Saturday, 12 September 2020

Column | Pathe Prantare | 13.9.2020

ପଥେ ପ୍ରାନ୍ତରେ । ମୃଣାଳ । ୧୩.୯.୨୦୨୦ 
ହସ୍ତାକ୍ଷର 
କରୋନା-କାଳରେ ଆପଣଙ୍କ ଆଖିରେ ପଡ଼ିଥିବ କି ନାହିଁ- ଇତିମଧ୍ୟରେ ହାଇକୋର୍ଟ ଡାକ୍ତରମାନଙ୍କୁ ସ୍ପଷ୍ଟ ଓ ବଡ଼ ଅକ୍ଷରରେ ପ୍ରେସ୍କ୍ରିପ୍ସନ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବସ୍ର କଣ୍ଡକଫର ଆଉ ଡାକ୍ତରମାନଙ୍କ ହସ୍ତାକ୍ଷର ଯେ ଖରାପ ଏକଥା ସମସ୍ତେ ଜାଣନ୍ତି । ଡାକ୍ତରଙ୍କ ଲେଖା ସାଧାରଣ ଲୋକ ପଢ଼ି ବୁଝିବା କଷ୍ଟ । କାଲ ଠାର କାଲ ମା ଜାଣିଲା ଭଳି କେବଳ ଔଷଧ ଦୋକାନୀମାନେ ତାହା ପଢ଼ି ପାରନ୍ତି । 
ଏହାକୁ ନେଇ ଗୋଟେ ପୁରୁଣା ଗୁଲି ଶୁଣେଇ ଦିଏ । ଗୁଲିଟା ଟିକେ ପୁରୁଣା । ଦିନେ ସଂଜ ବେଳେ ଦେଖାଗଲା ଔଷଦ ଦୋକାନ ବାହାରେ ଜଣେ ସଦ୍ୟ ବିବାହିତ ଯୁବତୀ । ଔଷଦ ଦୋକାନୀ କହିଲେ: କଣ ନେବେ? ଯୁବତୀ କହିଲେ ଆପଣ ଟିକେ ଫାଙ୍କା ହୁଅନ୍ତୁ -କହୁଛି । ଔଷଧ ଦୋକାନୀ ଫାଙ୍କା ହେଲା ପରେ ପରେ କହିଲେ: ଏବେ କୁହନ୍ତୁ । ଯୁବତୀ ତାଙ୍କ ହାତକୁ ଚିଠିଟିଏ ବଢ଼େଇ ଦେଇ କହିଲେ: ମୋ ସ୍ୱାମୀ ଡାକ୍ତର । ସେ ଦୂର ଜାଗାରେ ଚାକରି କରନ୍ତି । ମୋତେ ଚିଠିଟିଏ ଲେଖିଛନ୍ତି । ତାଙ୍କ ହସ୍ତାକ୍ଷର ମୁଁ ବୁଝିପାରୁନି । ଆପଣ ଯଦି ପଢ଼ିଦିଅନ୍ତେ! 
ଏ ଗୁଲିଟି ପୁରୁଣା । ମୋବାଇଲ୍ ଯୁଗରେ କେଉଁ ଡାକ୍ତର ତାଙ୍କ ନବବିବାହିତା ସ୍ତ୍ରୀ ପାଖକୁ ଚିଠି ଲେଖିବ କହୁନାହାନ୍ତି! ହେଲେ ହାଇକୋର୍ଟ ଡାକ୍ତରଙ୍କ ହସ୍ତାକ୍ଷର ଉପରେ ମନ୍ତବ୍ୟ ଦେବା ପରେ ଦୁଇ ତିନୋଟି କଥା ମନକୁ ଆସୁଛି । ପିଲାଙ୍କ ଭଳି ଡାକ୍ତରଙ୍କୁ କଣ ହସ୍ତାକ୍ଷର ଲେଖିବାକୁ ପଡ଼ିବ? ଏହା ସହିତ ଆଉ ଗୋଟେ କଥା ଲକ୍ଷ୍ୟ କରନ୍ତୁ: ହାଇକୋର୍ଟକୁ କେତେକଥା ବୁଝିବାକୁ ପଡ଼ୁଛି । ସହରର ନଳା ସଫା ହେଲା କି ନାହିଁଠୁଁ ଆରମ୍ଭ କରି କାହା ହସ୍ତାକ୍ଷର ଖରାପ ହେଲା- ସେକଥା ବି ବୁଝିବାକୁ ପଡ଼ୁଛି । ସେଇଥିପାଇଁ ବୋଧହୁଏ ହାଇକୋର୍ଟମାନଙ୍କରେ ଏତେ ମକଦ୍ଦମା ବର୍ଷ ବର୍ଷ ଧରି ପଡ଼ି ରହିଛି । 
ଆଚ୍ଛା ହାଇକୋର୍ଟ ଡାକ୍ତରଙ୍କ ହସ୍ତାକ୍ଷରକୁ ନେଇ ପଡ଼ିଲେ କାହିଁକି? ୨୦୧୬ ସେପେଫମ୍ବର ୨୧ରେ ମେଡିକାଲ୍ କାଉନସିଲ ଅଫ ଇଣ୍ଡିଆ କୁଆଡ଼େ ପ୍ରେସ୍କ୍ରିପ୍ସନରେ ଔଷଧର ନାଁ କ୍ୟାପିଟାଲ୍ ଅକ୍ଷରରେ ବଡ଼ କରି ସ୍ପଷ୍ଟ କରି ଲେଖଇବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । ହାଇକୋର୍ଟ ଏ ନିର୍ଦେଶନାମା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଙ୍କ ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ଜଣଙ୍କର ଜୀବନ ପ୍ରଭାବିତ ହେବା ଭଳି ପରିଣତି ଭୋଗ କରିବାର ଆଶଙ୍କା ରହିବାଥିବା ପ୍ରସଙ୍ଗକୁ ଦୃଷ୍ଟିିରେ ରଖି ହାଇକୋର୍ଟ ଏପରି ନିିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି । 
ଦୂରଦର୍ଶନ 
ଆସନ୍ତା ସେପ୍ଟେମ୍ବର ୧୫ରେ ଦୂରଦର୍ଶନକୁ ୬୧ ବର୍ଷ ପୂରିବ । ୧୯୫୯ର ଏଇ ଦିନରେ ଦିଲ୍ଲୀରେ ଦୂରଦର୍ଶନର ଆରମ୍ଭ । ଉଦ୍ଦେଶ୍ୟ ଥିବା ଲୋକ-ହିତ । ପବ୍ଲିକ ସର୍ଭିସ । ରେଡିଓ, ଫିଲ୍ମ୍, ଟେଲିଫୋନ ପରି ଯୋଗାଯୋଗ ମାଧ୍ୟମ ଉଦ୍ଭାବନ ହେବାର ଖୁବ କମ୍ ସମୟ ଭିତରେ ଭାରତକୁ ଆସିଯାଇଥିଲା । ହେଲେ ଟେଲିଭିଜନ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଏ।


ଟେଲିଭିଜନ ଉଦ୍ଭାବନ ହୋଇଥିଲା ୧୯୨୦ ପାଖାପାଖି ସମୟରେ । ହେଲେ ଭାରତକୁ ଆସିଲା ୪୦ ବର୍ଷ ପରେ । ପ୍ରଥମେ ପରୀକ୍ଷାମୂଳକ ଭାବରେ । ୟୁନେସ୍କୋ ସହଯୋଗିତାରେ ପାଞ୍ଚ କିଲୋୱାଟ୍ ଟ୍ରାନ୍ସମିଟର ସାହାଯ୍ୟରେ ଦୂରଦର୍ଶନର କାର୍ଯ୍ୟକ୍ରମ ଆରମ୍ଭ ହେଲା । ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଏହାକୁ ଉଦ୍ଘାଟନ କରିଥିଲେ । ସପ୍ତାହରେ ଦୁଇଦିନ, ଦିନକୁ ଘଣ୍ଟାଏ କାର୍ଯ୍ୟକ୍ରମ ପ୍ରସାରିତ ହେଲା । ୧୯୬୪ ବେଳକୁ ଫୋର୍ଡ ଫାଉଣ୍ଡେସନ୍ ସହାୟତାରେ ସ୍କୁଲ ଛାତ୍ରମାନଙ୍କ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଗଲା । ଦୈନିକ କାର୍ଯ୍ୟକ୍ରମ ଆରମ୍ଭ ହେଲା ୧୯୬୫ରେ । ସେଇ ବର୍ଷ ସମ୍ବାଦ ପ୍ରସାରଣ ବି ଆରମ୍ଭ ହେଲା । ୧୯୬୭ରେ ଆରମ୍ଭ ହେଲା କୃଷି ଦର୍ଶନ । ୧୯୭୨ରେ ଦୂରଦର୍ଶନର କାର୍ଯ୍ୟକ୍ରମ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ଏବଂ ଅମୃତସରକୁ ମଧ୍ୟ ପ୍ରସାରଣ ହେଲା । ୧୯୭୫ରୁ ୧୯୭୭ ଦୂରଦର୍ଶନ ମାଧ୍ୟମରେ ସାଟେଲାଇଟ୍ ସାହାଯ୍ୟରେ ଦେଶବ୍ୟାପୀ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନତା ବୃଦ୍ଧି ପାଇଁ ପ୍ରୟାସ କରାଯାଇଥିଲା । ତେବେ ଦୂରଦର୍ଶନର ବ୍ୟାପକ ଅଭିବୃଦ୍ଧି ହେଲା ଅଶୀ ଦଶକ ଆରମ୍ଭରେ । ୧୯୮୨ ଏସିଆଡ୍ ଦୂରଦର୍ଶନ କଭରେଜ୍ ଦୂରଦର୍ଶନ ପାଇଁ ଏକ ମାଇଲ୍ଖୁଣ୍ଟ । ସେଇ ବର୍ଷ ଅଗଷ୍ଟ ୧୫ ତାରିଖରୁ ରଂଗୀନ ଚିତ୍ର ପ୍ରସାରଣ ବି ଆରମ୍ଭ ହେଲା । ୧୯୮୪ରେ ଧାରାବାହିକୀ ଆରମ୍ଭ ହେଲା । 
୧୯୯୧ରେ ଭାରତରେ ବେସରକାରୀ ଟେଲିଭିଜନର ପ୍ରସାରଣ ଆରମ୍ଭ ହେବା ପରେ ଦୂରଦର୍ଶନର ଦର୍ଶକ ସଂଖ୍ୟାରେ ହ୍ରାସ ଘଟିଛି । ତେବେ ଏବେ ବି ରାଷ୍ଟ୍ରୀୟ ପ୍ରସାରକ ଭାବେ ଦୂରଦର୍ଶନ ତାର କର୍ତ୍ତବ୍ୟ ନିଷ୍ଠାର ସହିତ କରି ଚାଲିଛି ।
 ବାଥ୍ରୁମରେ ଗୀତ 
ବାଥ୍ରୁମରେ ପଶିଲେ ଅନେକଂକୁ ଗୀତ ମାଡ଼େ । ବିଭିନ୍ନ ରକମର ଗୀତ । ଆମର ଧାରଣା ହେଲା: ବାଥ୍ରୁମ୍ରେ ଗୀତ ମାନେ ହ୍ୟାପି ଫ୍ୟାମିଲି । ସୁଖୀ ପରିବାର । ଲକ୍ଷ୍ୟ କରିବେ ଶୀତ ଦିନେ ବାଥ୍ରୁମ୍ରେ ଗୀତ ଟିକେ ଅଧିକ ଶୁଭେ । ୧୯୭୮ରେ ଗୋଟେ ଗୀତ ଭାରି ଜନପ୍ରିୟ ହୋଇଥିଲା: ଥଣ୍ଡେ ଥଣ୍ଡେ ପାନିମେଁ ନାହାନା ଚାହିଏ, ଗାନା ଆୟେ ୟା ନା ଆୟେ ଗାନା ଚାହିଏ । ପାଣି ଯେତେ ଥଣ୍ଡା, କଣ୍ଡସ୍ୱର ସେତେ ଉଚ୍ଚ ହେବ । ଅନେକେ ତ ଦୂରରୁ ଗୀତ ଶୁଣି କହିଦେବେ ଲୋକଟା ପାଣି ମୁଣ୍ଡରେ ଢ଼ାଳିଲା କି ନାହିଁ । 
ଆଚ୍ଛା ବାଥ୍ରୁମ୍ରେ ପୁଣି କି ଗୀତ ଗାଇବେ ତାର କିଛି ନିୟମକାନୁନ ଅଛି । ଧରନ୍ତୁ ଆପଣ ପିଆ ତୁ ଅବ୍ ତୋ ଆ ଯା- ଜାତୀୟ ହଟ୍ ଗୀତ ଗାଇଲେ । ତାକୁ ଯିଏ ଶୁଣିବ- ବିଶେଷ କରି ପଡ଼ୋଶୀଂକ ପନିୀ ଯଦି ଶୁଣନ୍ତି ତେବେ ତାରି ଖରାପ ଭାବି ପାରନ୍ତି । ସେମିତି ବାଥ୍ରୁମ୍ରେ ଆପଣ ଭଜନ ଗାଇ ପାରିବେନି । ଗାଧୋଇ ସାରିଲା ପରେ ଅନେକେ ଭଜନ ଗୁଉଗୁଣାନ୍ତି । ହେଲେ ଗାଧୋଇବା ପୂର୍ବରୁ ବା ଗାଧୋଇବା ବେଳେ ଭଜନଟା ଆପ୍ରୋପ୍ରିଏଟ୍ ଲାଗିବ ନାହିଁ । ସେମିତି ବାଥ୍ରୁମ୍ରେ ଦେଶାତ୍ମବୋଧକ ଗୀତ- ଠିକ୍ ଖାପ ଖାଉନି । ବାଥ୍ରୁମ୍ ଭିତରେ ଝଣ୍ଡା ଉଚ୍ଚା ରହେ ହମାରା- ଜାତୀୟ ଗୀତ କଣ ଭଲ ଲାଗିବ! 
ଆଚ୍ଛା ଗୀତ ଗାଇବେ ଯେ ଲିରିକ ତ ଆମର ଅନେକ ସମୟରେ ମନେ ରହେନି । କଣ କରାଯାଏ? ଆମ ନବଘନ ଗୀତର କଥାଗୁଡ଼ାକ ଡଟ୍ ପେନ୍ରେ ଲେଖି ପଲିଥିନ୍ ଭିତରେ ପୁରେଇ କାନ୍ଥରେ ଟାଂଗିଦଉଛି । ତାକୁ ଦେଖି ଦେଖି ଗୀତ ଗାଉଛି । ରିୱାଜ୍ଟା ତାର ସେଇଠି ହୋଇଯାଉଛି । ବାହାରେ କଲେ ଲୋକେ ମାରି ଗୋଡ଼ଉଛନ୍ତି । କୁକୁର ଭୁକୁଛି, କାମୁଡ଼ି ଗୋଡ଼ଉଛି । ତେଣୁ ସେ ବାଥ୍ରୁମ୍ ଭିତରେ ରିୱାଜ କରେ । ସେଟା ବଡ଼ ସେଫ୍ ଜାଗା । କେବଳ ରଂଗବତୀ ଶର୍ତ୍ତ ରଖିଛି ସକାଳେ ସେ ବାଥ୍ରୁମ୍ରେ ପଶିବନି । ସମସ୍ତଙ୍କ ବାଥ୍ରୁମ୍ କାମ ସରିଲା ପରେ ଯାଇ ପଶିବ । 
ନବଘନର ଶାୟରୀ 
ଇନ୍ ନିଗାହୋଁ କୋ ଭି ମାସ୍କ୍ ପହନାଦୋ ମୁଝେ ସଂକ୍ରମିତ ହୋନେ କା ଡର୍ ଲଗତା ହୈ ଏ ଚାହାଣୀକୁ ବି ମୁଖା ପିନ୍ଧେଇ ଦିଅ, ସୁନ୍ଦରୀ ମୋତେ ସଂକ୍ରମଣ ହେବାର ଭୟ ଲାଗୁଛି । 
ଗୁରୁ-ଜ୍ଞାନ 
ଆମ ଲୋକେ ଜୀବନଠୁଁ ମୃତ୍ୟୁରେ ଅଧିକ ଧନ ଖର୍ଚ୍ଚ କରନ୍ତି । ପାଞ୍ଚ ଟଂକାର ଗୁଟ୍ଖା, ଦଶ ଟଂକାର ସିଗାରେଟ୍ କିଣି ଖାଇବେ- ଦି ଟଂକାର କଦଳି କିଣି ଖାଇବେ ନି ।
  *** 
ସଂଚାର ମାର୍ଗ, ଢେଙ୍କାନାଳ ୭୫୯୦୦୧

No comments:

Post a Comment