Wednesday, 12 April 2023

BAHI KATHA. Fortnightly column on books. 5.4.23

 

ବହି କଥା । ଡ. ମୃଣାଳ ଚାଟାର୍ଜୀ | 5.4.23

ବ୍ୟବହାରିକ ଆଧ୍ୟାତ୍ମିକତା


ବହି: ରେ ମନ ଘରକୁ ଚାଲ

ମୂଳ ବଙ୍ଗଳା: ଶ୍ରୀମଦ୍‍ ସ୍ୱାମୀ ଶୁଦ୍ଧାନନ୍ଦ ବ୍ରହ୍ମଚାରୀ

ଓଡିଆ ଅନୁବାଦ   : ଜ୍ୟୋତିର୍ମୟୀ ମିଶ୍ର

ପ୍ରକାଶକ: ବୁକସ୍‍ ହବ୍‍, ବରମୁଣ୍ଡା, ଭୂବନେଶ୍ୱର

ମୂଲ୍ୟ: ୧୫୦ ଟଙ୍କା । ପ୍ରଥମ ପ୍ରକାଶନ: ୨୦୧୭

ଶ୍ରୀମତୀ ଜ୍ୟୋତିର୍ମୟୀ ମିଶ୍ର ଓଡିଶାର ସ୍ୱାସ୍ଥ୍ୟ ବିଭାଗରେ ପ୍ରଶାସକ ଭାବରେ କାର୍ଯ୍ୟ କରିଥିଲେ । ପରବର୍ତ୍ତି ସମୟରେ ଦୀର୍ଘ ୨୮ ବର୍ଷଧରି କୋଲକାତାର ଅଶୋକ ହଲରେ +୨ ଶ୍ରେଣୀରେ  ଅର୍ଥନୀତି ପଢ଼ଉଥିଲେ । ସିଏ ତାଙ୍କ ଜୀବନରେ ଆଧ୍ୟାତ୍ମବାଦୀ ଥିଲେ । ପ୍ରେମଯୋଗ ପ୍ରତି ତାଙ୍କର ଦୁର୍ବଳତା ଥିଲା । ଶ୍ରୀରାମକୃଷ୍ଣଙ୍କୁ ଗୁରୁ ମାନନ୍ତି । 

            ସ୍ୱାମୀ ଶୁଦ୍ଧାନନ୍ଦ ବ୍ରହ୍ମଚାରୀଙ୍କର ଏ ବହିଟି ମୂଳତଃ ବଙ୍ଗଳା ଭାଷାରେ ଲେଖା । ‘ମନ ଚଲୋ ନିଜ ନିକେତନେ। ଏହାକୁ ପାଠ କଲା ପରେ ତାଙ୍କ ମନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା ଏବଂ ସେ ଏ ବହିଟିକୁ ଓଡିଆରେ ଅନୁବାଦ କରିଥିଲେ ।               ଓଡିଆ ଭାଷାରେ ଅଧ୍ୟାତ୍ମିକ ସାହିତ୍ୟ  ଭଣ୍ଡାର ବେଶ୍‍ ସମୃଦ୍ଧ । ଏ ବହିଟି ସେ ସମୃଦ୍ଧ ଭଣ୍ଡାରରେ ଏକ ମୂଲ୍ୟବାନ


ସଂଯୋଜନା ।                                     ସ୍ୱାମୀ ଶୁଦ୍ଧାନନ୍ଦ ବ୍ରହ୍ମଚାରୀ ଧର୍ମଠୁ ଆଧ୍ୟାତ୍ମିକତା ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି । ତାଙ୍କ ଲେଖା ସବୁ ବହିରେ ଏହି ଦିଗଟି ସ୍ପଷ୍ଟ ଭାବେ ବାରି ହୁଏ । ‘ମନ ଚଲୋ ନିଜ ନିକେତନେ’ ବହିଟିର ଗୋଟେ ବଡ କଥା ହେଉଛି ଏହାର  ବ୍ୟବହାରିକ ଦିଗ । ଏଥିରେ ମାସର ୩୦ଦିନ ପାଇଁ ୩୦ଟି ପରିଛେଦ ରହିଛି । ଆଉ ପ୍ରତ୍ୟେକ ପରିଛେଦ ଶେଷରେ ସେଦିନ କ’ଣ ଅଭ୍ୟାସ କରିବାପାଇଁ ପଡିବ ତାହା ମଧ୍ୟ କୁହାଯାଇଛି । କେମିତି ଭାବରେ ନିଜକୁ ନକାରାତ୍ମକ ଭାବରୁ ବଞ୍ଚେଇବେ ଏବଂ ମନକୁ ଆଧ୍ୟାତ୍ମିକତା  ଆଡକୁ ନେବେ ସେ ବିଷୟରେ ବ୍ୟବହାରିକ ପରାମର୍ଶ ଦିଆଯାଇଛି ।

            ଶ୍ରୀମଦ୍‍ ସ୍ୱାମୀ ଶୁଦ୍ଧାନନ୍ଦ କହିଛନ୍ତି ଯେ ଗୋଟିଏ ମାସର ପଠନ ଏବଂ ଦୈନଦିନ ଅଭ୍ୟାସ ପାଠକର ମନରେ ଅନେକ ପରିବର୍ତ୍ତନ ଆସିବ । ସେତେବେଳେ ସାଧନ ଭଜନ ସହିତ ମନରେ ସକାରାତ୍ମକ ଶକ୍ତି ମଧ୍ୟ ଆସିବ । ଯାହା ଫଳରେ ବାହ୍ୟ ପରିସ୍ଥିତି ସହିତ ଜଣେ ଅଧିକ ଖାପ ଖୁଆଇ ଚାଲି ପାରିବ । ସେ କହନ୍ତ ିଯେ ଅଧିକାଂଶ ଶାରିରୀକ ରୋଗ ବ୍ୟାଧି ପ୍ରକୃତରେ ମନରୁ ସୃଷ୍ଟି । ଏହାକୁ ଡାକ୍ତରମାନେ କହନ୍ତି - ସାଇକୋସୋମାଟିକ୍‍ ଡିଜିଜ୍‍ ।

            ମନର  ନକାରତ୍ମକ ଚିନ୍ତା ଏବଂ ଦୁଃଖର ସ୍ମୃତିକୁ ଜାବୁଡି ଧରିବାର ପ୍ରବଣତାରୁ ଅନେକ ରୋଗବ୍ୟାଧି ମଣିଷକୁ ଆକ୍ରାନ୍ତ କରେ । ତେଣୁ ଦେହକୁ ସୁସ୍ଥ ରଖିବା ସହିତ ମନକୁ ସୁସ୍ଥ ରଖିବାର  ଆବଶ୍ୟତା ମଧ୍ୟ ରହିଛି । ଏ ପୁସ୍ତକଟି ତେଣୁ ଉଭୟ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ଏବଂ ନିଜକୁ ଆଧ୍ୟାତ୍ମିକା ଆଡ଼କୁ ଆଗେଇ ନେବା ଦିଗରେ ଏକ ଦିଗବରେଣୀ ହୋଇପାରେ ।

            ସ୍ୱାମୀ ଶୁଦ୍ଧାନନ୍ଦଙ୍କ ବିଷୟରେ ଯେଉଁମାନେ ଜାଣି ନାହାନ୍ତି ସେମାନଙ୍କ ପାଇଁ ତାଙ୍କ ବିଷୟରେ ଦିପଦ କହିଦେବା ଉଚିତ୍‍ ହେବ । ୧୯୪୯ ମସିହା ମେ ୧୦ ତାରିଖରେ କଲିକତାର ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ । ଆନ୍ଧ୍ରପ୍ରଦେଶର ବିଜୟୱାଡା କଲେଜରେ ଅଧ୍ୟୟନରତ ଅବସ୍ଥାରେ ସେ ଭଜନ ବ୍ରହ୍ମଚାରୀଙ୍କ ସାନିଧ୍ୟ ଲାଭ କରନ୍ତି । ୧୯୭୨ ମସିହାରେ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି । ହାଇଦ୍ରାବାଦର ଗୋଟେ କଲେଜରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଭାବେ ମଧ୍ୟ ନିଯୁକ୍ତ ହୁଅନ୍ତି । ଏହି ସମୟରେ  ସେ ଦୀକ୍ଷା ଗ୍ରହଣ କରନ୍ତି ଏବଂ ୧୯୭୬ ମସିହାର ଗୁରୁପୂର୍ଣ୍ଣିମା ଦିନ ସେ ଗୃହତ୍ୟାଗ କରି ବ୍ରହ୍ମଚାର୍ଯ୍ୟ ଆଶ୍ରମ ଗ୍ରହଣ କରନ୍ତି । ତାପରେ ଆଧ୍ୟାତ୍ମିକତା କ୍ଷେତ୍ରରେ  ତାଙ୍କର ବ୍ୟୁତ୍ପତ୍ତି ବଢ଼େ । ୧୯୯୩ ମସିହାରେ ଆମେରିକାର ସିକାଗୋରେ ୱାର୍ଲଡ ପାର୍ଲିଆମେଣ୍ଟ ଅଫ ରିଲିଜିଅନରେ ସିଏ ହିନ୍ଦୁଧର୍ମର ଜଣେ ପ୍ରତିନିଧି ଭାବରେ ବକ୍ତୃତା ଦିଅନ୍ତି । ସେହିବର୍ଷ ୱାସିଂଟନ ଡିସିରେ ଅନୁଷ୍ଠିତ ବିଶ୍ୱ ହିନ୍ଦୁଧର୍ମ ସମ୍ମିଳନୀ ଭିଜନ ୨୦୦୦ରେ ମଧ୍ୟ ସିଏ ମୂଳ (କି-ନୋଟ୍‍) ବକ୍ତୃତା ଦିଅନ୍ତି । ଏହାଛଡ଼ା ବିଦେଶର ଅନେକ ବିଶ୍ୱବିଦ୍ୟାଳୟ ଓ ଧର୍ମାନୁଷ୍ଠାନରେ  ସେ ଆଧ୍ୟାତ୍ମିକତା ଏବଂ ଜୀବନ ବଞ୍ଚିବାର କଳା ସଂପର୍କରେ ବକ୍ତୃତା ଦେଇଛନ୍ତି । ଏ ବିଷୟରେ ସେ ଅନେକଗୁଡ଼ିଏ ବହି ମଧ୍ୟ ଲେଖିଛନ୍ତି । ୨୦୧୩ରେ ତାଙ୍କର ଏକ ବହି ‘କ୍ଲିନିଂ ଦି ମିରର୍‍ ଅଫ୍‍ ମାଇଣ୍ଡ: କ୍ଲଟର ଫ୍ରି ହୋମ୍‍, କ୍ଲଟର୍‍ ଫ୍ରି ମାଇଣ୍ଡ୍‍’ ପ୍ରକାଶିତ ହୋଇଛି ।

            ‘ରେ ମନ ଘରକୁ ଚାଲ’ ବହିଟିରେ ଧାର୍ମିକ ଜ୍ଞାନଠୁଁ ଆଧ୍ୟାତ୍ମିକତାର ଆଧାରରେ ଜୀବନ ବଂଚିବାର କଳା ବିଷୟରେ ବ୍ୟବହାରିକ ଜ୍ଞାନ ଅଧିକ ରହିଛି । ଜ୍ୟୋତିର୍ମୟୀ ମିଶ୍ରଙ୍କ ଅନୁବାଦ ବେଶ ସରଳ ଓ ସାବଲୀଳ ।

++

May read it online here:

https://www.odishasahitya.com/bahikatha-60/?fbclid=IwAR0fVJ7BjeEGNPbDTaPHrj-bhzk5DdNF6jElcpcN3XnbJ7GdMoqgla9ZwZU

No comments:

Post a Comment