ଏକ ଉପଭୋଗ୍ୟ ବ୍ୟଙ୍ଗ କବିତା ସଙ୍କଳନ
ବହି: ବାଜିଗଲେ ଦୋଷ ନାହିଁ (ବ୍ୟଙ୍ଗ କବିତା ସଂକଳନ)
କବି: ଶ୍ରୀଯୁକ୍ତ ସତ୍ୟାନାଶ
ପ୍ରକାଶକ: ଦକ୍ଷ ବୁକସ୍, ଭୁବନେଶ୍ୱର । ମୂଲ୍ୟ: ୧୨୦ ଟଙ୍କା
ଜଣେ ବ୍ୟଙ୍ଗକାର ଭାବରେ ଶ୍ରୀଯୁକ୍ତ ସତ୍ୟାନାଶ ସାରା ଓଡିଶାରେ ବେଶ୍ ପରିଚିତ ଓ ଜନପ୍ରିୟ । ବିଭିନ୍ନ ପ୍ରତ୍ରପତ୍ରିକାରେ ସେ ଲେଖନ୍ତି । ବ୍ୟଙ୍ଗ ପତ୍ର ପତ୍ରିକା ସଂପାଦନା କରନ୍ତି । ତା ସହିତ ଟେଲିଭିଜନ ପରଦାରେ ଏବଂ ବିଭିନ୍ନ ମଞ୍ଚରେ ବ୍ୟଙ୍ଗ କବିତା ପରିବେଷଣ କରିବାରେ ମଧ୍ୟ ସେ ବେଶ୍ ଦକ୍ଷ । ବ୍ୟଙ୍ଗ କବିତା ସମ୍ମିଳନୀ ଆୟୋଜନରେ ମଧ୍ୟ ସେ ବେଶ୍ ସକ୍ରିୟ ଅଛନ୍ତି ।
ସାମ୍ପ୍ରତିକ ଘଟଣା ଓ ଚରିତ୍ରମାନଙ୍କୁ ନେଇ ବ୍ୟଙ୍ଗ ଅଧିକ ସୃଷ୍ଟି ହୁଏ । ତାର ସରଳ କାରଣଟି ହେଲା- ଘଟଣାର ପ୍ରେକ୍ଷାପଟଟି ପାଠକ/ଦର୍ଶକ ଜାଣିଥାନ୍ତି । ତେଣୁ ରସ ଉପଭୋଗ କରିବାରେ ସୁବିଧା ହୁଏ ।
‘ବାଜିଗଲେ ଦୋଷ ନାହିଁ’ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଆଧାର କରି ରଚିତ ବ୍ୟଙ୍ଗ କବିତାର ସଙ୍କଳନ । ବିଭିନ୍ନ ସମୟରେ ଘଟିଥିବା ଚର୍ଚ୍ଚିତ ଖବରକୁ ନେଇ ବ୍ୟଙ୍ଗ କବିତା ରଚନା କରାଯାଇଛି । ଏ କବିତା ଗୁଡିକରୁ ଅଧିକାଂଶ ସେ ଟେଲିଭିଜନ ପରଦାରେ ପରିବେଷଣ କରିଛନ୍ତି ।
ବସ୍ତୁତଃ ସଙ୍କଳନର ଶୀର୍ଷକ ‘ବାଜିଗଲେ ଦୋଷ ନାହିଁ’ ଥିଲା କନକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମର ଶୀର୍ଷକ । ବହିର ମୁଖବନ୍ଧରେ କବି ଏ ବିଷୟରେ ଲେଖିଛନ୍ତି । ବନ୍ଧୁ ଶିଶିରଭଟ୍ଟ ମିଶ୍ର ସେ ସମୟରେ କନକ ଟିଭିରେ କାର୍ଯ୍ୟକ୍ରମର ପ୍ରଯୋଜକ ଥିଲେ । ୨୦୧୪ ନିର୍ବାଚନର କିଛି ଦିନ ପୂର୍ବରୁ ସେ ଏ କାର୍ଯ୍ୟକ୍ରମର ଯୋଜନା କରିଥିଲେ । ପରବର୍ତ୍ତି ସମୟରେ ବ୍ୟଙ୍ଗକାର ଡ଼. କୁଳାଙ୍ଗାରଙ୍କର ସଂଯୋଜନାରେ ନକ୍ଷତ୍ର ନ୍ୟୁଜର ‘ହାସ୍ୟବ୍ୟଙ୍ଗ କବି ସମ୍ମିଳନୀ’ରେ ମଧ୍ୟ ଏଥିରେ ସଂକଳିତ କବିତାରୁ ଅନେକ ଗୁଡିଏ ପରିବେଷିତ ହୋଇଥିଲା ।
ଟେଲିଭିଜନରେ ବା ମଞ୍ଚରେ ଯେଉଁ କବିତା ପରିବେଷିତ ହୁଏ ତାର ରସାସ୍ୱଦାନରେ କବିତାର ସାହିତ୍ୟିକ ମାନ ସହିତ ପ୍ରଦର୍ଶନ କଳାର ମଧ୍ୟ ଏକ ବଡ ଭୂମିକା ଥାଏ । ତେଣୁ ନିରୁତା ସାହିତ୍ୟିକ ମୂଲ୍ୟ ଦୃଷ୍ଟିରୁ କବିତାକୁ ଉପଭୋଗ କରିବାର ଉପାୟ ହେଉଛି କବିତାଟିକୁ ମୁଦ୍ରିତ ଆକାରରେ ପଢ଼ିବା । ସେ ଦୃଷ୍ଟିରୁ ଏ ସଙ୍କଳନର ଏକ ଭିନ୍ନ ମାନ୍ୟତା ରହିଛି ।
ବ୍ୟଙ୍ଗରେ ହାସ୍ୟ ସହିତ ଥଟ୍ଟାର ଗୋଟେ ବଡ ଭୂମିକା ଥାଏ । ଥଟ୍ଟା ନଥିଲେ ବ୍ୟଙ୍ଗ ହେବ ନାହିଁ । ଥଟ୍ଟା ପୁଣି ବିଭିନ୍ନ ଧରଣର ହୋଇପାରେ । କାହାର ଚାରିତ୍ରିକ ତୃଟିକୁ ନେଇ ହେଇପାରେ, ସମାଜର ବ୍ୟବସ୍ଥାର ତୃଟିକୁ ନେଇ ହେଇପାରେ, ମାନବିକ ଦୋଷତୃଟିକୁ ନେଇ ହେଇପାରେ, ଘଟଣାକୁ ନେଇ ହେଇପାରେ । ବିଭିନ୍ନ ଭାବରେ ଏ ଥଟ୍ଟାକୁ କବିତା ଆକାରରେ ପରିବେଷଣ କରାଯାଇପାରେ ।
ଶ୍ରୀଯୁକ୍ତ ସତ୍ୟାନାଶଙ୍କର ଗୋଟେ ବଡ ଗୁଣ ହେଉଛି ସେ ପଦ ପକେଇକି କବିତା ଲେଖିବାରେ ଯେତେ ଧୂରନ୍ଧର, ଓଡିଆ ଛାନ୍ଦ ଓ ଗୀତି କବିତାରେ ମଧ୍ୟ ସେତିକି ପ୍ରବୀଣ । ଚମତ୍କାର ଲାଳିକା (ପ୍ୟାରୋଡି) ଲେଖନ୍ତି ସେ ।
ଏ ସଂକଳନରେ ୪୬ଟି କବିତା ରହିଛି । ସେଥିରେ ବିଭିନ୍ନ ଧରଣର ଏବଂ ଶୈଳୀର କବିତା ଅଛି । କେତେଗୁଡିଏ ଉଦାହରଣ ଦେବା ଉଚିତ୍ ହେବ । ପ୍ରଥମ କବିତାଟିର ଶୀର୍ଷକ ହେଉଛି ‘ବ୍ରହ୍ମ’ । ୨୦୧୫ରେ ଶ୍ରୀ ଜଗନ୍ନାଥଙ୍କର ନବକଳେବର ହୋଇଥିଲା । ସେତେବେଳେ ଦିନବେଳେ ବିଗ୍ରହଙ୍କର ଘଟ ପରିବର୍ତ୍ତନ ଏବଂ ସମସ୍ତ ଦଇତାପତିଙ୍କ ଦ୍ୱାରା ବ୍ରହ୍ମ ଦର୍ଶନ ବିଭ୍ରାଟ ସଂପର୍କରେ ଖବର ବଡ ଚର୍ଚ୍ଚାରେ ଆସିଥିଲା । ସେ ଖବରକୁ ଆଧାରକରି କବିତାଟି ଲେଖା ଯାଇଛି ।
ପ୍ରଥମ କେତୋଟି ଧାଡି ହେଲା:
ଅଣସର ଘରେ ଥାଇ ବଳଭଦ୍ର ପଚାରିଲେ ଆରେ ଜଗନ୍ନାଥ,
କହିଲୁ କହିଲୁ ବ୍ରହ୍ମମାନେ କେମନ୍ତ ପଦାର୍ଥ?
କିପରି ଦିଶନ୍ତି?
କଠିନ, ତରଳ ଅବା ଗ୍ୟାସୀୟ ଅଟନ୍ତି?
ଜାଣିଥିଲେ କହ ବେଗେ, ମନରୁ ମୋ ଦୂର ହେଉ ଭ୍ରାନ୍ତି ।
ଏହାପରେ ବ୍ରହ୍ମକୁ ନେଇ ଜଗନ୍ନାଥ ଏବଂ ବଳଭଦ୍ରଙ୍କ ଭିତରେ ନାନା ପ୍ରକାର କଥୋପକଥନ ରହିଛି । ଶେଷ ଧାଡି କେତୋଟି ହେଉଛି –
ଜଗନ୍ନାଥ କହିଲେ ହେ ଭାଇ, ବିଲକୁଲ ଚିନ୍ତା କରନାହିଁ
ଲୋକେ କହୁଛନ୍ତି ବ୍ରହ୍ମ ଏବେ ଫଟୋ ହୋଇ ବୁଲୁଛନ୍ତି
ଫେସବୁକ୍ ହ୍ୱାଟସ ଆପରେ
ବ୍ରହ୍ମ ଖୋଜିବା ପାଇଁକି ଭିଜିଲାନସ ଇନକ୍ୱାରୀ କରୁଛନ୍ତି
ପ୍ରଶାସକ ମହାପାତ୍ର ସାରେ ।
ସେମିତି ବ୍ୟାଘ୍ର ଗଣନାକୁ ନେଇ ଗୋଟେ କବିତା ଅଛି । ଓଡିଶାରେ ବାଘ ସଂଖ୍ୟା କମିଥିବାରୁ କେନ୍ଦ୍ର ପର୍ଯ୍ୟାବରଣ ବିଭାଗ ଉଦ୍ବେଗ ପ୍ରକାଶ କରିଥିଲେ । ସେ ଖବରକୁ ଆଧାରକରି ଲେଖା ହୋଇଛି ଏହି କବିତାଟି । ପ୍ରଥମ କେତୋଟି ଧାଡିି ହେଲା:
ସକାଳୁ ସକାଳୁ ଫରେଷ୍ଟର ପାଖେ ପହଞ୍ôଚ ଫରେଷ୍ଟ ଗାର୍ଡ
କହିଲା ସାରେ ପେପରରେ କ’ଣ ବାହାରିଛି ଆଜି ପଢ଼
ଖବର ଯାଇଛି ଜମି
ଭାରତରେ ବାଘ ବଢ଼ିଛନ୍ତି ସିନା, ଓଡିଶାରେ ଗଲେ କମି ।
ତା’ପରେ ବାଘ ଗଣନାରେ କ’ଣ କ’ଣ ହେଇଛି ସେ ବିଷୟରେ ବର୍ଣ୍ଣନା ରହିଛି କବିତାଟିରେ । ସେ ବ୍ୟବସ୍ଥାକୁ ବଡ କଠୋର ଭାବରେ ବ୍ୟଙ୍ଗ କରିଛନ୍ତି ।
ସେମିତି ଗୋଟେ କବିତା ‘ବେଟି ବଚାଓ ବନାମ ସ୍ୱଛ ଭାରତ’ । ଏ କବିିତାରେ କନ୍ୟା ଭୃଣ ହତ୍ୟା ଉପରେ ବଡ କଠୋର ଭାବରେ ବ୍ୟଙ୍ଗ କରାଯାଇଛି । ବ୍ୟଙ୍ଗ ସହିତ ଏଥିରେ ଟିକିଏ ବେଦନା ମଧ୍ୟ ରହିଛି । ଶେଷ କେତୋଟି ଧାଡି ଶୁଣନ୍ତୁ କବିତାର ।
ଗୁଣ୍ଡୁଚି ସ୍ୱାଇଁକୁ କହିଲେ ବାବୁ ପେଟକୁ ଦେଖିଲେ ହେଉଛି ଜାଣି
ତମ ୱାଇଫର ଗର୍ଭରେ ଅଛନ୍ତି ପୁତ୍ର ମଣି ।
ନାହିଁତ ଝିଅ ।
କେଉଁ ବେଟିକୁ ବଞ୍ଚେଇବ ଆଉ ଉତ୍ତର ଦିଅ ।
ତେଣୁ ପତ୍ନୀଙ୍କ ଗର୍ଭକୁ ସଫାକରିଦେଇ
ସ୍ୱଛ ଭାରତ ଅଭିଯାନରେ ସାମିଲ୍ ହୁଅ ।
ଏମିତି ଅନେକ କବିତା ଅଛି ଯେଉଁଥିରେ ସମସାମୟିକ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ବ୍ୟଙ୍ଗ କରାଯାଇଛି ।
ଛାନ୍ଦ ପୁରୁଣା ଶୈଳୀର ଓଡିଶୀ ଗୀତର ଅନୁକରଣରେ ବେଶ୍ କିଛି କବିତା ଅଛି । ସେମିତି ଗୋଟେ କବିତା ହେଉଛି – ମୋଦୀ ପ୍ରେମ ବଡ ଥଣ୍ଡା । ଏ କବିତାଟି ଶ୍ୟାମ ପ୍ରେମ ବଡ ଥଣ୍ଡାରେ ମନ, ଏଇ ବୃତ୍ତରେ । ଏ କବିତାର ପ୍ରେକ୍ଷାପଟଟି ହେଲା ଯେ ସବୁଥର ବହୁ ସଂଖ୍ୟକ ବିଜେଡି ଏମ.ପି. ଜିତିଲା ପରେ ବି ସେମାନେ ନା ୟୁପିଏ ସରକାରରେ ନା ଏନଡିଏ ସରକାରରେ ସାମିଲ୍ ହେଇଥିଲେ । ବିଜେଡି ଏମ.ପି. ବୈଜୟନ୍ତ ପଣ୍ଡା ଏନଡିଏର ନିକଟବର୍ତ୍ତୀ ହେବା ମିଡିଆରେ ଚର୍ଚ୍ଚା ହେବାପରେ ସେହି ଖବର ଆଧାରରେ ଏହି କବିତାଟି ଲେଖା ହୋଇଥିଲା । ପ୍ରଥମ କେତୋଟି ଧାଡି ହେଲା –
ମୋଦୀ ପ୍ରେମ ବଡ ଥଣ୍ଡା ହେ ନବୀନ
ମୋଦୀ ପ୍ରେମ ବଡ ଥଣ୍ଡା
ଚାଟିବାକୁ ଭାରି ଇଛା ଡାକିଲାଣି
କହେ ଢ଼ୋ ଟିଭି ପଣ୍ଡା ହେ ନବୀନ,
ମୋଦୀପ୍ରେମ ବଡ ଥଣ୍ଡା ।
ଏମିତି ଅନେକ ଗୁଡିଏ କବିତା ତତ୍କାଳୀନ ରାଜନୈତିକ ପରିସ୍ଥିତିକୁ ନେଇ ଲେଖା ଯାଇଛି । ସାଂପ୍ରତିକ ସାମାଜିକ ବିଷୟକୁ ନେଇ ମଧ୍ୟ ବେଶ୍ କିଛି କବିତା ଲେଖା ଯାଇଛି । ସେମିତି ଗୋଟେ କବିତା ହେଉଛି ଚେନ୍ ଲୁଟେରା । ପ୍ରେକ୍ଷାପଟ ହେଲା: ସେ ସମୟରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଭିତରୁ ସୁନାଚେନ୍ ଲୁଟ୍ ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ।
ପୁଅ କହିଲା ଜାଣିଛ ଡାଡି ହମାରା ବାଜାଜ ହମାରା ଗୌରବ
ପଲସର ହେଇଛି ଗାଡି
ସୁନ୍ଦର କଳାରଙ୍ଗ ବୋଳି ବଜାରେ ଦେଇଛି ଛାଡି
୨୦୦ ସିସି ଗାଡି
ଷ୍ଟାର୍ଟ ମାରୁ ମାରୁ ଶହେ ସ୍ପିଡ୍ରେ ଆଗକୁ ଯାଉଛି ମାଡି
ମୁଁ କହିଲି ହଁରେ ପୁଅ ସେହି ବାଇକ୍ରେ ଚଢ଼ି
ଆମରି ବେକରୁ ଆମ ଚୋରପିଲା ଚେନ୍ ନିଅନ୍ତି ଭିଡି ।
ଶେଷ କେତୋଟି ଧାଡି
କହିଲ କହିଲ ଲିଙ୍ଗରାଜ କଣ ଷଣ୍ଢ ଉପରେ ଚଢ଼ିକି
ମହିଳା ଭକ୍ତଙ୍କ ସୁନା ଚେନକୁ ନେଇ ଯାଉଛନ୍ତି ଭିଡିକି ।
ଏମିତି ବେଶ୍ କିଛି କବିତା ଉପଭୋଗ କରିବା ପାଇଁ ଏ ସଙ୍କଳନଟିକୁ ପଢ଼ିପାରନ୍ତି ।
++
No comments:
Post a Comment