ଶବ୍ଦ ଛବି ଅକ୍ଷର
ଆମେ ସମସ୍ତେ ଗପ ଭଲ ପାଉ
ଡ. ମୃଣାଳ ଚାଟାର୍ଜୀ
ଆମେ
ସମସ୍ତେ ଗପ ଶୁଣିବାକୁ ଭଲପାଉ । ପୁଣି ସେଇ ଗପକୁ ଆମେ ଅନ୍ୟମାନଙ୍କୁ ଶୁଣାଇବା ପାଇଁ ଭଲପାଉ ।
ସେଇଥି ପାଇଁ ଗପ କହିବା, ଶୁଣିବା ଆଉ ଶୁଣେଇବା ଆମର ସାମୂହିକ ଚେତନାର ଏକ ଅଙ୍ଗ ହୋଇଯାଇଛି ।
ଗପ
କ’ଣ? ଗପ ହେଲା ଜଣଙ୍କର କଳ୍ପନା ପ୍ରସୂତ ଏକ କାହାଣୀ । ଯେଉଁଥିରେ ବାସ୍ତବକଥା ଥାଇପାରେ, ନ ଥାଇ
ବି ପାରେ । ଗଳ୍ପରେ ଯୁକ୍ତି, ତର୍କ, ତଥ୍ୟର ସତ୍ୟତା- ଏ ସବୁର ସ୍ଥାନ ଖୁବ୍ ଉଚ୍ଚରେ ନୁହଁ ।
ମୂଳ ଉଦ୍ଦେଶ୍ୟ ହେଉଛି ଗୋଟିଏ କାହାଣୀ କହିବା, ଯାହା ନିଜକୁ ବା ଅନ୍ୟମାନଙ୍କୁ ପସନ୍ଦ ହେବ ।
ଇତିହାସ, ସାମ୍ବାଦିକତା, ଆଉ ଗପଟିଏ ଭିତରେ ଏଇଠି ବଡ଼ ଫରକ ରହିଛି ।
ଇତିହାସ
ପଢ଼ିଲା ବେଳେ କିମ୍ବା ଖବରଟିଏ
ଦେଖିଲା ବେଳେ ଆଉ ଗପଟିଏ ପଢ଼ିଲାବେଳେ ଆମେ ସେହି ଅନୁସାରେ
ମନକୁ ଠିକ୍ କରିନେଉ । ଖବର ଓ ଇତିହାସରେ ଆମେ ତଥ୍ୟ (ଯାହାକୁ ସତ୍ୟ ବୋଲି ଭାବୁ) ତାକୁ ଖୋଜୁ ।
ଗଳ୍ପରେ ଆଶାକରୁ ଅନ୍ୟ କିଛି । ତାହା ମନୋରଞ୍ଜନ ହେଉ ବା ଚେତନାର ଉତ୍ତରଣ । ଯେହେତୁ ଗଳ୍ପରେ
ବାସ୍ତବଠୁ କଳ୍ପନାର ସ୍ଥାନ ଉଚ୍ଚରେ, ଯାହା ସତରେ ହେଇଛି ବା ହେଇପାରେଠୁ ଗଳ୍ପ ଲେଖକ ତାଙ୍କ
କଳ୍ପନାରୁ ଯାହା କହୁଛନ୍ତି, ତାହା ଉପରେ ବିଶ୍ୱାସ ଅଧିକ ଥାଏ । ସେଇଥି ପାଇଁ ଗଳ୍ପ ଇତିହାସଠୁ,
ଖବରଠୁ ଅଧିକ ଆକର୍ଷଣୀୟ । ଅଧିକ ରମ୍ୟ । ଆଉ ହୁଏତ ଅଧିକ ଗ୍ରାହ୍ୟ ।
ଚତୁର ରାଜନୀତିଜ୍ଞମାନେ ସେଥିପାଇଁ ଇତିହାସଠୁ ଘୁଞ୍ଚି, ତଥ୍ୟଠୁ ଦୂରେଇ ଯାଇ ଗଳ୍ପ ଫାନ୍ଦନ୍ତି । କାହାଣୀ ସୃଷ୍ଟି କରନ୍ତି - ଏଇଥି ପାଇଁ ଯେ, ଆମେ ଗଳ୍ପ ଶୁଣିବାକୁ ଭଲପାଉ, ଆମେ କାହାଣୀକୁ ଗ୍ରହଣ କରୁ, ଆଉ ଅନେକାଂଶରେ ବିଶ୍ୱାସ କରୁ ମଧ୍ୟ । ତଥ୍ୟ-ନିଷ୍ଠତା ସାମ୍ବାଦିକତାର ଏବଂ ଇତିହାସର ପ୍ରଥମ ଶର୍ତ୍ତ । ସେଇଥିପାଇଁ ସାମ୍ବାଦିକତାକୁ ଇତିହାସର ପ୍ରଥମ ଖସଡ଼ା (ଫାର୍ଷ୍ଟ ଡ୍ରାଫଟ) ବୋଲି କୁହାଯାଏ । କାହାଣୀ, ନେତାମାନଙ୍କୁ, ଲୋକଙ୍କ ମନକୁ ବାସ୍ତବତାଠାରୁ ଦୂରେଇ ରଖିବାରେ ସାହାଯ୍ୟ କରେ । କାହାଣୀ ଯେତେ ରୋଚକ, ଆଉ ଉତ୍ତେଜନାପୂର୍ଣ୍ଣ ହେବ ଲୋକେ ସେଥିପ୍ରତି ଆହୁରି ଆକୃଷ୍ଟ ହେବେ । ଗଣ ଯୋଗାଯୋଗ କ୍ଷେତ୍ରରେ ଗବେଷଣା କହୁଛି, ଗୋଟିଏ ମିଛକୁ ଯଦି ଅଧିକ ଥର, ବିଭିନ୍ନ ମାଧ୍ୟମରେ ସତ ବୋଲି କୁହାଯାଏ, ଲୋକମାନେ ତାକୁ ସତ୍ୟ ବୋଲି ବିଶ୍ୱାସ କରିବାକୁ ଲାଗନ୍ତି । କାହିଁକି ବିଶ୍ୱାସ କରନ୍ତି- ତାର ଅନେକ ସାମାଜିକ-ସାଂସ୍କୃତିକ ଏବଂ ମନସ୍ତାତ୍ୱିକ କାରଣ ରହିଛି । ଆଉ ମଜା କଥା ହେଉଛି ଅଧିକାଂଶ କ୍ଷେତ୍ରରେ ଲୋକେ ପୂରା ସତ କିମ୍ବା ପୂରା ମିଛଠୁଁ ସତର ଜାମା ପିନ୍ଧିଥିବା ମିଛକୁ ଅଧିକ ବିଶ୍ୱାସ କରନ୍ତି । ଆଉ ଏହା ରାଜନୀତିଜ୍ଞମାନଙ୍କୁ ଖୁବ ସୁହାଏ ।
ବର୍ତ୍ତମାନ
ତଥ୍ୟ ପ୍ରଯୁକ୍ତି ଯେଉଁ ସ୍ତରରେ ପହଞ୍ଚିଛି, ସେଥିରେ ବିଭିନ୍ନ ମାଧ୍ୟମରେ ଲୋକଙ୍କ ପାଖରେ
କାହାଣୀକୁ ଅଳ୍ପ କିଛି ସତର ଛୁଙ୍କ ଦେଇ ପୂରା ସତ ଭାବରେ ଉପସ୍ଥାପିତ କରିବା କିଛି କଷ୍ଟକର କାମ
ନୁହଁ । ଏବଂ ତାହା କରାଯାଉଛି।
ରୋଚକ,
ଉତ୍ତେଜକ କାହାଣୀରେ ଜଣେ ନାୟକ ଥାଏ, ଆଉ ଜଣେ ଖଳନାୟକ । ନାୟକ, ଖଳନାୟକର ସଂଘାତ ଯୁଦ୍ଧ ହୁଏ ।
ଶେଷରେ ନାୟକର ବିଜୟ ହୁଏ । ସତ୍ୟର ଜୟ ହୁଏ । ଯେହେତୁ ଆମେ ବିଶ୍ୱାସ କରି ଆସିଛନ୍ତି
ଏବଂ ବିଶ୍ୱାସ କରିବାକୁ ଭଲ ପାଉ ଯେ ସତ୍ୟର ସବୁବେଳେ ବିଜୟ ହୁଏ. ତେଣୁ ଯଏ
ବିଜୟୀ ହୁଅନ୍ତି ସେ ସତ୍ୟର ପକ୍ଷଧର- ଏମିତି ଗୋଟେ ବିଶ୍ୱାସ ବି ଆମେ କରିବସୁ ।
ଚତୁର
ରାଜନୈତିକ ନେତାମାନେ ପ୍ରଥମେ ଏକ ଅତ୍ୟାଚାରୀ ଖଳନାୟକ ସୃଷ୍ଟି କରନ୍ତି । ଯାହା ଦ୍ୱାରା ସାଧାରଣ
ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି ବା ହେଇପାରନ୍ତି । ଖଳନାୟକକୁ କ୍ରମଶଃ ବଡ଼କରି ଦେଖାଯାଏ । ଏତେ
ବଡ଼ ଯେ ସାଧାରଣ ଲୋକ ତା ନିଜ ସ୍ତରରେ ତାର ମୁକାବିଲା କରି ପାରିବ ନାହିଁ । ଆଉ
ତା’ପରେ ଆବିର୍ଭାବ ହୁଏ ନାୟକର । ନାୟକକୁ ଅତ୍ୟାଚାରିତ ଲୋକମାନଙ୍କର
ତ୍ରାଣକର୍ତ୍ତା ଭାବେ ଉପସ୍ଥାପିତ କରାଯାଏ । ଲୋକ ଖୁସି ହୁଅନ୍ତି ।
ଆଶ୍ୱସ୍ତ ହୁଅନ୍ତି । କେହି ତ ଜଣେ ସେମାନଙ୍କୁ ରକ୍ଷା କରିବା ପାଇଁ ଆସି ପହଞ୍ଚିଛନ୍ତି । ଗପରେ ନାୟକ ଅତ୍ୟାଚାରୀ ଖଳନାୟକକୁ ବିନାଶ କରେ । ଲୋକେ
ଅତି ଆନନ୍ଦରେ ଭାବ ଗଦଗଦ ହୋଇ ନାୟକକୁ ଈଶ୍ୱର ପର୍ଯ୍ୟାୟଭୁକ୍ତ କରିପକାନ୍ତି । ତାଙ୍କୁ
ପୂଜା କରିବାକୁ ଲାଗନ୍ତି ।
ଇତିହାସ
ଏବଂ ରାଜନୀତିକୁ ପାଖାପାଖି କରି ଦେଖିଲେ, ଏହାର ଅନେକ ଉଦାହରଣ ଆମେ ପାଇପାରିବା । ରୋଚକ
କାହାଣୀର ପରସ୍ତ ଭିତରେ ବାସ୍ତବିକତା କେଉଁଠି ହଜିଯାଏ । ତଥ୍ୟ କୋଣଠେସା ହୋଇଯାଏ
।
ଇତିହାସର
କାମ ହେଲା ତଥ୍ୟକୁ ତାର ପ୍ରେକ୍ଷାପଟ ସହିତ ଡକୁମେଣ୍ଟ୍ କରି ରଖିବା । ଆଉ ସାମ୍ବାଦିକତାର କାମ ହେଲା
କାହାଣୀର
କୁହୁକ ପେଡ଼ି ଭିତରୁ ବାସ୍ତବତାକୁ ଉଦ୍ଧାର କରିବା ।
କାରଣ,
ବାସ୍ତବତା ହେଉଛି କାହାଣୀଠାରୁ ଅଧିକ ମାର୍ମିକ ।
***
ସଞ୍ଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧