ସ୍ମୃତିର ଭାଷା
ବହି: ଇନ ଦି ଲାଙ୍ଗୁଏଜ ଅଫ ରିମେମ୍ବରିଂ: ଦ ଇନହେରିଟାନସ ଅଫ ପାର୍ଟିସନ
ଲେଖିକା: ଆଞ୍ଚଲ ମାଲହୋତ୍ରା
ପ୍ରକାଶକ: ହାରପର କଲିନସ, ମୂଲ୍ୟ: ୭୯୯ ଟଙ୍କା
ଆଞ୍ଚଲ ମାଲହୋତ୍ରା ଏହା ପୂର୍ବରୁ ବି ଦେଶ ବିଭାଜନର ପ୍ରେକ୍ଷାପଟରେ ଗୋଟେ ବହି ଲେଖିଛନ୍ତି: ରେମନାଣ୍ଟସ ଅଫ ଏ ସେପାରେସନ । ଏ ପୁସ୍ତକରେ ଆଞ୍ଚଲ ମାଲହୋତ୍ରା ଶରଣାର୍ଥୀମାନେ ସୀମା ସେପଟୁ ନିଜ ସହିତ ଧରି ଆସିଥିବା ବିଭିନ୍ନ ବସ୍ତୁ ମାଧ୍ୟମରେ ବିଭାଜନର କଥା ଏବଂ ଦେଶ ଭାଗରେ ଦେଶାନ୍ତରିତ ହୋଇଥିବା ଲୋକ ମାନଙ୍କ କଥା କହିଛନ୍ତି । ଏ ବସ୍ତୁ ଗୁଡିକ ମଧ୍ୟରେ ରହିଛି ବାସନପତ୍ର, ଲୁଗାପଟା, ବହି, ଡାଏରି, ସାର୍ଟିଫିକେଟ୍, ଗହଣା ପତ୍ର । ଏ ବସ୍ତୁ ଭିତରେ ରହିଛି ଭାଷା, ଜୀବନଶୈଳୀ ଆଉ ସ୍ମୃତି । ଦେଶ ବିଭାଜନ ବେଳେ ଭାରତକୁ ଚାଲି ଆସିଥିବା ଅନେକ ଲୋକଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କ କଥା ଆଧାରରେ ଏ ବହି ଲେଖ୍ା ଯାଇଛି । ଏ ବହିରେ ଥିଲା ହିଂସାର କଥା ଆଉ ସେ ହିଂସାକୁ ଦେଖିଥିବା, ଭୋଗିଥିବା ଲୋକଙ୍କ କଥା । ସେମାନଙ୍କ ମାନସିକ ଅବସ୍ଥାର କଥା ଥିଲା ଆଉ ତା ସହିତ ସାହସର କଥାବି ଥିଲା, ହିଂସାର କଥା ଥିଲା, ଭାଇଚାରାର କଥାବି ଥିଲା, ପଶୁତ୍ୱର କଥା ଥିଲା, ମାନବିକତାର କଥାବି ଥିଲା ।
‘ଇନ ଦି ଲାଙ୍ଗୁଏଜ ଅଫ ରିମେମ୍ବରିଂ: ଦ ଇନହେରିଟାନସ ଅଫ ପାର୍ଟିସନ’ ବହିଟି ତାଙ୍କର ପୂର୍ବ ବହିର ପରବର୍ତ୍ତୀ ଅଂଶ ଭଳି ଲାଗେ । ଏ ବହିରେ ଆଞ୍ଚଲ ମାଲହୋତ୍ରା ଯେଉଁମାନେ ଦେଶ ବିଭାଜନ ବେଳେ ଭାରତକୁ ଆସିଥିଲେ ତାଙ୍କର ଦ୍ୱିତୀୟ ପିଢ଼ି, ତୃତୀୟ ପିଢ଼ି ଏପରିକି ଚତୁର୍ଥ ପିଢ଼ିର ଲୋକମାନଙ୍କ ସହିତ କଥାବାର୍ତ୍ତା କରି ତାଙ୍କ ମନରେ ଦେଶ ବିଭାଜନର କି ଛାପ ରହିଛି ସେ ବିଷୟରେ ଲେଖିଛନ୍ତି । ୧୯୪୭ରେ – ଆଜକୁ ୭୫ବର୍ଷ ତଳେ ଯାହା ଘଟି ଯାଇଛି ତାହା ଆଜି ତାରିଖରେ ଆଉ ପ୍ରାସଙ୍ଗିକ କି? ଏ ପ୍ରଶ୍ନଟି ବାରମ୍ବାର ଏ ବହିରେ ପଚରା ଯାଇଛି । ଆଉ ଯଦି ପ୍ରାସଙ୍ଗିକ, କେତେଦୂର ପ୍ରାସଙ୍ଗିକ?
ଆଞ୍ଚଲ ମାଲହୋତ୍ରାଙ୍କର ବକ୍ତବ୍ୟ ହେଲା: ଯଦି କେହି ଭାବୁଥାନ୍ତି ଯେ ୭୫ବର୍ଷ ତଳେ ଦେଶର ବିଭାଜନ ରହିଛି ଏବଂ ଏହା ଆମର ବର୍ତ୍ତମାନକୁ ଆଉ ପ୍ରଭାବିତ କରିବ ନାହିଁ, ତେବେ ସେମାନେ ହୁଏତ ଜନଚେତନାକୁ ଠିକ୍ ଭାବରେ ବୁଝି ପାରି ନାହାନ୍ତି । ଦେଶ ବିଭାଜନର ସ୍ମୃତି ଆମର, ବିଶେଷକରି ଯେଉଁମାନଙ୍କର ପରିବାର, ପୁର୍ବପୁରୁଷମାନେ ଦେଶ ବିଭାଜନରେ ଦେଶାନ୍ତରିତ ହେଇଛନ୍ତି- ତାଙ୍କ ଚେତନାରେ କେଉଁଠି ନା କେଉଁଠି ପ୍ରୋଥିତ ହେଇ ରହିଛି । ସେ ଯନ୍ତ୍ରଣା ବି ରହିଛି । ସେ କଷ୍ଟ ବି ରହିଛି । ଆଉ ସେ ସମୟରେ ଯେଉଁ ସାହାଯ୍ୟ ସହାନୂଭୁତି ଯେଉଠୁ ବି ପାଇଥାନ୍ତି ସେକଥା ବି ତାଙ୍କର ଚେତନାରେ କେଉଁଠି ନା କେଉଁଠି ରହିଛି ।
ଏ ପୁସ୍ତକର ଅନ୍ତଃସ୍ୱର ହେଲା: ଯଦି ଆମେ ପରସ୍ପରର ଦୁଃଖ ପରସ୍ପର ପ୍ରତି ହେଇଥିବା ହିଂସାର କାହାଣୀକୁ ସହାନୂଭୁତିର ସହିତ ଶୁଣୁ ତେବେ ହୁଏତ ଜୀବନକୁ ନୂଆଭାବରେ ଜିଇଁବାର ଏକ ରାହା ପାଇଯିବା । ଆମେ କେବଳ ହିଂସାର ଦୃଶ୍ୟକୁ ମନେ ପକେଇବା ନାହିଁ, କେବଳ ସୀମା ସେପଟରୁ ଆସୁଥିବା ଟ୍ରେନ୍ ଭର୍ତ୍ତି ଶବକୁ ଦେଖିବା ନାହିଁ, ବିଭାଜନ-ହିଂସାର ଶିକାର ଲୋକମାନଙ୍କୁ ସାହାଯ୍ୟ କରିଥିବା ଲୋକମାନଙ୍କୁ ମଧ୍ୟ ଦେଖି ପାରିବା ଏବଂ ନୂଆ ଭାବରେ ସଂପର୍କ ସ୍ଥାପନ କରିପାରିବା ।
ଏ ପୁସ୍ତକଟି ଆକାର ବେଶ ଦୀର୍ଘ । ୭୦୦ ପୃଷ୍ଠାରୁ ଅଧିକ । ଏ ଦୀର୍ଘ ପୁସ୍ତକରେ ଅନେକ ଲୋକଙ୍କର ଗଳ୍ପ ରହିଛି । ଆଉ ଏ ଗଳ୍ପ ଗୁଡିକରେ ଅନେକ ସ୍ତର ବିନ୍ୟାସ ମଧ୍ୟ ରହିଛି । ଏଥିରେ ଦୁଃଖ ଶୋକ ସହିତ ଆଶା ଏମିତି ଭାବରେ ମିଶାମିଶି ହେଇ ରହିଛି ଯେ ଗୋଟିକରୁ ଆଉ ଗୋଟିକ ସଂପୁର୍ଣ୍ଣ ଭାବେ ଅଲଗା କରି ଦେଖିବା କଷ୍ଟ ।
ଏ ବହିରେ କେବଳ ପଞ୍ଜାବର କଥା ଲେଖାହେଇନାହିଁ । ଦେଶ ବିଭାଜନ ଦେଶର ପଶ୍ଚିମ ପଟରେ ହୋଇଥିଲା ଏବଂ ପୂର୍ବ ପଟରେ ବି ହୋଇଥିଲା । ପଞ୍ଜାବ ଦି ଭାଗ ହେଇଥିଲା ଏପଟେ ବଙ୍ଗଳା ବି ଦି ଭାଗ ହେଇଥିଲା । ବଙ୍ଗଳାର ବିଭାଜନରେ ବେଶୀ ପୀଡ଼ା ଦାୟକ କାରଣ ବଙ୍ଗଳା ଇତିହାସରେ ତିନିଥର ଦି ଭାଗ ହେଇଛି । ଥରେ ୧୯୦୫ରେ, ଥରେ ୧୯୪୭ରେ ପୁଣି ୧୯୭୧ରେ । ୧୯୭୧ରେ ବାଂଲାଦେଶ ସୃଷ୍ଟି ହେଲା । ସେତେବେଳେ ବି ଅନେକ ଲୋକ ଭାରତ ଭିତରକୁ ଆସିଲେ ।ୁ ଆଞ୍ଚଲ ମାଲହୋତ୍ରା ପଞ୍ଜାବ ଏବଂ ବାଂଲାଦେଶ ଛଡା ଦକ୍ଷିଣ ଏସିଆର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯେଉଁମାନେ ଦେଶାନ୍ତରିତ ହେଇଛନ୍ତି ସେମାନଙ୍କ ସହିତ ବି କଥାବାର୍ତ୍ତା କରିଛନ୍ତି । ସେମାନଙ୍କ କଥା ମଧ୍ୟ ବହି ଭିତରକୁ ଆଣିଛନ୍ତି । ଯେମିତି ପଶ୍ଚିମରେ ଆଫଗାନିସ୍ଥାନରୁ ପୂର୍ବରେ ବର୍ମା ପର୍ଯ୍ୟନ୍ତ ପୁଣି କାଶ୍ମୀର, ମାଲାବାର, ଗୁଜୁରାଟ ଏବଂ ଉତ୍ତର ପୂର୍ବ କ୍ଷେତ୍ର ଗୁଡିକ । ଦେଶାନ୍ତରିତ ହେଇଥିବା ଲୋକମାନଙ୍କର ପୁଅ, ନାତି ଅଣନାତି ମାନଙ୍କ ସହିତ ସେ କଥା ହୋଇଛନ୍ତି, ଦୀର୍ଘ ସାକ୍ଷାତକାର ନେଇଛନ୍ତି । ସେମାନଙ୍କର ଆଖିରେ ଦେଶ ବିଭାଜନକୁ ଦେଖିବାର ଚେଷ୍ଟା କରିଛନ୍ତି ।
ଏ ବହିରେ ସେ କେବଳ ଭାରତୀୟ ମାନଙ୍କ ସହିତ କଥା ହେଇଛନ୍ତି ତାହା ନୁହଁ, ପାକିସ୍ତାନୀ, ବାଂଲାଦେଶୀମାନଙ୍କ ସହିତ ମଧ୍ୟ କଥା ହେଇଛନ୍ତି ଏବଂ ଦେଶ ବିଭାଜନ ଓ ଦେଶାନ୍ତର ସେମାନଙ୍କୁ କିଭଳି ଭାବରେ ପ୍ରଭାବିତ କରିଥିଲା ସେକଥା ମଧ୍ୟ ଜାଣିବା ପାଇଁ ଚେଷ୍ଟା କରିଛନ୍ତି ।
ଏ ବୃହଦାକାର ବହିଟି ୨୪ଟି ଅଧ୍ୟାୟରେ ବିଭକ୍ତ। ଏକ ବିଶେଷ ଆବେଗକୁ ନେଇ ଗୋଟେ ଅଧ୍ୟାୟ କରିବାର ଚେଷ୍ଟା କରାଯାଇଛି । ବର୍ତ୍ତମାନ ସମୟରେ ଯେତେବେଳେ ଘୃଣାର ମଞ୍ଜିକୁ ପୁଣି ଥରେ ବୁଣିବାର ଚେଷ୍ଟା ହେଉଛି ଆଉ ସାରା ପୃଥିବୀକୁ ଏ ମଞ୍ଜି ଯେମିତି ଦୃମରେ ପରିଣତ ହେବ ସେଭଳି ଭାବରେ ପ୍ରସ୍ତୁତ କରାଯାଉଛି ସେ ସମୟରେ ଏ ବହି ନିଶ୍ଚିତ ଭାବରେ ପ୍ରାସଙ୍ଗିକ କାରଣ ଏ ବହି ଆମକୁ ଘୃଣାରୁ ଉର୍ଦ୍ଧରେ ଉଠିବା ପାଇଁ ପ୍ରେରିତ କରିବ। ଆଉ ଏକଥା ବି ମନେ ପକେଇଦବା ପାଇଁ ଏ ବହି ସାହାଯ୍ୟ କରିବ ଯେ ଦେଶ ବିଭାଜନ ବେଳେ ହିଂସା ଉଭୟ ପଟରୁ ହେଇଥିଲା । ଉଭୟେ ଏହାର ଶରବ୍ୟ ହେଇଥିଲେ ଏବଂ ଉଭୟଙ୍କୁ ଏକାଠି ଶାନ୍ତିର ଏବଂ ସହାବସ୍ଥାନର ମାର୍ଗ ଖୋଜିବାପାଇଁ ପଡିବ।
++
This column is published every alternate Wednesday.
https://www.odishasahitya.com/bahikatha-48/?fbclid=IwAR15lquPZjDcYaCzaAv-9SV-y890NIas56etze1849KOmmSCXsJ5KymKGJk
No comments:
Post a Comment