ବହିକଥା ।ା ମୃଣାଳ ଚାଟାର୍ଜୀ । ୨୮.୬.୨୩
ସାହିତ୍ୟ, ସଂସ୍କୃତି ଓ ସମାଜର କଥା
ବହି: ସାହିତ୍ୟରେ ସଂସ୍କୃତିର ସଂକେତ
ଲେଖକ: ଇଂ ମୁରଲୀଧର ହୋତା
ପ୍ରକାଶକ: ନିଶବ୍ଦ, ଡିଭାଇନ ନଗର, କଟକ
ପ୍ରଥମ ସଂସ୍କରଣ: ୨୦୨୩, ମୂଲ୍ୟ: ୨୦୦ ଟଙ୍କା
ଇଂ ମୁରଲୀଧର ହୋତା ପ୍ରାୟ ଏକଦଶରୁ ଉର୍ଦ୍ଧ୍ୱକାଳଧରି ବିଭିନ୍ନ
ସମ୍ବାଦପତ୍ରରେ ପ୍ରବନ୍ଧମାନ ଲେଖି ଆସୁଛନ୍ତି । ‘ସାହିତ୍ୟରେ ସଂସ୍କୃତିର ସଂକେତ’ ତାଙ୍କର ପଞ୍ଚମ ପ୍ରବନ୍ଧ ପୁସ୍ତକ । ଏଥିରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ଧରିତ୍ରୀ ଏବଂ ଅନ୍ୟାନ୍ୟ ସମ୍ବାଦପତ୍ର ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ।
ଇଂ ମୁରଲୀଧର ହୋତା ବିଭିନ୍ନ ବିଷୟରେ ପ୍ରବନ୍ଧ ଲେଖନ୍ତି । ତେବେ ସାହିତ୍ୟ, ସଂସ୍କୃତି ଏବଂ ସମାଜ ତାଙ୍କର ପ୍ରିୟ ବିଷୟ ।
‘ସାହିତ୍ୟରେ ସଂସ୍କୃତିର ସଂକେତ’ ବହିଟିରେ ମୋଟ ୨୭ଟି ପ୍ରବନ୍ଧ ରହିଛି । ଏ ସମସ୍ତ ପ୍ରବନ୍ଧରେ ଲେଖକ ଚେତନା ଏବଂ ଚେତନାର ଉତ୍ତରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସାହିତ୍ୟକୁ କେବଳ ମନୋରଂଜନ ଭାବରେ ନ ନେଇ ସାହିତ୍ୟ ମାଧ୍ୟମରେ ଚେତନାର ଏବଂ ସଂସ୍କୃତିର ଉତ୍ତରଣର ଆବଶ୍ୟକତାକୁ ସେ ରେଖାଙ୍କିତ କରିଛନ୍ତି ।
ତେବେ ଏ ଉତ୍ତରଣ ବସ୍ତୁବାଦୀ ନୁହଁ ବରଂ ଆଧ୍ୟାତ୍ମିକ
କ୍ଷେତ୍ରରେ ହେବା ଦରକାର ବୋଲି ସେ ବହୁ ନିବନ୍ଧରେ ଉଲ୍ଲେଖ କରିଛନ୍ତି । ତାଙ୍କ ସୃଷ୍ଟିର ଦିଗବଳୟ ଭିତରେ ଇତିହାସ, ବିଜ୍ଞାନ, ସାହିତ୍ୟ, ସଂସ୍କୃତି, ଧର୍ମ,
ପୁରାଣ.ସମାଜତତ୍ତ୍ୱ, ରାଜନୀତି, ନୀତିଶାସ୍ତ୍ର, ଦର୍ଶନ ଶାସ୍ତ୍ର ଇତ୍ୟାଦି ଅନେକ ବିଦ୍ୟା ପଶି ଆସିଛି । ବିଭିନ୍ନ ବିଷୟରୁ ତଥ୍ୟ ଓ ତତ୍ତ୍ୱମାନ ନେଇ ତାଙ୍କ ପ୍ରବନ୍ଧ ରୁଦ୍ଧିମନ୍ତ ହୋଇଛି ।
ଏଠି ତାଙ୍କର କେତୋଟି ପ୍ରବନ୍ଧର ଶିରୋନାମା ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ । ସେଥିରୁ ତାଙଖ୍କ ପ୍ରବନ୍ଧର ବିଷୟ ଓ ବିସ୍ତାର ସମ୍ପର୍କରେ ଆନ୍ଦାଜ କରିହେବ । ‘ମୁଁ ମହାଭାରତର ମହାନାୟିକା କହୁଛି’, ‘ଗଣତନ୍ତ୍ର ଓ ଭାରତୀୟ ରାଷ୍ଟ୍ରବୋଧ’, ‘ଆମ ଧର୍ମ, ସଂସ୍କୃତ. ବିଜ୍ଞାନ’, ‘ସନାତନ ଧର୍ମରେ ନାରୀ’, ‘ଦୈହିକ ପ୍ରେମ’,
‘ବିବାହ ଓ ବିବାହ ବିଛେଦ’, ‘ସାହିତ୍ୟ ଓ ସମାଜ’, ଇତ୍ୟାଦି । ପରିବେଶକୁ ନେଇ ମଧ୍ୟ କେତେଗୁଡିଏ ନିବନ୍ଧ ରହିଛି ଉଦାହରଣ: ‘ପ୍ରଦୂଷିତା ନଦୀ ମାତୃକା’ । କେତେକ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ମଧ୍ୟ ଲେଖା ରହିଛି,
ଯେମିତି ‘ପାଇକ ଗୁରୁ ଦୈତାରି ମହାରଣା’, ‘ଅପରୂପା ବୀରାଙ୍ଗନା ମହାରାଣୀ ପଦ୍ମିନୀ’ ।
ଇଂ ମୁରଲୀଧର ହୋତାଙ୍କ ପ୍ରବନ୍ଧରେ ଦୁଇଟି କଥା
ଲକ୍ଷ୍ୟଣୀୟ । ଗୋଟିଏ ହେଲା: ଉଦ୍ଦେଶ୍ୟ ।
ସାମଗ୍ରିକ ଭାବେ ତାଙ୍କର ଅଧିକାଂଶ ପ୍ରବନ୍ଧର ଲକ୍ଷ୍ୟ: ଚେତନାର ଉତ୍ତରଣ । ତେବେ ‘ଚେତନା ଉତ୍ତରଣର ମାର୍ଗ’, ‘ଭାରତୀୟ ସଂସ୍କୃତିରେ ଜଗତକଲ୍ୟାଣ ଚିନ୍ତନ’ ଆଦି ପ୍ରବନ୍ଧରେ ଏ ବିଷୟରେ ତାଙ୍କ ଅନୁଶୀଳନର ସ୍ପଷ୍ଟ ଚିତ୍ର ମିଳେ ।
ତାଙ୍କ ପ୍ରବନ୍ଧର ଦ୍ୱିତୀୟ ଲକ୍ଷ୍ୟଣୀୟ ବିଷୟଟି ହେଲା:
ସାବଲୀଳ ଶୈଳୀ ।
‘ଦୂଷିତା ନଦୀମାତୃକା’ ର ଶେଷ ପାରାଗ୍ରାଫଟି ମୁଁ ଏଠାରେ ଉଦ୍ଧାର କରୁଛି ।
...“ଶେଷରେ ଅପପୃଷ୍ଟି କାରଣରୁ ଯଦି ପରିବାରରେ ମା’ର ମୃତ୍ୟୁ ଘଟେ ତେବେ ପିଲାମାନଙ୍କ ଜୀବନରେ ଯେଉଁ ଭୟଙ୍କର କଳା ବାଦଲ ଘୋଟି ଆସିବ ତାକୁ ପ୍ରତିହତ କରିବାରେ ମାତୃହୀନ ପରିବାରଟି ଅସମର୍ଥ ହେବାଭଳି ନଦୀ ମାତୃକାଙ୍କୁ ପ୍ରଦୂଷିତ କରି ଆମେ ଯେଉଁ ତାଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛୁ ସେଥିରୁ ରକ୍ଷା ପାଇବାର ବିକଳ୍ପ ବ୍ୟବସ୍ଥା ଆମ ପାଖରେ ଅଛି ତ?” ଏ ପ୍ରଶ୍ନ ଆଜି କେବଳ ପରିବେଶ ପ୍ରେମୀଙ୍କର ନୁହେଁ, ଏ ପ୍ରଶ୍ନ ସମସ୍ତଙ୍କର ।
ସେମିତି ‘ଯୋଗ୍ୟ ସ୍ୱାମୀ ଅଯୋଗ୍ୟ ସ୍ୱାମୀ’ ପ୍ରବନ୍ଧରେ ସେ ଯୋଗ୍ୟ ସ୍ୱାମୀଟିଏ ହେବାପାଇଁ କ’ଣ କ’ଣ ଆବଶ୍ୟକ ତାହା ଅତ୍ୟନ୍ତ ମାର୍ମିକ ଭାବରେ ଲେଖିଛନ୍ତି ।
... “ସ୍ୱାମୀ ହେଉଛି ପରିବାରର ମେରି ମାରିଖୁଣ୍ଟି ବା କେନ୍ଦ୍ର । ତାକୁ କେନ୍ଦ୍ରକରି ପରିବାରର ସମସ୍ତେ ଘୁରିଥାନ୍ତି । କେନ୍ଦ୍ର ଟାଣ ନହେଲେ ଦୋହଲିଗଲେ ପରିବାରଟି ଭୂଷୁଡି ପଡେ
ବା ବିପର୍ଯ୍ୟସ୍ତ ହୋଇଯାଏ । ଗାଁ ଓ ସହରର ଅଶିକ୍ଷିତ ଆର୍ଥିକ ଦୁର୍ବଳଶ୍ରେଣୀର ପରିବାରରେ ତ ଏହା ଘଟୁଛି ତେବେ ଏଭଳି ଅବସ୍ଥା ଶିକ୍ଷିତ ଓ ଆର୍ଥିକ ସବଳ ଶ୍ରେଣୀରେ ବି କମ୍ ହେଉନାହିଁ ।”
“ଜାତିପ୍ରଥାର ଉଦ୍ରେକ ଓ ତା’ର ଭୟାବହତା” ପ୍ରବନ୍ଧରେ ସେ ଜାତିପ୍ରଥା ଆମକୁ କେମିତି ପୀଡା ଦେଉଛି ସେ ସମ୍ପର୍କରେ ଲେଖିଛନ୍ତି । “ଦୁର୍ନୀତିର ପ୍ରଛଦପଟରେ ବାତାବରଣର ଭୂମିକା” ପ୍ରବନ୍ଧରେ ସେ ଦୁର୍ନୀତି ପାଇଁ ସାମାଜିକ ବ୍ୟବସ୍ଥା କେମିତି ଦାୟି, ବାତାବରଣ କେମିତି ଦାୟୀ ତାକୁ ବିଭିନ୍ନ କାହାଣୀ ମାଧ୍ୟମରେ ରେଖାଙ୍କିତ କରିବାର ଚେଷ୍ଟା କରିଛନ୍ତି ।
ଏ ବହିଟିରେ ଯେଉଁ ପ୍ରବନ୍ଧ ଗୁଡିକ ସଂକଳିତ ହୋଇ ରହିଛି ତାହା ବେଶ୍ ସୁଖପାଠ୍ୟ । ଆପଣମାନେ ଏହାକୁ ପଢ଼ି ପାରନ୍ତି । ସମାଜର ସ୍ଥିତି ଏବଂ ଭବିଷ୍ୟତ ସମ୍ପର୍କରେ କିଛି ଚିନ୍ତାର ଖୋରାକ ଏଥିରୁ
ମିଳିବ ।
+++
No comments:
Post a Comment