Wednesday, 31 May 2023

Bahikatha. Fortnightly column on books. 31.5.23


ବହି କଥା । ମୃଣାଳ

ଭାରତୀୟ ଜନମାନସରେ ହିନ୍ଦୀ ‘ଯୁଦ୍ଧ’ ସିନେମା


ବହି: ‘ବଲିଉଡ ଡଜ୍ ବ୍ୟାଟେଲ: ଦି ୱାର ମୁଭି ଆଣ୍ଡ ଦି ଇଣ୍ଡିଆନ ପପୁଲାର ଇମାଜିନେସନ’ଲେଖକ: ସମୀର ଚୋପ୍ରା
ପ୍ରକାଶକ: ହାର୍ପର-କଲିନ୍ସ, 

ମୂଲ୍ୟ: ୨୧୭ଟଙ୍କା

ଆମେ ସମସ୍ତେ ଶାନ୍ତି ଚାହୁଁ ବୋଲି କହୁ । କିନ୍ତୁ ସତଟା ହେଲା- ଆମେ ସମସ୍ତେ ଯୁଦ୍ଧ କଥା ଶୁଣିବାକୁ ଏବଂ ଯୁଦ୍ଧ ଦେଖିବାକୁ ଭଲ ପାଉ! ରାମାୟଣ, ମହାଭାରତ, ଇଲିଆଡ, ଓଡିସି – ପୃଥିବୀର ଯେତେ ମହାକାବ୍ୟ ସବୁଥିରେ ଯୁଦ୍ଧ ଏକ କେନ୍ଦ୍ରୀୟ ସ୍ଥାନରେ ରହିଛି । ଚଳଚ୍ଚିତ୍ର କ୍ଷେତ୍ରରେ ମଧ୍ୟ ଯୁଦ୍ଧ-ଚଳଚ୍ଚିତ୍ର ବା ୱାର-ଫିଲ୍ମ ଏକ ବିଶେଷ ବିଭାଗ ଭାବେ ଉଭା ହୋଇଛି । ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ନେଇ ସାରା ପୃଥିବୀରେ ଅନେକ ଭାଷାରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ହଲିଉଡ୍ରେ ଏହା ଏକ ବିଶେଷ ମାନ୍ୟତା ପାଇଥାଏ ।

ସ୍ୱାଧୀନୋତ୍ତର ଭାରତୀୟ ଚଳଚ୍ଚିତ୍ର ଜଗତରେ ଅନେକ ଯୁଦ୍ଧ ସିନେମା ତିଆରି ହୋଇଛି । ସ୍ୱାଧୀନତା ପରେ ଭାରତ ଯେତେଗୁଡି଼କ ଯୁଦ୍ଧ ଲଢ଼ିଛି- ତାହା ହେଲା: ୧୯୬୨ ଓ ୧୯୬୫ରେ ଚୀନ୍ ସହ, ୧୯୭୧ରେ ପାକିସ୍ତାନ ସହ (ଏ ଯୁଦ୍ଧ ଫଳରେ ବାଂଲାଦେଶ ଏକ ନୂଆ ଦେଶ ଭାବରେ ମାନ୍ୟତା ପାଇଲା) । ତା’ ପରେ ୧୯୯୯ରେ କାର୍ଗିଲ ଯୁଦ୍ଧ । ଏହି ଯୁଦ୍ଧଗୁଡ଼ିକ ଛଡ଼ା ଅନେକ ସମୟରେ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହେଇଛି, ସେଇ ଆତଙ୍କବାଦୀ ଆକ୍ରମଣରେ ମୁଖ୍ୟତଃ ପାକିସ୍ତାନର ହାତ ରହିଛି ବୋଲି ଅଭିଯୋଗ ହୁଏ ।

ଏପରି ଯୁଦ୍ଧ ଓ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ବର୍ଷରେ ୧୯୬୨ର ଯୁଦ୍ଧ ଅବଲମ୍ବନରେ ‘ହକିକତ୍’ଠୁ ପୁଲୱାମା ଆକ୍ରମଣରେ ୨୦୧୯ରେ ତିଆରି ‘ଉରୀ’ ପର୍ଯ୍ୟନ୍ତ ଅନେକ ସିନେମା ତିଆରି ହୋଇଛି । ବିଶେଷ କରି ହିନ୍ଦୀ ଭାଷାରେ । ଅନ୍ୟାନ୍ୟ ଭାଷାରେ ମଧ୍ୟ ହୋଇଛି ।

ଅନେକ କହନ୍ତି, ସିନେମାରେ ଲୋକମାନଙ୍କର ଅବଦମିତ ଆଶା, ଆକାଂକ୍ଷାର ପ୍ରତିଫଳନ ଦେଖାଯାଇଥାଏ । ଯେଉଁଠି ଏହା ସଫଳ ଭାବେ ଦେଖାଯାଏ, ସେହି ସିନେମାଟି ଲୋକପ୍ରିୟ ହୋଇଉଠେ । ଅର୍ଥାତ୍ ଯୁଦ୍ଧ ସିନେମା ସହିତ ଲୋକମାନଙଖ୍କ ଦେଶକୁ ନେଇ ଅବଦମିତ ଆଶା ଆକାଂକ୍ଷାର ସମ୍ପର୍କ ରହିଛି । ସିନେମାର ସାଫଲ୍ୟରେ ତାହା ପ୍ରତିଫଳିତ ହୁଏ । ଏବଂ ସିନେମା ଜରିଆରେ ତାହା ପ୍ରତିଫଳିତ ହୁଏ ।

ସମୀର ଚୋପ୍ରାଙ୍କ ବହି ‘ବଲିଉଡ ଡଜ୍ ବ୍ୟାଟେଲ: ଦି ୱାର ମୁଭି ଆଣ୍ଡ ଦି ଇଣ୍ଡିଆନ ପପୁଲାର ଇମାଜିନେସନ’ର କେନ୍ଦ୍ରରେ ରହିଛି ଏଇ ବିଷୟ । ଏଥିରେ ସେ କହିଛନ୍ତି ଯେ, ସିନେମା କେବଳ ମନୋରଞ୍ଜନ ନୁହଁ, ମନୋରଞ୍ଜନ ପଛରେ ଆହୁରି ଅନେକ କଥା ରହିଛି । ପ୍ରଖ୍ୟାତ ସମାଜବିଜ୍ଞାନୀ ଏବଂ ଚିନ୍ତାନାୟକ, ଆଶିଷ ନନ୍ଦୀ ଲୋକପ୍ରିୟ ହିନ୍ଦୀ ସିନେମାର ଏକ ସଂଜ୍ଞା ଭାବରେ କହିଥିଲେ, ଆମର ଇଚ୍ଛାଗୁଡି଼କର ଏକ ଗୋପନ ରାଜନୀତି ହେଉଛି ଲୋକପ୍ରିୟ ସିନେମା ।
ସାଂପ୍ରତିକ କାଳରେ ଭାରତ ଏକ ବିଶ୍ୱ ଶକ୍ତି ହେବାର ସ୍ୱପ୍ନ ଦେଖୁଛି, ଚେଷ୍ଟା କରୁଛି । ଲୋକମାନଙ୍କର ମନରେ ଏ ଆଶା ଉଦ୍ରେକ ହେଲାଣି ଯେ, ଭାରତ ଏକ ବିଶ୍ୱ ଶକ୍ତି ହୋଇପାରିବ । ପୂର୍ବରୁ ଭାରତ ଗରିବ, ଦରିଦ୍ର, ଖାଦ୍ୟ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା । ସେ ଭାରତ ଆଉ ନାହିଁ । ଇଏ ଏକ ନୂଆ ଭାରତ ସୃଷ୍ଟି ହୋଇଛି । ଏ ଚିନ୍ତାର ପ୍ରତିଫଳନ ଆମେ ସିନେମାର ମଧ୍ୟ ଦେଖୁ । ବିଶେଷ କରି ଯୁଦ୍ଧ ସିନେମାରେ ।

୨୦୧୯ରେ ‘ଉରୀ’ ଚଳଚ୍ଚିତ୍ର ଖୁବ୍ ଜନପ୍ରିୟ ହୋଇଥିଲା । ସେଥିରେ ପରେଶ ରାଓଲ ଜାତୀୟ ସୁରକ୍ଷା ପରାମର୍ଶଦାତା ଭୂମିକାରେ ଅଛନ୍ତି । ସେ ଗୋଟେ ସଳାଂପରେ କହିଥିଲେ, ‘ଇଏ ନୂଆ ଭାରତ, ଇଏ କେବଳ ପ୍ରତିବାଦ ନୁହଁ, ପ୍ରତିଶୋଧ ବି ନେଇପାରେ ।’ ଇଏ କେବଳ ସେ ଚରିତ୍ରର ସଂଳାପ ନୁହଁ । ଇଏ ଅନେକଙ୍କର ମନର କଥା ।

ଏବେ ଭାରତରେ ଅନେକେ ବିଶ୍ୱାସ କରନ୍ତି, ଅତୀତରେ ଚୀନ ଓ ପାକିସ୍ତାନ ସହ ଆମର ଯେଉଁ ଯୁଦ୍ଧ ହେଇଛି, ତାଙ୍କୁ ଜବାବ ଦେବାର ସ୍ଥିତିରେ ଆମେ ଆସିଗଲୁଣି ଏବଂ ଜବାବ ଦେବା ଉଚିତ । ଲୋକେ କହନ୍ତି ‘ଇଟ୍କା ଜବାବ ପଥରମେ ଦୋ’ । ସମୀର ଚୋପ୍ରା ତାଙ୍କ ବହିରେ, ଏହି ଚିନ୍ତା ଓ ସିନେମାରେ ଏହାର ପ୍ରତିଫଳନକୁ ନେଇ ସୁନ୍ଦର ଭାବରେ ଲେଖିଛନ୍ତି । ଆହୁରି କିଛି ପ୍ରଶ୍ନ ପଚାରିବାକୁ ସେ ଚାହିଛନ୍ତି, ଭାରତର ଚଳଚ୍ଚିତ୍ର ସିନେମା ଭାରତୀୟ ଜାତୀୟତାବାଦ ଏବଂ ଏହା ପଛରେ ଯେଉଁ ଅବଧାରଣାଗତ ଭିତ୍ତିଭୂମି ରହିଛି, ତାକୁ କେମିତି ଭାବରେ ଦେଖେ? ଭାରତ ନିଜକୁ ଏକ କେମିତି ଦେଶ ବୋଲି ଭାବେ? କେଉଁ ଭଳି ଶତ୍ରୁଙ୍କ ସହ ଭାରତ ଯୁଦ୍ଧ କରୁଛି ବୋଲି ଭାବେ ଏବଂ ଆଉ ଗୋଟିଏ କଥା ବହିରେ ଲେଖିଛନ୍ତି ଯେ, ଯୁଦ୍ଧ ସିନେମାଗୁଡି଼କ କେମିତି ଭାବରେ ଉପସ୍ଥାପନା କରାଯାଉଛି, ଏଥିରେ ଚରିତ୍ର ଓ ଘଟଣାଗୁଡ଼ିକ କେମିତି ଭାବରେ ଉପସ୍ଥାପନା କରାଯାଉଛ- ସେଥିରୁ ଆମେ ଚଳଚ୍ଚିତ୍ର ଶିଳ୍ପ ଭାରତର ସତ୍ତାକୁ କେମିତି ଭାବେ ଦେଖେ, ତାହାର ଏକ ଆକଳନ କରିପାରିବା ।

ହିନ୍ଦୀ ଯୁଦ୍ଧ ସିନେମା ବିଷୟରେ ଅଧିକ ଜାଣିବା ପାଇଁ ଆଉ ଯୁଦ୍ଧ ସିନେମା ସହିତ ସମାଜର ସମ୍ପର୍କ ବିଷୟରେ କିଛି ନୂଆ ଆଙ୍ଗିକ ପାଇବା ପାଇଁ ଏ ବହିଟିକୁ ପଢ଼ିପାରନ୍ତି ।

++

https://www.odishasahitya.com/bahikatha-64/?fbclid=IwAR14GcNdo69auNaLtEKgyJ8EiosuWOMJqCIewOaucrQpbeTWS1A3U5FPGGo

No comments:

Post a Comment