Sunday, 9 August 2020

Column | Pathe Prantare (Odia) | 9.8.2020

 

ପଥେ ପ୍ରାନ୍ତରେ । ମୃଣାଳ । ୯.୮.୨୦୨୦

ଅଗଷ୍ଟ କ୍ରାନ୍ତି ଦିବସ

ଆଜି ୯ ଅଗଷ୍ଟ ହେଲା ଅଗଷ୍ଟ କ୍ରାନ୍ତି ଦିବସ । ୧୯୪୨ ମସିହା ଏଇ ଦିନରେ ଗାନ୍ଧିଜୀଙ୍କ ଭାରତ ଛାଡ଼ ଆହ୍ୱାନରେ ସାରା ଭାରତରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଯଦିଓ ଏ ଆନ୍ଦୋଳନରେ ଇଂରେଜ ଭାରତ ଛାଡ଼ି ଚାଲିଯାଇନଥିଲେ ତେବେ ଏହା ସେମାନଙ୍କ ଶାସନର ନିଅଁକୁ ହଲେଇଦେଇଥିଲା ବୋଲି ଅନେକ ଐତିହାସିକ ମନେ କରନ୍ତି । ଗାନ୍ଧିଜୀ ଏବଂ ଅନେକ କଂଗ୍ରେସ ନେତା ଅଗଷ୍ଟ ୮ ତାରିଖ ଦିନ ବମ୍ବେ (ବର୍ତ୍ତମାନ ମୁମ୍ବାଇ)ରେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲେ । ଗାନ୍ଧିଜୀ ଦେଇଥିଲେ ତାଙ୍କ ସ୍ଲୋଗାନ୍‌: କର ବା ମର । ଡୁ ଅର୍‌ ଡାଇ । ଇଂରେଜ ସରକାରଙ୍କୁ ତତ୍‌କ୍ଷଣାତ୍‌ ଭାରତ ଛାଡ଼ି ଚାଲିଯିବା ପାଇଁ କହିଥିଲେ ସେ । 


ପ୍ରତ୍ୟୁତ୍ତରରେ ଇଂରେଜ ସରକାର ଗାନ୍ଧିଜୀ, ଜବାହାରଲାଲ ନେହେରୁ, ବଲ୍ଲଭ ଭାଇ ପଟେଲ ସମେତ କଂଗ୍ରେସର ସବୁ ତୁଙ୍ଗ ନେତାମାନଙ୍କୁ ଗିରଫ୍‌ କରି ଜେଲ୍‌ରେ ପୂରେଇ ଦେଲେ । ଆଉ ଅଧିକାଂଶ ନେତାଙ୍କୁ ୧୯୪୫ରେ ବିଶ୍ୱଯୁଦ୍ଧ ଶେଷ ହେବା ଯାଏଁ ଜେଲ୍‌ରେ ରଖିଦେଲେ । ହେଲେ ଅଗଷ୍ଟ ୯ ତାରିଖ ଦିନ ଅରୁଣା ଆସଫ୍‌ ଅଲ୍ଲୀ ବମ୍ବେର ଗୋଆଲିଆ ମଇଦାନ୍‌ରେ ଭାରତର ଜାତୀୟ ପତାକା ଉଡ଼େଇ ଦେଲେ । କଂଗ୍ରେସର ତୃଣମୂଳ ସ୍ତରର ନେତା ଓ କର୍ମୀମାନେ ଏବଂ ସାଧାରଣ ଲୋକମାନେ ଆନ୍ଦୋଳନ ଆରମ୍ଭ କଲେ । ସାରା ଦେଶରେ ସେତେବେଳକୁ ଖେଳି ଯାଇଥିଲା ଆନ୍ଦୋଳନର ବାର୍ତ୍ତା । ଆରମ୍ଭ ହୋଇଯାଇଥିଲା ଆନ୍ଦୋଳନ । 

ହେଲେ ପୁରୁଖା ନେତୃତ୍ୱର ଅଭାବ ଏବଂ ବ୍ରିଟିସ୍‌ ସରକାରଙ୍କ ଦମନ ଫଳରେ (ଲକ୍ଷେ ଲୋକଙ୍କୁ ଜେଲ୍‌ରେ ପୂରାହୋଇଥିଲା) ୧୯୪୩ ବେଳକୁ ଏ ଆନ୍ଦୋଳନ ବିକ୍ଷିପ୍ତ ଏବଂ କ୍ରମଶଃ ସ୍ତିମିତ ହୋଇ ଯାଇଥିିଲା । 

ତେବେ ଐତିହାସିକମାନେ ଏ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ବୋଲି ଗ୍ରହଣ କରନ୍ତି ନାହିଁ । ଦେଶବ୍ୟାପୀ ଏ ଆନ୍ଦୋଳ ନ ଫଳରେ ବି୍ରଟିସ୍‌ ସରକାର ବୁଝଇଗଲେ- ଭାରତକୁ ଆଉ ଅଧିକ ଦିନ ପରାଧୀନ କରି ରଖଇବା ସମ୍ଭବ ନୁହେଁ । ଦ୍ୱିତୀୟ ବିାଗବଯୁଦ୍ଧ ପରେ ପରେ ବ୍ରିଟିସ୍‌ ସରକାର ଭାରତକୁ ସ୍ୱାଧୀନ କରିବା କଥା ସ୍ଥିର କରି ସାରିଥିଲେ । ପ୍ରଶ୍ନ କେବଳ ଥିଲା: କେବେ ତାହା କରାଯିବ । 

ତାପରର ଘଟଣା ଆମେ ସମସ୍ତେ ଜାଣିଛୁ । 

ଇମୁ୍ୟନିଟି ବୁଷ୍ଟର

ଇମୁ୍ୟନିଟିର ଓଡ଼ିଆ ହେଲା ରୋଗ ପ୍ରତିରୋଧକ ଶକ୍ତି । ସେଟା ବଢ଼ିଲେ କରୋନା ହେବାର ଆଶଙ୍କା କମ । ତେଣୁ ଏବକୁ ଦେଖୁଛି ଆଲୋପାଥି, ହୋମିଓପାଥି, ନାଚୁରୋପାଥି- ସାବୁନ୍‌, ଶ୍ୟାମ୍ପୁ, ସାନିଟାଇଜର- କଲରା, ଭେଣ୍ଡି, କାକୁଡ଼ି- କାନ୍ଥର ରଂଗ, ଜାମା, ଜୋତା- ଏ ସମସ୍ତେ ଇମ୍ୟୁନିଟି ବଢ଼ାଉଛନ୍ତି ବୋଲି ବିଜ୍ଞାପନ ଦେଉଛନ୍ତି । ବାବା ରାମଦେବ ପ୍ରଥମେ କହୁଥିଲେ କରୋନିଲ୍‌ କରୋନାକୁ ନିଲ୍‌ କରିଦେବ । ଏବେ କହୁଛନ୍ତି: ଏଟା ହେଲା ଇମ୍ୟୁନିଟି ବୁଷ୍ଟର । ବିଭିନ୍ନ ସାମାଜିକ ଗଣମାଧ୍ୟମ ମଂଚରୁ ଏତେ ବିଭିନ୍ନ ଆଉ ବିଚିତ୍ର ପ୍ରକାର ଇମ୍ୟୁନିଟି ବୁଷ୍ଟର କଥା ପଢ଼ିବାକୁ, ଶୁଣିବାକୁ, ଦେଖିବାକୁ ମିଳୁଛି ଯେ ମୁଣ୍ଡ ଟିଣ ହୋଇଯାଉଛି । ମଣିଷ ଫୁଲ୍‌ କନ୍‌ଫୁ୍ୟଜ ହୋଇଯାଉଛି । ଏତେ ରୋଗ ପ୍ରତିରୋଧକ ଶକ୍ତି ବୁଷ୍ଟର୍‌ ଆମ ଚାରିପଟେ ରହିଛି- ତଥାପି କେମିତି କରୋନା କେସ୍‌ ବଢ଼ି ବଢ଼ି ଚାଲିଛି?

ସେମିତି ଦେଖିଲେ କରୋନା ପୂରାପୂରି ଭଲ ହେବାର କେତେ ବାଟ ପ୍ରତିଦିନ ଦେଖାଉଛନ୍ତି ଆମ ନେତା ଆଉ ବାବାମାନେ । ଜଣେ ନେତ୍ରୀ କହିଲେ ହନୁମାନ ଚାଳିସା ଜପ କର, କରୋନା ଛାଡ଼ି ପଳେଇବ । ଜଣେ ନେତା କହିଲେ, ଅମକ ବ୍ରାଣ୍ଡ୍‌ର ପାମ୍ପଡ଼ ଖାଅ, କରୋନା ଭଲ ହୋଇଯିବ । ମାଂଗାଲୋରର ଜଣେ ନେତା ଆହୁରି ଭଲ ଆଇଡିଆ ଦେଲେ: ରମ୍‌ ପିଅ, ଅଣ୍ଡା ପୋଚ୍‌ ଖାଅ । କରୋନା ଭଲ ହୋଇଯିବ । ଏଇ ଆଇଡିଆଟା ଆମ ନବଘନକୁ ଖୁବ୍‌ ଭଲ ଲାଗିଥିଲା । ହେଲେ ରମ୍‌ ବଦଳରେ ହୁଇସ୍କି କିମ୍ବା ବ୍ରାଣ୍ଡି ପିଇଲେ ହେବ ସମାନ ଫଳ ହେବ ବୋଲି ସେ ନିଜେ କହିଦେଇ ବିପଦରେ ପଡ଼ିଲା । ତା ପନିୀ ରଂଗବତୀ ଏ ଆଇଡିଆଟାକୁ ବିଲ୍‌କୁଲ୍‌ ନାକଚ କରିଦେଲେ । ଆମ ଓଡ଼ିଶାର ଜଣେ ବାବା କରୋନା-ରୋଗୀକୁ ଆଲିଂଗନ କରି କରୋନା ଭଲ କରିଦେବେ ବୋଲି ଟେଲିଭିଜନରେ କହିଲେ । ହେଲେ ମୁସକିଲ ହେଲା ତାଙ୍କୁ କେହି ଏ କାର୍ଯ୍ୟ କରିବାର ଚାନ୍ସ୍‌ ଦେଉ ନାହାନ୍ତି । 

ଲିପ୍‌ଷ୍ଟିକ୍‌

ମୁଁ ଗ୍ୟାରେଣ୍ଟି ଦେଇ କହିପାରେ ଆପଣମାନଙ୍କ ଭିତରୁ ଅନେକେ ଜାଣି ନଥିବେ ଯେ ୨୯ ଜୁଲାଇ ଥିଲା ଲିପ୍‌ଷ୍ଟିକ୍‌ ଦିବସ । ମୁଁ ବି ଜାଣିନଥିଲି । ଏକଥାଟା ମୋତେ କହିଲେ ମୋ ପନିୀ । ସେଦିନ ସକାଳୁ ସେ ମୁହଁ ଶୁଖେଇ ବସିଥିଲେ ଯେ ପଚାରିଦେଲି: କଣ ହୋଇଛି ତମ ମୁହଁ କାହିଁକି ଶୁଖିଲା? ସେ ଉତ୍ତର ଦେଲେ- ଶୁଖିଲା ହେବନି! ଆଜି ଲିପ୍‌ଷ୍ଟିକ୍‌ ଡେ । ହେଲେ ମଣିଷ ଟିକେ ଲିପ୍‌ଷ୍ଟିକ୍‌ ଲଗେଇ ପାରୁନି । କି କରୋନା ଆସିଲା ଯେ ମଣିଷର ସଉକ ସୌଖିନ୍‌ ଆଉ କିଛି ରହିଲାନି । ଆଜି ପରା ଦିନରେ ଗୋଟେ ଲିପ୍‌ଷ୍ଟିକ୍‌ ବି କିଣି ପାରୁନି!


            କରୋନା କାଳରେ ମୁଖା ପିନ୍ଧିବାକୁ ହେଉଛି ବୋଲି ମୋ ସ୍ତ୍ରୀଙ୍କ ମନ ଖରାପ । କାରଣ ସେ ଲିପ୍‌ଷ୍ଟିକ୍‌ ଲଗେଇ ପାରୁ ନାହାନ୍ତି । ମୁଁ ଜାଣେ ଏ ଦୁଃଖ ଆହୁରି ଅନେକଙ୍କର ହେଉଥିବ । 

            ଓଠ ରଂଗେଇବା ସ୍ତ୍ରୀଲୋକମାନଂକର ଆଜିର ଅଭ୍ୟାସ ନୁହେଁ । ଆଜିଠୁଁ ୪୦୦୦ ବର୍ଷ ତଳେ ସୁମେରିୟ ମହିଳାମାନେ ନିଜ ଓଠ ରଂଗେଇବା ପାଇଁ ରଂଗ ଲଗଉଥିବାର ପ୍ରମାଣ ଅଛି । ରୋମ୍‌ରେ ସମ୍ଭ୍ରାନ୍ତ ମହିଳା ଏବଂ ପୁରୁଷମାନେ ବି ଓଠ ରଂଗଉଥିଲେ । ୧୭୭୦ରେ ବ୍ରିଟିସ୍‌ ପାର୍ଲାମେଣ୍ଟ୍‌ ମହିଳାମାନେ ଲିପ୍‌ଷ୍ଟିକ୍‌ ଲଗେଇବାକୁ ବ୍ୟାନ୍‌ କରିଦେଇଥିଲେ । କହିଥିଲେ ଇଏ ହେଲା ପୁରୁଷମାନଂକୁ ବିବାହ ପାଇଁ ବାଧ୍ୟ କରିବାର ଏକ ଶଇତାନି ବୁଦ୍ଧି । ସେଇ ବ୍ରିଟେନ୍‌ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଚର୍ଚ୍ଚିଲ ଲିପ୍‌ଷ୍ଟିକ୍‌ ଉତ୍ପାଦନକୁ ପରୋକ୍ଷରେ ପ୍ରୋତ୍ସାହନ ଦେଇଥିଲେ । ସେ ଭାବୁଥିଲେ ଏହାଦ୍ୱାରା ବିଟ୍ରେନ୍‌ରେ ଲୋକଂକର ମନୋବଳ ମଜବୁତ ରହିବ । ୧୮୮୪ରେ ଏକ ଫ୍ରେଞ୍ଚ୍‌ କମ୍ପାନି ପ୍ରଥମ ଥର ପାଇଁ ବାଣିଜ୍ୟିକ ଭାବେ ଲିପ୍‌ଷ୍ଟିକ୍‌ ତିଆରି କଲେ । ଆଉ ୨୦୧୯ରେ ବିଶ୍ୱରେ ଲିପ୍‌ଷ୍ଟିକ୍‌ର ବଜାର ମୂଲ୍ୟ ହେଲା ୧୩.୨ ବିଲିଅନ୍‌ ଆମେରିକୀୟ ଡଲାର । ଅର୍ଥାତ୍‌ ପାଖାପାଖି ଏକ ଲକ୍ଷ କୋଟି ଟଂକା । 

ଆଇଡିଆ

ଗତ କେଇ ମାସ ହେଲା ପ୍ରତି ଦୁଇ ଘଣ୍ଟାରେ ସାନିଟାଇଜର୍‌ରେ ହାତ ଧୋଇ ଆଂଗୁଳିଗୁଡ଼ାକ ବି ଆଲ୍‌କୋହଲିକ୍‌ ହୋଇ ଗଲେଣି । ଏବେ ପୁଣି ସରକାର ସାନିଟାଇଜର ଉପରେ ୧୮ ଶତାଂଶ ଜିଏସ୍‌ଟି ବସେଇ ସାରିଲେଣି । ତେଣୁ ଭାବୁଛି ଏବେ ଗୋ-ମୂତ୍ରରେ ହାତ ଧୋଇବି । ଗୋ-ପ୍ରେମୀମାନେ କେବେଠୁଁ କହିଲେଣି ସେଥିରେ କୁଆଡ଼େ କରୋନା ଭାଇରସ ମରିଯାଏ ।

ବାବାଙ୍କ ମହିମା

ନବଘନ ଯାଇଥିଲା ବାବାଙ୍କ ମଠକୁ । ସେଠୁ ଫେରୁ ଫେରୁ ରାତି । ବାଟରେ ପୋଲିସବାଲା ଅଟକେଇଲେ । ପଚାରିଲେ, ବ୍ୟାଗ୍‌ରେ କଣ ଅଛି?

- ଆଜ୍ଞା, ବାବାଙ୍କ ପାଦୁକ ପାଣି । 

- ଦେଖାଅ । 

ବଡ଼ ସନ୍ତର୍ପଣରେ ବୋତଲଟି ପୋଲିସବାଲାଙ୍କୁ ବଢ଼େଇଦେଲା ନବଘନ । 

ପୋଲିସବାଲା ତାକୁ ଶୁଂଘି, ଟିକେ ଚାଖି କହିଲେ: ଇଏ ତ ମଦ! ହୁଇସ୍କି ଭଳି ଲାଗୁଛି । 

- ଦେଖିଲ ବାବାଙ୍କ ମହିମା! ମନ ବୁଝି ପାଦୁକ ବି କେମିତି ବଦଳି ଯାଉଛି । 

***

ସଂଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧

No comments:

Post a Comment