Friday, 24 July 2020

Pathe Prantare | 26.7.2020

ପଥେ ପ୍ରାନ୍ତରେ । ମୃଣାଳ । ୨୬.୭.୨୦୨୦

ଅଳିଆ ହଟାନ୍ତୁ 

ଏଠି ଅଳିଆ କହିଲେ ଆବର୍ଜନା ନୁହେଁ । ଆମ ଘରେ ଆମ ପଢ଼ା ଟେବୁଲ୍‌ ଉପରେ ଏମିତି ଅନେକ ଜିନିଷ ଅଛି- ଯାହା ଆମେ ହୁଏତ ଛମାସ ଆଠ ମାସ ହେଲା ବ୍ୟବହାର କରିନୁ । ହେଲେ ତାହା ସେଇଠି ଅଛି । ପରେ କେତେବେଳେ ବ୍ୟବହାର ହେବ, କାଳେ ଦରକାର ପଡ଼ିବ- ଏଇଆ ଭାବି ଆମେ ତାକୁ ରଖିଛୁ । ସାଇତି ରଖିନୁ । ବାସ୍‌, ଜିନିଷ ସେଇଠି ଜାଗା ମାଡ଼ି ରହିଛି । ଏହାକୁ ଇଂରାଜୀରେ କ୍ଲଟର କହନ୍ତି । 

ମାରି କୋଣ୍ଡୋ ଗୋଟେ ବହି ଲେଖିଛନ୍ତି: ଜୟ ଆଟ୍‌ ୱାର୍କ । କାମରେ ଆନନ୍ଦ । ଏ ବହିରେ ସେ ଏଇସବୁ ଅଦରକାରୀ ଜିନିଷକୁ ହଟେଇଦେବା ଉପରେ ଗୁରୁତ୍ୱ ଦେଇଛନ୍ତି । କେବଳ ଜିନିଷ ନୁହେଁ, ଯେଉଁ ଜିନିଷ ବା ଭାବନା ବା ସମ୍ପର୍କ ଆପଣଙ୍କ ଜୀବନକୁ ଜଟିଳ କରି ଦେଉଛି ତାକୁ ହଟେଇଦେବାକୁ ପରାମର୍ଶ ଦିଅନ୍ତି ସେ । 

ସେ କୋନମାରି ଦର୍ଶନକଥା କହନ୍ତି । କୋନମାରି ଶବ୍ଦର କିଛି ଅର୍ଥ ନାହିଁ । ତାଙ୍କ ନାଁ ଆଉ ସାଙ୍ଗିଆକୁ ଯୋଡ଼ି ଏ ଶବ୍ଦଟି ସେ ନିଜେ ତିଆରି କରିଛନ୍ତି । ତାଙ୍କ ଦର୍ଶନ ହେଲା ସରଳ । ଅଦରକାରୀ ଜିନିଷକୁ ହଟେଇ ଦିଅନ୍ତୁ । ଦରକାରୀ ଜିନିଷକୁ ସଠିକ୍‌ ଜାଗାରେ ସଜେଇ ରଖନ୍ତୁ । ଯେତେ ଅଦରକାରୀ ଜିନିଷ ଆପଣ ନିଜ ଚାରିପାଖରେ ଗଦେଇ ରଖିବେ- ଆମ ମସ୍ତିଷ୍କକୁ ତାହା ସେତେ ଭାରି କରି ରଖିବ । ତେଣୁ ଅଦରକାରୀ ଜିନିଷକୁ ହଟେଇ ଦିଅନ୍ତୁ । 

ଆଉ ସବୁଠୁଁ ବଡ଼ କଥା- ଯେଉଁ ଜାଗାରେ ବସି ଆପଣ କାମ କରୁଛନ୍ତି, ଯେଉଁ ଜାଗାରେ ରହୁଛନ୍ତି- ତାହା ଆପଣଙ୍କୁ ଖୁସି ଦେଉଛି କ୍‌ି ନାହିଁ, ଆନନ୍ଦ ଦେଉଛି କି ନାହିଁ- ତାକୁ ଅନୁଭବ କରନ୍ତୁ । ତାଙ୍କ ବିଷୟରେ ଅଧିକ ଜାଣିବାକୁ ହେଲେ ଏଇ ସାଇଟ୍‌ଟି ଦେଖନ୍ତୁ ।

https://www.goodhousekeeping.com/home/organizing/a25846191/what-is-the-konmari-method/# 

ଅତିଥି ତୁମେ କେବେ ଯିବ?

କେଇ ବର୍ଷ ତଳେ ଗୋଟେ ହିନ୍ଦୀ ସିନେମା ଆସିଥିଲା: ଅତିଥି ତୁମ୍‌ କବ୍‌ ଯାଓଗେ? ଅଭିନୟ କରିଥିଲେ ଅଜୟ ଦେବଗନ୍‌, କଙ୍କନା ସେନ୍‌ଶର୍ମା ଆଉ ପରେଶ ରାେୱଲ୍‌ । କାହାଣୀ ହେଲା ଏପ୍ରକାର: ଅଜୟ ଆଉ କଙ୍କନା ହେଲେ ପତି ପନିୀ । ସେମାନଙ୍କ ସଂସାରକୁ ଆତିଥି ଭାବରେ ପଶିଆସିଛନ୍ତି ପରେଶ ରାେୱଲ୍‌ । ସେ ଆଉ ଯିବା ନାଁ ଧରୁ ନାହାନ୍ତି । ଅତିଥିଙ୍କୁ ତ ଆଉ ଧMା ମାରି ଘରୁ ବାହାର କରି ଦେଇ ହେବନି । ହେଲେ ସବୁବେଳେ ମନ କହୁଛି: ଅତିଥି କେବେ ଯିବ!

କରୋନାକୁ ନେଇ ଆମର ଅବସ୍ଥା ପାଖାପାଖି ସେଇଆ । ହେଲେ ଇଏ ଏମିତି ଅତିଥି ଯାହାକୁ ଧMା ମାରି ବାହାର କରି ଦେବାର ଔକାତ୍‌ ଆମର ଏଯାଏଁ ହୋଇନି । ଅଗଷ୍ଟ ୧୫ ବେଳକୁ ଯଦି ଟୀକା ବାହାରି ଯାଏ- ତେବେ କଥା ଅଲଗା ହେବ । ହେଲେ ସେଯାଏଁ- କରୋନା ନିଜେ ନ ଯିବା ଯାଏଁ କିଛି କରି ହେଉନି । ପ୍ରଥମେ ଲାଗୁଥିଲା ଦୀପ ଜଳେଇଲେ, ତାଳି ମାରିଲେ କିମ୍ବା ଗୋ କରୋନା ଗୋ ବୋଲି ପାଟି କଲେ କରୋନା ଡରି ମରି ଭାରତ ଛାଡ଼ି ଚାଲିଯିବ । ସେମିତି କିଛି ହେଲାନି । ବରଂ କରୋନା ଆମ ଦେଶରେ ଆହୁରି ମାଡ଼ି ବସିଲାଣି । ଭାରତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ତିନି ନମ୍ବର ଦେଶ ହେଲାଣି । 

ଇତିମଧ୍ୟରେ ଲକ୍ଷ୍ୟ କଲେଣି କି - ଅତିଥି ଶବ୍ଦର ବ୍ୟଞ୍ଜନା ବଦଳିଗଲାଣି । ଆଗରୁ କୁହାଯାଉଥିଲା ଅତିଥି ଦେବୋ ଭବ । ଅତିଥି ହେଲେ ଭଗବାନ । ତାଙ୍କୁ ସେଇ ଭଳି ବ୍ୟବହାର କରିବା କଥା । ଏବେ କହିଲେଣି- ଅତିଥି ରିସ୍କି ଭବ । ଅତିଥି ହେଲେ ରିସ୍କି । ସେ ଆସିଲାମାନେ ଜାଣିଲ ବିପଦ ମାଡ଼ିଆସିଲା । 

ଆମ ନବଘନ ତା ଘରକୁ କେହି ଅତିଥି ଆସିଲେ ତାଙ୍କୁ ବିଦା କଲା ପରେ ତିନି ପେଗ୍‌ ହୁଇସ୍କି ପିଏ । କହେ: ଅତିଥି ରିସ୍କି । ତେଣୁ ମୁଁ ପିଉଛି ହୁଇସ୍କି । 

- କାହିଁକି?

- ବିଜ୍ଞାନ କହୁଛି କରୋନା ଭୂତାଣୁ ଆଲ୍‌କୋହଲରେ ମରିଯାଏ । ଆଉ ହୁଇସ୍କିରେ ଆଲ୍‌କୋହଲ୍‌ ଅଛି । 

- କିନ୍ତୁ ବିଜ୍ଞାନ କହୁଛି ଅନ୍ତତଃ ୭୦ ଶତାଂଶ ଆଲ୍‌କୋହଲ୍‌ ନ ହେଲେ କରୋନା ଭୂତାଣୁ ମରିବନି । ହୁଇସ୍କିରେତ ସେତେ ପରିମାଣରେ ଆଲ୍‌କୋହଲ୍‌ ନାହିଁ । 

- ସେତେ ନ ଥାଉ । କିଛି ତ ଅଛି । କରୋନା ଭୂତାଣୁ ପୂରାପୂରି ନ ମଲେ କଣ ହେବ- ଘାଇଲା ତ ହେବ!

ସିନେମାରେ ମହାତ୍ମା ଗାନ୍ଧି

ନିଜ ଜୀବନକାଳ ଭିତରେ ମହାତ୍ମା ଗାନ୍ଧି ଗୋଟିଏ ମାତ୍ର ସିନେମା ଦେଖିଥିଲେ । ତାହା ହେଲା: ରାମ ରାଜ୍ୟ । ସେତେବେଳେ ତାଙ୍କୁ ୭୪ ବର୍ଷ ବୟସ । ୧୯୪୪ ମସିହା ଜୁନ୍‌ ୨ ତାରିଖରେ ବମ୍ବେ (ଏବେ ମୁମ୍ବାଇ)ର ଜୁହୁରେ ଏ ଚଳଚ୍ଚିତ୍ରର ଏକ ବିଶେଷ ସ୍କ୍ରିନିଂରେ ସେ ଏହାକୁ ଦେଖିଥିଲେ । ସିନେମା ଦେଖିବା ପୂର୍ବରୁ କହିଥିଲେ ମୁଁ ଅଧଘଣ୍ଟା ଚାଳିଶ ମିନିଟ୍‌ ଦେଖିବି । ହେଲେ ପୂରା ସିନେମାଟା ସେ ଦେଖିଥିଲେ ।      

ତାଙ୍କ ସମୟର ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ମହାତ୍ମାଗାନ୍ଧୀ ସିନେମାକୁ ବିଶେଷ ପସନ୍ଦ କରୁନଥିଲେ । ପସନ୍ଦ କଣ- ସିନେମା ତାଙ୍କର ନାପସନ୍ଦ ଥିଲା । ସେ ଭାବୁଥିଲେ ସିନେମା- ସେ ଯେ କୌଣସି ଭାଷାର ହେଉ ନ କାହିଁକି ତରୁଣ ପୀଢ଼ିକୁ ନୀତିଭ୍ରଷ୍ଟ କରିଦେବ । ଚରିତ୍ର ନଷ୍ଟ କରିଦେବ । 

ହେଲେ ମଜା କଥା ଦେଖନ୍ତୁ - ତାଙ୍କ ଜୀବନକୁ ନେଇ ଏବଂ ଜୀବନ ଆଧାରରେ ଭାରତରେ ଅନେକ ଚଳଚ୍ଚିତ୍ର ତିଆରି ହୋଇଛି । 

ଜେଇସିଆରସି ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ବିଭାଗରେ ଆସୋସିଏଟ୍‌ ପ୍ରଫେସର ଡ. ନରେନ୍ଦ୍ର କୌଶିକ ନିକଟରେ ମହାତ୍ମା ଗାନ୍ଧି ଇନ୍‌ ସିନେମା ବୋଲି ଏକ ବହି ଲେଖିଛନ୍ତି । ଲଣ୍ଡନର କେମ୍ବ୍ରିଜ୍‌ ସ୍କଲାର୍‌ସ ଏହାକୁ ପ୍ରକାଶ କରିଛନ୍ତି । ଏଥିରେ ୧୯୧୩ରୁ ୨୦୧୩ ଭାରତୀୟ ସିନେମାର ଶହେ ବର୍ଷ ଭିତରେ ମହାତ୍ମା ଗାନ୍ଧିଙ୍କ ଉପରେ ନିର୍ମିତ ଏବଂ ତାଙ୍କ ଜୀବନ ଆଧାରରେ ତିଆରି ଚଳଚ୍ଚିତ୍ରର ଆକଳନ କରାଯାଇଛି । 


ଆମର କିଏ?

ନେପାଳ କହୁଛି ରାମ ତାଙ୍କର । 

ଭୁଟାନ୍‌ କହୁଛି ସୀତା ତାଙ୍କର । 

ତାହେଲେ ଆମର କିଏ? କେବଳ ବନ୍ଧ ବାନ୍ଧିଥିବା ବାନରମାନେ!

େୱବିନାରରେ ସବୁଠୁଁ ଅଧିକ କୁହାଯାଉଥିବା ଶବ୍ଦ

ମୋତେ ଶୁଣିପାରୁଛନ୍ତି?

ନିଜ ଶବ୍ଦ ବନ୍ଦ କର । ମ୍ୟୁଟ୍‌ ଇୟୋରସେଲ୍‌ଫ । 

ନିଜ ଶବ୍ଦ ଏବେ ଖୋଲ । ଅନ୍‌-ମ୍ୟୁଟ୍‌ ଇୟୋରସେଲ୍‌ଫ । 

ଏ ତିନୋଟି ଶବ୍ଦକୁ ବାରମ୍ବାର ଶୁଣିଲେ ଜର୍ଜ ଅରେୱଲ୍‌ଙ୍କ ଉପନ୍ୟାସ ୧୯୮୪ ପଢ଼ିବା ଭଳି ମନେ ହୁଏ । 

କହିବାର ଉଦ୍ଦେଶ୍ୟ: ଏ ଉପନ୍ୟାସଟି ପଢ଼ନ୍ତୁ ।

ଟାଇମ୍‌ ଖରାପ

ନବଘନର ଏବେ ଟାଇମ୍‌ ଖରାପ ଚାଲିଛି । ଖରାପ ମାନେ ଏତେ ଖରାପ ଯେ ତା ସ୍ୱପ୍ନରେ ସନ୍ନି ଲିଓନି ବି ଶାଢ଼ି ପିନ୍ଧି ଆସୁଛି ।

(ସୌଜନ୍ୟ: ସାମାଜିକ ଗଣମାଧ୍ୟମ)

***

 


No comments:

Post a Comment