ପଥେ ପ୍ରାନ୍ତରେ / ମୃଣାଳ 18.10.2020
ମହାମାରୀ ପୃଷ୍ଠଭୂମିରେ ସାହିତ୍ୟ
ମଣିଷର ସମସ୍ତ ପ୍ରକାର ଚେହେରାର ସଚ୍ଚା ଆଇନା ହେଲା ସାହିତ୍ୟ । ମଣିଷର ସୁଖ, ଦୁଃଖ, ଆନନ୍ଦ, ବିଷାଦ, ତା’ ସଂଘର୍ଷ କରିବାର ଶକ୍ତି, ପ୍ରତିକୂଳତା ବିରୋଧରେ ଲଢ଼ିବାର ସାହସ- ପୁଣି ତାର ଲୋଭ, ଈର୍ଷା, ଭୟ, କାପୁରୁଷତା - ଏସବୁକୁ ମାର୍ମିକ ଭାବେ ଆମ ପାଖରେ ପହଞ୍ଚାଏ ସାହିତ୍ୟ । ବିଜ୍ଞାନ ମହାମାରୀର ବୈଜ୍ଞାନିକ କାରଣ ଖୋଜି ବାହାର କରେ, ତା ସହିତ ସଂଘର୍ଷ କରିବାର ବାଟ ଦେଖାଏ, ବଞ୍ଚିବାର ବାଟ ଦେଖାଏ । ପରିସଂଖ୍ୟାନ ଦେଖାଏ ସଂଖ୍ୟାଗତ ଦିଗକୁ । କେତେ ଲୋକ ସଂକ୍ରମିତ ହେଲେ, କେତେ ବଞ୍ଚିଲେ, କେତେ ବଞ୍ଚିଲେ- କେଉଁ ବୟସର କେତେ ଲୋକ ମଲେ ବା ବଞ୍ଚିଲେ । ପରିସଂଖ୍ୟାନ ଗୋଟେ ଦିଗରୁ ବିଜ୍ଞାନକୁ ସାହାଯ୍ୟ କରେ, ଆଉ ଗୋଟେ ଦିଗରୁ ଇତିହାସକୁ । ଇତିହାସ ଘଟଣା ଏବଂ ଏଥିରେ ସମ୍ପୃକ୍ତ ଲୋକମାନଙ୍କର ଭୌତିକ ଦଲିଲ ରଖେ । କେବେ ହେଲା ମହାମାରୀ, କିଏ କିଏ ଏଥିରେ ପ୍ରାଣ ହରେଇଲେ । ଆଉ ସାହିତ୍ୟ ମହାମାରୀ ଆକ୍ରାନ୍ତ ଏବଂ ମହାମାରୀରେ ପ୍ରଭାବିତ ଲୋକଙ୍କ ଆବେଗ, ଦୁଃଖ ଏବଂ ସଂଘର୍ଷର କାହାଣୀ ଲେଖିରଖେ । ତଥ୍ୟଗତ ଦୃଷ୍ଟିରୁ ଏହା ଇତିହାସ ଭଳି ସଠିକ୍ ହୋଇ ନ ପାରେ, କିନ୍ତୁ ଭାବଗତ ଦୃଷ୍ଟିରୁ ଏହା ଇତିହାସଠୁଁ ଅଧିକ ସତ୍ୟ ।
ବିଶ୍ୱ ଇତିହାସରେ ମହାମାରୀ କିଛି କମ୍ ଥର ହୋଇନାହିଁ । ଆଉ ପ୍ରତ୍ୟେକ ମହାମାରୀ ବିପର୍ଯ୍ୟୟ ସହିତ ଇତିହାସର ଏକ ନୂଆ ମୋଡ଼ ଆସିଛି । ରାଜନୈତିକ ଶକ୍ତି ସନ୍ତୁଳନରେ ନୂଆ ଚେହେରା ଦିଶିଛି । ବିଜ୍ଞାନର ନୂଆ ଉଦ୍ଭାବନ ଏବଂ ନୂଆ ପ୍ରୟୋଗ ଆସିଛି । ଆଉ ସାହିତ୍ୟିକମାନେ ଗଳ୍ପ, କବିତା, ଉପନ୍ୟାସ ମାଧ୍ୟମରେ ଏହାର ମାନବିକ ବିଷୟଗୁଡି଼କୁ ଲିପିବଦ୍ଧ କରି ରଖିଛନ୍ତି । ମହାମାରୀର ବୈଜ୍ଞାନିକ ଦିଗଟି ବଦଳରେ ସାହିତ୍ୟରେ ଥାଏ ମହାମାରୀ ସମୟରେ ମଣିଷ କିପରି ତାକୁ ମୁକାବିଲା କଲା, କିପରି ଜୀବନକୁ ବଞ୍ଚିଲା, ମଣିଷର ଅନ୍ୟ ମଣିଷ ସହିତ ସମ୍ପର୍କରେ କଣ ଆଉ କିପରି କ୍ଷତିବୃଦ୍ଧି ହେଲା ତାର ମାନବିକ ଓ ମାର୍ମିକ ଦଲିଲ । ତେଣୁ ସାହିତ୍ୟ ପାଲଟିଯାଏ ମହାମାରୀର ସଚ୍ଚା ଦସ୍ତାବିଜ୍ । ଉଲ୍ଲେଖନୀୟ ବିଷୟ ହେଲା- ବିଶ୍ୱ ସାହିତ୍ୟରେ ମହାମାରୀକୁ ନେଇ ଏବଂ ମହାମାରୀ ପ୍ରେକ୍ଷାପଟରେ ଯେତେ କାହାଣୀ ଲେଖାଯାଇଛି- ତାର ଅନ୍ତଃସ୍ୱର ଊଣାଅଧିକେ ସମାନ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ: ସାହିତ୍ୟ ଭାଷା, ସ୍ଥାନ, ସଂସ୍କୃତିର ଘେରାଟୋପରୁ ଊର୍ଦ୍ଧ୍ୱକୁ ଉଠି ଏକ ବିଶ୍ୱଚେତନାର, ବିଶ୍ୱମାନବିକତାର କଥା କହେ ।
ଭାରତରେ ମଧ୍ୟ ବହୁ ମହାମାରୀ ତାର କରାଳ କାୟା ବିସ୍ତାର କରିଛି । ଆଉ ଭାରତୀୟ ସାହିତ୍ୟରେ ମଧ୍ୟ ମହାମାରୀକୁ ନେଇ ଅନେକ ଗଳ୍ପ, କବିତା, ଉପନ୍ୟାସ ଲେଖାଯାଇଛି ।
ରବିନ୍ଦ୍ରନାଥ ଠାକୁର(୧୮୬୧-୧୯୪୧)ଙ୍କର ଏକ ଦୀର୍ଘ କବିତା ‘ପୁରାତନ ଭୃତ୍ୟ’ର ପ୍ରେକ୍ଷାପଟ୍ଟ ହେଲା ପାଣିବସନ୍ତ ମହାମାରୀ । ଗୋଟେ ଘରର ବୁଢ଼ା ଚାକର ମହାମାରୀ ସମୟରେ ନିଜ ମାଲିକକୁ ସେବା କରି ବଞ୍ଚାଇଲେ, ଆଉ ନିଜେ ପ୍ରାଣ ହରାଇଲେ- ବିୟୋଗାନ୍ତକ ଏ କାହାଣୀ କୁହାଯାଇଛି ଏ ଦୀର୍ଘ କବିତାରେ ।
୧୯୧୮ ସ୍ପାନିସ୍ ଫ୍ଲୁରେ ଭାରତର ବହୁ ଲୋକ ପ୍ରାଣ ହରାଇଥିଲେ । ଦିଲ୍ଲୀରେ ଜନ୍ମ ଏବଂ ପରେ ପାକିସ୍ତାନ ଚାଲିଯାଇଥିବା ଅହମ୍ମଦ ଅଲୀ(୧୯୧୦-୧୯୯୪)ଙ୍କର ‘ଟ୍ୱିଲାଇଟ ଇନ୍ ଦିଲ୍ଲୀ’(ଦିଲ୍ଲୀରେ ସନ୍ଧ୍ୟା) ଉପନ୍ୟାସରେ ଏହି କାଳଖଣ୍ଡର କଥା କୁହାଯାଇଛି । ଏ ସମୟରେ କେମିତି କବର ଖୋଳିବା ପାଇଁ ୪ଗୁଣ ଅଧିକ ଟଙ୍କା ଦାବି କରାଯାଉଥିଲା, କେମିତି ଲୋକେ କବର ଚାଦର ମଧ୍ୟ ଚୋରି କରି ନେଇଯାଉଥିଲେ- ତା’ର ମାର୍ମିକ ବର୍ଣ୍ଣନା ରହିଛି । ଟ୍ୱିଲାଇଟ୍ ଇନ୍ ଦିଲ୍ଲୀ ଥିଲା ଅହମ୍ମଦ ଅଲୀଙ୍କର ପ୍ରଥମ ପ୍ରକାଶିତ ଉପନ୍ୟାସ । ଏ ଉପନ୍ୟାସଟି ଇଂରାଜୀ ଭାଷାରେ ଲେଖା ଯାଇଥିଲା । ପରେ ତାଙ୍କ ସ୍ତ୍ରୀ ବିଲ୍କିସ୍ ଜାହାଁଏହାକୁ ଊର୍ଦ୍ଦୁରେ ଅନୁବାଦ କରିଥିଲେ । ନାଁ ଥିଲା: ଦିଲ୍ଲୀକି ଶାମ୍ ।
ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ସୂର୍ଯ୍ୟକାନ୍ତ ତ୍ରିପାଠୀ(ନିରାଲା, ୧୮୯୯-୧୯୬୧) ଙ୍କ ‘ସ୍ମୃତିଚାରଣ’(‘ଏ ଲାଇଫ ମିସପେଣ୍ଟ)ରେ ୧୯୧୮ର ସ୍ପାନିସ୍ ଫ୍ଲୁ ପ୍ରେକ୍ଷାପଟ୍ଟରେ ତାଙ୍କ ଜୀବନ କାହାଣୀ କୁହାଯାଇଛି । ଇନଫ୍ଲୁଞ୍ଜାରେ ନିଜ ସ୍ତ୍ରୀ ମନୋହରା ଦେବୀଙ୍କୁ ଖୁବ କମ ବୟସରେ ସେ ହରାଇଥିଲେ । ନିରାଲା ତାଙ୍କ ସ୍ତ୍ରୀଙ୍କୁ ଦେଖା କରିବା ପାଇଁ ଶ୍ୱଶୁର ଘରକୁ ଯାଉଥିଲେ । କିନ୍ତୁ ସେ ଭେଟିବା ପୂର୍ବରୁ ତାଙ୍କ ସ୍ତ୍ରୀ ଆରପାରିକୁ ଚାଲିଯାଇଥିଲେ । ତାଙ୍କ ଲେଖା ଓ କବିତାରେ ଏ ସମୟର ଅଶ୍ରୁଳ ବର୍ଣ୍ଣନା ରହିଛି । ଏତେ ସଂଖ୍ୟାରେ ଲୋକଙ୍କ ପ୍ରାଣ ହାନି ହେଉଥିଲା ଯେ ଅନେକ ଶବକୁ ଦାହ ନ କରି ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଉଥିଲା । ଗଙ୍ଗାର ଗତି ଶବର ଭାରରେ ଯେମିତି ସ୍ତିମିତ ହୋଇଯାଇଥିଲା ।
ପ୍ରେମଚାନ୍ଦ(୧୮୮୦-୧୯୩୬)ଙ୍କ ‘ଇଦ୍ଗା’ ଗଳ୍ପର ପ୍ରେକ୍ଷାପଟ୍ଟ ହେଉଛି ମହାମାରୀ । ଅସ୍ପୃଷ୍ୟତା ଉପରେ ଏକ ସ୍ମରଣୀୟ ଗଳ୍ପ ‘ଦୁଧ୍କା ଦାମ’ରେ ଏକ ଚରିତ୍ର ମହାମାରୀରେ ପ୍ରାଣ ହରାଉଛି ।
ଫକୀର ମୋହନ ସେନାପତି(୧୮୪୩-୧୯୧୮)ଙ୍କ ‘ରେବତୀ’ ଗଳ୍ପରେ କଲେରା ମହାମାରୀ ଗଳ୍ପକୁ ଏକ ନାଟକୀୟ ମୋଡ଼ ଦେବାରେ ପ୍ରମୁଖ ଭୂମିକା ନେଇଛି । ରେବତୀ ଓଡ଼ିଆ ସାହିତ୍ୟରେ ପ୍ରଥମ ଛୋଟ ଗଳ୍ପର ମାନ୍ୟତା ପାଏ ।
ମାଲାୟଲମ ଲେଖକ ଠାକାଜି ଶିବଶଙ୍କର ପିଲାଇ (୧୯୧୨-୧୯୯୯)ଙ୍କର ଉପନ୍ୟାସ ‘ଫୋଟିୟୁଡେ ମକାନ’(ମେହେନ୍ତରର ପୁଅ)ରେ କେରଳର ଆଲାପୂଜା ସହରର ମହାମାରୀର ମାର୍ମିକ ଏବଂ କରୁଣ ବର୍ଣ୍ଣନା ରହିଛି । କକାନାଦନଙ୍କର ଉପନ୍ୟାସ ‘ଭାସୁରୀ’(ପାଣିବସନ୍ତ)ରେ କେରଳର ଏକ ସହରର ମାନବିକ ସମ୍ପର୍କ କିପରି ପ୍ରଭାବିତ ହେଉଛି ତାର ଚିତ୍ର ରହିଛି । ରେଣୁଙ୍କର(୧୯୨୧-୧୯୭୭) ଉପନ୍ୟାସ ‘ମଏଲା ଆଞ୍ଚଲ’ରେ ଜଣେ ଡାକ୍ତରଙ୍କର କାହାଣୀ କୁହାଯାଇଛି ଯିଏ ବିହାରର ଏକ ଗାଁରେ ରହି ଲୋକମାନଙ୍କ ହେଉଥିବା ବିଭିନ୍ନ ରୋଗର ଚିକିତ୍ସା କରୁକରୁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । କନ୍ନଡ ସାହିତ୍ୟିକ ୟ.ୁଆର. ଆନନ୍ଦମୂର୍ତ୍ତି (୧୯୩୨-୨୦୧୪)ଙ୍କ ଉପନ୍ୟାସ ‘ସମସ୍କାରରେ ଏକ ମୁଖ୍ୟ ଚରିତ୍ର ନାରାୟଣ ପଲଙ୍କର ପ୍ଲେଗ ମହାମାରୀରେ ମୃତ୍ୟୁ ହୋଇଯାଉଛି ।
ଅମିତାଭ ଘୋଷଙ୍କର(ଜନ୍ମ ୧୯୫୬) ‘ଦି କାଲକାଟା କ୍ରୋମୋଜନ’କୁ ଅନେକ ଏକ ମେଡିକାଲ ଥ୍ରିଲର ବୋଲି କହନ୍ତି । ଏ ଉପନ୍ୟାସର ପ୍ରେକ୍ଷାପଟ୍ଟ ହେଲା ମ୍ୟାଲେରିଆ ସମ୍ପର୍କୀତ ଗବେଷଣା । ଯଦିଓ ଏ ଉପନ୍ୟାସରେ ବିଜ୍ଞାନ, ରହସ୍ୟବାଦ ଏବଂ ଆଧ୍ୟାତ୍ମିକତା ରହିଛି, କିନ୍ତୁ ମହାମାରୀ ଏ ଉପନ୍ୟାସର ମେରୁଦଣ୍ଡ ।
ହିନ୍ଦୀ ଔପନ୍ୟାସିକ କମଳାକାନ୍ତ ତ୍ରିପାଠୀଙ୍କ ‘ପାହିଘର’ ଉପନ୍ୟାସର ପ୍ରେକ୍ଷାପଟ୍ଟ ହେଲା ୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ । ଏ ଉପନ୍ୟାସରେ କଲେରା ମହାମାରୀ ଏବଂ ଭୟଙ୍କର ବନ୍ୟା କେମିତି ଲୋକଙ୍କ ଜୀବନକୁ ପ୍ରଭାବିତ କରିଥିଲା, ତା’ର ବର୍ଣ୍ଣନା ରହିଛି ।
ଟିମେରୀ ମୁରାରୀ(ଜନ୍ମ ୧୯୪୧)ଙ୍କର ଉପନ୍ୟାସ ‘ଦି ବେଲିଭିଅନ ଟେକ୍ସ’ ୧୯୭୮ରେ ପ୍ରକାଶିତ ହୋଇଥିଲା । ସଂପ୍ରତି ଏହା ‘ଦି ଫାଇନାଲ କଣ୍ଟାଜିଅନ’ ନାମରେ ଆଉ ଥରେ ପ୍ରକାଶ କରାଯାଇଛି । ଏ ଉପନ୍ୟାସରେ ଜଣେ ସାମ୍ବାଦିକ ପିଅର୍ସ ସାତ୍ନେଲ ଆବିଷ୍କାର କରନ୍ତି ଯେ, ଲୋକମାନଙ୍କୁ ଚଳତଶକ୍ତି ରହିତ କରିବା ଏବଂ ହତ୍ୟା କରିବା ପାଇଁ ଏକ ମାରାତ୍ମକ ମହାମାରୀ ଭୂତାଣୁକୁ ଆବିଷ୍କାର କରାଯାଇଥିବା ସେ ଜାଣିପାରନ୍ତି । ଏ ଆବିଷ୍କାର ଫଳରେ ସାମ୍ବାଦିକ ସାତ୍ନେଲଙ୍କ ଜୀବନ ପ୍ରତି ବିପଦ ଦେଖାଗଲା । ସେ ଏଥିରୁ ବର୍ତ୍ତିବା ପାଇଁ କରିଥିବା ସଂଘର୍ଷ ଉପରେ କାହାଣୀ ଗଢ଼ିଉଠିଛି ।
ସାହିତ୍ୟ କେବଳ ଘଟଣାର ବର୍ଣ୍ଣନା ନୁହେଁ, ସାହିତ୍ୟ ଦର୍ଶାଏ ଗୋଟିଏ ଘଟଣା ମଣିଷକୁ କିଭଳି ପ୍ରଭାବିତ କରେ ଏବଂ ମଣିଷ କିଭଳି ସେ ଘଟଣାର ମୁକାବିଲା କରେ । ସବୁ ପ୍ରତିକୂଳ ଅବସ୍ଥା ସତ୍ତ୍ୱେ ବଞ୍ଚି ରହିବାର ସ୍ପୃହା ଏବଂ ଅଦମ୍ୟ ସାହସ ମଣିଷକୁ ଏଯାଏଁ ବଞ୍ଚାଇ ଆସିଛି । ସାହିତ୍ୟ ଏଇ ଜୀବନୀ ଶକ୍ତିକୁ ବିଭିନ୍ନ ବାଟରେ ଆମ ଆଗରେ ଉପସ୍ଥାପନା କରେ ଏବଂ ଆମକୁ ବଞ୍ଚିବାର ରାହା ଦେଖାଏ । ମହାମାରୀ ପୃଷ୍ଠଭୂମିରେ ଲେଖା କାହାଣୀ ଓ କବିତା ଗୁଡ଼ିକରେ ଏହାହିଁ ଆମେ ପାଇବା ।
ସଂଜ
ବୟସ ବୁଝାଉଛି
ଏବେ ଜୀବନର
ସଂଜ ନଈଁ ଆସିଲାଣି ।
ହୃଦୟ କହୁଛି
ସାଂଗ, ଆସର ତ
ସଂଜରୁ ଜମେ ।
ମୂଳ
ହିନ୍ଦୀ: ଅଜ୍ଞାତ
(ସୌଜନ୍ୟ: ସାମାଜିକ ଗଣମାଧ୍ୟମ)
ଡାକ୍ତର ଆଉ ନବଘନ କଥାବାର୍ତ୍ତା
ନବଘନ: ଆଚ୍ଛା ସାର୍, କରୋନା ଟେଷ୍ଟ୍ ନେଗେଟିଭ୍ ଆସିଲେ କଣ କରିବି?
ଡାକ୍ତର: ମାସ୍କ୍ ପିନ୍ଧିବେ । ସାମାଜିକ ଦୂରତ୍ୱ ରଖିବେ ।
ନବଘନ: ଆଉ ପଜିଟିଭ୍ ଆସିଲେ?
ଡାକ୍ତର: ସେଇଆ କରିବେ । ମାସ୍କ୍ ପିନ୍ଧିବେ । ସାମାଜିକ ଦୂରତ୍ୱ ରଖିବେ ।
ନବଘନ:ଆଚ୍ଛା, ଟେଷ୍ଟ୍ ନେଗେଟିଭ୍ ଆସିଲେ କଉଠି ରହିବି?
ଡାକ୍ତର: ଘରେ ରହିବେ ।
ନବଘନ:ଆଉ ପଜିଟିଭ୍ ଆସିଲେ?
ଡାକ୍ତର: ସେଇ । ଘରେ ରହିବେ ।
ନବଘନ:ଆଚ୍ଛା, ଟେଷ୍ଟ ଯଦି ନେଗେଟିଭ୍ ଆସେ, ତେବେ କଣ ଖାଇବି?
ଡାକ୍ତର: ଭିଟାମିନ୍ ବି, ସି ଆଉ ଗରମ କ୍ଷୀର କି ଚା ।
ନବଘନ:ଆଉ ପଜିଟିଭ୍ ଆସିଲେ?
ଡାକ୍ତର: ସେଇଆ । ଭିଟାମିନ୍ ବି, ସି ଆଉ ଗରମ କ୍ଷୀର କି ଚା ।
ନବଘନ:ଯଦି କିଛି ଫରକ ନାହିଁ, ତେବେ ଟେଷ୍ଟ୍ କାହିଁକି କରେଇବି?
ଡାକ୍ତର: ଆଚ୍ଛା କଥା! ଟେଷ୍ଟ୍ ନ କଲେ, ଜଣା ପଡ଼ିବ କେମିତି ପଜିଟିଭ୍ ନା ନେଗେଟିଭ୍?
ଗଣତନ୍ତ୍ରର କେତେଟା ସ୍ତମ୍ଭ
- ଇତିହାସ ଶିକ୍ଷକ ପଢ଼େଇଥିଲେ ନା, ଗଣତନ୍ତ୍ରର କେତେଟା ସ୍ତମ୍ଭ ହେବା କଥା?
- ହୁମମ୍, ଚାରିଟା ତ ହେବା କଥା । ହେଲେ ଏବେ ମିଳିମିଶି ଗୋଟେ ହୋଇ ଯାଇଛି ।
(ମୂଳ ବଂଗଳା: ମାନସପ୍ରତିମ ଦାସ)ା
+++
ସଂଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧
No comments:
Post a Comment