ଅଳ୍ପ କଥା, ଗଭୀର ଭାବ
ବହି:
‘ସ୍ୱପ୍ନଶ୍ରବା’, ‘ମଧୁବ୍ରତା’ ଏବଂ ‘ଅମୋକ୍ଷ ତପ’
କବି:
ଉମାକାନ୍ତ ମହାପାତ୍ର
ପ୍ରକାଶକ: ଶ୍ରୀପର୍ଣ୍ଣା ପ୍ରକାଶନୀ, ଉଦୟରାଗ କମ୍ପେ୍ଲକ୍ସ, ପୁରୀ
ପ୍ରଥମ
ପ୍ରକାଶ: ୨୦୧୯
ମୂଲ୍ୟ:
୧୧୦, ୧୫୦ ଏବଂ ୧୫୦ ଟଙ୍କା
ଉମାକାନ୍ତ ମହାପାତ୍ର ନିଜର ସ୍ୱତନ୍ତ୍ର ଶୈଳୀ ଏବଂ ଶବ୍ଦ ବିନ୍ୟାସ ପାଇଁ କବିତାପ୍ରେମୀ ପାଠକମାନଙ୍କର ବେଶ ପ୍ରିୟ ଏବଂ ପରିଚିତ । ତାଙ୍କ କବିତା ଅନେକଟା ଉର୍ଦ୍ଦୁ ଶାୟରୀ ଭଳି । ଉର୍ଦ୍ଦୁ ଶାୟରୀରେ ଯେମିତି ଅଳ୍ପ କଥାରେ ଗଭୀର ଭାବର ସଂଚରଣ ହୁଏ, ଉମାକାନ୍ତ ମହାପାତ୍ରଙ୍କ କବିତା ଗୁଡ଼ିକ ସେହିପରି । କିନ୍ତୁ ଉମାକାନ୍ତ ମହାପାତ୍ରଙ୍କ କବିତାରେ ଓଡିଆ ମାଟିର ଏକ ମହକ ରହିଛି । ଓଡିଆ ଭାଷାର ସୌନ୍ଦର୍ଯ୍ୟ ଓ ସାଙ୍ଗୀତିକତାକୁ ବ୍ୟବହାର କରିବାର ଏକ ସଚେତନ ପ୍ରୟାସ ରହିଛି । ଏ ତିନୋଟିଯାକ କବିତା ବହିରେ ସନ୍ନିବେଶିତ କବିତାରେ ଏହା ଦୃଶ୍ୟମାନ ।
ବିଷୟଗତ ଦୃଷ୍ଟିରୁ ତିନୋଟି ସଙ୍କଳନରେ କିଛି କିଛି ପାର୍ଥକ୍ୟ ରହିଛି । ‘ମଧୁବ୍ରତା’ ସଙ୍କଳନର କବିତାରେ ପ୍ରେମ, ପ୍ରଣୟ, ପ୍ରତ୍ୟୟର ଅଭିବ୍ୟକ୍ତି ଅଧିକ । ‘ସ୍ୱପ୍ନଶ୍ରବା’ରେ ପ୍ରେମର ପ୍ରତିବଦ୍ଧତାକୁ ଅଧିକ ରେଖାଙ୍କିତ କରାଯାଇଛି । ‘ଅମୋକ୍ଷତପ’ରେ ସଙ୍କଳିତ କବିତାଗୁଡ଼ିକ ଜୀବନର ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରସାରିତ । ବିଭିନ୍ନ ଅବବୋଧରେ ତାଙ୍କର ଚିନ୍ତା ଚେତନାର ପରିପ୍ରକାଶ ଏ ସଙ୍କଳନର କବିତାରେ ପାଠକ ପାଇପାରିବେ ।
ଏବେ ଆପଣମାନଙ୍କୁ ସଙ୍କଳନର କବିତାଗୁଡ଼ିକ ବିଷୟରେ କହିବା ପୂର୍ବରୁ ଏ ବହିଗୁଡିକର ରୂପବିନ୍ୟାସ ସମ୍ପର୍କରେ ପଦେଅଧେ କହିଦେବା ଉଚିତ୍ । ଏ ତିନୋଟିଯାକ ବହିରେ ପ୍ରତ୍ୟେକ କବିତା ସହିତ ଛୋଟ ଛୋଟ ରେଖାଚିତ୍ର ରହିଛି ଏବଂ ପ୍ରତ୍ୟେକ କବିତା ସହିତ ପ୍ରତ୍ୟେକ ଚିତ୍ରର ସମ୍ପର୍କ ରହିଛି । ପ୍ରତ୍ୟେକ କବିତା ସହିତ ଅତ୍ୟନ୍ତ ଯୋଜନାବଦ୍ଧ ଭାବରେ ଚିତ୍ର ଦବାର ଏମିତି ପ୍ରୟାସ କେବଳ ଶିଶୁ କବିତା କ୍ଷେତ୍ରକୁ ଛାଡ଼ିଦେଲେ ଓଡିଆ ପ୍ରକାଶନ କ୍ଷେତ୍ରରେ ଖୁବ୍ କମ୍ ଦେଖାଯାଇଛି ଏହା ପୂର୍ବରୁ । ରେଖା ଓ କବିତାର ଇଏ ଏକ ସୁନ୍ଦର ଯୁଗଳବନ୍ଦୀ ।
‘ସ୍ୱପ୍ନଶ୍ରବା’ ବହିଟିରେ ଓଡ଼ିଆ ପଟ୍ଟଚିତ୍ର ଶୈଳୀର ଚିତ୍ର ଅଙ୍କନ କରିଛନ୍ତି ପୁରୀର ପଟ୍ଟଚିତ୍ର ଶିଳ୍ପୀ ନାରାୟଣ ମହାରଣା । ‘ଅମୋକ୍ଷତପ’ ଆଉ ମଧୁବ୍ରତାରେ ବହି ଦୁଇଟିରେ ଚିତ୍ର ଆଙ୍କିଛନ୍ତି
ଶ୍ରୀମତୀ ସୁଜାତା ସିହ୍ନା ।
ଏବେ କେତେଗୁଡିଏ କବିତାର ଉଦାହରଣ ଦେବା ଉଚିତ୍ ହେବ । ‘ମଧୁବ୍ରତା’ର ଗୋଟେ କବିତା:
କି ଲାଭହେ ଅତି ଗୁମାନ ସାଇତି ଶ୍ରଦ୍ଧାରେ
ଜଗତ ବସ
ତୁମେ ହସିଦେଲେ ସକାଳ ହସିବ ମୁଁ ତ ତୁମ କ୍ରୀତଦାସ ।
ଆଉ ଗୋଟେ କବିତା:
ଧନ ସମ୍ପତିକୁ ମଣିନାହିଁ କେବେ ଶ୍ରଦ୍ଧାଠୁ ଅଧିକ ବୋଲି,
ଆପଣାର କେହି ନାହିଁ ବୋଲି ମୋର ତୁମକୁ ଆପଣା କଲି ।
ତୁମ ନିଶ୍ୱାସର ଅନୁରଣନରେ ଟାଣରେ ପବନ ଚଳେ
ତୁମରି ଓଠର ମଧୁ ଝରଣାରେ ଫଗୁଣ ବି ହୋରି ଖେଳେ ।
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତୋକତ୍ତର
ଓଡିଆ ବିଭାଗର ଅଧ୍ୟାପକ ଡ଼. ଦିଲ୍ଲୀପ କୁମାର ସ୍ୱାଇଁ ‘ମଧୁବ୍ରତା’ ସଙ୍କଳନର ଲେଖିଛନ୍ତି ଯେ “ମଧୁବ୍ରତା ଏକ ପ୍ରେମ ଭାବନା ମୂଳକ ଗୀତିକାବ୍ୟ । ପ୍ରେମିକର ପ୍ରାପ୍ତି
ପ୍ରତ୍ୟାଶା ପ୍ରତ୍ୟାଖ୍ୟାନକୁ ନେଇ ଏକ କାବ୍ୟିକ ମନୋଭାଷା । ଏସବୁ କବିତା ପଢ଼ୁ ପଢ଼ୁ ଆପଣ ଉଦାସ ହୋଇ ପାରନ୍ତି । ନିଜ ଅତୀତରୁ ଧୂଳି ଝାଡ଼ି ଅନ୍ୟମନସ୍କ ହୋଇପାରନ୍ତି । ମଧୁବ୍ରତାକୁ ମନେପକେଇବା ମାତ୍ରେ ଆପଣ ଫେରିପାରନ୍ତି
କଲେଜ କାମ୍ପସ୍ ।”
‘ଅମୋକ୍ଷତପ’ ବହିର କବିତାଗୁଡ଼ିକ ଭିନ୍ନ ମିଜାଜର । କେତୋଟି ଉଦାହରଣ ନିଅନ୍ତୁ ।
ଧୂସର ଧରାର ଧୂମାଳ ପବନେ
ଧ୍ୱଂସର ତାଣ୍ଡବ ଲୀଳା,
ଦୁଷ୍ଟ ଏ ମନର ଧୂଳି ପଟଳରେ ଧୂମାୟିତ ସ୍ୱର୍ଣ୍ଣଖଳା ।
ଏଥିରେ ‘ଧ’ ଅକ୍ଷରର ଶବ୍ଦର ବ୍ୟବହାରକୁ
ଲକ୍ଷ କରନ୍ତୁ । ଆମେଜ ଦୃଷ୍ଟିରୁ ଏହା
ଆପଣଙ୍କୁ ପ୍ରାଚୀନ ଓଡିଆ କବିତା ପାଖକୁ ନେଇଯିବ; କିନ୍ତୁ ଏହାର ବିଷୟ ଆଧୁନିକ । ଆମ ସମୟର ଆଉ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ କବି ଗିରିଜା କୁମାର ବଳିଆର ସିଂହ ତାଙ୍କର ମହୁ କବିତାରେ ଏମିତି ପ୍ରୟୋଗ କରିଛନ୍ତି ।
‘ଅମୋକ୍ଷ ତପ’ ସଙ୍କଳନର ଦୁଇଟି କବିତାର କେଇ ଧାଡ଼ି:
“ଯନ୍ତ୍ରଣାର ଯେଉଁ କବିତା ମୁଁ ଲେଖେ ରକ୍ତକୁ ସାହି କରି,
ତୁମେ କେବେ ତାକୁ ସୁଯୋଗରେ ଥରେ ପଢ଼ିନବ ଯତ୍ନ କରି ।”
“କ୍ଷମତାର କ୍ଷୋଭ ଅଣ୍ଟାର ମୁକୁଟ ଅସ୍ମିତାରେ ଉର୍ଜଶ୍ୱଳା
ପ୍ରତିବଦ୍ଧତାରେ ପୁଣ୍ୟରେ ପଖଳା ସାମାଜିକ କର୍ମଶାଳା ।”
ଏଥିରେ କର୍ମଶାଳାକୁ ତୀକ୍ଷ୍ଣ ବ୍ୟଙ୍ଗ କରାଯାଇଛି ।
ନିଜ ଇଛାମତେ ବ୍ୟସ୍ତ ତ ସମସ୍ତେ ଆପଣା ସ୍ୱାର୍ଥରେ ମନ,
କିଏ କାହିଁ ମୋରେ ଦେଖିବ ସତ୍ୱରେ ସକୁଳ ମୁଁ ଶ୍ରଦ୍ଧାହୀନ ।
‘ଅମୋକ୍ଷତପ’ ସଙ୍କଳନର କେତୋଟି କବିତାରେ ଗୋଟେ ଉଦାସୀ ଭାବ ମଧ୍ୟ ପାଠକ ଲକ୍ଷ କରିପାରିବେ ।
ଏବେ ‘ସ୍ୱପ୍ନଶ୍ରବା’ର କେତୋଟି କବିତା ।
ଏମିତି ରାତିରେ ତାତି ଚରୁଥାଏ
ନୀଳ ନଈ ତୁଠେ ନିସ୍ତରଙ୍ଗ ଓଠ ପରେ,
ଏମିତି ରତିଏ ସପନ ପାଇଁକି
ରତିର ନିଶ୍ୱାସେ ରାତି ନିଛାବର କରେ ।
ଏମିିତି ଅକାଳେ ଆକୁଳ ଆତୁରେ
ମନ ନାଚୁଥାଏ ଧରା ଭୋଦୁଅରେ ଭାରି
ଏମିତି ନୂପୁର ମଧୁନିପଣରେ
ମହୁ ଝରୁଥାଏ ଚଇତିକୁ ଚୁମା ମାରି ।
‘ସ୍ୱପ୍ନଶ୍ରବା’ ସଙ୍କଳନର କବିତାରେ ପ୍ରଣୟର ଆଉ ଗୋଟେ ବିସ୍ତାର ଦେଖାଯାଇପାରେ ।
ଏ ତିନୋଟି ଯାକ ବହି ଯଦି
ଆପଣଙ୍କ ପାଖରେ ପହଞ୍ଚେ ତାହାହେଲେ ମୁଁ ଆପଣଙ୍କୁ ପରାମର୍ଶ ଦେବି
ପ୍ରଥମେ ‘ମଧୁବ୍ରତା’ ପଢ଼ନ୍ତୁ, ତାପରେ ‘ସ୍ୱପ୍ନଶ୍ରବା’ ଆଉ ଶେଷକୁ ‘ଅମୋକ୍ଷତପ’ । ଜୀବନର ତିନି ପାହାଚର ଗୋଟେ ଆମେଜ ଏ କବିତା ବହିଗୁଡିକରେ ପାଇଯିବେ । ପ୍ରକାଶନର ମାନ ଅତ୍ୟନ୍ତ ଉନ୍ନତ । ବହିଗୁଡିକର ଛାପା, ବନ୍ଧେଇ ଏବଂ ଅଳଙ୍କରଣ ସବୁ ବେଶ୍ ସୁନ୍ଦର । ବହିଗୁଡିକୁ ଧରନ୍ତୁ, ପଢ଼ନ୍ତୁ । ଭଲ ଲାଗିବ ନିଶ୍ଚୟ ।
12.7.23
https://www.odishasahitya.com/bahikatha-67/
No comments:
Post a Comment