Saturday, 22 April 2023

Bahi Katha | Fortnightly Column on Books | New Age Public Relations by Subir Ghosh | 19.4.23

 ଲୋକସମ୍ପର୍କର ନାନା କଥା

ବହି: ନିଉ ଏଜ୍‍ ପବ୍ଲିକ ରିଲେସନ

ଲେଖକ: ସୁବିର ଘୋଷ

ପ୍ରକାଶକ: ସାହିତ୍ୟ ସଂସଦ, କୋଲକତା

ମୂଲ୍ୟ: ୮୫୦ ଟଙ୍କା

ପବ୍ଲିକ ରିଲେସନସ୍‍ ବା ଲୋକ ସଂପର୍କ ବର୍ତ୍ତମାନ ଏକ ସମ୍ମାନଜନକ ବୃତ୍ତି । ଏହାର ଅବଧାରଣା ଦୀର୍ଘ ବର୍ଷ ତଳୁ ଥିଲେ ମଧ୍ୟ ପେଶା ଭାବରେ ଲୋକ ସଂପର୍କର ଜନ୍ମ ଆଦ୍ୟ ବିଂଶ ଶତାବ୍ଦୀରେ । ଆମେରିକାରେ ।

            ଲୋକ ସଂପର୍କର ପ୍ରଧାନ କାମ ସାଧାରଣ ଲୋକମାନଙ୍କ ସହିତ ସଂପର୍କର ଅଭିବୃଦ୍ଧି । ଗୋଟିଏ ସରକାର, ବିଭାଗ, କମ୍ପାନୀ ବ୍ୟବସାୟ ପ୍ରତିଷ୍ଠାନ ତା’ ତରଫରୁ ତାଙ୍କର କାର୍ଯ୍ୟ ଏବଂ  ସ୍ୱାର୍ଥ ପାଇଁ  ଯେଉଁ ଯେଉଁ ଲୋକମାନେ ସଂପୃକ୍ତ ତାଙ୍କ ସହିତ  ସୁସଂପର୍କ ରଖିବା ଏବଂ ସାଧାରଣରେ ସେମାନଙ୍କର ଭାବମୂର୍ତ୍ତିକୁ ଉଜ୍ୱଳ ରଖିବା ହେଲା ଲୋକ ସଂପର୍କ ବିଭାଗର କାମ । ସଭ୍ୟତାର ଅଗ୍ରଗତି ସହିତ ଜନମତର ଗୁରୁତ୍ୱ ବଢ଼ୁଛି । ତା ସହିତ ସରକାରୀ ସ୍ତରରେ ଏବଂ ବାଣିଜ୍ୟ ବ୍ୟବସାୟ ସ୍ତରରେ ଲୋକ ସଂପର୍କର ଗୁରୁତ୍ୱ ବଢ଼ୁଛି । 

            ଭାରତରେ ଲୋକ ସଂପର୍କର ଅବଧାରଣା ବହୁକାଳୁ  ରହିଛି । ଅଶୋକଙ୍କ ସମୟରୁ ଏହା ଦୃଶ୍ୟମାନ । କିନ୍ତୁ ଯୋଜନାବଦ୍ଧ ଏବଂ ଆନୁଷ୍ଠାନିକ ଭାବରେ ଲୋକ ସଂପର୍କର ବ୍ୟବହାର ବ୍ରିଟିଶ୍‍ ଅମଳରୁ ଆରମ୍ଭ ହୋଇଥିଲା । ପ୍ରେକ୍ଷାପଟ ଥିଲା ପ୍ରଥମ ବିଶ୍ୱଯୁଦ୍ଧ । ପ୍ରଥମ ବିଶ୍ୱଯୁଦ୍ଧ ବେଳେ ବ୍ରିଟିଶ ପ୍ରଶାସନ ଭାରତୀୟ ମାନଙ୍କର ସମର୍ଥନ ଲୋଡୁଥିଲା ଏବଂ ଏଥିପାଇଁ ବିଧିବଦ୍ଧ ଭାବରେ ଏକ ଦପ୍ତର ଖୋଲାଯାଇ ସେ ଦିଗରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପରବର୍ତ୍ତି ସମୟରେ ଏହାକୁ ଆହୁରି ଅଧିକ ବ୍ୟାପ୍ତ କରାଯାଇଥିଲା ।

            ଲୋକସଂପର୍କର ଉପଯୋଗୀତା ଏବଂ ଗୁରୁତ୍ୱକୁ ହୃଦୟଙ୍ଗମ କରି ସ୍ୱାଧୀନତା ପରେ ପରେ ହିଁ ଏ ଦିଗରେ ସରକାରୀ ଭାବରେ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା । ବେସରକାରୀ ଭାବରେ ସ୍ୱାଧିନତା ପୂର୍ବରୁ ବି ଟାଟା କମ୍ପାନୀ ତାଙ୍କର ପ୍ରଚେଷ୍ଟା ଆରମ୍ଭ କରିଥିଲେ । ଭାରତୀୟ ରେଳ ମଧ୍ୟ ଏ ଦିଗରେ ପ୍ରଚେଷ୍ଟା ଆରମ୍ଭ କରିଥିଲେ ।                                     କିନ୍ତୁ ଏତେ ବର୍ଷ ଭିତରେ ଭାରତ ପରିପ୍ରେକ୍ଷୀରେ ଏ ବିଷୟ ଉପରେ ଖୁବ୍‍ ବେଶୀ ବହି ଲେଖାଯାଇନାହିଁ । ଇତିମଧ୍ୟରେ ସାମାଜିକ ସାଂସ୍କୃତିକ କ୍ଷେତ୍ରରେ, ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏବଂ ଯୋଗାଯୋଗ (କମ୍ୟୁନିକେସନ୍‍)ର ବିଭିନ୍ନ ମାଧ୍ୟମରେ ପରିବର୍ତ୍ତନ ଓ ଅଭିବୃଦ୍ଧି ହୋଇଛି । ତା ସହିତ ଲୋକ ସଂପର୍କର ପେଷାଗତ କ୍ଷେତ୍ରରେ ମଧ୍ୟ ବେଶ୍‍ କିଛି ପରିବର୍ତ୍ତନ ହୋଇଛି । ଏ ପରିବର୍ତ୍ତିତ ରୂପରେଖକୁ ନେଇ ଲୋକ ସମ୍ପର୍କ ବିଷୟୋର ଭଲ ବହିଟିଏର ଅଭାବ ଥିଲା । ସୁବୀର ଘୋଷଙ୍କର ଏ ବହି ସେ ଅଭାବକୁ ବହୁ ପରିମାଣରେ ପୁରଣ କରିଛି ।

            ସୁବିର ଘୋଷ ପୂର୍ବ ଭାରତରେ ଜଣେ ଲେଖକ, ଲୋକ ସଂପର୍କ ବିଷାରଦ ଏବଂ ଗଣମାଧ୍ୟମ ଶିକ୍ଷକ ଭାବରେ ପରିଚିତ । ଭାରତୀୟ ଜନ ସଂଚାର ସଂସ୍ଥାନ, ଢ଼େଙ୍କାନାଳ ଶାଖା ସହ ପୂର୍ବ ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ସେ ଜଡିତ । ଏ ପୁସ୍ତକଟିକୁ ସେ ଗଣମାଧ୍ୟମର ଛାତ୍ର ଛାତ୍ରୀମାନଙ୍କ ପାଇଁ ଏବଂ ଲୋକ ସଂପର୍କରେ ଯେଉଁମାନେ କର୍ମରତ ସେମାନଙ୍କୁ ଆକ୍ଷିରେ ରଖି ଲେଖିଛନ୍ତି ।

            କିଛି ବର୍ଷ ପୂର୍ବରୁ ପୂର୍ବରୁ ଏ ପୁସ୍ତକଟି ପ୍ରକାଶ ପାଇଥିଲା । ବର୍ତ୍ତମାନ ପୁସ୍ତକରେ ପରିବର୍ତ୍ତିତ ପ୍ରଯୁକ୍ତିଗତ ବିଦ୍ୟାକୁ ସାମିଲ୍‍ କରାଯାଇଛି ।

            ଏ ପୁସ୍ତକରେ କେତୋଟି ଅଧ୍ୟାୟରେ ଲୋକ ସଂପର୍କର ଅବଧାରଣା, ସଂଜ୍ଞା ଆଦି ବିଷୟକୁ ପ୍ରାଞ୍ଜଳ ଭାବେ ଆଲୋଚନା କରାଯାଇଛି । ଲୋକ ସଂପର୍କର ଇତିହାସ, ଏହା କିଭଳି ଭାବରେ ପ୍ରାଚୀନ ଯୁଗରୁ ବର୍ତ୍ତମାନ ଯୁଗ ପର୍ଯ୍ୟନ୍ତ କ୍ରମଶଃ ବଢ଼ିଛି, ପରିବର୍ତ୍ତିତ ହେଇଛି ସେ ସଂପର୍କରେ ଗୋଟେ ଚାପ୍ଟର ରହିଛି । ଲୋକ ସଂପର୍କର ଗୋଟେ ବଡ କାମ ହେଲା ଗଣମାଧ୍ୟମ, ବିଶେଷ କରି ଖବରବାହୀ ଗଣମାଧ୍ୟମ ସହିତ ଯୋଗାଯୋଗ ରଖିବା ।  ସେ ବିଷୟରେ  ସଂପୁର୍ଣ୍ଣ ଗୋଟେ ଅଧ୍ୟାୟ ରହିଛି, ଯେଉଁଥିରେ ପ୍ରେସ୍‍ ରିଲିଜ୍‍ କେମିତି ଲେଖାଯିବାଠୁ ଆରମ୍ଭ କରିକି ଖବରକୁ କେମିତି ବିଶ୍ଳେଷଣ କରାଯିବ, ଭିଡିଓ ନିଉଜ କେମିତି ଦିଆଯିବ ଏ ସବୁ   ବିଷୟରେ ଆଲୋଚନା କରାଯାଇଛି । ଲୋକ ସଂପର୍କର ଆଉ ଗୋଟେ ଦିଗ ହେଉଛି ସଂପୃକ୍ତ ବିଭାଗ ବା ସଂଗଠନ ବା ଅନୁଷ୍ଠାନରେ ଯେଉଁ  କର୍ମଚାରୀମାନେ କାମ କରୁଛନ୍ତି ତାଙ୍କର ଆଭ୍ୟନ୍ତରୀଣ ସଂପର୍କ । ସେ ବିଷୟରେ ଗୋଟେ ଅଧ୍ୟାୟ ରହିଛି । କର୍ପୋରେଟ ସୋସିଆଲ ରେସପନସବିଲିଟି ବା କର୍ପୋରେଟ ସାମାଜିକ ଦାୟିତ୍ୱବୋଧ, କ୍ରାଇସିସ୍‍ ମ୍ୟାନେଜମେଣ୍ଟ ବା ବିପତ୍ତି ପରିଚାଳନା ଏ ସଂପର୍କରେ ମଧ୍ୟ ଅଧ୍ୟାୟମାନ ରହିଛି । ଏହା ସହିତ ଆଧୁନିକ ଯୋଗାଯୋଗ ପ୍ରଯୁକ୍ତି କିଭଳି ଭାବରେ ବ୍ୟବହାର କରାଯାଇପାରିବ  ସେ ବିଷୟରେ ମଧ୍ୟ ଦୁଇ ତିନୋଟି ଅଧ୍ୟାୟ  ରହିଛି । ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମକୁ କିଭଳି ଭାବେ  ଜନ ସଂପର୍କ କ୍ଷେତ୍ରରେ ବ୍ୟବହର କରାଯାଇପାରିବ- ସେ ବିଷୟରେ ଗୋଟେ ଅଧ୍ୟାୟ ରହିଛି ।  ସୋସିଆଲ ମାର୍କେଟିଂ  ବିଷୟରେ ଏକ ଚାପ୍ଟର ରହିଛି । ଜନ ସଂପର୍କରେ ଆଉ କଣ ଆୟୁଧ କେମିତି ଭାବେ ବ୍ୟବହାର କରାଯାଇ ପାରିବ ସେ କଥା ମଧ୍ୟ ଆଲୋଚନା କରାଯାଇଛି ।

            ମୋଟାମୋଟି ଭାବେ କହିଲେ ଲୋକେ ସଂପର୍କ ଏବଂ କର୍ପୋରେଟ କମ୍ୟୁନିକେସନ୍‍ର ସବୁଗୁଡିକ ବିଭବ ଏବଂ କ୍ଷେତ୍ର ସଂପର୍କରେ ଲେଖକ ବିଶଦ ଭାବରେ ଆଲୋଚନା କରିଛନ୍ତି । ଏ ବହିଟିର ଗୋଟେ ବଡ ସଂପଦ ହେଉଛି ଏହାର ଲିଖନ ଶୈଳୀ ।  ବହିଟି ଅତ୍ୟନ୍ତ ସରଳ ଭାବରେ ଲେଖାଯାଇଛି ।  ଜନ ସଂପର୍କ କ୍ଷେତ୍ରରେ ଯେଉଁମାନେ ଆଗ୍ରହୀ ଏବଂ ଯେଉଁମାନେ ଏଥିରେ ସାମିଲ୍‍ ଏ ସମସ୍ତଙ୍କ ପାଇଁ ଏ ପୁସ୍ତକଟି ଅବଶ୍ୟ ପାଠ୍ୟ ।

++  

No comments:

Post a Comment