Friday, 31 July 2020

Column | Sabda Chhabi Akhyara | 1.8.2020

ଶବ୍ଦ ଛବି ଅକ୍ଷର 

ଆମେ ସମସ୍ତେ ଗପ ଭଲ ପାଉ                                                                                          

. ମୃଣାଳ ଚାଟାର୍ଜୀ 

ଆମେ ସମସ୍ତେ ଗପ ଶୁଣିବାକୁ ଭଲପାଉ । ପୁଣି ସେଇ ଗପକୁ ଆମେ ଅନ୍ୟମାନଙ୍କୁ ଶୁଣାଇବା ପାଇଁ ଭଲପାଉ । ସେଇଥି ପାଇଁ ଗପ କହିବା, ଶୁଣିବା ଆଉ ଶୁଣେଇବା ଆମର ସାମୂହିକ ଚେତନାର ଏକ ଅଙ୍ଗ ହୋଇଯାଇଛି ।

ଗପ କ’ଣ? ଗପ ହେଲା ଜଣଙ୍କର କଳ୍ପନା ପ୍ରସୂତ ଏକ କାହାଣୀ । ଯେଉଁଥିରେ ବାସ୍ତବକଥା ଥାଇପାରେ, ନ ଥାଇ ବି ପାରେ । ଗଳ୍ପରେ ଯୁକ୍ତି, ତର୍କ, ତଥ୍ୟର ସତ୍ୟତା- ଏ ସବୁର ସ୍ଥାନ ଖୁବ୍‍ ଉଚ୍ଚରେ ନୁହଁ । ମୂଳ ଉଦ୍ଦେଶ୍ୟ ହେଉଛି ଗୋଟିଏ କାହାଣୀ କହିବା, ଯାହା ନିଜକୁ ବା ଅନ୍ୟମାନଙ୍କୁ ପସନ୍ଦ ହେବ । ଇତିହାସ, ସାମ୍ବାଦିକତା, ଆଉ ଗପଟିଏ ଭିତରେ  ଏଇଠି ବଡ଼ ଫରକ ରହିଛି ।

ଇତିହାସ ପଢ଼ିଲା ବେଳେ କିମ୍ବା ଖବରଟିଏ ଦେଖିଲା ବେଳେ ଆଉ ଗପଟିଏ ପଢ଼ିଲାବେଳେ ଆମେ ସେହି ଅନୁସାରେ ମନକୁ ଠିକ୍‍ କରିନେଉ । ଖବର ଓ ଇତିହାସରେ ଆମେ ତଥ୍ୟ (ଯାହାକୁ ସତ୍ୟ ବୋଲି ଭାବୁ) ତାକୁ ଖୋଜୁ । ଗଳ୍ପରେ ଆଶାକରୁ ଅନ୍ୟ କିଛି । ତାହା ମନୋରଞ୍ଜନ ହେଉ ବା ଚେତନାର ଉତ୍ତରଣ । ଯେହେତୁ ଗଳ୍ପରେ ବାସ୍ତବଠୁ କଳ୍ପନାର ସ୍ଥାନ ଉଚ୍ଚରେ, ଯାହା ସତରେ ହେଇଛି ବା ହେଇପାରେଠୁ ଗଳ୍ପ ଲେଖକ ତାଙ୍କ କଳ୍ପନାରୁ ଯାହା କହୁଛନ୍ତି, ତାହା ଉପରେ ବିଶ୍ୱାସ ଅଧିକ ଥାଏ । ସେଇଥି ପାଇଁ ଗଳ୍ପ ଇତିହାସଠୁ, ଖବରଠୁ ଅଧିକ ଆକର୍ଷଣୀୟ । ଅଧିକ ରମ୍ୟ । ଆଉ ହୁଏତ ଅଧିକ ଗ୍ରାହ୍ୟ ।

ଚତୁର ରାଜନୀତିଜ୍ଞମାନେ ସେଥିପାଇଁ ଇତିହାସଠୁ ଘୁଞ୍ଚି, ତଥ୍ୟଠୁ ଦୂରେଇ ଯାଇ ଗଳ୍ପ ଫାନ୍ଦନ୍ତି । କାହାଣୀ ସୃଷ୍ଟି କରନ୍ତି - ଏଇଥି ପାଇଁ ଯେ, ଆମେ ଗଳ୍ପ ଶୁଣିବାକୁ ଭଲପାଉ, ଆମେ କାହାଣୀକୁ ଗ୍ରହଣ କରୁ, ଆଉ ଅନେକାଂଶରେ ବିଶ୍ୱାସ କରୁ ମଧ୍ୟ । ତଥ୍ୟ-ନିଷ୍ଠତା ସାମ୍ବାଦିକତାର ଏବଂ ଇତିହାସର ପ୍ରଥମ ଶର୍ତ୍ତ । ସେଇଥିପାଇଁ ସାମ୍ବାଦିକତାକୁ ଇତିହାସର ପ୍ରଥମ ଖସଡ଼ା (ଫାର୍ଷ୍ଟ ଡ୍ରାଫ) ବୋଲି କୁହାଯାଏ ।  କାହାଣୀ, ନେତାମାନଙ୍କୁ, ଲୋକଙ୍କ ମନକୁ ବାସ୍ତବତାଠାରୁ ଦୂରେଇ ରଖିବାରେ ସାହାଯ୍ୟ କରେ । କାହାଣୀ ଯେତେ ରୋଚକ, ଆଉ ଉତ୍ତେଜନାପୂର୍ଣ୍ଣ ହେବ ଲୋକେ ସେଥିପ୍ରତି ଆହୁରି ଆକୃଷ୍ଟ ହେବେ । ଗଣ ଯୋଗାଯୋଗ କ୍ଷେତ୍ରରେ ଗବେଷଣା କହୁଛି, ଗୋଟିଏ ମିଛକୁ ଯଦି ଅଧିକ ଥର, ବିଭିନ୍ନ ମାଧ୍ୟମରେ  ସତ ବୋଲି କୁହାଯାଏ, ଲୋକମାନେ ତାକୁ ସତ୍ୟ ବୋଲି ବିଶ୍ୱାସ କରିବାକୁ ଲାଗନ୍ତି । କାହିଁକି ବିଶ୍ୱାସ କରନ୍ତି- ତାର ଅନେକ ସାମାଜିକ-ସାଂସ୍କୃତିକ ଏବଂ ମନସ୍ତାତ୍ୱିକ କାରଣ ରହିଛି । ଆଉ ମଜା କଥା ହେଉଛି ଅଧିକାଂଶ କ୍ଷେତ୍ରରେ ଲୋକେ ପୂରା ସତ କିମ୍ବା ପୂରା ମିଛଠୁଁ ସତର ଜାମା ପିନ୍ଧିଥିବା ମିଛକୁ ଅଧିକ ବିଶ୍ୱାସ କରନ୍ତି । ଆଉ ଏହା ରାଜନୀତିଜ୍ଞମାନଙ୍କୁ ଖୁବ ସୁହାଏ । 

ବର୍ତ୍ତମାନ ତଥ୍ୟ ପ୍ରଯୁକ୍ତି ଯେଉଁ ସ୍ତରରେ ପହଞ୍ଚିଛି, ସେଥିରେ ବିଭିନ୍ନ ମାଧ୍ୟମରେ ଲୋକଙ୍କ ପାଖରେ କାହାଣୀକୁ ଅଳ୍ପ କିଛି ସତର ଛୁଙ୍କ ଦେଇ ପୂରା ସତ ଭାବରେ ଉପସ୍ଥାପିତ କରିବା କିଛି କଷ୍ଟକର କାମ ନୁହଁ । ଏବଂ ତାହା କରାଯାଉଛି।

ରୋଚକ, ଉତ୍ତେଜକ କାହାଣୀରେ ଜଣେ ନାୟକ ଥାଏ, ଆଉ ଜଣେ ଖଳନାୟକ । ନାୟକ, ଖଳନାୟକର ସଂଘାତ ଯୁଦ୍ଧ ହୁଏ । ଶେଷରେ ନାୟକର ବିଜୟ ହୁଏ । ସତ୍ୟର ଜୟ ହୁଏ । ଯେହେତୁ ଆମେ ବିଶ୍ୱାସ କରି ଆସିଛନ୍ତି ଏବଂ ବିଶ୍ୱାସ କରିବାକୁ ଭଲ ପାଉ ଯେ ସତ୍ୟର ସବୁବେଳେ ବିଜୟ ହୁଏ. ତେଣୁ ଏ ବିଜୟୀ ହୁଅନ୍ତି ସେ ସତ୍ୟର ପକ୍ଷଧର- ଏମିତି ଗୋଟେ ବିଶ୍ୱାସ ବି ଆମେ କରିବସୁ ।

ଚତୁର ରାଜନୈତିକ ନେତାମାନେ ପ୍ରଥମେ ଏକ ଅତ୍ୟାଚାରୀ ଖଳନାୟକ ସୃଷ୍ଟି କରନ୍ତି । ଯାହା ଦ୍ୱାରା ସାଧାରଣ ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି ବା ହେଇପାରନ୍ତି । ଖଳନାୟକକୁ କ୍ରମଶଃ ବଡ଼କରି ଦେଖାଯାଏ । ଏତେ ବଡ଼ ଯେ ସାଧାରଣ ଲୋକ ତା ନିଜ ସ୍ତରରେ ତାର ମୁକାବିଲା କରି ପାରିବ ନାହିଁ । ଆଉ ତା’ପରେ ଆବିର୍ଭାବ ହୁଏ ନାୟକର । ନାୟକକୁ ଅତ୍ୟାଚାରିତ ଲୋକମାନଙ୍କର ତ୍ରାଣକର୍ତ୍ତା ଭାବେ ଉପସ୍ଥାପିତ କରାଯାଏ । ଲୋକ ଖୁସି ହୁଅନ୍ତି । ଆଶ୍ୱସ୍ତ ହୁଅନ୍ତି । କେହି ତ ଜଣେ ସେମାନଙ୍କୁ ରକ୍ଷା କରିବା ପାଇଁ ଆସି ପହଞ୍ଚିଛନ୍ତି ।  ଗପରେ ନାୟକ ଅତ୍ୟାଚାରୀ ଖଳନାୟକକୁ ବିନାଶ କରେ । ଲୋକେ ଅତି ଆନନ୍ଦରେ ଭାବ ଗଦଗଦ ହୋଇ ନାୟକକୁ ଈଶ୍ୱର ପର୍ଯ୍ୟାୟଭୁକ୍ତ କରିପକାନ୍ତି । ତାଙ୍କୁ ପୂଜା କରିବାକୁ ଲାଗନ୍ତି ।

ଇତିହାସ ଏବଂ ରାଜନୀତିକୁ ପାଖାପାଖି କରି ଦେଖିଲେ, ଏହାର ଅନେକ ଉଦାହରଣ ଆମେ ପାଇପାରିବା । ରୋଚକ କାହାଣୀର ପରସ୍ତ ଭିତରେ ବାସ୍ତବିକତା କେଉଁଠି ହଜିଯାଏ । ତଥ୍ୟ କୋଣଠେସା ହୋଇଯାଏ ।  

ଇତିହାସର କାମ ହେଲା ତଥ୍ୟକୁ ତାର ପ୍ରେକ୍ଷାପଟ ସହିତ ଡକୁମେଣ୍ଟ୍‌ କରି ରଖିବା । ଆଉ ସାମ୍ବାଦିକତାର କାମ ହେଲା କାହାଣୀର କୁହୁକ ପେଡ଼ି ଭିତରୁ ବାସ୍ତବତାକୁ ଉଦ୍ଧାର କରିବା ।

କାରଣ, ବାସ୍ତବତା ହେଉଛି କାହାଣୀଠାରୁ ଅଧିକ ମାର୍ମିକ ।

***

ସଞ୍ଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧ 


No comments:

Post a Comment