ପଥେ ପ୍ରାନ୍ତରେ । ମୃଣାଳ । ୨୩.୭. ୨୩
ପରିବା ବଜାରରେ
ମୁଁ ଆଉ ପରିବା ବଜାରକୁ ଯାଉନି । ପରିବାପତ୍ରର ଯାହା ଦାମ
ହେଲାଣି, ଶୁଣିଲେ ଛାତିଟା ଏତେ ଜୋରରେ ଧଡ଼ପଡ଼ ହେଉଛି ଯେ ମନେ ହେଉଛି ହାର୍ଟଆଟାକ୍ ହୋଇଯିବ । ଯେଉଁ
ଟମାଟୋକୁ ଛ ମାସ ତଳେ ୨୦ ଟଙ୍କା କିଲୋ ଦରରେ କିଣିଥିଲି, ସେ ଏବେ ଦେଢ଼ଶହ ଟଂକା କିଲୋ! ଭେଣ୍ଡି କିଲୋ ୮୦ ଟଙ୍କା - କାନ ଉଠିଲା ଦିନୁ ମଣିଷ ଶୁଣିଥିଲା!
ଶୁଣୁଛି ସହରରେ ଏବେ କୁଆଡ଼େ କଞ୍ଚାଲଙ୍କାର ଦାମ ପ୍ରେମଠୁଁ ଅଧିକ ହେଲାଣି । ତେଣୁ ମୁଁ ଆଉ ପରିବା
ମାର୍କେଟ୍ ଯାଉନି ।
ମୁଁ
ସିନା ଯାଉନି, ମୋ ସ୍ତ୍ରୀ ଆମ ପିଅନ୍କୁ ପଠଉଛନ୍ତି । ସେ କଣ ଆଣୁଛି, କେତେରେ ଆଣୁଛି ମୁଁ ଜାଣୁନି
। ଜାଣିବାକୁ ବି ଚାହୁଁନି । କିଛି କିଛି କଥା ନ ଜାଣିଲେ ଭଲ । କିଛି ପ୍ରଶ୍ନ ନ ପଚାରିବା ଭଲ । ଶାନ୍ତିରେ
ରହିବେ । ଜାଣିଲେ ଅଶାନ୍ତି । ଉଦାହରଣ ସ୍ୱରୂପ ଦେଖନ୍ତୁ, ଭାରତ ଚନ୍ଦ୍ରକୁ ଯାନ ପଠେଇଲା । ଆମ ତିଆରି
ରକେଟ୍ କେମିତି ଫୁର୍ର୍ କରି ମହାକାଶକୁ ଉଡ଼ିଗଲା । ହେଲେ ଆମ ଡ୍ରେନ୍ଗୁଡ଼ାକ ଆମେ କାହିଁକି ଠିକ୍
ଭାବେ ତିଆରି କରି ପାରୁନୁ? ରାସ୍ତା ଗୁଡ଼ିକ କାହିଁକି ବେଙ୍ଗ ମୁତିଲେ ଭାଂଗିଯାଉଛି? ଛାଡ଼ନ୍ତୁ, ଆମେ
ଅଦା ବେପାରି, ଆମର ଜାହାଜ ମୁଲେଇବାର ଦରକା କଣ?
ଅଦା କଥାରୁ ମନେ ପଡ଼ିଲା, ଇତିମଧ୍ୟରେ ଅଦା ରସୁଣର ଦାମ ବି
ବେଶ ବଢ଼ିଯାଇଛି ।
ସେଦିନ କଣ ଜରୁରୀ ଦରକାର ପଡ଼ିଲା ଯେ ବଜାର ଯିବାକୁ ପଡ଼ିଲା
। ଗଲି ତ ଯାଇଥିଲି । ଭାବିଲି ଟିକେ ପରିବା ବଜାର ବୁଲି ଦେଖିଯିବା କଣ କଣ ହାଲ! ଯୌବନକାଳରେ ମୁଁ
କିଛି ବର୍ଷ ସାମ୍ବାଦିକତା କରିଛି, ଜାଣିବାର ଇଚ୍ଛାଟା ଛାତି ଭିତରେ ପାଉଁଶତଳର ନିଆଁ ଭଳି ରହିଯାଇଛି
।
ପରିବା ବଜାରରେ ଦେଖିଲି ଯେ କେବଳ ଟମାଟୋକୁ ଛାଡ଼ିଦେଲେ ବାକି
ସବୁ ପରିବା ମୁହଁ ଶୁଖେଇ ବସିଛନ୍ତି । ଟମାଟୋ ତା ଛାତିରେ କିଲୋ ୧୫୦ ଟଙ୍କା ଟ୍ୟାଗ୍ ଲଗେଇ ପ୍ଲାଷ୍ଟିକ୍
ଟ୍ରେରେ ଅଧାଶୁଆ ଶୋଇ ଗ୍ରାହକମାନଙ୍କୁ କୃପାଦୃଷ୍ଟିରେ ଚାହିଁରହିଛି । ଅନ୍ୟମାନେ ଓଦା ବିସ୍କୁଟ୍ ଭଳି ନେସମି ରହିଛନ୍ତି ।
ପଚାରିଲି, ଆବେ ତମମାନଙ୍କ ମୁହଁ କାହିଁକି ଶୁଖିଛି । ଦାମ
ତ ସମସ୍ତଙ୍କର ବଢ଼ିଛି । ଭାଉ ବଢ଼ିଛି ତ ଷ୍ଟାଟସ୍ ବି ବଢ଼ିଛି । ଆଗରୁ ଦୋକାନୀଠୁଁ ଶହେ ଟଂକାର ପରିବା
କିଣିଲେ କଞ୍ଚାଲଙ୍କା କିଛି ଅଧା ଖଣ୍ଡେ ଫ୍ରିରେ ଦେଇ ଦଉଥିଲା । ଏବେ ଓଜନ କରିବା ପାଇଁ ସୁନା ଓଜନ
ନିକିତି ଧରି ବସୁଛି । ଭେଣ୍ଡି ଯେ ଭେଣ୍ଡି ତାର ଦାମ କାହିଁରେ କଣ ହେଲାଣି! ବାଇଗଣ ଆଉ ‘ଗଣ’ ଲେବୁଲ୍ରେ
ନାହିଁ, ଭିଆଇପି ହୋଇଗଲାଣି । ଏବେ ତ ସମସ୍ତେ ଛାତି ଫୁଲେଇ ଚାଲିବା କଥା ।
ପରିବା ମାନେ ଦୀର୍ଘଶ୍ୱାସ ପକେଇ କହିଲେ, ଦାମ ବଢ଼ିଛି ହଁ
। ହେଲେ ଆଲୋଚନାର କେନ୍ଦ୍ରରେ ରହୁଛି କେବଳ ଟମାଟୋ । ସବୁ ଫୁଟେଜ୍ ନେଇଯାଉଛି ନାଲିମୁହାଁ ଟମାଟୋ
। ଆମର ଦାମ ବଢ଼ିଛି, ଷ୍ଟାଟସ୍ ବଢ଼ିଛି, ହେଲେ ଆମକୁ କେହି ଫୁଟେଜ୍ ଦଉନାହାନ୍ତି । ଆମ କଥା କେହି
କହୁନାହାନ୍ତି । ନେତାମାନେ ଆମକୁ ଧରି ‘ଦର-ବୃଦ୍ଧି’ ଶୋଭାଯାତ୍ରାରେ ବାହାରୁ ନାହାନ୍ତି । ଏଥିକୁ ଆମ ମନ ଖରାପ ହେବନି! ଏମିତି ପାତରଅନ୍ତର
କଣ ଠିକ୍!
ବୋଲ ବମ୍, ଲଗା ଦମ୍
ଶ୍ରାବଣରେ ବୋଲ-ବମ୍ ଶୋଭାଯାତ୍ରା ସହିତ ଶିବ ଭଜନର ଗୋଟେ
ସମ୍ପର୍କ ଗତ କିଛି ବର୍ଷ ହେଲା ତିଆରି ହୋଇ ଯାଇଛି । ଦୃଶ୍ୟଟି ଏପ୍ରକାର: ଆଗେ ଆଗେ ଗାଡ଼ିରେ ମାଇକ୍
ବା ସାଉଣ୍ଡ-ବକ୍ସ୍ରେ ଗୀତ ବାଜୁଥିବ, ପଛେ ପଛେ ଭକ୍ତମାନେ ବହୁଙ୍ଗି କାନ୍ଧରେ ଚାଲୁଥିବେ । ସନ୍ଧ୍ୟା
ପରେ ଯେଉଁଠି ସେମାନେ ବିଶ୍ରାମ ନେବା ପାଇଁ ଅଟକନ୍ତି, ସେଠି ବି ଭଜନସବୁ ବାଜୁଥାଏ । ଯେଉଁ ଜାଗାରେ
ସେମାନଙ୍କ ଭୋଜନ ବିଶ୍ରାମର ବ୍ୟବସ୍ଥା କରାଯାଇଥାଏ, ସେଠି ମଧ୍ୟ ବାଜେ ।
ଏବକୁ
ଏମନ୍ତ ଭଜନରେ ଭକ୍ତିରସଠୁଁ ଅନ୍ୟାନ୍ୟ ରସ ଅଧିକ ହେଲାଣି । ଗୋଟେ ଭଜନର ଶୀର୍ଷକ ହେଲା ବୋଲ ବମ୍,
ଲଗା ଦମ୍ । କାଳେ କେହି ଦମ୍ କହିଲେ ଅନ୍ୟ କଣ ବୁଝିବେ, ସେଥିପାଇଁ ଆଉ ଗୋଟେ ଭଜନର ଚିତ୍ରରେ ତାହା
ସ୍ପଷ୍ଟ କରିଦିଆଯାଇଛି ।
ଆଉ
କିଛି ଭଜନର ଶୀର୍ଷକ ବି ବଡ଼ ଭକ୍ତିମୂଳକ । ଯେମିତି ଗଣେଷ ଫାଦର ପାର୍ କରେଗା । ମାଡ଼ି ଚାଲ । ଇତ୍ୟାଦି
।
ପରିବା ଓ କ୍ରିକେଟ୍ ଖେଳାଳି
ମୋର ପୂର୍ବତନ ଛାତ୍ର ରୁଦ୍ରପ୍ରସନ୍ନ ରଥ କ୍ରୀଡ଼ା ବିଶେଷ
କରି କ୍ରିକେଟ୍ରେ ବିଶେଷ ରୁଚି ରଖନ୍ତି । କ୍ରୀଡ଼ାକୁ ନେଇ ବହି ବି ଲେଖିଛନ୍ତି । ସେ ଏବେ ପରିବା
ସହିତ କ୍ରିକେଟ୍ ଖେଳାଳିମାନଙ୍କର ଗୋଟେ ତୁଳନା ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି
। ପଢ଼ନ୍ତୁ:
୧. ସଚିନ ଆଉ ଟମାଟୋ ସମାନ। ଲୋକ ଉଭୟଙ୍କୁ ଏତେ ଭଲ ପାଆନ୍ତି ଯେ ସେମାନଙ୍କ ଠାରେ ସାମାନ୍ଯ ପରିବର୍ତ୍ତନ ଦେଖାଦେଲେ ଲୋକ ବ୍ଯସ୍ତ ହୋଇ ପଡନ୍ତି।
୨. ରୋହିତ ଶର୍ମା ଆଉ ପିଆଜ ସମାନ। ଫର୍ମରେ ଥିବା ବେଳେ ତାଙ୍କ ସହିତ ଯିଏ ଲାଗିଲା ତା ଆଖିରୁ ଲୁହ ବାହାରିବ।
୩. ପୋଟଳ ଆଉ ବୁମରାହ ସମାନ। ଶିଖରରେ ଥିବା ସମୟରେ ଦାମ ଏତେ ଚଢା ଯେ ହାତ ମାରି ହେବନି। କିନ୍ତୁ ଅଧା ପୋଟଳ ପରିବା ଡାଲାରୁ ବୁମରାହ ଦଳରୁ ବାହାରେ ଥାନ୍ତି।
୪. ରାହୁଳ ଦ୍ରାବିଡ ଆଉ ଆଳୁ ସମାନ। ବଜାର ଯାଇଛମାନେ ଦାମ ଯାହା ହେଉ ପଛେ ଆଳୁ ଅଳ୍ପ ବହୁତେ କିଣିବ ଆଉ ଦଳରେ ରଖିଛମାନେ ପରିସ୍ଥିତି ଯାହା ହେଲେ ବି ଦ୍ରାବିଡଙ୍କୁ ଅଧିନାୟକ ଖେଳାଇବେ।
୫. ଅଶ୍ବିନୀ ଆଉ ଗାଜର ସମାନ। ବ୍ରେକଫାଷ୍ଟ ହେଉ କିମ୍ବା ଲଂଚ ଆଉ ଡିନର ସବୁଠି ଗାଜର କାମରେ ଲାଗି ପାରିବ। ଫର୍ମାଟ ଯାହା ହେଉ ପଛେ ଅଶ୍ବିନୀ ସବୁ ଫର୍ମାଟରେ ଖେଳି ପାରିବେ।
୬. ପୂଜାରା ଆଉ ଅଦା ସମାନ। ପ୍ରଥମେ ଛେଚା ଖାଇବେ ହେଲେ ପରେ ପିଚ୍ ଆଉ ପ୍ଯାନ ଛାଡିବେ ନାହିଁ।
୭. କୋହଲୀ ଆଉ ଫ୍ରିଜ୍ ରେ ଥିବା କଞ୍ଚାଲଙ୍କା ସମାନ। ସମସ୍ତେ ଭାବୁଥିବେ ଆଉ ଭିଡକୁ ନୁହେଁ କିନ୍ତୁ ଏମିତି କୌଣସି ତରକାରୀ କିମ୍ବା ଫର୍ମାଟ ନାହିଁ ଯାହା ଏମାନଙ୍କ ବିନା କଳ୍ପନା କରିହେବ।
୮. ଧନିଆ ପତ୍ର ଆଉ ଲକ୍ଷ୍ମଣ ସମାନ। ରେଟ ତଳ ଉପର ହୋଇପାରେ ହେଲେ ଉପଯୋଗୀତା ସବୁବେଳେ ସମାନ ଥାଏ ।
୯. ଧୋନୀ ଆଉ ଫ୍ରିଜ୍ ରେ ଥିବା ଲେମ୍ବୁ ସମାନ। ତୁମେ ବୟସ୍କ ହୋଇପାର କିନ୍ତୁ ଲୋକ ଚାହାନ୍ତି ଯେ ତୁମକୁ ଚିପୁଡିଲେ ସବୁବେଳେ ରସ ବାହାରୁ।
୧୦. କଖାରୁ ଆଉ ଦୀନେଶ କାର୍ତ୍ତିକ ସମାନ। ବହୁ ଚିନ୍ତା କରି ଲୋକ ଏମାନଙ୍କୁ ନିଅନ୍ତି। ଅନ୍ଯ କିଛି ରାନ୍ଧିବାକୁ ଇଚ୍ଛା ନହେଲେ ଯେମିତି ଡାଲମା ରନ୍ଧାଯାଏ ଆଉ କଖାରୁ କୁ ଖୋଜାପଡେ ସେହିପରି ଅନ୍ଯ ଖେଳାଳୀ ନମିଳିଲେ ଦୀନେଶ କାର୍ତ୍ତିକ ଙ୍କୁ ଖୋଜାପଡେ।
ସ୍ୱପ୍ନର ବୋଝ
ଆଜିକାଲି ଦେଖୁଛି ସମସ୍ତେ ଧାଉଁଛନ୍ତି । ଅର୍ଥ, ଐଶ୍ୱର୍ଯ୍ୟ,
କ୍ଷମତା, ପ୍ରତିପତ୍ତି, ପୁରସ୍କାର.. ।
ୟାକୁ ଦେଖି ମୋତେ ବଶିର ବଦ୍ର (ଜନ୍ମ: ୧୯୩୫)ଙ୍କ ଗୋଟେ ଶେର
ମନେ ପଡ଼େ
ଉନ୍ହେ କାମିୟାବି ମେଁ ସୁକୁନ ନଜର ଆୟା
ତ ୱ ଦୌଡ଼ତେ ଗୟେ
ହମେ ସୁକୁନ
ମେଁ କାମିୟାବି ନଜର ଆୟା
ତ ହମ୍ ଠହର ଗୟେ
ଖ୍ୱାଇସୋଁ କେ ବୋଝ୍ ମେଁ ବଶର ତୁ କ୍ୟା କ୍ୟା କର୍ ରହା
ହୈ
ଇତ୍ନା ତୋ ଜୀନା ଭି ନେହିଁ, ଜିତ୍ନା ତୁ ମର୍ ରହା ହୈ
।
ଓଡ଼ିଆରେ ଅନୁବାଦ କଲେ:
ସେମାନଙ୍କୁ ସାଫଲ୍ୟରେ ସନ୍ତୁଷ୍ଟି ଦିଶିଲା
ତ ସେମାନେ ଧାଇଁ ଚାଲିଲେ
ମୋତେ ସନ୍ତୁଷ୍ଟିରେ ସାଫଲ୍ୟ ଦିଶିଲା
ତ ମୁଁ ଅଟକି ଗଲି ।
ଇଚ୍ଛାର ମୋହରେ ତୁ କଣ କଣ କରିଚାଲିଛୁ ବଶର
ଯେତିକି ତୁ ଜିଇ ନୁ, ତାଠୁଁ ଅଧିକ ମରି ଯାଉଛୁ ।
ବାଟେଘାଟେ
କଞ୍ଚାଲଙ୍କା ଦର ବୃଦ୍ଧିର ପ୍ରତ୍ୟକ୍ଷ ପ୍ରଭାବ
ଗୁପ୍ଚୁପ୍ ଠେଲାରେ ହାତଲେଖା ନୋଟିସ୍:
ରାଗ ଖାଇବ ବୋଇଲେ, ଘରୁ କଞ୍ଚାଲଙ୍କା ଧରି ଆସିବ ।
++
No comments:
Post a Comment