାସ୍ତ୍ର ଅଭ୍ୟାସ କରୁଥିବା ଅର୍ଥଶାସ୍ତ୍ରଜ୍ଞ ପଣ୍ଡିତଙ୍କ ସମାହାର - ତାକୁ ନେଇ ଭିନ୍ନ ମତ ରହିଛି । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି (ଇକୋନୋମିକ୍‍ ଆଡଭାଇଜରି କାଉନସିଲ)ର ଅଧ୍ୟକ୍ଷ ବିବେକ ଦେବରାୟ ମଧ୍ୟ ଏ ସନ୍ଦେହ ପ୍ରକାଶ କରିଛନ୍ତି ।

            ତେବେ କୌଟିଲ୍ୟଙ୍କର ପରିଚୟ କୁହୁଡି ଭିତରେ ଥିଲେ ବି ଅର୍ଥନୀତି ବିଷୟରେ ଏବଂ ଶାସନ ଓ ଅର୍ଥନୀତିର  ସମ୍ପର୍କ  ବିଷୟରେ ଏବଂ  ଉତ୍ତମ ଶାସନ ପାଇଁ ଅର୍ଥନୀତିକୁ ବ୍ୟବହାର କରିବା ଦିଗରେ ତାଙ୍କର ସିଦ୍ଧାନ୍ତଗୁଡ଼ିକ ଏ ପର୍ଯ୍ୟନ୍ତ ପ୍ରାସଙ୍ଗିକ ହୋଇ ରହିଛି ।  ଏ  ପୁସ୍ତକରେ  ଶ୍ରୀରାମ ବାଲସୁବ୍ରମଣ୍ୟମ ତାକୁହିଁ ରେଖାଙ୍କିତ  କରିବା ପାଇଁ ଚାହିଁଛନ୍ତି ।

            କୌଟିଲ୍ୟଙ୍କ ଜନ୍ମର ୧୮୦୦ ବର୍ଷ ପରେ ମାକିଆଭେଲି ଜନ୍ମ ନେଇଥିଲେ । ଉଭୟଙ୍କ ଭିତରେ ସାମଞ୍ଜସ୍ୟ ହେଲା ଉଭୟେ ବସ୍ତୁତଃ  ଥିଲେ ଶିକ୍ଷକ ଏବଂ ଶାସକମାନଙ୍କୁ ଶାସନ କରିବାର କଳା ବିଷୟରେ ଶିକ୍ଷା ଦେଉଥିଲେ । କୌଟିଲ୍ୟଙ୍କ ସମୟ, ମାକିଆଭେଲିଙ୍କ ସମୟ ଆଉ ବର୍ତ୍ତମାନ ସମୟ ଭିତରେ ସମୟ ବହୁତ ବଦଳି ଯାଇଛି । କିନ୍ତୁ ଗୋଟେ କଥା ଅଛି: ଦି ମୋର ଥି୍‍ଙ୍ଗସ ଚେଞ୍ଜ ଦି ମୋର ଦେ ଆର ଦି  ସେମ୍‍ । ଯେତେ ପରିବର୍ତ୍ତନ ହୁଏ, ସେତେ ଜିନିଷ ସମାନ ରହିଥାଏ ।

            ଏ ବହିରେ କୌଟିଲ୍ୟଙ୍କ କେତେକ ପରାମର୍ଶ କଥା କୁହାଯାଇଛି । ତିନୋଟି ଗୁରୁତ୍ୱପୁର୍ଣ୍ଣ ବିଷୟରେ କୌଟିଲ୍ୟଙ୍କର ପରାମର୍ଶ ପ୍ରଣିଧାନଯୋଗ୍ୟ । ବିଷୟଗୁଡ଼ିକ ହେଲା କର ଆଦାୟ, ଋଣ  ଏବଂ ଏନଫୋର୍ସମେଣ୍ଟ ଅଫ କଣ୍ଟ୍ରାକ୍‍ଟସ୍‍ - ବା ଚୁକ୍ତିକୁ ମାନ୍ୟତା ଦେବା । ଏ ତିନୋଟି ଭିତରେ  ପାରସ୍ପରିକ ସମ୍ପର୍କ ରହିଛି । ଏ ତିନୋଟିକୁ ଯଦି ଏକା ସାଙ୍ଗରେ ଦେଖା ନଯାଏ ତେବେ ଦେଶରେ  ଅର୍ଥନୀତି ଏବଂ ମାନ୍ୟତା ଉଭୟ ଉପରେ ପ୍ରଭାବ ପଡ଼ିବ । ଶ୍ରୀ ବାଲସୁବ୍ରମଣ୍ୟମ ଏ କ୍ଷେତ୍ରରେ କୌଟିଲ୍ୟଙ୍କର କଣ ଦୃଷ୍ଟଭଙ୍ଗୀ ଥିଲା - ତାହା ପ୍ରାଞ୍ଜଳ ଭାବେ ଲେଖିଛନ୍ତି ।

            ଏହାଛଡା ସେ କୌଟିଲ୍ୟ ରେଖାଙ୍କିତ କରିଥିବା ଅନ୍ୟାନ୍ୟ କେତେକ କ୍ଷେତ୍ରପ୍ରତି ମଧ୍ୟ ଦୃଷ୍ଟି  ଆକର୍ଷଣ କରିଛନ୍ତି । ଗୋଟିଏ ହେଉଛି ବାଣିଜ୍ୟ କରିବାର ସୁବିଧା । ଏହାକୁ ବର୍ତ୍ତମାନର ଭାଷାରେ ଇଜ୍‍ ଅଫ ଡୁଇଙ୍ଗ୍‍ ବିଜନେସ ବୋଲି କୁହାଯାଉଛି ।

            କର ବା ଟିକସ ବିଷୟରେ କୌଟିଲ୍ୟ ଯାହା କହିଛନ୍ତି ତାହା ଫ୍ରାନସର ରାଜା ଚତୁର୍ଦ୍ଦଶ ଲୁଇଙ୍କର ଅର୍ଥମନ୍ତ୍ରୀ ଜାଗେଶ ବାପ୍‍କିଜ୍‍ ମଧ୍ୟ କହିଥିଲେ ।  ବାପକିଜ କହିଥିଲେ ଯେ କରଆଦାୟଟା ହେଲା କୁକୁଡାର ପର ଛିଡେଇବା । କେତେ ବେଶୀ ପର ତମେ କେତେ କମ ପ୍ରତିରୋଧ ଛିଡେଇ ପାରିବ । କୌଟିଲ୍ୟ  କର ଆଦାୟକୁ ଆଉ ଗୋଟେ ପ୍ରକାରରେ ବୁଝାଇଥିଲେ । ସିଏ ଏହାକୁ ପାଚିଲା ଫଳ ତୋଳିବା ଆଉ କଞ୍ଚା ଗୁଡାକ ଗଛରେ ହିଁ ପାଚିବା ପାଇଁ ରଖିଦେବା  ଭଳି କହିଥିଲେ ।

            ଖର୍ଚ୍ଚ କଥାରେ କୌଟିଲ୍ୟ ଇନଫ୍ରାଷ୍ଟ୍ରକଚର ଉପରେ ଖର୍ଚ୍ଚ କରିବା ଉପରେ ଯୋର ଦେଇଥିଲେ । ରାସ୍ତା, ଘାଟ, ପାନୀୟ ଜଳ,,  ଇତ୍ୟାଦି । ସ୍ୱାସ୍ଥ୍ୟ ଯେ ଏକ ଗୁରୁତ୍ୱପୁର୍ଣ୍ଣ ବିଷୟ ତାହା ସେ କଥା କହିଛନ୍ତି । ହେଲେ ଡିଫେନ୍‍ସ ବା ସୁରକ୍ଷା ଉପରେ ସେ ବିଶେଷ କିଛି କଥା କହି ନାହାନ୍ତି ।  ଦୁର୍ଭିକ୍ଷ ସମୟରେ ରାଜା କେମିତି ଖର୍ଚ୍ଚ କରିବା କଥା  ଏ ବିଷୟରେ ବେଶୀକଥା ସେ କହି ନାହାନ୍ତି ।  ୠଣ ବିଷୟରେ ତାଙ୍କର ବକ୍ତବ୍ୟ ହେଲା: ଋଣ ପାଇବା ଜଣେ ଶାସକ ପାଖରେ କଷ୍ଟକଥା ନୁହଁ । ଠିକ୍‍ ସମୟରେ ନେବା ଏବଂ ରୁଣ ପରିଶୋଧ କରିବା ଉପରେ ଶାସକ  ଅଧିକ ଗୁରୁତ୍ୱ ଦେବା ଦରକାର ।  ଗୋଟେ ଦେଶର ମାନ୍ୟତା ପାଇଁ ଏବଂ  ସେଠି ବ୍ୟବସାୟରଁ ପରିବେଶ ଭଲ କରିବା ପାଇଁ ଚୁକ୍ତି ପାଳନର ଆବଶ୍ୟକତା ରହିଛି ।  ବ୍ୟବସାୟର ପରିବେଶ ଉପରେ ମଧ୍ୟ ଚାଣକ୍ୟ ବେଶ୍‍ ଗୁରୁତ୍ୱ ଦେଇଛନ୍ତି । 

            ଏହାଛଡା ଅନ୍ୟାନ୍ୟ କେତେକ ପ୍ରସଙ୍ଗରେ ମଧ୍ୟ କୌଟିଲ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ତା ଭିତରୁ ଗୋଟିଏ ହେଲା ପରିବେଶ । ପରିବେଶର ସୁରକ୍ଷା ଦିଗରେ କୌଟିଲ୍ୟ ଶାସକ ମାନଙ୍କୁ  ଦୃଷ୍ଟି ଦେବାପାଇଁ କହିଛନ୍ତି । ପରିବେଶକୁ ନଷ୍ଟ ନକରି ଉନ୍ନୟନ ଏହାହିଁ  ମାନବର  ଆବଶ୍ୟକତା ବୋଲି  କୌଟିଲ୍ୟ ମତ ଦେଇଛନ୍ତି ।                              କୌଟିଲ୍ୟଙ୍କର ଯେଉଁ ସବୁ ସିଦ୍ଧାନ୍ତ ତାଙ୍କ ସମୟରେ ସେ ବ୍ୟକ୍ତ କରି ଯାଇଛନ୍ତି, ସେଗୁଡିକ ମଧ୍ୟରୁ ଅନେକ ଗୁଡିଏ ଏପର୍ଯ୍ୟନ୍ତ ପ୍ରାସଙ୍ଗିକ ରହିଛି । କୌଟିଲ୍ୟ ଥିଲେ ଜଣେ ଦୂରଦ୍ରଷ୍ଟା ।  ସେଇଥିପାଇଁ  ତାଙ୍କ କଥା ଏପର୍ଯ୍ୟନ୍ତ ପ୍ରାସଙ୍ଗିକ ।

            ଏ ବହିଟି ଅର୍ଥନୀତି, ସମାଜନୀତିର ଛାତ୍ର ଓ ଗବେଷକମାନଙ୍କ ସହିତ ନୀତି ନୀତିନିର୍ଦ୍ଧାରକମାନେ ମଧ୍ୟ ପଢ଼ିବା ଦରକାର ।

++