Nirbhay, 28.9. 2020. |
Sunday, 27 September 2020
Saturday, 26 September 2020
Column | Odia| Pathe Prantare | 27.9.2020
ପଥେ ପ୍ରାନ୍ତରେ । ମୃଣାଳ । ୨୭.୯.୨୦୨୦
କରୋନା କାଳରେ ନିଜସ୍ୱ ନିସଙ୍ଗତା
ଭାରତକୁ କରୋନା ଆସିବାର ୨୫୦ ଦିନରୁ ଅଧିକ ହୋଇଗଲାଣି । ପ୍ରଥମ ଲକ୍ଡାଉନ ଆରମ୍ଭ ହୋଇଥିଲା ମାର୍ଚ୍ଚ ମାସର ଶେଷ ଆଡ଼କୁ । ଏଇ କେତୋଟି ମାସ ଭିତରେ ମହାମାରୀ ପୃଥିବୀର ଅର୍ଥନୀତି ସହିତ ଆମ ଜୀବନ ଉପରେ ମଧ୍ୟ ଅତ୍ୟନ୍ତ ବିରୂପ ପ୍ରଭାବ ପକାଇଛି । ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଲୋକେ ଏକାଠି ହେବା କଷ୍ଟକର । ସାମାଜିକ ମିଳାମିଶା କମିଛି । ତେଣୁ ନିସଙ୍ଗତା ବଢ଼ି ଯାଇଛି । ଭାରତର ଅର୍ଥନୀତି ଉପରେ କେତେଦୂର ବିରୂପ ପ୍ରଭାବ ପଡ଼ିଛି, ତାହା ସମସ୍ତେ ଜାଣନ୍ତି । ବେରୋଜଗାରୀ ବ୍ୟାପକ ଭାବେ ବଢ଼ିଛି । କେବଳ କୃଷିକୁ ଛାଡି଼ଦେଲେ ଉତ୍ପାଦନ(ମ୍ୟାନୁଫାକ୍ଚରିଂ), ସେବା(ସର୍ଭିସ) ଏବଂ ଅନ୍ୟାନ୍ୟ ପ୍ରାୟ ସବୁ କ୍ଷେତ୍ର ଅତ୍ୟନ୍ତ ପ୍ରଭାବିତ ହୋଇଛି । ଏକାକୀ ଏବଂ ନିସଙ୍ଗ ଭାବେ ଦୀର୍ଘଦିନ ଧରି ର୍ଘଦିନ
ଧରି ରିହବା ଫଳରେ ମାନସିକ ରୋଗ ବଢ଼ିଛି । ପରିସଂଖ୍ୟାନ କହୁଛି ଏ ସମୟ ଭିତରେ ଆତ୍ମହତ୍ୟାର ଘଟଣା ବଢ଼ିଛି
। ଏ ସବୁ ଆମେ ଜାଣୁ ।
ହେଲେ କରୋନା କାଳରେ କିଛି ଲାଭ ମଧ୍ୟ ହୋଇଛି । ତା’ ହେଉଛି, ଲୋକଙ୍କୁ ଦୀର୍ଘଦିନ ଧରି ଏକାକୀ ରହିବାର ସୁଯୋଗ ମିଳିଛି ।
ଭାବି ଦେଖନ୍ତୁ, ସମ୍ପୂର୍ଣ୍ଣ ଏକାକୀ ଭାବେ ରହିବାର ସୁଯୋଗ ଖୁବ୍ କମ୍ ମିଳେ । କରୋନା ଏ ସୁଯୋଗ ଆମକୁ ଦେଇଛି । ଶିଳ୍ପୀ, ଲେଖକଙ୍କୁ ଶିଳ୍ପ କାର୍ଯ୍ୟରେ ବୁଡି଼ ରହିବା ପାଇଁ, ବୈଜ୍ଞାନିକମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ନିମଗ୍ନ ରହିବା ପାଇଁ ଏକାକୀତ୍ୱର ଆବଶ୍ୟକତା ରହିଛି । ପ୍ରତିଦିନର ସାଂସାରିକ ଜଞ୍ଜାଳ, ଅଫିସର ଚାପ ଭିତରେ ରୁଦ୍ଧି ହେଇଯାଉଥିବା ସୃଜନଶୀଳତା ବଞ୍ଚିବାର ବାଟ ପାଇଛି । ଗଙ୍ଗା, ଜମୁନା ଭଳି ନଈ ଯେମିତି କରୋନା କାଳରେ ପ୍ରଦୂଷଣରୁ କିଛିଟା ମୁକ୍ତି ପାଇଛି, ସେମିତି ଆମ ଭିତରର ସୃଜନଶୀଳତା, କିଛି ବିଷୟରେ ଚିନ୍ତା କରିବାର କ୍ଷମତା ମଧ୍ୟ ନୂଆ ଜୀବନ ପାଇଛି । ମଣିଷ ପାଇଁ ଏଇଟା ଆବଶ୍ୟକ ବି । ପ୍ରତ୍ୟେକ ଅନୁଭୂତିଶୀଳ, ଚିନ୍ତାଶୀଳ ମଣିଷ ପାଇଁ ଜୀବନର ଧାଁ ଧଉଡ଼ ଭିତରେ କିଛି ସମୟର ବିରତି
ଦରକାର । ଏ ବିରତିର ସମୟକୁ ସୃଜନଶୀଳତା ଚିନ୍ତା ଓ ଭାବନା ସହ ବିତେଇବା ଦରକାର । ନହେଲେ ସୃଜନଶୀଳତାର ଅପମୃତ୍ୟୁ ହୁଏ । କରୋନା କାଳ ଆମକୁ ସେ ସୁଯୋଗ ଦେଇଛି ।
କରୋନା କାଳରେ ଆଉ ଗୋଟେ ଲାଭ ହେଉଛି । ସକାଳୁ ଉଠି ଆଖପାଖର ଯେଉଁ ଲୋକମାନଙ୍କର ମୁହଁ ଦେଖିବାକୁ ଚାହୁଁନଥିଲେ, ତାହା ଦେଖିନପାରିବାର ସୁଯୋଗ ସୃଷ୍ଟି କରିପାରିଛି । ବାସ୍ ଟିଭି ବନ୍ଦ କରିଦିଅନ୍ତୁ । ମୋବାଇଲ ଫୋନ୍କୁ ସ୍ୱିଇଚ୍ ଅଫ୍ କରି ଦୂରରେ ରଖିଦିଅନ୍ତୁ, ଆଉ ନିଜର ନିସଙ୍ଗତାକୁ ଉପଭୋଗ କରନ୍ତୁ ।
ଭାରତରେ ଡିଜିଟାଲ୍ ଯୁଗର ରଜତ ଜୟନ୍ତୀ
ଆଜିକାଲି ଯାହାକୁ ଦେଖ ତା ହାତରେ ମୋବାଇଲ୍ ଫୋନ୍ । ଦେଶରେ ଲୋକ ୧୩୦ କୋଟିକୁ ଫୋନ୍ ୧୦୦ କୋଟି । ଯାହାକୁ ଦେଖ ଅନ୍-ଲାଇନ୍ରେ କାମ କରୁଛି । ପାଠ ପଢ଼ାଠୁଁ ଆରମ୍ଭ କରି ଘରର ସଉଦାପତ୍ର କିଣିବା, ଅଫିସ୍-କାମଠୁଁ ଆରମ୍ଭ କରି ପଇସାପତ୍ର ଲେଣଦେଣ- ସବୁ ଅନ୍ଲାଇନ୍ରେ । ମୋବାଇଲ୍ ଫୋନ୍ ଆରଉ ଇଣ୍ଟରନେଟ୍- ଆମ ଯୋଗାଯୋଗର ଦୁନିଆଟାକୁ ପୂରାପୂରି ଆବୋରି ବସିଲେଣି । ଏ ଦୁଇଟିକୁ ଛାଡ଼ି ଯୋଗାଯୋଗ କଥା ଯେମିତି କଳ୍ପନା କରାଯାଇନପାରେ ।
ହେଲେ ମନେ ପକାନ୍ତୁ ଏ ଦୁଇଟି ଭାରତକୁ ଆସିଛି ମାତ୍ର ୨୫ ବର୍ଷ ତଳେ । ମାତ୍ର ୨୫ ବର୍ଷ ଭିତରେ ଭାରତରେ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଯୁଗ ଆସିଗଲା ।
ମଣିଷ ପୃଥିବୀକୁ ଆସିଲା ୧୩ ଲକ୍ଷ ବର୍ଷ ତଳେ । ନିଆଁ ଜଳେଇ ଶିଖିଲା ୧୦ ଲକ୍ଷ ବର୍ଷ ତଳେ । ଲେଖି ଶିଖିଲା ସାଢ଼େ ପାଞ୍ଚ ହଜାର ବର୍ଷ ତଳେ । ଛାପା-ବହି ବାହାରିଲା ସାଢ଼େ ପାଞ୍ଚ ଶହ ବର୍ଷ ତଳେ । ଟେଲିଗ୍ରାଫ୍ ଉଦ୍ଭାବନ ହେଲା ୧୮୩୦ରେ । ବିଜୁଳି ବଲ୍ବ ଜଳେଇ ଶିଖିଲା ୧୮୭୯ରେ । ଅର୍ଥାତ୍ ମାତ୍ର ୧୪୧ ବର୍ଷ ତଳେ । ଟେଲିଫୋନ୍ ଉଦ୍ଭାବନ ହେଲା ୧୮୭୬ରେ । ରେଡିଓ ଆସିଲା ୧୮୯୫ରେ । ଆଉ ଟେଲିଭିଜନ ଆସିଲା ୧୯୨୭ରେ । ପୃଥିବୀରେ ଇଣ୍ଟରନେଟ୍ର ବ୍ୟବହାର ଆରମ୍ଭ ହେଲା ୧୯୮୩ରେ । ମୋବାଇଲ୍ ଫୋନ୍ ତିଆରି ହେଲା ୧୯୮୪ରେ । ମୋବାଇଲ୍ ଆଉ ଇଣ୍ଟରନେଟ୍ ଭାରତକୁ ଆସିଲା ୧୯୯୫ରେ । ଗୋଟେ ଶତାବ୍ଦୀର ଚଉଠ ସମୟ ଭିତରେ ବଦଳିଗଲା ଲୋକଙ୍କ ଯୋଗାଯୋଗ ପ୍ରଣାଳୀ । ଏହାର ସମାଜ ଉପରେ, ଭାଷାର ବ୍ୟବହାର ଉପରେ, ସାହିତ୍ୟ ଉପରେ, ସାମାଜିକ ସମ୍ପର୍କ ଉପରେ କି ପ୍ରଭାବ ପଡ଼ୁଛି ବା ପଡ଼ିବ- ତାହା ସମାଜତାତ୍ତ୍ୱିକ ଗବେଷଣାର ବିଷୟ ।
ଗ୍ରୀନ୍-ଟି
ଆଜିକାଲି ଅନେକଙ୍କୁ ଦେଖୁଛି ଗ୍ରୀନ୍-ଟି ପିଅନ୍ତି ବୋଲି କହୁଛନ୍ତି । ଦେଖାଶିଖା ଓଡ଼ିଆ ଭାବରେ ମୁଁ ବି ବଜାରରୁ ଗ୍ରୀନ୍-ଟି କିଣି ଆଣି ପିଇଲି । ଯେଉଁମାନେ ଏହାକୁ ଏଯାଏଁ କିଣିକି ପିଇନାହାନ୍ତି, ସେମାନଙ୍କ ପାଇଁ କହିଦିଏ- ଏଟା ବହୁତ ଦାମ । ଆମେ ଯେଉଁ ଚାହା ସାଧାରଣତଃ ଘରେ ପିଉ ତାର ତିନିଗୁଣା । ତେବେ କିଛିଦିନ ଭିତରେ ଜାଣିଲି ଗ୍ରୀନ-ଟି ପିଇବାର ଅନ୍ତତଃ ଚାରୋଟି ଲାଭ ଅଛି:
ଏହାକୁ ପିଇଲେ ଲୋକେ ଆପଣଙ୍କୁ ବଡ଼ଲୋକ ବୋଲି ଭାବିବେ ।
ଗ୍ରୀନ୍-ଟିରେ କ୍ଷୀର ପଡ଼େନି । ତେଣଉ ଏ ଚାହା ପିଇଲେ ଆପଣଙ୍କର କ୍ଷୀର ଖର୍ଚ୍ଚ ବଂଚିଯିବ ।
ଏ ଚାହା ସହିତ ବିସ୍କୁଟ୍, ଭୁଜିଆ, ଲୁଣି ଜିନିଷ କିଛି ଦେବାକୁ ପଡ଼େନି ।
ଆଉ ଏ ଚାହା ଥରେ ପିଇଲେ କୌଣସି ଅତିଥି ଆଉ ଆପଣଙ୍କ ଘରକୁ ଦ୍ୱିତୀୟ ଥର ଆସିବେନି ।
ଏ କରୋନା ଟାଇମ୍ରେ ସେଟା ସବୁଠୁଁ ବଡ଼ ଲାଭ ।
ବୟସ
ମହିଳା: ମୋ ଜନ୍ମ ହୋଇଥିଲା ୧୯୭୪ରେ । ମୋତେ ଏବେ ୪୦ ବର୍ଷ ହୋଇଛି ।
ପୁରୁଷ: ମୋ ଜନ୍ମ ବି ୧୯୭୪ରେ । ହେଲେ ମୋତେ ଏବେ ୪୬ ବର୍ଷ ହେଲାଣି ।
ମହିଳା: ସେଟା ତମ ପ୍ରବ୍ଲେମ୍ ।
ମନକଥା
ସକାଳୁ ମୋବାଇଲ୍ ଖୋଲି ଯଦି ଫେସ୍ବୁକ୍ ହ୍ୱାଟ୍ସ୍ ଆପ୍ରେ ଯଦି ୨୦-୨୫ ନୂଆ ମେସେଜ୍ ନ ଆସିଥାଏ ତେବେ ଦୁଇଟି କଥା ମନକୁ ଆସେ । ଏକ: ଡାଟା-ପ୍ୟାକ୍ଟା ଶେଷ ହୋଇ ଗଲାନି ତ! ଆଉ ଦୁଇ: କାଲି ରାତିରେ ଦୁନିଆଟା ଖତମ ହୋଇଗଲାନି ତ! ଖାଲି ମୁଁ ଏକୁଟିଆ ବଂଚିଛି!
(ସୌଜନ୍ୟ: ସାମାଜିକ ଗଣମାଧ୍ୟମ)
***
ସଂଚାର ମାର୍ଗ,
ଢେଙ୍କାନାଳ ୭୫୯୦୦୧
ମୋବାଇଲ୍: ୯୪୩୭୦୨୬୧୯୪