Published in Daily Nirbhay, 27.7.2020
ଉତ୍ତର-କରୋନା
‘ନୂତନ ସ୍ୱାଭାବିକ’
ଜୀବନ
ଡ. ମୃଣାଳ ଚାଟାର୍ଜୀ
୨୦୧୯ ନଭେମ୍ବର ମଝାମଝିରୁ ଚୀନର ଉହାନ ପ୍ରଦେଶରେ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ବିଶ୍ୱର ବଡ଼ ବିପଦ ଭାବେ ଉଭା ହୋଇଛି । ସାତ ମାସ ପାର ହୋଇଗଲାଣି, କରୋନାର ପ୍ରକୋପ ପୃଥିବୀରୁ ଯାଉନାହିଁ । ଭାରତ ଭଳି କେତେକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ଏଥିରେ ପ୍ରାଣ ହରେଇଥିବା
ଲୋକଙ୍କ ସଂଖ୍ୟା ବଢ଼ିବାରେ ଚାଲିଛି । ୁଲାଇ
୪ ତାରିଖ ସୁଦ୍ଧା ଭାରତରେ ସାଢ଼େ ୬ ଲକ୍ଷ କରୋନା-ପଜିଟିଭ୍ କେସ୍ ଦେଖାଗଲାଣି । କରୋନାରେ ମୃତ୍ୟୁ
ହେଲାଣି ପାଖାପାଖି ୧୯ ହଜାର ଲୋକଙ୍କର । ଓଡ଼ିଶାରେ ୮ ହଜାରରୁ ଊଦ୍ଧ୍ୱର୍ କରୋନା ପଜିଟିଭ୍ କେସ୍
ବାହାରିଲାଣି । ମୃତ୍ୟୃହେଲାଣି ୨୯ ଜଣଙ୍କର ।
ସାରା ପୃଥିବୀରେ ସ୍ୱାଭାବିକ ଜୀବନ ଏଭଳି ଭାବେ ବ୍ୟାହତ ହୋଇଛି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ବି ଏ ଅବସ୍ଥା ଉପୁଜିନଥିଲା
। କରୋନା ଯୋଗୁଁ ଦେଶର ଅର୍ଥନୀତି ଉପରେ ଭୟଙ୍କର ବିରୂପ ପ୍ରଭାବ ପଡ଼ିଛି । ଆର୍ଥିକ ଅଭିବୃଦ୍ଧିର ହାର
ଶଠୂନ୍ୟ କିମ୍ବା ତାଠୁଁ ବି ତଳକୁ ଖସିଯିବାର ଆଶଙ୍କା ଦେଖାଦେଲାଣି । ଲୋକଙ୍କ ହାତକୁ କାମ ନାହିଁ
। ଦିନ ମଜୁରିଆ, ସହରୀ ଶ୍ରମିକ, ନିର୍ମାଣ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ପାଖରେ ରୋଜଗାରର
କିଛି ସାଧନ ନାହିଁ । ଛୋଟ ଏବଂ ଖୁଚୁରା ବ୍ୟବସାୟୀ, ଅଟୋ ଏବଂ ଟ୍ୟାକ୍ସି ଚାଳକମାନେ ମଧ୍ୟ ରୋଜଗାର
ପାଉନାହାନ୍ତି । କ୍ରମାଗତ ଲକ୍ଡାଉନ୍ ଫଳରେ ଶିକ୍ଷା କ୍ଷେତ୍ରରେ ବି ଅଚଳାବସ୍ଥା ଦେଖା ଦେଲାଣି
।
କରୋନା
ଭୂତାଣୁ ଜନିତ ଏ ଅଚଳାବସ୍ଥାରୁ ମୁକ୍ତି କିପରି ମିଳିବ? ବୈଜ୍ଞାନିକମାନଙ୍କ ପାଇଁ ଏହା ଏକ ବଡ଼ ଚାଲେଞ୍ଜ । ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକମାନେ ଏଥିପାଇଁ ୩ଟି କଥା କହୁଛନ୍ତି ।
୧- କରୋନା ପ୍ରତିଷେଧକ ଉଦ୍ଭାବନ,
୨- ବହୁ ଲୋକଙ୍କ ମଧ୍ୟରେ ଭାଇରସର ସଂକ୍ରମଣ ଘଟିଲେ ରୋଗ ପ୍ରତିଷେଧକ କ୍ଷମତାର ଉଦ୍ଭବ,
୩- ମଣିଷ ଓ ସମାଜର ଆଚାର ଓ ଆଚରଣରେ ସ୍ଥାୟୀ ପରିବର୍ତ୍ତନ ।
ତେବେ ଗୋଟିଏ କଥା ନିଶ୍ଚିତ ଯେ, କରୋନା ପରବର୍ତ୍ତୀ ଅବସ୍ଥାରେ ବର୍ତ୍ତମାନ ଆମେ ଯେମିତି ଓ ଯେଉଁଭଳି ଜୀବନ ବଞ୍ଚିଛୁ ସେଥିରେ ବ୍ୟାପକ ପରିବର୍ତ୍ତନ ଘଟିବ । ଏ ପରିବର୍ତ୍ତିତ ଅବସ୍ଥାକୁ ‘ନୂଆ ସ୍ୱାଭାବିକ’ (ବା ନିଉ ନରମାଲ) ବୋଲି କୁହାଯାଉଛି । ୨୦୦୭-୮ରେ
ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ବେଳେ ବିଭିନ୍ନ ଦେଶ ଯେଉଁ ନୂତନ ଅର୍ଥନୈତିକ ନୀତି ଆପଣାଇଲେ- ସେଇ ପ୍ରେକ୍ଷାପଟ୍ଟରେ ଏ ଶବ୍ଦର ବ୍ୟବହାର ଆରମ୍ଭ ହେଲା । ୨୦୦୯-୧୦ ବେଳକୁ ଏହା ସାଧାରଣ ବ୍ୟବହାରରେ ଆସିଲା । ଡେଭଲପମେଣ୍ଟ ଷ୍ଟଡିଜ୍ରେ ନିଉ ନରମାଲ କହିଲେ ମଣିଷର ଆଚରଣଗତ ଯୋଗାଯୋଗର ନୂଆ କୌଶଳକୁ ବୁଝାଏ ।
ଭାରତରେ ଅର୍ଥନୈତିକ ଅବସ୍ଥାକୁ ସୁଧାରିବା ପାଇଁ, ଲୋକମାନଙ୍କୁ ରୋଜଗାରରେ ଲଗେଇବା ପାଇଁ କରୋନା ପ୍ରକୋପ ସତ୍ତ୍ୱେ ଲକ୍ଡାଉନ ଉଠାଇ ନିଆଯାଇଛି ଏବଂ ସେମାନଙ୍କୁ ନୂତନ ପରିସ୍ଥିତିରେ ନିଜକୁ ନିରାପଦ ରଖି କାମ କରିବାର ପରାମର୍ଶ ଦିଆଯାଇଛି । ଅର୍ଥାତ କରୋନାର ଭୟ ସତ୍ତ୍ୱେ ଜୀବନକୁ ନୂଆ ପରିସ୍ଥିତି ସହ ଅଭ୍ୟସ୍ତ ହେବାର ପ୍ରକ୍ରିୟା ହେଲା- ନିଉ ନରମାଲ । ଉଦାହରଣ ସ୍ୱରୂପ- ବାହାରକୁ ବାହାରିଲେ ମୁଖା ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା, ବ୍ୟକ୍ତିଗତ ଭାବେ ପରିଚ୍ଛନ୍ନତା ରହିବା ଇତ୍ୟାଦି ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଉଠିବ । କର୍ମକ୍ଷେତ୍ରରେ ୱାର୍କ ଫ୍ରମ ହୋମର ବ୍ୟାପକ ବ୍ୟବହାର, ଅନ୍ଲାଇନ ଶିକ୍ଷାର ଅଭିବୃଦ୍ଧି, ଟଙ୍କା ପଇସା ଦେଣନେଣରେ କ୍ୟାସଲେସ ଟ୍ରାଞ୍ଜେକସନର ଅଭିବୃଦ୍ଧି, ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟର ବ୍ୟାପକ ବ୍ୟବହାର- ଏ ସବୁ ନୂତନ ସମାଜର ଏକ ଅଙ୍ଗ ହୋଇଉଠିବ । ଲୋକେ
ବାହାରେ କମ୍ ବୁଲିବେ । ଚିତ୍ତ ବିନୋଦନ ପାଇଁ ସିନେମା ଥିଏଟରକୁ କମ ଯିବେ । ପର୍ଯ୍ୟଟନରେ କମ୍
ଯିବେ । ଘର ଭିତରେହିଁ ଚିତ୍ତ ବିନୋଦନର ବ୍ୟବସ୍ଥା କରିନେବେ । ସିନେମା ହଲ୍କୁ ଯିବା ବଦଳରେ ମୋବାଇଲ୍ରେ
ଓଟିଟି ପ୍ଳାଟ୍ଫର୍ମରେ ସିନେମା କିମ୍ବା େୱବ୍-ସିରିଜ୍ ଦେଖିବେ ।
ଲକ୍ଡାଉନର ସମୟଟାକୁ ଯୁଗସନ୍ଧିର ସମୟ ଭାବେ ବିବେଚନା କରାଯାଇପାରେ । ଉତ୍ତର କରୋନାକାଳରେ ଯେଉଁ ସାମାଜିକ ଦୂରତ୍ୱ ପାଳନ କରିବାକୁ କୁହାଯାଇଛି- ତାହା ଆମର ବର୍ତ୍ତମାନ ସାମାଜିକ ପରିବେଶ ସହ ମେଳ ଖାଉନାହିଁ । ସେଇଥି ପାଇଁ ଲକ୍ଡାଉନ ବେଳେ ବି ବିଜାରରେ ଭିଡ଼ ଦିଶୁଛି । ଲୋକେ ସାମାଜିକ ଦୂରତ୍ୱକୁ ‘ଫୁ’ କରି ଦେଉଛନ୍ତି । ସମାଜ ଭିତରେ ଏକା ଏକା ରହିବା ଆମ ସମାଜର ନୃତାତ୍ତ୍ୱିକ ଧାରଣା ସହ ମେଳ ଖାଉନାହିଁ ।
ବର୍ତ୍ତମାନ ପ୍ରଶ୍ନ- ଆମେ କ’ଣ କେବେ ବି ନିଉ ନରମାଲରେ ନିଜକୁ ପଇଟି ପାରିବା? ଉତ୍ତର ହେଲା: କରୋନାର ପ୍ରକୋପ ଯଦି ଜାରି ରୁହେ(ବୈଜ୍ଞାନିକମାନେ ଯାହା ଆଶଙ୍କା କରୁଛନ୍ତି) ତା’ହେଲେ ଆମକୁ କ୍ରମଶଃ ଏ ପ୍ରକାର ଜୀବନରେ ଅଭ୍ୟସ୍ତ ହେବାକୁ ପଡି଼ବ । ଅସ୍ତିତ୍ୱର ସଙ୍କଟ ଦେଖାଦେଲେ ମଣିଷ ନିଜର ଅଭ୍ୟାସ ଓ ଜୀବନ ଶୈଳୀ ପରିବର୍ତ୍ତନ କରିବାକୁ ବାଧ୍ୟ । ଏଥିରେ ରାଷ୍ଟ୍ରୀୟ ନୀତି ଓ ପଦ୍ଧତିର ପରିବର୍ତ୍ତନ, ସାମାଜିକ ବିଧି ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ବ୍ୟକ୍ତିର ମନସ୍ତାତ୍ତ୍ୱିକ ପରିବର୍ତ୍ତନ- ଏ ତିନୋଟିଯାକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ଆଉ ଏ ପରିବର୍ତ୍ତନ ଅବ୍ୟସମ୍ଭାବୀ । ମୌଲାନା ଜଲାଲ ଉଦ୍ଦିନ ରୁମି କହିଥିଲେ- ‘ଗତକାଲି ମୁଁ ଚାଲାକ ଥିଲି, ତେଣୃ ପୃଥିବୀକୁ ବଦଳାଇବାକୁ ଚାହୁଁଥିଲି । ଆଜି ବୁଦ୍ଧିମାନ ହୋଇଛି, ତେଣୁ ନିଜକୁ ବଦଳାଇବାକୁ ଚାହେଁ ।’ ବର୍ତ୍ତମାନ ଆମ ପାଇଁ ସମୟ ଆସିଛି ଚାଲାକରୁ ବୁଦ୍ଧିମାନ ହେବା ପାଇଁ ପଡି଼ବ । ଥୋମଣିରେ ଲଟକିଥିବା ମୁଖାକୁ ପୁଲିସ ଦେଖିଲେ ମୁହଁ ଉପରକୁ ଟେକି ଦେବା ଛାଡି଼ କରୋନା ସଂକ୍ରମଣରୁ ନିଜକୁ ଏବଂ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ମୁହଁକୁ ଘୋଡ଼େଇବାକୁ ପଡି଼ବ । ଅନ୍ଲାଇନରେ ଶିକ୍ଷା ଆମ ସଂସ୍କୃତି ସହିତ ଖାପଖାଉନି ବୋଲି କହିବା ଛାଡି଼ ତାକୁ ଆପଣାଇବାକୁ ପଡି଼ବ । ସଂଗାତ
ସହିତ ପଂଗତରେ ଚଳିବା ଆମର ଅଭ୍ୟାସ ବୋଲି କହିବା ଛାଡ଼ି ସାମାଜିକ ଦୂରତ୍ୱକୁ ଆପଣେଇବାକୁ ପଡ଼ିବ । କେବଳ
ଏତିକି ଦେଖିବାକୁ ପଡ଼ିବ ଯେ ସାମାଜିକ ଦୂରତ୍ୱ ମାନସିକ ଦୂରତ୍ୱ ତିଆରି ନ କରି ଦେଉ । ଭୌତିକ ଅସ୍ତିତ୍ୱ
ରକ୍ଷା ପାଇଁ ନୂତନ ସ୍ୱାଭାବିକ ଜୀବନ ବଞ୍ଚୁ ବଞ୍ଚୁ ମଣିଷ ସାମାଜିକ ପ୍ରାଣୀରୁ ସ୍ୱ-କେନ୍ଦ୍ରିକ ପ୍ରାଣୀ
ହୋଇ ନ ଯାଉ ।
***
ଲେଖକ
ପରିଚିତି: ସକ୍ରିୟ ସାମ୍ବାଦିକତାରୁ ସାମ୍ବାଦିକତା ଶିକ୍ଷା ଜଗତକୁ ଆସିଥିବା ଡ. ମୃଣାଳ ଚାଟାର୍ଜୀ
ଏବେ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନର
ପୂର୍ବ ଭାରତୀୟ ଶାଖାର ମୁଖ୍ୟ ଅଛନ୍ତି ।
|
No comments:
Post a Comment