ପଢ଼ୁ ପଢ଼ୁ ହସିବେ, ଚିନ୍ତାମଗ୍ନ ବି ହେବେ
ପୁସ୍ତକ: ମୃଣାଳଙ୍କ ନିର୍ବାଚିତ ଗଳ୍ପ ସଙ୍କଳନ- ଶ୍ରେଷ୍ଠ ଗଳ୍ପ
ଲେଖକ: ମୃଣାଳ
ପ୍ରକାଶକ: ଟାଇମ୍ପାସ୍
ପୃଷ୍ଠା: ୨୫୫, ମୂଲ୍ୟ: ୨୨୫
ସମୀକ୍ଷା: ପଦ୍ମଲୋଚନ ପ୍ରଧାନ
ଭାବନ୍ତୁ, ଯମରାଜ ଛୁଟିରେ ଗଲେ । ତାପରେ କ’ଣ ହେବ? କାହାରି ଆଉ ମୃତ୍ୟୁ ହେବନି! ବୃଦ୍ଧମାନେ ରୋଗ ଶଯ୍ୟାରେ ପଡି଼ଥିବେ, ଶୁକୁଶୁକୁ ହେଉଥିବେ । ଚାରିପଟେ ଲୋକ ମରିବା ବାଟକୁ ଚାହିଁ ବସିଥିବେ, ହେଲେ ମୃତ୍ୟୁ ହେଉନଥିବ! ତାପରେ....
ଓଃ । ନା, ଆଉ ଭାବି ହେବନି । ଆମ ତଥାକଥିତ ଧାରଣା ଦୋହଲି ଯାଉଛି । ସେ ଦିଗରେ ଭାବିବାକୁ ମନ କୁଣ୍ଠାବୋଧ କରୁଛି । ତାକୁ ନେଇ କିନ୍ତୁ ଭାବିଛନ୍ତି ବିଶିଷ୍ଠ କଥାକାର ମୃଣାଳ । ମୃତ୍ୟୁ ନୂତନ ସଂସାର ପାଇଁ ଏକ ଦ୍ୱାର, ତାକୁ ଦେଖେଇଦେବା ପାଇଁ ‘ଯମରାଜ ଛୁଟିରେ’ କାହାଣୀ ବୁଣିଛନ୍ତି । ଯମରାଜ ଛୁଟିରେ ଗଲା ପରେ କ’ଣ ଅବସ୍ଥା ହେଇଛି? ତାହା ଗଳ୍ପଟି ପଢ଼ିଲେ ଜାଣିପାରିବେ । ଗାଳ୍ପିକ ଶେଷ କରିଛନ୍ତି ଏଇଭଳି ‘ମୃତ୍ୟୁ ନ ଥିଲେ ଜନ୍ମର କିଛି ମାନେ ନାହିଁ । ଶେଷ ନ ଥିଲେ ଆରମ୍ଭର ଅଲ୍ଟିମେଟ୍ଲି କିଛି ମାନେ ନାହିଁ ।’
ମୃଣାଳଙ୍କ ‘ଯମରାଜ ଛୁଟିରେ’ ଗଳ୍ପ ଖୁବ୍ ଚର୍ଚ୍ଚିତ । ଏବେ ତା ସହିତ ବିଭିନ୍ନ ସମୟରେ ଚର୍ଚ୍ଚିତ, ଆଲୋଚିତ, ବହୁ ପଠିତ ୩୦ଟି ଗଳ୍ପକୁ ନେଇ ପ୍ରକାଶ ପାଇଛି ‘ଶ୍ରେଷ୍ଠ ଗଳ୍ପ’ ସଙ୍କଳନ । ମୃଣାଳ ନିଜେ ଗଳ୍ପଗୁଡି଼କ ନିର୍ବାଚନ କରିଛନ୍ତି । ‘ଟାଇମ୍ପାସ୍’ ଏହାକୁ ପ୍ରକାଶ କରିଛି ।
Review by Padmalochan Pradhan |
ଶ୍ରେଷ୍ଠ ଗଳ୍ପ ସଙ୍କଳନ ଅର୍ଥାତ ସେଥିରେ ସମସ୍ତ ଗଳ୍ପ ଶ୍ରେଷ୍ଠ କି? ଶ୍ରେଷ୍ଠ ଗଳ୍ପ କେଉଁଟି? କାହାକୁ ଆମେ ଶ୍ରେଷ୍ଠ ବୋଲି କହିବା? ଏମିତି ପ୍ରଶ୍ନ ଆମ ସାହିତ୍ୟରେ ଅନେକ ଥର ଆଲୋଚିତ ହୋଇଛି । ସେନେଇ ଗାଳ୍ପିକ ମୃଣାଳ ମଧ୍ୟ ଦ୍ୱନ୍ଦ୍ୱରେ ପଡି଼ଥିଲେ, ତାକୁ ନେଇ ମୃଣାଳଙ୍କ ଘରଣୀଙ୍କ ପରାମର୍ଶ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ, ଯାହା ମୁଖବନ୍ଧରେ ସ୍ଥାନ ପାଇଛି, ‘ଏଯାଏ ତମେ ଯେତିକି ଲେଖିଛ, ସେଥିରୁ ଯେଉଁଗୁଡ଼ାକୁ ଲେଖି ତମ ଛାତି ହାଲ୍କା ଲାଗିଛି କିମ୍ବା ଯେଉଁଗୁଡ଼ାକ ଲେଖି ତମ ଆଖିରେ ଲୁହ ଜକେଇ ଆସିଛି- ତାକୁଇ ଏକାଠି କରି ଦେଇ ଦିଅ । ଗପ କବିତାରେ ଶ୍ରେଷ୍ଠ ବୋଲି କିଛି ଅଛି କି? ତମକୁ ଯେଉଁଟା ବହୁତ ଭଲ ଲାଗୁଛି ଆଉ କାହାକୁ ତାହା ଭଲ ନ ଲାଗି ପାରେ । ତେଣୁ ଏସବୁ କଥାରେ ବେଶୀ ଚିନ୍ତା କରନି ।’ ବାସ୍ତବିକ, ଏସବୁ କଥାରେ ବେଶୀ ଚିନ୍ତା କରିବାର ଆବଶ୍ୟକ ବି ନାହିଁ ।
ନିର୍ବାଚିତ ଗପଗୁଡି଼କ ବେଶ୍ ରସାଳ । ବିଶେଷ ଭାବେ ହାସ୍ୟରସରେ ଭରପୂର । ପଢ଼ୁ ପଢ଼ୁ ଆପଣ ଏକ ଖୁସି ଅନୁଭବ କରିବେ ।
ଶେଷ ଆଡ଼କୁ ପୁଣି ଚିନ୍ତମଗ୍ନ ହୋଇଯିବେ । କରୁଣ ରସର ଅନୁଭବ କରିବେ । ଯେମିତି ‘ଧାର୍ମିକ ଲୋକମାନେ!’ ଗଳ୍ପରେ ହୋଇଛି । ଆଜିକାଲି ଚାନ୍ଦା ଆଦାୟ କରି ବିଭିନ୍ନ ପୂଜା କରିବା ଏକ ଫେସନ ହେଇଗଲାଣି । ଶୌଚାଳୟର ଉଦ୍ଘାଟନ ପରି ଦିନେ ସାର୍ବଜନୀନ ଦୁର୍ଗା ପୂଜାର ବି ଉଦ୍ଘାଟନ କରାଯାଉଛି । ଧର୍ମପରାୟଣ ବୋଲାଉଥିବା ମନ୍ତ୍ରୀ ଖୋଦ୍ ଉଦ୍ଘାଟନ କରି ନାରୀମାନଙ୍କ ଉପରେ ଭାଷଣ ଦେଇଛନ୍ତି । ଏ ପର୍ଯ୍ୟନ୍ତ ପାଠକେ ଖୁବ୍ ଉପଭୋଗ କରିବେ । କିନ୍ତୁ ତାପରେ, ମନ୍ତ୍ରୀ ଯେତେବେଳେ ଡାକବଙ୍ଗଳାକରେ ରାତ୍ରୀଯାପନ କରୁଛନ୍ତି, ସେଠିକାର ଦୃଶ୍ୟ ମନ୍ତ୍ରୀଙ୍କର ଅସଲ ଚିତ୍ର ଦେଖିପାରିବେ । ଗପଟି ଶେଷ ବେଳକୁ ପାଠକେ ସ୍ତବ୍ଧ ହେଇଯିବେ ।
‘ରାଧୁ ମିଶ୍ରଙ୍କ ଘରୁ ଚୋରି’ ଗପଟି ରେଡି଼ଓରେ ନାଟ୍ୟ ରୂପାନ୍ତର ମଧ୍ୟ ହୋଇ ସାରିଛି । ବେଶ୍ ପାଠକୀୟ ଆଦୃତି ଲାଭ କରିଥିବା ଏ ଗପଟି ଜଣେ ସାହିତ୍ୟିକଙ୍କ ଘରୁ ଚୋରି ହେବା ପ୍ରସଙ୍ଗକୁ ନେଇ । ଲେଖକ ମହୋଦୟଙ୍କ ଘରୁ ଚୋରି ହେବା ପରେ ପଡ଼ୋଶୀ ଓ ପୁଲିସର ବ୍ୟବହାର ସତରେ ଆପଣଙ୍କୁ ଆଜିର ବାସ୍ତବ ଚିତ୍ର ଦେଖାଇବ । ଆମ ତଥାକଥିତ ଉପଦେଶ, ପରାମର୍ଶ, ସମବେଦନାକୁ ଦେଖି ଆପଣ ହସିବେ, ପର ମୁହୂର୍ତ୍ତରେ ଆପଣ ନିଜକୁ ସଜାଡି଼ନେବାର ସମ୍ଭାବନାଟିଏ ବି ରହିଛି ।
ମୃଣାଳଙ୍କ ଗପର ଏକ ବିଶେଷତ୍ୱ ହେଲା, ଆମ ନିତିଦିନିଆ ଜୀବନରେ ଘଟୁଥିବା ଘଟଣାକୁ ନେଇ ତୀର୍ଯ୍ୟକ ଦୃଷ୍ଟିରେ ବ୍ୟଙ୍ଗ । ତାକୁ ପୁଣି ବିନା ଶବ୍ଦାଡ଼ମ୍ବରରେ ମାର୍ମିକ କଥାଟିକୁ ଉପସ୍ଥାପନ । ଏଭଳି ଲେଖା ଖୁବ୍ କମ୍ ଲୋକଙ୍କ ହାତରେ ଫୁଟେ । ମୃଣାଳଙ୍କ ଗପ ପଢ଼ିବା ସମୟରେ ମନେ ହୁଏ ଆପଣ ଯେମିତି ଟେଲିଭିଜନ ପରଦାରେ ନାଟ୍ୟରୂପାନ୍ତର ଦେଖୁଛନ୍ତି । ଅର୍ଥାତ ଗଳ୍ପରେ ବର୍ଣ୍ଣନାର ଚାତୁର୍ଯ୍ୟ ପାଠକୀୟ କରିପାରୁଛି ।
ମୃଣାଳଙ୍କ ଗଳ୍ପରେ ଉପଦେଶ ନ ଥାଏ, କୌଣସି ତାତ୍ତ୍ୱିକ କଥା ବି ନଥାଏ, ସିଧାସଳଖ ଦର୍ଶନ ନଥାଏ, କିନ୍ତୁ କାହାଣୀ ମାଧ୍ୟମରେ ଅତି ସରଳ ଭାବେ ଯାହା ପରଶି ଦେଇଥାନ୍ତି, ପାଠକଟିଏ ଭାବିବାକୁ ପ୍ରେରିତ ହୁଏ । ଅତି ସୂକ୍ଷ୍ମ ଭାବରେ ମଣିଷର ବିଚିତ୍ର ଆଚରଣକୁ ଦେଖେଇ ଦେଇଥାନ୍ତି । ପାଠକଟିଏ ଏ ସବୁ ପଢ଼ୁ ପଢ଼ୁ ନିଜକୁ ସମ୍ପୃକ୍ତ କରିପକାନ୍ତି । କେବେ କେବେ ତା ଭିତରର ଚରିତ୍ର ବି ବନିଯାନ୍ତି । ବେଳେ ବେଳେ ନିଜ ଉପରେ ହସି ପକାନ୍ତି ।
ମୃଣାଳଙ୍କ ପ୍ରତ୍ୟେକ ଗଳ୍ପରେ ଆପଣ ନିଜ ଚାରିପାଖର ଲୋକଙ୍କୁ ଖୋଜି ପାଇବେ । ଯେମିତି ଆପଣ ତାଙ୍କୁ ଜାଣିଛନ୍ତି, ଏବେ ତାଙ୍କର ନୂଆ ଏକ ପରିଚୟ ପାଉଛନ୍ତି, ଭିନ୍ନ ଭାବେ ଜାଣୁଛନ୍ତି, ଏପରି ଅନୁଭବ ହେବ ।
ଗଳ୍ପ ସଙ୍କଳନରେ ଆପଣ ‘ନବଘନ’ ସହ ଭେଟେ ହେବେ । ନବଘନ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ । ଏ ଚରିତ୍ରଟି ମୃଣାଳଙ୍କର ପ୍ରାୟ ଏକାଧିକ ଗଳ୍ପରେ ଆପଣ ଦେଖିବେ । ଗୋଟିଏ ନିର୍ଦ୍ଦିଷ୍ଟ ଚରିତ୍ରର ବହୁପ୍ରସ୍ଥ ଜୀବନ ସହ ଆପଣଙ୍କର ସାକ୍ଷାତକାର ହେବ । ଆପଣଙ୍କୁ ଲାଗିବ କିଛି ଗପର ଅନ୍ୟ କିଛି ଗପ ସହ ନିବିଡ଼ ସମ୍ପର୍କ ରହିଛି । ପୁଣି ତା’ର ଭିନ୍ନତା ବି ଅନୁଭବ କରିବେ । କିନ୍ତୁ ବାସ୍ତବରେ ସମସ୍ତ ଗଳ୍ପ ନିଜସ୍ୱ ଗୁଣରେ ସ୍ୱତନ୍ତ୍ର ।
ଗପଗୁଡି଼କରେ ଆପଣ ଏକ ଛୋଟ ସହର ‘ଭରତପୁର’ରେ ବୁଲିବେ । ସେ ସହରଟି ଅଖ୍ୟାତ, ମାତ୍ର ସହରର କାହାଣୀଗୁଡି଼କ ସହ ଆଦୌ ଅପରିଚିତ ନୁହଁ । ଭରତପୁର ବୁଲୁ ବୁଲୁ ଆପଣଙ୍କୁ ଲାଗିବ ସେଇଟା ଆପଣଙ୍କ ନିଜ ସହର । ଏ ଭରତପୁର ମଧ୍ୟ ଏକ କାଳ୍ପନିକ ସ୍ଥାନ । ମୃଣାଳ ତାକୁ ଅନେକ ଗପର ମୋଟିଫ ଭାବେ ବ୍ୟବହାର କରିଛନ୍ତି । ଯାହା ପାଠକଙ୍କୁ କ୍ରମାନ୍ୱୟରେ ପଢ଼ିଯିବା ପାଇଁ ସହାୟକ ହେବା ସହ ମନରେ ଛାପ ସୃଷ୍ଟି କରିପାରୁଛି ।
ଆଜିର ଯୁଗ ଯେମିତି ହାଇବ୍ରିଡ୍, ତା ସହିତ ତାଳଦେଇ ପ୍ରେମ ସମ୍ପର୍କ ବି ହାଇବ୍ରିଡ ହେବାରେ ଲାଗିଛି । ଦୂରରେ ବସି କମ୍ପ୍ୟୁଟର ଓ ମୋବାଇଲ ସ୍କ୍ରିନରେ ପ୍ରେମ ସମ୍ପର୍କ ଗଢ଼ି ଉଠୁଛି । ସେଠି ବାହାଘର ନେଇ ଆଲୋଚନା ଓ ବିବାହର କିଛି ବର୍ଷ ପରେ ଆବଶ୍ୟକ ପଡ଼ିଲେ ବିଚ୍ଛେଦ । ସବୁକଥା ସ୍କ୍ରିନ ମାଧ୍ୟମରେ ହିଁ ଘଟିଯାଉଛି । ତାକୁ ନେଇ ଏକ ସୁନ୍ଦର ଗପ ‘ପ୍ରେମ ଡଟ୍ କମ୍’ । ଅତ୍ୟାଧୁନିକ ଜୀବନର ନିରସ ସମ୍ପର୍କକୁ ନେଇ ମୃଣାଳଙ୍କ ଗପ ଆମ ସାମାଜିକ ସମ୍ପର୍କର ବାସ୍ତବ ଗତିକୁ ଦେଖାଇ ଦେଇଛି ।
‘ଉପରମୁଣ୍ଡରେ ବର୍ଷା ହେଲେ ତଳମୁଣ୍ଡରେ ବନ୍ୟା ହୁଏ । ଉପରମୁଣ୍ଡ ଯେତେବେଳେ କବିତା ଲେଖିବା ଆରମ୍ଭ କରେ, ତଳମୁଣ୍ଡ ବି କବିତା ଚର୍ଚ୍ଚା ଆରମ୍ଭ କରିଦିଏ । ପୋଲିସ ଡିଜି, ଡିଆଇଜି, ଏସ୍ପି ଆଦି ଉଚ୍ଚ ଅଧିକାରୀମାନେ କବିତା ଲେଖିଲେ । ଲେଖିସାରି ଡିଏସ୍ପି, ଇନ୍ସପେକ୍ଟରମାନଙ୍କୁ ଶୁଣେଇଲେ । ସେମାନେ ଲେଖିଲେ, ହାବିଲଦାର, କନେଷ୍ଟବଳଙ୍କୁ ଶୁଣେଇଲେ । ସେମାନଙ୍କ ଦେଖାଶୁଣାରେ ହାବିଲଦାର କନେଷ୍ଟବଳମାନେ ବି କବିତା ଲେଖିଲେ । ସେମାନେ ଆଉ କାହାକୁ ଶୁଣେଇବେ, ହାଜତରେ ପଶିଥିବା କଏଦୀମାନଙ୍କୁ ଶୁଣେଇଲେ... ।’ ‘କବିତା’ ଗଳ୍ପର ଏ ଉଦ୍ଧୃତିଟି । କେମିତି ସମାଜରେ ଚାଟୁକାରିତା, ଖୋସାମତିଆ ମନୋଭାବ ରହିଛି ତାକୁ ବର୍ଣ୍ଣନା କରିଛନ୍ତି । ତା ସହ କିଭଳି ଏକ ସୃଜନଶୀଳ ସାହିତ୍ୟ ବଦଳରେ ଭେଜାଲ କବିତା ରଚନା ଓ ତା ପ୍ରତି ପାଠକଙ୍କ ମନୋଭାବ ରହିଛି, ତାକୁ ନେଇ ବ୍ୟଙ୍ଗାତ୍ମକ ଗଳ୍ପ ‘କବିତା’ । ଜଣେ ଗୁଣ୍ଡା କିପରି କବିତା ଲେଖି ତାକୁ ବଟି ଆଦାୟର ଅସ୍ତ୍ର ବନେଇଛି, ତା କାହାଣୀ ଆପଣଙ୍କୁ ହସେଇବ ପୁଣି ତତ୍କାଳୀନ କବିତା, କବିତା ଆସରର ବାସ୍ତବତା ସହ ପରିଚିତ କରାଇବ ।
ସଙ୍କଳନରେ ଦୀର୍ଘ ୩୦ରୁ ଊର୍ଦ୍ଧ୍ୱ କାଳ ମଧ୍ୟରେ ଲେଖାଯାଇଥିବା ୩୦ଟି ଗଳ୍ପ ସ୍ଥାନିତ ହୋଇଛି । ସବୁଗୁଡି଼କ ତତ୍କାଳୀନ ସମୟରେ ବେଶ୍ ପାଠକୀୟ ଆଦୃତି ପାଇଛି । ‘ଓଡି଼ଶା’, ‘ବୃତ୍ତ’, ‘ପାହାଡ଼’, ‘ଜୋତା’, ‘ପଣ୍ଡାବାବୁ’, ‘ପିମ୍ପୁଡି଼’, ‘ଭରତପୁରର ଭୂତ’, ‘ଦାସିଆର ସଂସାର’, ‘ଗଣେଶଙ୍କ ମୂଷା’, ‘କୁକୁର’, ‘ହସ’, ‘ବାପା’, ‘ପାଗଳା ସାହୁର ମନ୍ଦିର’, ‘ପ୍ରେମ’, ‘ମକର ସଂକ୍ରାନ୍ତି’, ‘ସାପ’, ‘ଜଗନ୍ନାଥଙ୍କ ଗଳାମାଳି’, ‘ବୃକ୍ଷରୋପଣ’ ଆଦି ସମସ୍ତ ଗଳ୍ପ ବେଶ୍ ନିଆରା ।
୯୦ ଦଶକରୁ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକ ଯାଏ ଦୀର୍ଘ ୩୦ ବର୍ଷ ଧରି ଗଦ୍ୟ ସାହିତ୍ୟରେ ଉଭୟ ଗଳ୍ପ ଓ ଉପନ୍ୟାସ ରଚନାରେ ମୃଣାଳ ଏକ ସ୍ପର୍ଦ୍ଦିତ ସ୍ୱର । ବ୍ୟଙ୍ଗ ଗଳ୍ପ ରଚନାରେ ସୁପ୍ରସିଦ୍ଧ । ବ୍ୟଙ୍ଗ ବ୍ୟତୀତ ବିଜ୍ଞାନ ଭିତ୍ତିକ ଓ ମାନବେତର ଚରିତ୍ରକୁ ନେଇ ଉପନ୍ୟାସ, ସମ୍ବାଦଭିତ୍ତିକ ସାହିତ୍ୟ, ସ୍ତମ୍ଭ ଲେଖନ ଆଦି ଅନେକ ବିଭାଗରେ ତାଙ୍କର ରଚନା ସମଗ୍ର ବଳିଷ୍ଠ । ତାଙ୍କ ପ୍ରକାଶିତ ଗଳ୍ପ ପୁସ୍ତକଗୁଡି଼ ହେଉଛି- ଓଡି଼ଶା ଓ ଅନ୍ୟାନ୍ୟ ଗଳ୍ପ(୧୯୯୧), ବୃତ୍ତ ଓ ଅନ୍ୟାନ୍ୟ ଗଳ୍ପ(୨୦୦୦), ଯମରାଜ ଛୁଟିରେ(୨୦୧୮), ଉପନ୍ୟାସଗୁଡି଼କ- ସେକ୍ରେଟାରିଏଟ୍ରେ ବାଘ(୧୯୯୫), ଭରତପୁରର ବାଘ(୧୯୯୫), ନିଆଁ(୧୯୯୭), ଶକ୍ତି(୨୦୦୦), ଶନିମନ୍ଦିର ସାମ୍ନାରେ ସାତ ଭିକାରୀ(୨୦୦୮), ଯମରାଜ ନମ୍ବର ୫୦୦୩(୨୦୧୦), କଣ୍ଢେଇ(୨୦୧୪), କୁକୁର କାହାଣୀ (୨୦୧୯)
---
No comments:
Post a Comment