ବହି କଥା । ଡ. ମୃଣାଳ ଚାଟାର୍ଜୀ
ରାଜା ରାଜେନ୍ଦ୍ର ନାରାୟଣ
ସିଂଦେଓଙ୍କ କାହାଣୀ
ବହି: ମହାରାଜା ରାଜେନ୍ଦ୍ର ନାରାୟଣ ସିଂ ଦେଓ, ଏ ମ୍ୟାନ ଏମଙ୍ଗ ପ୍ରନ୍ସେସ୍
ଲେଖକ: ପବିତ୍ର ମୋହନ ନାଏକ ଏବଂ ଭି. ଆର. ସିଂ
ପ୍ରକାଶକ: ରୂପା, ପୃଷ୍ଠା: ୨୦୦, ମୂଲ୍ୟ: ୪୯୫ ଟଙ୍କା
ମହାରାଜା ରାଜେନ୍ଦ୍ର ନାରାୟଣ ସିଂ ଦେଓ (୧୯୧୨-୧୯୭୫) ଓଡିଶାରେ କେବଳ ନୁହେଁ, ସମଗ୍ର ପୂର୍ବ ଭାରତରେ ଏକ ଅତ୍ୟନ୍ତ ପରିଚିତ ନାଁ । ସେ ବଲାଙ୍ଗୀର ପାଟନାର ମହାରାଜା ଥିଲେ । ପାଟନା ରାଜ୍ୟ ଭାରତରେ ମିଶ୍ରଣ ବେଳେ ସେ ପାଟନାର ମହାରାଜା ଥିଲେ । ଦେଶର ପ୍ରଥମ ଅଣକଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ ।
ସଢ଼େଇକଳାରେ ତାଙ୍କର ଜନ୍ମ । ପାଟନାର ମହାରାଜା ତାଙ୍କୁ ପୋଷ୍ୟକରି ଆଣିଥିଲେ । ସେ ଥିଲେ ପାଟନାର ଶେଷ ରାଜା । ତା ପରେ ପାଟନା ଭାରତରେ ମିଶିଗଲା । ପାଟନାର ଭାରତ ସହିତ ମିଶ୍ରଣ ଚୁକ୍ତି (ମର୍ଜର ଏଗ୍ରିମେଣ୍ଟ୍)ରେ ସେ ଦସ୍ତଖତ କରିଥିଲେ ।
ରାଜେନ୍ଦ୍ର ନାରାୟଣ ସିଂ ଦେଓ ଜଣେ ହୃଦୟବାନ ମଣିଷ ଭାବରେ ପରିଚିତ । ତାଙ୍କର ଶାସନ କାଳରେ ସେ ବେଶ୍ କିଛି ଜନହିତକର କାର୍ଯ୍ୟ ହାତକୁ ନେଇଥିଲେ । କେତେକରେ ସଫଳ ହୋଇଥିଲେ କେତେକରେ ହୋଇପାରିନଥିଲେ । ଏ ପୁସ୍ତକରେ ତାଙ୍କ ଜୀବନର ଉଲ୍ଲେଖନୀୟ ଘଟଣା ଗୁଡିକ ରେଖାଙ୍କିତ କରାଯାଇଛି । ସମାଜର ପ୍ରତ୍ୟନ୍ତ ଅଞ୍ଚଳର ଲୋକମାନଙ୍କର ଏବଂ ଯେଉଁମାନଙ୍କୁ ସେତେବେଳେ ଅସ୍ପୃଶ୍ୟ ମନେକରାଯାଉଥିଲା
ସେମାନଙ୍କର
ଉନ୍ନତି ପାଇଁ ତାଙ୍କର କାର୍ଯ୍ୟକୁ ଏ ବହିରେ ବେଶ୍ ଗୁରୁତ୍ୱ ଦେଇ ଲେଖା ଯାଇଛି । ବ୍ରାହ୍ମଣ ବିଧବାମାନଙ୍କର ସାମାଜିକ ମାନ୍ୟତାକୁ ନେଇ ତାଙ୍କର ମତ ଏବଂ ମନ୍ତବ୍ୟ ସେ ସମୟରେ ଅତ୍ୟନ୍ତ ଆଧୁନିକ ଏବଂ ପ୍ରଗତିଶୀଳ ଥିଲା ।
ସେ
ସମସ୍ତଙ୍କୁ ସମାନ ଆଖିରେ ଦେଖିବା ଉପରେ ଗୁରୁତ୍ୱ ଦେଇଥିଲେ । ଇଶ୍ୱରଙ୍କ ପାଖରେ ପାତର ଅନ୍ତର
ରହିବା ଉଚିତ୍ ନୁହେଁ ବୋଲି କହିଥିଲେ ଏବଂ ସେ ପ୍ରଥମେ ତାଙ୍କ ରାଜ୍ୟ ପାଟନାରେ ସେତେବେଳେ
ଅସ୍ପୃଶ୍ୟବୋଲି କୁହାଯାଉଥିବା ଲୋକମାନଙ୍କର ମନ୍ଦିରରେ ପ୍ରବେଶର ଅନୁମତି ଦେଇଥିଲେ । ରାଜପ୍ରାସାଦର ମୁଖ୍ୟ ମନ୍ଦିର ରଘୁନାଥ ମନ୍ଦିରର ଦ୍ୱାର ସେ ଖୋଲି ଦେଇଥିଲେ ।
ସ୍ୱାଧୀନତା ପୂର୍ବରୁ ଅଭିଭକ୍ତ ଓଡିଶା ଗଠନରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତା ପରେ ଓଡିଶାରୁ
ବିଛିନ୍ନ ଅଞ୍ଚଳ ଗୁଡିକୁ (ବିଶେଷକରି ସଢ଼େଇକଳା ଏବଂ ଖରସୁଆଁ)
ଓଡିଶାରେ ମିଶେଇବା ପାଇଁ ସେ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇ ପାରି ନଥିଲେ ।
ଦେଶ ସ୍ୱାଧୀନ ହେଲାପରେ ଓଡିଶାର ରାଜନୀତିରେ ସେ ଅତ୍ୟନ୍ତ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ । ୬୦ ଦଶକରେ ସେ ଅତ୍ୟନ୍ତ ସକ୍ରିୟ ଥିଲେ ଏବଂ ଓଡିଶା ରାଜନୀତିରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପାଟନା ରାଜ୍ୟରେ ତାଙ୍କର ଶାସନ କାଳରେ ତାଙ୍କ ବିଷୟରେ ବେଶ କିଛି କାହାଣୀ ଶୁଣାଯାଏ । ସେଥିରୁ ଗୋଟିଏ କାହାଣୀ ହେଲା: ବଲାଙ୍ଗୀରର ୩୦ କିଲୋମିଟର ଦକ୍ଷିଣରେ ତୁସ୍ରା ବୋଲି ଗୋଟେ ଜାଗା । ସେଠାରୁ ଦିନେ ଜଣେ ଲୋକ ଅତ୍ୟନ୍ତ ରାଗିକି ମହାରାଜାଙ୍କ ରାଜପ୍ରାସାଦ ଆସି ପହଞ୍ôଚଲେ । ତା ହାତରେ ଗୋଟେ ଟାଙ୍ଗିଆ ଥିଲା । ତା ସ୍ତ୍ରୀ ମଧ୍ୟ ତା ପାଖରେ ଥିଲା । ସେ ମହାରାଜାଙ୍କୁ ଅତ୍ୟନ୍ତ କଟୁ ଭାଷାରେ ଗାଳି ଗୁଲଜ କରୁଥିଲା ଏବଂ ମହାରାଜ ତାଙ୍କର ଜମି ନେଇଗଲେ
ବୋଲି ଅଭିଯୋଗ କରୁଥିଲା । ମହାରାଜା ଲୋକଟିକୁ ପୋଲିସ୍ରେ ହସ୍ତାନ୍ତର କଲେ ନାହିଁ । ତାଙ୍କର ପରିଚାରକମାନଙ୍କୁ କହିଲେ ଯେ ସେ ଲୋକକୁ ଗାଧୋଇ ଦିଅ, ନୂଆ ଜାମା ଦିଅ । ତାପରେ ଲୋକଟି ଏବଂ ତା ସ୍ତ୍ରୀକୁ ସେ ନିଜ କାରରେ ସଂପୃକ୍ତ ଅଫିସ୍କୁ ଯାଇ ତା’ର ଯାହା ସମସ୍ୟା ଥିଲା ତାକୁ ସମାଧାନ କଲେ ଏବଂ ସେଥିରେ ସଂଶ୍ଳିଷ୍ଟ କର୍ମଚାରୀ ମାନଙ୍କୁ କହିଲେ ଯେ ଯଦି ଏମିତି ଲୋକମାନଙ୍କୁ ହଇରାଣ କରାଯାଏ ତାହାହେଲେ ସେ ସେମାନଙ୍କୁ ବରଖାସ୍ତ କରିବେ । ଏମିତି ବେଶ୍ କିଛି ଘଟଣା ଏ ପୁସ୍ତକରେ ଲେଖାଯାଇଛି ।
ସଢ଼େଇକଳା ଖରସୁଆଁକୁ ଓଡିଶା ଫେରେଇ ଆଣିବା ପାଇଁ ସେ ବହୁତ ଚେଷ୍ଟା କରିଥିଲେ । ୧୯୫୬ ସେପ୍ଟେମ୍ବର ୧୨ ରେ ଲୋକସଭାରୁ ତାଙ୍କ ଦଳ ଇସ୍ତଫା ମଧ୍ୟ ଘୋଷଣା କରିଥିଲେ । ନଭେମ୍ବର ୧୯୫୬ରେ ସେ ଇସ୍ତଫା ମଧ୍ୟ ଦେଇଥିଲେ । ୧୯୫୭ରେ ସେ ଓଡିଶା ବିଧାନ ସଭାକୁ ନିର୍ବାଚିତ ହେଲେ । ସେ ସମୟରେ କୋଆଲିସନ୍ ପଲିଟିକସ୍ର
ଆରମ୍ଭ ।୧୯୫୮ରେ ମହାରାଜାଙ୍କୁ ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିବା ପାଇଁ ବିଜୁ ପଟ୍ଟନାୟକ ପ୍ରବର୍ତ୍ତାଇଲେ । ୧୯୫୯, ୨୨ ମେରେ
ଏହି ମିଳିତ ସରକାର ଶପଥ ନେଲେ । ମହତାବ ପୁଣି ପ୍ରଧାନ ମନ୍ତ୍ରୀ ହେଲେ ଆଉ ରାଜେନ୍ଦ୍ର ପ୍ରସାଦ ସିଂ ଦେଓଙ୍କୁ ଅର୍ଥ, ଆଇନ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦିଆଗଲା । କିନ୍ତୁ ଏ ମିଳିତ ମନ୍ତ୍ରୀ ମଣ୍ଡଳ ତିନିବର୍ଷ ଦଶମାସ ରହିଲା, ତାପରେ ଭାଙ୍ଗିଗଲା । ପରେ ବିଧାନସଭା ନିର୍ବାଚନ ହେଲା । ୧୯୬୧ରେ ଏ ନିର୍ବାଚନରେ କଂଗ୍ରେସ ପୂର୍ଣ୍ଣ ବହୁମତରେ ଆସିଲା ଏବଂ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠିତ ହେଲା । ମାର୍ଚ୍ଚ ୧୯୬୨ରେ ରାଜେନ୍ଦ୍ର ନାରାୟଣଙ୍କ ଦଳ
ସ୍ୱତନ୍ତ୍ର ଦଳ ସହିତ ମିଶିଗଲା । ତା ପରବର୍ତ୍ତି ବିଧାନସଭା ନିର୍ବାଚନରେ ୧୯୬୭ରେ ସ୍ୱତନ୍ତ୍ର ପାର୍ଟି ଓଡିଶା ଶାଖାର ମୁଖ୍ୟ ହେଲେ ରାଜେନ୍ଦ୍ର ନାରାୟଣ ଆଉ ସିଏ ଦେଶର ପ୍ରଥମ ଅଣ-କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାର ଶପଥ ଗ୍ରହଣ ଉତ୍ସବ ହେଲା ୮ ମାର୍ଚ୍ଚ ୧୯୬୭ରେ, ଓଡିଶା ଜନ କଂଗ୍ରେସର ନେତା ପବିତ୍ର ମୋହନ ପ୍ରଧାନ ଉପମୁଖ୍ୟମନ୍ତ୍ରୀ ହେଲେ । ସଦାଶିବ ତ୍ରିପାଠି ଯିଏ ପୂର୍ବରୁ
କଂଗ୍ରେସର
ମୁଖ୍ୟମନ୍ତ୍ରୀ ଥିଲେ ସିଏ ବିପକ୍ଷ ଦଳର ନେତା ହେଲେ । ରାଜେନ୍ଦ୍ର ନାରାୟଣଙ୍କ ସମୟରେ ପବ୍ଲିକ ଲାଇଫରେ ଇଣ୍ଟିଗ୍ରିଟି ପାଇଁ ଗୋଟେ କମିଶନ ଗଠନ କରାଯାଇଥିଲା ।
ବିଜୁ ପଟ୍ଟନାୟକଙ୍କ
ବିରୋଧରେ ମଧ୍ୟ ଗୋଟେ ‘କମିଶନ ଅଫ ଇନକ୍ୱାରୀ’ ବସା ଯାଇଥିଲା । ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ସରକାର ୧୯୬୭ରେ ତାକୁ ବସେଇଥିଲେ । କିନ୍ତୁ
ଖାନ୍ନା କମିଶନ ୧୯୬୯, ୧୫
ଜାନୁଆରିରେ ଯେଉଁ
ରିପୋର୍ଟ ଦେଇଥିଲେ ସେଥିରେ ବିଜୁ ପଟ୍ଟନାୟକଙ୍କୁ ଓଡିଶାର ଅର୍ଥନୈତିକ ଉନ୍ନତି ପାଇଁ ପ୍ରଶଂସା କରାଯାଇଥିଲା । ରାଜେନ୍ଦ୍ର ନାରାୟଣଙ୍କ ସମୟରେ ଓଡିଶାରେ
ଭାରତର ପ୍ରଥମ ଥର ପାଇଁ ଲୋକୟୁକ୍ତ ନିଯୁକ୍ତି କରାଯାଇଥିଲା । ୧୯୭୫ ବଜେଟ ସେସନ ପରଠୁ ତାଙ୍କ
ସ୍ୱାସ୍ଥ୍ୟ ଖରାପ ହେବାପାଇଁ ଲାଗିଲା ଏବଂ ୧୯୭୫ ଫେବୃଆରି ୨୨ ରେ ତାଙ୍କର ମୃତ୍ୟୁ ହେଲା ।
ଏ ବହିରେ ମମହାରାଜା ରାଜେନ୍ଦ୍ର ନାରାୟଣଙ୍କ
ରାଜନୈତିକ ଜୀବନ ବିଷୟରେ ଚର୍ଚ୍ଚା କରାଯାଇଛି କିନ୍ତୁ ଅନେକ ଗୁଡିଏ
ପ୍ରଶ୍ନର ଉତ୍ତର ଏ ବହି ଦେଇ ନାହିଁ ବା ସେ ଜାଗା ଗୁଡିକ ବେଶି ଆଲୋଚନା ମଧ୍ୟ କରିନାହିଁ ।
ଏ ବହିଟି ପଢ଼ିବା ପାଇଁ ଭାରି ଭଲ, ସାବଲୀଳ । ମହାରାଜାଙ୍କର ବାଲ୍ୟକାଳ, ତାଙ୍କର ଶିକ୍ଷା,
ପାଟନା ମହାରାଜା ଭାବରେ ତାଙ୍କର ଅଭିଷେକ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକଳାପ, ଏହାକୁ ବଡ ସୁନ୍ଦର ଭାବରେ ଲେଖାଯାଇଛି ।
ଏ ବହିଟି ଦୁଇଟି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ରାଜେନ୍ଦ୍ର ନାରାୟଣଙ୍କ ବିଷୟରେ ଏବଂ ଷାଠିଏ ଦଶକରେ ଓଡିଶାର ରାଜନୈତିକ ଇତିହାସକୁ ଜାଣିବା ପାଇଁ ଏ ବହିଟି ବେଶ୍ ଉପଯୋଗୀ ହୋଇ ପାରିବ ।
++
No comments:
Post a Comment