ପଥେ ପ୍ରାନ୍ତରେ
ବିଦ୍ୟାସାଗର: ନିସଙ୍ଗ ସଂଗ୍ରାମୀ
ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ହୋଇଥିଲା ୧୯୨୦
ମସିହା
୨୬ ସେପ୍ଟେମ୍ବର, ବର୍ତ୍ତମାନ ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲା ବିରସିଙ୍ଘ ଗାଁର ଏକ ଦରିଦ୍ର ବ୍ରାହ୍ମଣ ପରିବାରରେ । ତାଙ୍କର ସାଙ୍ଗିଆ ଥିଲା
ବନ୍ଦୋପାଧ୍ୟାୟ । ସଂସ୍କୃତ ଏବଂ ଦର୍ଶନରେ ତାଙ୍କର ବ୍ୟୁତ୍ପତ୍ତି ପାଇଁଁ ୧୮୩୯ରେ ତାଙ୍କୁ ବିଦ୍ୟାସାଗର
ଉପାଧି ଦିଆଯାଇଥିଲା । ନିଜର ତୀକ୍ଷ୍ଣ ମେଧା ଓ ଅଧ୍ୟବ୍ୟସାୟ ବଳରେ ସେ ମାତ୍ର ୨୧ ବର୍ଷରେ ସଂସ୍କୃତ କଲେଜର ଅଧ୍ୟାପକ ହୋଇ ପାରିଥିଲେ । ମାତ୍ର ୩୧ ବର୍ଷ ବୟସରେ ସେ ସଂସ୍କୃତ କଲେଜର ଅଧ୍ୟକ୍ଷ ହୋଇଥିଲେ ।
ବିଦ୍ୟାସାଗରଙ୍କୁ ଦେଶ ମନେ ରଖିଛି ମୁଖ୍ୟତଃ ୫ଟି କାରଣରୁ । ପ୍ରଥମ: ଦେଶରେ ବିଧବା ବିବାହ ପ୍ରଚଳନ, ଦ୍ୱିତୀୟ: ନାରୀ ଶିକ୍ଷାକୁ ପ୍ରୋତ୍ସାହନ, ତୃତୀୟ: ବହୁ ବିବାହ ବନ୍ଦ- ଆଦି ବହୁ ସାମାଜିକ ସଂସ୍କାର, ଚତୁର୍ଥ: ଶିକ୍ଷା କ୍ଷେତ୍ରରେ ସଂସ୍କାର, ଏବଂ ପଞ୍ଚମ: ବଙ୍ଗଳା ଲିପିରେ ସଂସ୍କାର ଏବଂ ଆଧୁନିକ ଗଦ୍ୟ ଶୈଳୀର ଆରମ୍ଭ । ଏସବୁକୁ ନେଇ ସେ ବଙ୍ଗ ପ୍ରଦେଶରେ ଏକ ନବଯୁଗ(ରେନେସା) ଆଣିଥିଲେ । ୫ଟି ଯାକ କ୍ଷେତ୍ରରେ ତାଙ୍କର ଭୂମିକା ପାଇଁ ସେ ସ୍ମରଣୀୟ ହୋଇ ରହିଛନ୍ତି ।
Iswarchandra Vidyasagar |
ଏ ୫ଟି ଯାକ କ୍ଷେତ୍ରରେ ତାଙ୍କୁ କିନ୍ତୁ କଠୋର ବିରୋଧର ସମ୍ମୁଖୀନ ହେବା ପାଇଁ ପଡି଼ଥିଲା । ଅଳ୍ପ ବୟସରେ, ମାତ୍ର ୩୧ ବର୍ଷରେ (୧୮୫୧ ମସିହା) ସେ ଯେତେବେଳେ ସଂସ୍କୃତ କଲେଜର ଅଧ୍ୟକ୍ଷ ହୁଅନ୍ତି ଏବଂ ଶିକ୍ଷା ଓ ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ଆଣିବାକୁ ଚାହାଁନ୍ତି, ତାଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼େ । ସେତେବେଳେ କେବଳ ବ୍ରାହ୍ମଣମାନେ ସଂସ୍କୃତ ପଢ଼ୁଥିଲେ । ପ୍ରଥମ କରି ବିଦ୍ୟାସାଗର ଅନ୍ୟ ଜାତିର ଲୋକଙ୍କ ପାଇଁ ଦ୍ୱାର ଖୋଲିଦେଲେ । ଏଥିପାଇଁ ତାଙ୍କୁ ବ୍ରାହ୍ମଣ ସମାଜ ଘୋର ବିରୋଧ କରିଥିଲା ।
ବିଧବା ବିବାହ ଓ ନାରୀ ଶିକ୍ଷା- ଏ ଦୁଇଟି କ୍ଷେତ୍ରରେ ତାଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡି଼ଛି । ସେ ସମୟରେ ରୂଢ଼ିବାଦୀ ସମାଜରେ ବିଧବାମାନେ ବଡ଼ କଷ୍ଟରେ ଜୀବନ କଟାଉଥିଲେ । ସେମାନଙ୍କୁ ବିଭିନ୍ନ ବାଟରେ, ବିଭିନ୍ନ ଆଳରେ ଅତ୍ୟାଚାର କରାଯାଉଥିଲା, ମଣିଷ ଭାବରେ ସେମାନଙ୍କର ସ୍ଥିତି ନ ଥିଲା । ବିଦ୍ୟାସାଗର ଯେତେବେଳେ ବିଧବା ବିବାହ କଥା କହିଲେ, ପଣ୍ଡିତମାନେ ଶାସ୍ତ୍ରରେ ଏପରି ବିଧାନ ନଥିବା ଦର୍ଶାଇଥିଲେ । ବିଦ୍ୟାସାଗର କିନ୍ତୁ ଶାସ୍ତ୍ରାର୍ଥରେ ଥିଲେ ପାରଙ୍ଗମ । ପରାଶର ସଂହିତା ଶ୍ଳୋକରୁ ଉଦ୍ଧାର କରି ଦେଖାଇଥିଲେ ଯେ, ଆମ ଶାସ୍ତ୍ରରେ ମଧ୍ୟ କେତେକ ନିର୍ଦ୍ଧିଷ୍ଟ ପରିସରରେ ବିଧବା ବିବାହ ରହିଛି । ଶାସ୍ତ୍ରରେ ହାରିଯାଇ ପଣ୍ଡିତମାନେ ଏହା ସାମାଜିକ ରୀତିର ବିରୋଧ ଦର୍ଶାଇ ଜନମତ ସଂଗ୍ରହ କରିଥିଲେ । ବିଦ୍ୟାସାଗରଙ୍କୁ ବ୍ୟଙ୍ଗ ବିଦ୍ରୁପ କରିଥିଲେ । ତାଙ୍କ ବିରୋଧରେ କଲିକତା ରାସ୍ତାରେ ଆନ୍ଦୋଳନ କରାଇଥିଲେ । ଆକ୍ରମଣ ପାଇଁ ମଧ୍ୟ ଯୋଜନା କରାଯାଇଥିଲା । ଅବସ୍ଥା ଏମିତି ହେଲା, ବିଦ୍ୟାସାଗରଙ୍କ ବାପା ତାଙ୍କର ସୁରକ୍ଷା ପାଇଁ ଗାଁରୁ ଜଣେ ଦେହରକ୍ଷୀଙ୍କୁ ପଠାଇଥିଲେ । ଏହାସତ୍ତ୍ୱେ ମଧ୍ୟ ବିଦ୍ୟାସାଗର ଥିଲେ ନଛୋଡ଼ବନ୍ଧା । ଏ ସମୟରେ ସମାଜର ମଙ୍ଗୁଆଳମାନେ ଥିଲେ ତାଙ୍କ ବିରୋଧରେ । ବିଦ୍ୟାସାଗର ସରକାରଙ୍କୁ ଦସ୍ତଖତ ସମ୍ବଳିତ ଏକ ପିଟିସନ ପଠାଇଥିଲେ । ତାଙ୍କ ବିରୋଧୀମାନେ ୪ଗୁଣ ଅଧିକ ଦସ୍ତଖତ ସମ୍ବଳିତ ପିଟିସନ ପଠାଇଥିଲେ । ଏ ବିରୋଧର ନେତୃତ୍ୱ ନେଇଥିଲେ ଧର୍ମସଭା ଏବଂ ରାଧାକାନ୍ତ ଦେବ । ବିଦ୍ୟାସାଗର ତତ୍କାଳୀନ ଇଂରେଜ ଶାସକମାନଙ୍କୁ ବିଧବା ବିବାହର ଆବଶ୍ୟକତା ସମ୍ପର୍କରେ ଯୁକ୍ତି କଲେ । ଲର୍ଡ ଡେଲ୍ହାଉସି ହିନ୍ଦୁ ବିଧବା ବିବାହ ଆଇନ୍ର ଖସଡ଼ା ଘୋଷଣା ପ୍ରସ୍ତୁତ କରିଥିଲେ । ଲର୍ଡ କ୍ୟାନିଙ୍କ ସମୟରେ ଏହା ପାରିତ ହୋଇଥିଲା । ଲର୍ଡ ୱିଲିୟମ ବେଣ୍ଟିକ୍ଙ୍କ ଦ୍ୱାରା ୧୮୨୯ରେ ସତୀଦାହ ପ୍ରଥା ଉଚ୍ଛେଦ ପରେ ଏହା ଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ପ୍ରଥମ ସାମାଜିକ ସଂସ୍କାର ମୂଳକ ଆଇନ୍ ।
ଆଇନ୍ ପାସ ହେବା ଏବଂ ସମାଜିକ ସ୍ତରରେ ଗ୍ରହଣଶୀଳ ହେବା- ଏହା ଭିତରେ ଯୋଜନ ଯୋଜନ ଦୂରତ୍ୱ । ହେଲେ ଏହି ଆଇନ୍କୁ କାର୍ଯ୍ୟକାରୀ କରିବାରେ ବିଦ୍ୟାସାଗର ଆପ୍ରାଣ ଚେଷ୍ଟା କରିଥିଲେ । ନିଜ ଉଦ୍ୟମରେ, ପଇସା ଖର୍ଚ୍ଚ କରି ବହୁ ବିଧବାଙ୍କର ବିବାହ ସମ୍ପନ୍ନ କରାଇଥିଲେ । ନିଜର ଏକମାତ୍ର ପୁଅ ନାରାୟଣ ବନ୍ଦୋପାଧ୍ୟାୟଙ୍କର ବିବାହ ସେ ଜଣେ ବିଧବା ଝିଅ ସହିତ
କରାଇଥିଲେ ୧୮୭୦ ମସିହାରେ । ପରିବାର ଲୋକେ ଏଥିରେ ରାଜି ନ ଥିଲେ । ବିରୋଧ ସତ୍ତ୍ୱେ ସେ ତାହା କରାଇ ଦେଖାଇଥିଲେ ।
ନାରୀ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିଦ୍ୟାସାଗର ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ । ଏହା ସାମାଜିକ ରୀତିର ବିରୋଧୀ, ନାରୀ ଶିକ୍ଷିତ ହେଲେ ଘର ଭାଙ୍ଗିଯିବ, ନାରୀ ଶିକ୍ଷିତ ହେଲେ ବିଧବା ହୋଇଯିବ, ଏପରି ନାନା କଥା ଏବଂ ଗୁଜବ ରଚନା କରି ବିରୋଧ କରାଯାଉଥିଲା । ବଦ୍ଧପରିକର ବିଦ୍ୟାସାଗର କିନ୍ତୁ ନାରୀ ଶିକ୍ଷା ପାଇଁ ଲାଗି ପଡି଼ଥିଲେ । ସେ ଇନସପେକ୍ଟର ଅଫ୍ ସ୍କୁଲ ଥିଲା ବେଳେ ବଙ୍ଗଳାରେ ପାଖାପାଖି ୨୯ଟି ବାଳିକା ସ୍କୁଲ ସ୍ଥାପନା କରିଥିଲେ । କଲିକତାରେ ପ୍ରଥମ ବାଳିକା ସ୍କୁଲ ସ୍ଥାପନା କରିଥିଲେ ଜନ୍ ଏଲିଅଟ ଡ୍ରିଙ୍କୱାଟର ବେଥନ(୧୮୦୧-୧୮୫୧) । ଏ ସ୍କୁଲ ସ୍ଥାପନାରେ ବିଦ୍ୟାସାଗରଙ୍କ ଭୂମିକା ଥିଲା ବହୁତ । ସେ ଘରକୁ ଘର ଯାଇ ସ୍କୁଲରେ ଭର୍ତ୍ତି କରିବାକୁ ଝିଅର ବାପାମାନଙ୍କୁ ଅନୁରୋଧ କରୁଥିଲେ । କିନ୍ତୁ ତାଙ୍କୁ ଲୋକେ ବିରୋଧ କରୁଥିଲେ । ପ୍ରଥମେ ଏ ସ୍କୁଲରେ ମାତ୍ର ୬ଜଣ ଛାତ୍ରୀ ଭର୍ତ୍ତି ହୋଇଥିଲେ ।
ହିନ୍ଦୁ ସମାଜରେ ବିଶେଷ କରି କୁଳୀନ ବ୍ରାହ୍ମଣ ସମାଜରେ ବହୁ ବିବାହ ପ୍ରଥା ଥିଲା । ବିଦ୍ୟାସାଗର ଏ ପ୍ରଥାର ଘୋର ବିରୋଧୀ ଥିଲେ । ଏ ପ୍ରଥାକୁ ବନ୍ଦ କରିବା ପାଇଁ ସାମାଜିକ ଆନ୍ଦୋଳନ କରିଥିଲେ । ଏହାକୁ ମଧ୍ୟ ସେତେବେଳେ ବିରୋଧ କରାଯାଇଥିଲା । ବିଦ୍ୟାସାଗରଙ୍କ ଜୀବନକାଳ ଭିତରେ ବହୁ ବିବାହ ନିଷେଧ ଆଇନ୍ ଆସି ପାରିଲା ନାହିଁ । ଏ ଆଇନ୍ ବହୁ ପରେ ୧୯୫୫ରେ ଆସିଲା ।
ବଙ୍ଗଳା ଲିପି ଓ ଗଦ୍ୟ ଶୈଳୀରେ ବିଦ୍ୟାସାଗର ମୌଳିକ ସଂସ୍କାର ଆଣିଥିଲେ । ତତ୍କାଳୀନ ବିଦଗ୍ଧ ସମାଜର ଏକ ବଡ଼ ଅଂଶ ଏହାକୁ ବିରୋଧ କରୁଥିଲେ । କିନ୍ତୁ କୌଣସି ବିରୋଧକୁ ଭୃକ୍ଷେପ ନ କରି ତାଙ୍କ ଲକ୍ଷ୍ୟରେ ଅବିଚଳିତ ରହିଥିଲେ ବିଦ୍ୟାସାଗର । ଯାହାର ଫଳସ୍ୱରୂପ ଆଧୁନିକ ବଙ୍ଗଳାର ଗଦ୍ୟ ଶୈଳୀରେ ସରଳତା ଆସିଥିଲା । sailira
ସଂସ୍କାର ଫଳରେ ଗଦ୍ୟ ଆହୁରି ରୁଚିକର ହୋଇଥିଲା ।
ବିଦ୍ୟାସାଗର ଅନେକଙ୍କୁ ଅନେକ ବାଟରେ ସାହାଯ୍ୟ କରୁଥିଲେ । ଅନେକ ତାଙ୍କର ଦୟାଶୀଳତାକୁ ସୁଯୋଗ ବୋଲି ମନେକରି ତାଙ୍କୁ ଠକେଇଥିଲେ । ତାଙ୍କ ସଂସ୍କାର ଧର୍ମୀ କାର୍ଯ୍ୟରେ ପରିବାରର ଲୋକେ ମଧ୍ୟ ସମର୍ଥନ ଦେଇନଥିଲେ । ବସ୍ତୁତଃ ତାଙ୍କର ପାରିବାରିକ ଜୀବନ ସୁଖର ନ ଥିଲା । ସାମାଜିକ କ୍ଷେତ୍ରରେ ବିରୋଧ ଏବଂ ଏକ ଅସୁଖୀ ପାରିବାରିକ ଜୀବନ ତାଙ୍କୁ ଅତିଷ୍ଠ କରି ପକାଇଥିଲା । ତାଙ୍କ ଜୀବନର ଶେଷ ୨୦ ବର୍ଷ ବଙ୍ଗ ପ୍ରଦେଶ ଛାଡି଼ ବର୍ତ୍ତମାନ ଝାରଖଣ୍ଡର କାମାଟା ସ୍ଥିତ ଏକ ଆଦିବାସୀ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଘର କିଣି ରହୁଥିଲେ । ସେଠି ସେ ହୋମିଓପାଥି ଶିଖି, ସେଠାକାର ଅଞ୍ଚଳବାସୀଙ୍କୁ ଚିକିତ୍ସା କରୁଥିଲେ । ସେଠି ମଧ୍ୟ ସେ ବାଳିକା ବିଦ୍ୟାଳୟ ସ୍ଥାପନା କରିଥିଲେ ।
ବିଦ୍ୟାସାଗର ତାଙ୍କର ସାରା ଜୀବନ ସଂଗ୍ରାମ କରି ଆସିଛନ୍ତି । ପ୍ରାଥମିକ ଜୀବନରେ ଆର୍ଥିକ ଅନାଟନ ଭିତରେ ବିଦ୍ୟାର୍ଜନ ପାଇଁ ସଂଗ୍ରାମ । ପରବର୍ତ୍ତୀ ଜୀବନରେ ସାମାଜିକ, ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ସଂଗ୍ରାମ । ଆଉ ଏ ଦୀର୍ଘ ସଂଗ୍ରାମରେ ସେ ଖୁବ୍ ବେଶୀ ଲୋକହ୍କୁ ନିଜ ସପକ୍ଷରେ ପାଇନାହାନ୍ତି ।
ତାଙ୍କ ବିୟୋଗ ପରେ ରବିନ୍ଦ୍ରନାଥ ଠାକୁର ଲେଖିଥିଲେ ଯେ, ବଙ୍ଗ ପ୍ରଦେଶରେ ଘାସ, ଗୁଳ୍ମ ଭିତରେ ସେ ଥିଲେ ଏକ ମହାଦ୍ରୁମ । ତେବେ ଏ ମହାଦ୍ରୁମ ଥିଲା ଏକାକୀ । ନିସଙ୍ଗ । ତାଙ୍କ ସମସାମୟିକ ଲୋକମାନେ ତାଙ୍କର ଉଚିତ ମୂଲ୍ୟାୟନ କରିପାରିନାହାନ୍ତି । ସୁଖର କଥା ଇତିହାସ ତାହା କରିପାରିଛି ।
ଭାଷା
ଭାରତରେ ୧୯ହଜାର ୫ଶହରୁ ଅଧିକ ଭାଷା ରହିଛି । ତେବେ ମାତ୍ର ୧୨୧ଟି ଏମିତି ଭାଷା ଅଛି, ଯାହାକୁ ୧୦ହଜାରୁ ଊର୍ଦ୍ଧ୍ୱ ଲୋକ କହନ୍ତି । ଭାରତୀୟ ସମ୍ବିଧାନରେ ଅଷ୍ଟମ ଅନୁଚ୍ଛେଦରେ ୨୨ଟି ଭାଷା ରହିଛି । ଦେଶର ୯୬.୭୧ ପ୍ରତିଶତ ଲୋକଙ୍କର ମାତୃଭାଷା ଏହି ୨୨ଟି ଭାଷା । ପ୍ରଥମେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ୧୪ଟି ଭାଷା ଥିଲା । ସେଗୁଡ଼ିକ ହେଲା, ସଂସ୍କୃତ, ହିନ୍ଦୀ, ଉର୍ଦ୍ଦୃ, ଓଡି଼ଆ, ବଙ୍ଗଳା, ଅସମୀୟା, ମରାଠୀ, ଗୁଜରାଟୀ, ପଞ୍ଜାବୀ, କନ୍ନଡ, ତାମିଲ, ତେଲୁଗୁ, ମାଲାୟଲମ, କାଶ୍ମିରୀ । ୧୯୬୭ରେ ଏ ତାଲିକାରେ ସିନ୍ଧି ଭାଷାକୁ ଯୋଗ କରାଗଲା । ୧୯୯୨ରେ କଙ୍କଣୀ, ମଣିପୁରୀ, ନେପାଳି ଭାଷାକୁ ଏ ତାଲିକାରେ ସାମିଲ କରାଗଲା । ୨୦୦୪ରେ ବୋଡ଼, ଡୋଗ୍ରୀ, ମୈଥଳୀ ଏବଂ ସାନ୍ତାଳୀ ଭାଷାକୁ ଯୋଗ କରାଗଲା ।
ଅନୁସୂଚିତ ଭାଷାକୁ ଛାଡି଼ଦେଲେ ଅନ୍ୟ ଅନୁସୂଚିତ ଭାଷାର ମଧ୍ୟ ଏକ ତାଲିକା ରହିଛି । ଏ ତାଲିକାରେ ଥିବା ଭାଷାକୁ ଅନ୍ତତଃ ୧୦ହଜାର ଲୋକ ନିଜ ମାତୃଭାଷା ବୋଲି କୁହନ୍ତି । ୨୦୦୧ରେ ଏ ପ୍ରକାର ଭାଷାର ସଂଖ୍ୟା ଥିଲା ୧୦୦ । ୨୦୧୧ରେ ଏହା ୯୯କୁ ଖସି ଆସିଛି । ୨୦୦୧ ତାଲିକାରେ ଥିବା ସିମଟେ ଓ ଫାର୍ସୀକୁ ଏ ତାଲିକାରୁ ବାଦ୍ ଦିଆଯାଇଛି ଏବଂ ମାଓ ଭାଷାକୁ ସାମିଲ କରାଯାଇଛି । ସିମଟେ ଭାଷା ମଣିପୁର, ମିଜୋରାମର କେତେକ ସମ୍ପ୍ରଦାୟ ମଧ୍ୟରେ ପ୍ରଚଳିତ । ସେମିତି ମାଓ ଭାଷା ନାଗାଲାଣ୍ଡ, ମଣିପୁର, ବର୍ମା ସଂଲଗ୍ନ ଭାରତୀୟ ଅଞ୍ଚଳର କିଛି ସମ୍ପ୍ରଦାୟ କହନ୍ତି ।
ଦ୍ୱାଦଶ, ତ୍ରୟୋଦଶରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଫାର୍ସୀ ଭାଷା ମୋଗଲ ଓ ପଠାନ ଶାସିତ ଭାରତରେ ସରକାରୀ ଭାଷା ଥିଲା । ସମାଜର ଉଚ୍ଚ ବର୍ଗର ଲୋକମାନେ ଏହାକୁ ଏକ ଅତ୍ୟନ୍ତ ସମୃଦ୍ଧ ଭାଷା ଭାବରେ ଶିଖୁଥିଲେ । ଫାର୍ସୀ ଜାଣିବା ଆଭିଜାତ୍ୟ ସମ୍ପନ୍ନ ଭାବରେ ଗଣାଯାଉଥିଲା । ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାର ଉଦ୍ଭବରେ ଏବଂ ବିକାଶରେ ଫାର୍ସୀ ଭାଷାର ଏକ ବଡ଼ ଭୂମିକା ରହିଛି । ବଙ୍ଗଳା ଭାଷା ବିକାଶରେ ମଧ୍ୟ ଏକ ବଡ଼ ଭୂମିକା ରହିଛି । ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷାର ବ୍ୟାକରଣ, ଶବ୍ଦ ପ୍ରୟୋଗ ଏବଂ ଶବ୍ଦାବଳୀରେ ଫାର୍ସୀ ଭାଷାର ପ୍ରୟୋଗ ଏବେ ବି ରହିଛି । ହିନ୍ଦୀ ଶବ୍ଦଟି ମଧ୍ୟ ଫାର୍ସୀ ଭାଷାରୁ ଆସିଛି । ଉନବିଂଶ ଶତାବ୍ଦୀରେ ବଙ୍ଗ ପ୍ରଦେଶର ବିଦଗ୍ଧ ସମାଜ ଫାର୍ସୀ ଭାଷା ଜାଣିବାକୁ ଏକ ଆଭିଜାତ୍ୟର ପ୍ରତୀକ ଭାବେ ଗ୍ରହଣ କରୁଥିଲେ । ରାଜା ରାମମୋହନ ରାୟ
୧୮୨୨ ଏପ୍ରିଲ ୧୨ତାରିଖରୁ ଫାର୍ସୀ ଭାଷାରେ ‘ମିରଟ୍-ଉଲ-ଅଖବର’ ନାମକ ଏକ ଖବରକାଗଜ ପ୍ରକାଶିତ କରୁଥିଲେ ।
ଏହା ସତ୍ତେ୍
ଫାର୍ସୀ ଭାଷା ଏବେ ଅନ୍ୟ ଅନୁସୂଚିତ ଭାଷା ତାଲିକାରୁ ବାହାରି ଗଲା । ଏଥିରୁ ଆମକୁ ଏହା ଶିକ୍ଷା ମିଳେ
ଯେ ଭାଷା ଯଦି ବ୍ୟବହାର ନ ହେବ ତେବେ ତାହା ଧୀରେ ଧୀରେ ମରିଯିବ କିମ୍ବା ମୁ୍ୟଜିୟମ୍ରେ ରଖାହେଉଥିବା
ବସ୍ତì ହୋଇଯିବ । ତେଣୁ ଭାଷାକୁ ଯଦି ଆମେ ବଂଚେଇ ରଖିବା ପାଇଁ ଚାହୁଁ, ତେବେ ତାକୁ ଅଧିକ ବ୍ୟବହାର
କରିବା ଦରକାର ।
ବିଫଳତାର କାରଣ କଣ?
ଆମେରିକାର ଗୋଟେ ମହାକାଶଯାନ କିଛି ଦୂର ଉପରକୁ ଉଠି ପୁଣି ତଳେ ପଡ଼ିଗଲା । ଏପରି ବିଫଳତାର କାରଣ ଖୋଜିବା ପାଇଁ ନାସା ବିଭିନ୍ନ ଦେଶର ବୈଜ୍ଞାନିକଙ୍କୁ ଡକାଇ ବୈଠକ କଲା ।
ଜାପାନ- ଆଛା ଫୁଏଲ୍ ଫିଲଟର୍ ଠିକ୍ ଥିଲା?
ନାସା- ହଁ !
ରୁଷିଆ- ଲଂଚ୍ ପ୍ୟାଡ୍, ଲଂଚିଙ୍ଗ୍ ଭେଇକିଲ୍ ଇତ୍ୟାଦି ଠିକ୍ ଥିଲା?
ନାସା- ହଁ !
ଫ୍ରାନ୍ସ – ଇଂଜିନ୍ ସପୋର୍ଟ, ଭେଲୋସିଟି ଇତ୍ୟାଦି ଠିକ୍ ଥିଲା?
ନାସା- ହଁ!
ଭାରତ- ଲଂଚିଙ୍ଗ୍ ପୂର୍ବରୁ ଲେମ୍ବୁ ଲଙ୍କା ଟାଙ୍ଗିଥିଲ? ନଡ଼ିଆ ବାଡ଼େଇ ଥିଲ?
ନାସା- ନାଁ !
ଭାରତ- ଶଃ..ସେକଥା କହୁନା, ପୁରା ଅନୁକୁଳ ବିଗାଡ଼ି ଦେଇଛ । ଏବେ ନାମ ନିଅ ... !
ଦ୍ଵିତୀୟ ଚାଇନିଜ
ହୁଏନସାଙ୍କ ପରେ କରୋନା ହେଲା ଦ୍ଵିତୀୟ ଚାଇନିଜ ଯିଏ ସାରା ଭାରତ ଭ୍ରମଣ କରିଲାଣି।
***
No comments:
Post a Comment