ପଥେ ପ୍ରାନ୍ତରେ ।
ମୃଣାଳ
ଆଉ ଏକ ମୁକ୍ତି ସଂଗ୍ରାମ
୭୪ତମ ସ୍ୱାଧୀନତା ଦିବସ ଗଲା । ସ୍ୱାଧୀନତା ଦିବସର ଯୋଶ୍ ଆସିଗଲା କି କଣ- ଏବେ ଯାହାକୁ ଦେଖ- ସେ ଏକ ମୁକ୍ତି ସଂଗ୍ରାମରେ ମାତିଛି । ଭାଜପା ଚାହୁଁଛି କଂଗ୍ରେସ-ମୁକ୍ତ ଭାରତ । କଂଗ୍ରେସ ଦଳର କାରବାର ଦେଖିଲେ ମନେ ହେଉଛି କେତେକ କଂଗ୍ରେସ ନେତା ବି ବୋଧହୁଏ ସେଇଆ ଚାହୁଁଛନ୍ତି । ହେଲେ କଂଗ୍ରେସର ନେତାମାନେ କହୁଛନ୍ତି ଭାରତ ଚାହୁଁଛି ଭାଜପା-ମୁକ୍ତ ଭାରତ । ବାମଦଳମାନେ ଚାହୁଁଛନ୍ତି ଉଭୟ ଭାଜପା ଓ କଂଗ୍ରେସ-ମୁକ୍ତ ଭାରତ । ହେଲେ ଦେଶର ବେଶି ଲୋକ ବୋଧେ ବାମ-ମୁକ୍ତ ଭାରତ ଚାହୁଁଛନ୍ତି । ରାଜନୀତି କଥା ଛାଡ଼ନ୍ତୁ । ସେ ଏରିଆରେ ପଶିଲେ ମଣିଷ କନ୍ଫ୍ୟୁଜ୍ ହୋଇଯିବ ।
ଇତିମଧ୍ୟରେ ଖବରକାଗଜ-ଶିଳ୍ପର ଅବସ୍ଥା ଯାହା ହେଲାଣି ଆଉ କିଛି ଦିନ ଭିତରେ ଲାଗୁଛି ଭାରତ ଖବରକାଗଜ-ମୁକ୍ତ ହୋଇଯିବ । କେବଳ ଖବରକାଗଜ କଣ ଆଉ କିଛି ବର୍ଷରେ ଭାରତ ମେଡିଆ-ମୁକ୍ତ ହୋଇଯିବ । ସୋସିଆଲ୍ ମିଡିଆର ଯାହା ପ୍ରସାର ହେଲାଣି- ସମସ୍ତେ ନିଜକୁ ସାମ୍ବାଦିକ ଭାବିିଲେଣି । ସମସ୍ତେ ମେଡିଆ-ବାଲା । ଯାହା ହାତରେ ଗୋଟେ ସ୍ମାର୍ଟ ଫୋନ୍ ଅଛି- ସେ ହେଲା ସାମ୍ବାଦିକ । କରୋନା ଟାଇମ୍ରେ ଯେମିତି ସମସ୍ତେ ଡାକ୍ତର ହୋଇଗଲେ । ସମସ୍ତେ ଅନ୍ୟମାନଙ୍କୁ ସାମାଜିକ ଗଣମାଧ୍ୟମରେ ଜ୍ଞାନ ବିତରଣ କରିବାକୁ ଲାଗିଲେ: ଏଟା ଖାଅ କରୋନା ପାଖ ମାଡ଼ିବନି । ସେଟା ଲଗାଅ କରେନା ଏରିଆ ଛାଡ଼ି ପଳେଇବ । ଡାକ୍ତରମାନେ କନ୍ଫ୍ୟୁଜ୍ ହୋଇଗଲେ - ଏତେ କଥା ଯଦି ସାମାଜିକ ଗଣମାଧ୍ୟମରେ ହ୍ୱାଟ୍ସଆପ୍ରେ ମିଳିଯାଉଛି ତେବେ ସେମାନେ କଷ୍ଟ କରି ଛ ବର୍ଷ ପାଠ କାହିଁକି ପଢ଼ିଲେ?
ଆମ ନବଘନ ଚାହୁଁଛି ମୁଖା-ମୁକ୍ତ ମୁହଁ । ସଂଜବେଳେ ଘରେ ଇ-ଖଟିରେ ବସି କହିଲା, ମୁହଁ ମୋର । ମୋ ମୁହଁକୁ ମୁଁ ଖୋଲା ରହିବି କି ଘୋଡ଼େଇ ରଖଇବି- ମୁଁ ସ୍ଥିର କରିବି । ବାଲ ଗଙ୍ଗାଧର ତିଳକ କହି ଯାଇଛନ୍ତି: ସ୍ୱରାଜ ମୋର ଜନ୍ମ ସିଦ୍ଧ ଅଧିକାର । ଅର୍ଥାତ୍ ମୁଁ କେମିତି ଚଳିବି ମୁଁ ସ୍ଥିର କରିବି । ଆଉ କେହି କହିବାକୁ କିଏ? ପୋଲିସ କିଆଁ ମୁଖା ନ ପିିନ୍ଧିିଲି ବୋଲି ମୋଠୁଁ ଫାଇନ୍ ନେବ? ଇଏ ଅନ୍ୟାୟ ।
ନବଘନର ପନିୀ ରଂଗବତୀ ଚାହୁଁଛି କଟକଣା-ମୁକ୍ତ ଭ୍ରମଣ । ସପିଂ କରି ନ ପାରି ସେ ବିଚାରି ଡିପ୍ରେସନ୍ରେ ଭୋଗୁଛି । ସମସ୍ତେ ଏବେ ମୁକ୍ତି ଚାହୁଁଛନ୍ତି ।
ପୁଅ ପଚାରୁଛି ମାକୁ...
ପୁଅ ପଚାରୁଛି ମାକୁ - ବାପ ମୁଁ ଡାକିବି କାହାକୁ? ସତୁରି ଦଶକରେ ଏମିତି ଶୀର୍ଷକରେ ଗୋଟେ ଯାତ୍ରା ହୋଇଥିଲା । ଏବେ କୃତ୍ତିମ ଉପାୟରେ ସନ୍ତାନ ଉତ୍ପାଦନର ବିଜ୍ଞାପନ ଦେଖି ପୁଣି ସେଇ କଥାଟା ମନେ ପଡ଼ିଲା ।
କୃତ୍ତିମ ଉପାୟରେ ସନ୍ତାନ ଉତ୍ପାଦନର ଅନେକ ଗୁଡ଼ିଏ ବାଟ ଅଛି । ସେଥିରୁି ଗୋଟେ ହେଲା ସ୍ପର୍ମ ବ୍ୟାଙ୍କ୍ରୁ ଶୁକ୍ରାଣୁ ଆଣି ମାର ଡିଂବାଣୁ ସହିତ ସଂଯୋଗ କରାଇ ତାପରେ ଫର୍ଟିଲାଇଜ୍ଡ ଡିଂବକୁ ଗର୍ଭାଶୟରେ ସ୍ଥାପନ କରିବା । ଏ କ୍ଷେତ୍ରରେ କାହାର ଶୁକ୍ରାଣୁ (ସ୍ପର୍ମ) ଆସିଲା- ଅନେକ ସମୟରେ ତାହା ଜଣା ପଡ଼େନାହିଁ । କାରଣ ସ୍ପର୍ମ ବ୍ୟାଙ୍କ୍ରୁ ସେ ସ୍ପର୍ମ ଆସିଥାଏ ।
ଆଉ ଗୋଟେ ଉପାୟ ହେଲା: ଫର୍ଟିଲାଇଜ୍ଡ ଏଗ୍କୁ ଜଣେ ସରୋଗେଟ୍ ମଦର୍ର ଜରାୟୁରେ ରୋପଣ କରିବା । ଅର୍ଥାତ୍ ଜଣେ ମହିଳା ଯିଏ ତାଙ୍କ ଗର୍ଭାଶୟରେ ଡିମ୍ବାଣୁକୁ ବଢ଼ିବାର ଜାଗା ଦେବେ । ପିଲା ହୋଇଗଲେ ଯିଏ ତାଙ୍କୁ ଡିମ୍ବାଣୁ ରୋପଣ କରିବା ପାଇଁ ଦେଇଥିବେ ସେ ନେଇଯିବେ ।
ଏବେ ଚିନ୍ତା କରନ୍ତୁ: ଦମ୍ପତିଟିଏ ସ୍ପର୍ମ ବ୍ୟାଙ୍କ୍ରୁ ଶୁକ୍ରାଣୁ ଆସିଲେ । ଆଉ କାହାର ଡିମ୍ବାଣୁ ଆଣିଲେ । ଲ୍ୟାବରୋଟେରିରେ ଡିଂବାଣୁ ଫର୍ଟିଲାଇଜ୍ କରି ସରୋଗେଟ୍ ମା ଗର୍ଭାଶୟରେ ତାହାକୁ ରୋପଣ କରାଗଲା । ପିଲା ହେଲା । ଏବେ ଏ ପିଲା ବାପା ମା ବୋଲି କାହାକୁ କହିବ? ଯାହା ଗର୍ଭରେ ସେ ନ ମାସ ବଢ଼ିଲା- ତାକୁ ନା ଯାହା ଡିମ୍ବାଣୁରୁ ସେ ଜନ୍ମ ନେଲା- ତାକୁ? ବାପା ବୋଲି କାହାକୁ ଡାକିବ? ଯାହାର ଶୁକ୍ରାଣୁରୁ ସେ ଜନ୍ମ ନେଲା- ତାକୁ । ନା ଯିଏ ତାକୁ ବାପାର ନାଁ ଦେବ- ତାକୁ?
ଏ କନ୍ଫ୍ୟୁଜନ୍ ଛାଡ଼ି- ଆଉ ଗୋଟେ ସମ୍ଭାବନା କଥା ଭାପନ୍ତୁ । ଗୋଟେ ଦେଶ ଏମିତି ସେନା ବାହିନୀଟିଏ ତିଅରି କଲା । ଯେଉଁମାନଙ୍କ ପିତୃମାତୃପରିଚୟ କିଛି ନାହିଁ । ଅତ୍ୟନ୍ତ ଶକ୍ତିଶାଳୀ, ଲଢ଼ୁଆ ପୁରୁଷମାନଙ୍କ ବୀର୍ଯ୍ୟ ଓ ବୁଦ୍ଧିମତୀ ରମଣୀର ଡିମ୍ବାଣୁରେ ତାହା ରୋପଣ କରି ତିଆରି କରାଗଲା ଅତ୍ୟନ୍ତ ବୁଦ୍ଧିମାନ ଓ ବଳଶାଳୀ ପିଲା । ତାକୁ ପିଲାବେଳୁ ସାମରିକ କଳାରେ ତାଲିମ ଦିଆଗଲା । ତା ମସ୍ତିଷ୍କକୁ ପିଲାବେଳୁ ଶୋଧନ କରାଗଲା । ଏ ପିଲା ବଡ଼ ହୋଇ ହୃଦୟ ଶୂନ୍ୟ, ପରିଚୟ ଶୂନ୍ୟ ରୋବଟ୍ ଭଳି କାମ କରିବେ । ଏମାନଙ୍କ ଆଲିଜିୟେନ୍ସ୍ କେବଳ ରହିଲା ଯିଏ ଏମାନଙ୍କୁ ତାଲିମ ଦେଇଛନ୍ତି- ତା ପ୍ରତି ଏବଂ ସେ ଯାହାକୁ ପ୍ରଭୁ ବୋଲି ମାନିବା ଶିଖେଇଛନ୍ତିି- ତା ପ୍ରତି । ଆଉ କୌଣସି ସମ୍ପର୍କ ସହିତ ସେମାନଙ୍କର ପରିଚୟ ନାହିଁ । ସାମାଜିକତାର ପ୍ରଥମ ଶର୍ତ୍ତରୁ ସେମାନେ ମୁକ୍ତ । ପ୍ରତ୍ୟେକ ଦେଶ ଏମିତି ସେନା ଉତ୍ପାଦନ କରି ନିଜ ପାଖରେ ରଖିବେ । ଏମାନେ ଲଢ଼ିବେ । କିନ୍ତୁ କାହିଁକି ଲଢ଼ୁଛନ୍ତି- ତାହା ସେମାନେ ଜାଣିନାହାନ୍ତି । ଏମାନେ ପ୍ରଭୁଙ୍କ ଇଶାରାରେ ମଣିଷଙ୍କୁ ହତ୍ୟା କରିବେ । ହେଲେ କାହିଁକି ହତ୍ୟା କରୁଛନ୍ତି- ଜାଣିବେନି ।
ଏମିତି ପୃଥିବୀଟିଏ ତିଆରି ହେବା- ବିଜ୍ଞାନ ଦୃଷ୍ଟିରୁ ଏବେ ସମ୍ଭବ । ଆମେ ଏମିତି ପୃଥିବୀ ଚାହିଁବା କି ନ ଚାହିଁବା- ତାହା ଭିନ୍ନ ପ୍ରସଙ୍ଗ ।
ରାହତ ଇନ୍ଦୋରୀ
ଦେଶର ଜଣାଶୁଣା କବି, ଉର୍ଦ୍ଦୁ ସାହିତ୍ୟର ଜଣେ ପ୍ରବୀଣ ଅଧ୍ୟାପକ ରାହତ ଇନ୍ଦୋରୀ ଗଲା ଅଗଷ୍ଟ ୧୧ରେ ଚାଲିଗଲେ । ତାଙ୍କର ଅସଲ ନାଁ ହେଲା ରାହତ କୁ୍ୟରେସି । ଇନ୍ଦୋରରେ ଜନ୍ମ (୧ ଜାନୁଆରି ୧୯୫୦), ଇନ୍ଦୋରରେ ବଢ଼ିଛନ୍ତି ବୋଲି ତାଙ୍କ ନାଁ ସାହିତ୍ୟ-ଜଗତରେ ହୋଇଗଲା ରାହତ ଇନ୍ଦୋରୀ । ଉର୍ଦ୍ଦୁ ସାହିତ୍ୟର ଅଧ୍ୟାପକ ଥିଲେ ସେ । ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଗୀତିକାର ଭାବରେ ମଧ୍ୟ ତାଙ୍କର ସୁନାମ ଥିଲା । ଚିତ୍ର ବି ଆଙ୍କୁଥିଲେ । ତେବେ ତାଙ୍କ ଊର୍ଦ୍ଦୁ ଶାୟରି ପାଇଁ ଏବଂ ରୋକ୍ଠୋକ୍ କବିତା ପାଇର୍ ସେ ବେଶି ପ୍ରସିଦ୍ଧ ଥିଲେ ।
ତାଙ୍କର ଗୋଟେ ଶେର ପଢ଼ନ୍ତୁ । ମୂଳ ଉର୍ଦ୍ଦୁରୁ ମୁଁ ଅନୁବାଦ କରିଛି:
ମୋ ପୂର୍ବରୁ ବି ପଥିକ
ଏ ବାଟରେ ଯାଇଥିବେ
ଅନ୍ତତଃ ରାସ୍ତାର ପଥରତକ
ତ ସଫା କରି ଦେଇ ଯାଇଥାନ୍ତ!
ଯୁଦ୍ଧରେ ଜିତିଲା କିଏ!
ଆଗରୁ କହୁଥିଲେ କରୋନାକୁ ଭଗେଇବାକୁ ପଡ଼ିବ । ଆମେ ତାକୁ ତଡ଼ିଦେବା । ମାରିଦେବା । କେହି କେହି ତାକୁ ତଡ଼ିବା ମାରିବା ପାଇଁ ଢୋଲ ମୃଦଙ୍ଗ ଘଣ୍ଟ ବଜେଇଲେ, ବାଣ ଫୁଟେଇଲେ । ଗୋ କରୋନା ଗୋ ବୋଲି ଇଂରାଜୀରେ ପାଟିହୁରି କଲେ । କରୋନା ଗଲାନି । ଏବେ କହୁଛନ୍ତି ଆମକୁ କରୋନା ସହିତ ସନ୍ଧି କରି ବଂଚିବାକୁ ପଡ଼ିବ । ଏଇଥିରୁ ଜାଣନ୍ତୁ କରୋନା ବିପକ୍ଷରେ ଯୁଦ୍ଧରେ ଜିତିଲା କିଏ!
ଭବିଷ୍ୟତ
ଆଉ ମୋର ଭବିଷ୍ୟତ କାହିଁ ଯେ- ହାତ ଧୋଉ ଧୋଉ ସବୁ ଭାଗ୍ୟରେଖା ଧୋଇ ହୋଇ ଯାଇଛି ।
***
ସଂଚାର ମାର୍ଗ,
ଢେଙ୍କାନାଳ ୭୫୯ ୦୦୧