ପଥେ ପ୍ରାନ୍ତରେ । ମୃଣାଳ । ୬.୯.୨୦୨୦
ଆଉ ଏକ ବିଶ୍ୱଯୁଦ୍ଧ
୭୫ ବର୍ଷ ତଳେ- ୧୯୪୫ ମସିହା ସେପେଫମ୍ବର ୨ ତାରିଖରେ ୬ ବର୍ଷ ଧରି ଚାଲିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହୋଇଥିଲା । ବିଶ୍ୱଯୁଦ୍ଧରେ ଗୋଟିଏ ପକ୍ଷରେ ଥିଲେ ଆମେରିକା, ଋଷିଆ, ବ୍ରିଟେନ୍, ଫ୍ରାନ୍ସ, ଚୀନ୍ । ଏମାନଂକୁ କୁହାଗଲା ମିତ୍ର ଶକ୍ତି । ଅନ୍ୟ ପକ୍ଷରେ ଜର୍ମାନୀ, ଜାପାନ ଆଉ ଇଟାଲି । ସେମାନଂକୁ କୁହାଗଲା ଅକ୍ଷ ଶକ୍ତି । ଆକ୍ସିସ୍ ପାୱାର ।
ପୃଥିବୀ ଇତିହାସରେ ସବୁଠାରୁ ଭୟାନକ ଏ ଯୁଦ୍ଧରେ ପ୍ରାଣ ହରାଇଥିଲେ ଅନ୍ତତଃ ସାଢ଼େ ଛ କୋଟି ଲୋକ । ଏହାର ସତୁରୀ ଶତାଂଶ ଥିଲେ ସାଧାରଣ ଲୋକ । ୬୦ ଲକ୍ଷ ଇହୁଦିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା । ହିରୋସୀମା ଓ ନାଗାସାକି ସହର ଉପରେ ପରମାଣୁ ବୋମା ବର୍ଷଣ କରାଯାଇଥିଲା, ଯେଉଁଥିରେ କେବଳ ଏହି ଦୁଇଟି ସହରରୁ ସାଢ଼େ ତିନି ଲକ୍ଷ ଲୋକ ପ୍ରାଣ ହରେଇଥିଲେ । ଏହା ପରେ ପରେ ଜାପାନ ନିଶର୍ତ୍ତ ଆତ୍ମସମର୍ପଣ କରିବାକୁ ରାଜି ହୋଇଥିଲେ ।
ଛ ବର୍ଷ କାଳ ଚାଲିଥିବା ଏ ଯୁଦ୍ଧ ପାଇଁ ବାସଚ୍ୟୁତ ହୋଇଥିଲେ ଲକ୍ଷ ଲକ୍ଷ ଲୋକ । ବହୁ ବର୍ଷ ଯାଏଁ ସେମାନଂକୁ ଶରଣାର୍ଥୀର ଦୟନୀୟ ଜୀବନ କଟେଇବାକୁ ପଡ଼ିଥିଲା ।
ଯୁଦ୍ଧର ଭୟାବହତା ଓ ବ୍ୟାପକ ଧ୍ୱଂସ ଲୀଳାରେ ବିଶ୍ୱ-ବିବେକ ଆନ୍ଦୋଳିତ ହୋଇ ଉଠିଥିଲା । ସେତେବେଳେ ସମସ୍ତେ ଚାହୁଁଥିଲେ ବିଶ୍ୱରେ ଶାନ୍ତି ଫେରିଆସୁ । ନିରାପତ୍ତା ଓ ସମୃଦ୍ଧି ଫେରିଆସୁ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଯେମିତି ସମଗ୍ର ବିଶ୍ୱକୁ କବଳିତ କରିଥିଲା- ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୫ ବର୍ଷରେ ବର୍ତ୍ତମାନ କରୋନା ମହାମାରୀ ସେମିତି ସମଗ୍ର ବିଶ୍ୱକୁ କବଳିତ କରିଛି । କରୋନାର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ଅଧିକ ସହଯୋଗର ଆବଶ୍ୟକତା ଦେଖାଦେଉଛି । ଆଶା କରାଯାଉ, ଏ ଦାରୁଣ ବିପତ୍ତି ସମୟରେ ଲୋକେ ଏବଂ ପୃଥିବୀର ଦେଶମାନେ ପାରସ୍ପରିକ ହିଂସା, ଦେ୍ୱଷରୁ ଦୂରେଇ ସହଯୋଗ ଓ ଶାନ୍ତିର ବାଟ ଆପଣାଇବେ ।
ଆମକୁ ସାରା ବିଶ୍ୱରେ କରୋନା ବିରୋଧରେ ଏକ ଯୁଦ୍ଧ ଲଢ଼ିବାକୁ ପଡ଼ିବ । ଆଉ ଏ ଯୁଦ୍ଧ ଖୁବ ଶୀଘ୍ର ସରିବ ନାହିଁ । ତେଣୁ ଆମକୁ ସେଥିପାଇଁ ପ୍ରସ୍ତìତ ହେବାକୁ ପଡ଼ିବ ।
ପଦ୍ୟ ଆଉ ଗଦ୍ୟ
ଅନେକେ ପଚାରନ୍ତି: ପଦ୍ୟ ଆଉ ଗଦ୍ୟ ଭିତରେ ଫରକ କଣ? ଆଗରୁ ଫରକଟା ବୁଝା ପଡ଼ୁଥିଲା । କବିତାରେ ପଦ ପଡ଼ୁଥିବ, ଗଦ୍ୟରେ ତାହା ନାହିଁ । ହେଲେ ଆଜିକାଲି ଯେମିତି ଗଦ୍ୟ-କବିତା ଲେଖାଯାଉଛି, ସେଥିରେ ତ ଫରକ ଜାଣିବା କଷ୍ଟ ।
ମୋର ଯାହା ମନେ ହୁଏ, କବିତା ଆଉ ଗଦ୍ୟ ଭିତରେ ସବୁଠୁଁ ବଡ଼ ଫରକ ହେଲା: କବିତା କିଛି ବୁଝି ହେଉଥିବ ଆଉ କିଛି ବୁଝିବାର ପରିସୀମା ବାହାରେ ଥିବ । ପଦ୍ୟ ଯଦି ସବୁ ବୁଝି ହେଇ ଯାଉଥିବ- ସମୟ ସହିତ ତାର ମାନେ ନ ବଦଳୁଥିବ ତେବେ ତାହା ଭଲ କବିତା ନୁହେଁ । ହେଲେ ଗଦ୍ୟ ଯଦି ଅବୁଝା ରହିଗଲା, ତାହେଲେ ତାହା ଭଲ ଗଦ୍ୟ ନୁହେଁ । କବିତାର ଅର୍ଥ ସମୟ ସହିତ ବଦଳିଯାଇପାରେ । ବିଭିନ୍ନ ଲୋକ ଗୋଟିଏ କବିତା ଭିତରୁ ବିଭିନ୍ନ ରସ ଆସ୍ୱାଦନ କରି ପାରନ୍ତି । ଗଦ୍ୟ ସହିତ ସେମିତି ହେବା ଉଚିତ ନୁହେଁ । ଯଦି ହେଲା ତେବେ ତାହା ଭଲ ଗଦ୍ୟ ନୁହେଁ ।
ଶବ୍ଦ
କରୋନା ଆମ ଦେଶରେ ଆସିଲାଣି- ସାତ ମାସ ହୋଇଗଲାଣି । ଏ ସମୟ ଭିତରେ କରୋନା ସମ୍ପର୍କୀୟ ବେଶ କିଛି ଶବ୍ଦ ସହିତ ଆମେ ବେଶ ପରିଚିତ ହୋଇଗଲେଣି । ଯେମିତି କ୍ୱାରେଣ୍ଟାଇନ, ଆଇସୋଲେସନ୍, ସୋସିଆଲ୍ ଡିସ୍ଟାନ୍ସିଂ, ସ୍ୱାବ୍, ଇତ୍ୟାଦି । ଲକ୍ଷ୍ୟ କରିବେ ଏ ସବୁ ଶବ୍ଦଗୁଡ଼ିକ ଇଂରାଜୀ । ଜଣେ ମୋତେ କହିଲେ: ଆଚ୍ଛା କଥା, ରୋଗଟା ଆସିଲା ଚୀନ୍ରୁ, ରୋଗ ସମ୍ପର୍କିୟ ଶବ୍ଦ ସବୁ ଇଂରାଜୀ । ଆମର ଓଡ଼ିଆ ଶବ୍ଦ କିଛି ରହିବ ନା ନାହିଁ? ବନ୍ଧୁଙ୍କ କଥାରେ ଦମ୍ ଅଛି । ସେଠୁ ମୁଁ ଓଡ଼ିଆ ପ୍ରତିଶବ୍ଦ ଖୋଜିବାରେ ଲାଗିଲି ।
କ୍ୱାରେଣ୍ଟାଇନ୍ର ଓଡ଼ିଆ ପ୍ରତିଶବ୍ଦ କଣ ହେବ? ନିଃସଙ୍ଗବାସ । ଏକା ବାସ । ଆଇସୋଲେସନ୍ର ଓଡ଼ିଆ କଣ କରିବା? ସଂଗରୋଧ ନା ଏକାନ୍ତବାସ । ହୋମ୍ ଆଇସୋଲେସନ୍କୁ ଗୃହାବଦ୍ଧ କୁହାଯାଇପାରିବ?
ସୋସିଆଲ୍ ଡିସ୍ଟାନ୍ସିଂ ଶବ୍ଦଟିକୁ ଓଡ଼ିଆରେ ଅନେକେ ସାମାଜିକ ଦୂରତା ବୋଲି କହୁଛନ୍ତି । ହେଲେ ଓଡ଼ିଆରେ ସାମାଜିକ ଦୂରତା କହିଲେ ତା ମାନେଟା ଟିକେ ଭିନ୍ନ ହୋଇଯାଉଛି । ଏହାକୁ ଫିଜିକାଲ୍ ଡିସ୍ଟାନ୍ସିଂ ବା ଭୌତିକ ଦୂରତା କହିଲେ ଠିକ୍ ହେବ କି? ନା ଭୌତିକ ଶୁଣି ଲୋକେ ଭୂତ କଥା ଭାବିବେ?
ଓଡ଼ିଆ-ଭାଷା ସାହିତ୍ୟ ଗବେଷକମାନେ ଏ ଦିଗରେ କିଛି ଗବେଷଣା କରିବେ କି?
ମୁଡ୍
ମୋ ମୁଡ୍ ବି ଆଜିକାଲି ମେଡ୍ ଇନ୍ ଚାଇନା ଭଳି ହେଲାଣି । ଅଚାନକ ଖରାପ ହୋଇଯାଉଛି । ଆକାଶରେ କଳା ବାଦଲ ଦେଖିଲେ ମୁଡ୍ ଖରାପ ହୋଇଯାଉଛି । ଗତ କିଛିଦିନ ହେଲା ଝିପିଝିପି ବର୍ଷା ଲାଗି ରହିଛି । ଚାରିଆଡ଼େ ଚପର ଚପର ପାଣି । ଲୁଗାପଟା ଶୁଖୁନୁ । ଦିଆଶିଲି ଏକାଥରେ ଜଳୁନି । ତେଣୁ ମୁଡ୍ ଖରାପ ହୋଇଯାଉଛି । ପୁଣି ଆକାଶରେ ବାଦଲ ନ ରହି- ଖରା ରହିଲେ ବି ମୁଡ୍ ଖରାପ ହୋଇଯାଉଛି । ବର୍ଷା ଦିନେ ଆକାଶରେ ମେଘ କେମିତି ନ ରହିବ! ଆମ ଏରିଆରେ ସଟ୍-ଡାଉନ୍ ଘୋଷଣା କରା ଯାଇଛି । ବାହାରକୁ ବାହାରି ହେଉନି । ମୋ ମୁଡ୍ ଖରାପ । ବଜାରରେ ଭିଡ଼ ହେଉଛି । ଲୋକେ ମୁଖା ନ ପିନ୍ଧି ବାହାରକୁ ବୁଲି ଯାଉଛନ୍ତି । ସେଥିରେ ବି ମୋ ମୁଡ୍ ଖରାପ ହୋଇଯାଉଛି । ମୋଟାମୋଟି କହିଲେ ସବୁକଥା ବା ବିନା କଥାରେ ମୋ ମୁଡ୍ ଖରାପ ହେଉଛି । କେବେ କେଜାଣି ମୁଡ୍ ଖରାପ ନ ହେବାର ଟିକା ବାହାରିବ ।
ମଧ୍ୟବିତ୍ତର ଦୁଃଖ
କରୋନା କାଳରେ ସବୁଠୁଁ ଯଦି କେହି କଷ୍ଟ ପାଉଥାଏ- ତେବେ ସେ ହେଲା ମିଡଲ୍କ୍ଲାସ୍ ଲୋକ । ମଧ୍ୟବିତ୍ତ ଶ୍ରେଣୀ । ବଡ଼ ଲୋକଙ୍କ ଅଛି ସେ ଚଳିବେ । ଗରିବ ଲୋକଙ୍କୁ ସରକାର ଦେବେ ସେ ଚଳିବେ । ମିଡ୍ଲ କ୍ଲାସ୍- ଖଟିଲେ ଖାଇବେ । ରୋଜଗାର କଲେ ଚଳିବେ । ଲକ୍-ଡାଉନ୍, ସଟ୍-ଡାଉନ୍ ଭିତରେ ସେମାନଙ୍କର ରୋଜଗାର ବନ୍ଦ । ସେମାନେ ଚଳିବେ କେମିତି?
ଭାଗ୍ୟବାନ
ସୁନୀତା ବୋଲି ଝିଅଟିକୁ ସୁନୀଲ ଆଉ ଅନିଲ ଦୁହେଁ ଭଲ ପାଉଥିଲେ । ଦୁହେଁ ତାକୁ ବାହା ହେବା ପାଇଁ ଚାହୁଁଥିଲେ । ସୁନୀତା କନ୍ଫ୍ୟୁଜ୍ ହୋଇ ଗଲା । ପହଞ୍ଚିଲା ଜଣେ ଜ୍ୟୋତିଷଙ୍କ ପାଖକୁ । ପଚାରିଲା, ମହାରାଜ, ସୁନୀଲ୍ ଅନିଲ ଦୁହେଁ ମୋତେ ଭଲ ପାଉଛନ୍ତି, ଦୁହେଁ ମୋତେ ବାହା ହେବା ପାଇଁ ଚାହୁଁଛନ୍ତି । ମୋତେ କୁହନ୍ତି କିଏ ହେବ ଭାଗ୍ୟବାନ?
ଜ୍ୟୋତିଷ ଗଣନା କରି ଉତ୍ତର ଦେଲେ: ଅନିଲ ହେବ ଭାଗ୍ୟବାନ ଆଉ ସୁନୀଲ ତମକୁ ବାହା ହେବ ।
ଲକ୍ଷଣ
ଝାଳ ବାହାରିବା, ଦେହ ଦୁର୍ବଳ ଲାଗିବା, ପେଟ କାଟିବା, ଝାଡ଼ା ଲାଗିବା... ଏସବୁ କରୋନା ଭାଇରସ୍ ଇନ୍ଫେକ୍ସନର ଲକ୍ଷଣ । ତେବେ ଏସବୁ ଲକ୍ଷଣ ସେତେବେଳେ ବି ଦେଖାଯାଏ, ଯେତେବେଳେ ଜଣେ ପୁରୁଷ ଦେଖେ ଯେ ତା ପନିୀ ତା ମୋବାଇଲ୍କୁ ଚେକ୍ କରୁଛି ।
ଗୁରୁ-ଜ୍ଞାନ
କାମନା ଥାଉ ଥାଉ ଯଦି ପ୍ରାଣ ଚାଲିଗଲା, ତେବେ ତାହା ହେଲା ମୃତ୍ୟୁ । ଆଉ ଯଦି ପ୍ରାଣ ଥାଉ ଥାଉ କାମନା ଚାଲିଗଲା, ତେବେ ତାହା ହେଲା ମୁକ୍ତି ।
***
ସଂଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧
ମୋବାଇଲ୍: ୯୪୩୭୦୨୬୧୯୪
No comments:
Post a Comment