ବହିକଥା । ଡ. ମୃଣାଳ ଚାଟାର୍ଜୀ
ଚମତ୍କାର ଅନୁବାଦ, ଉପଯୋଗୀ ପୁସ୍ତକ
ବହି: ସ୍ତୁତି ଚିନ୍ତାମଣି
ମୂଳ ଓଡିଆ: ଭୀମ ଭୋଇ
ଅନୁବାଦ: ଜୟନ୍ତ କର ଶର୍ମା
ପ୍ରକାଶକ: ପ୍ରଜ୍ଞା ଭାରତୀ, ଦିଲ୍ଲୀ | ମୂଲ୍ୟ: ୫୮୫ ଟଙ୍କା, ପୃଷ୍ଠା ୨୪୧
ମଧ୍ୟ-ଉନବିଂଶ ଶତାବ୍ଦୀରେ ଓଡିଶାରୁ ମହିମା ଧର୍ମର ବିକାଶ ହୋଇଥିଲା । ତତ୍କାଳୀନ ହିନ୍ଦୁ ଧର୍ମର ଋଢ଼ିବାଦି ବିଚାର ଆଉ ବ୍ୟୟବହୁଳ, ପୁରୋହିତ-କେନ୍ଦ୍ରିକ ରୀତି ନୀତି ବାହାରେ ମହିମା-ଧର୍ମ ଏକ ସରଳ ଦାର୍ଶନିକ ଅବଧାରଣା ଉପରେ ପର୍ଯ୍ୟବେସିତ । ଗୋଟେ ଦୃଷ୍ଟିରୁ ଦେଖିବାକୁ ଗଲେ ଏହା ସେ ସମୟରେ ସାରା ଭାରତରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିବା ସଂସ୍କାର ଧର୍ମୀ ଆନ୍ଦୋଳନର ଏକ ରୂପ । ଏ ପରିପ୍ରେକ୍ଷୀରେ ଏହି କାଳଖଣ୍ଡରେ ରାଜା ରାମମୋହନଙ୍କ ନେତୃତ୍ୱରେ ଉଦ୍ଭୂତ (୧୮୨୮) ବ୍ରାହ୍ମସମାଜ, ଆତ୍ମାରାମ ପାଣ୍ଡୁରଙ୍ଗଙ୍କ ଦ୍ୱାରା ପ୍ରତିଷ୍ଠିତ (୧୮୬୭) ପ୍ରାର୍ଥନା ସମାଜ, ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ସ୍ଥାପିତ (୧୮୭୫) ଆର୍ଯ୍ୟ ସମାଜ କଥା ମନେ କରାଯାଇପାରେ ।
ମହିମା ଗୋସେଇଁଙ୍କ ଦ୍ୱାରା ସ୍ଥାପିତ ମହିମା ଧର୍ମର ମୁଖ୍ୟ ଧାରଣା ଗୁଡ଼ିକ ହେଲା: କ. ଈଶ୍ୱର ନିରାକାର ଏବଂ ସର୍ବବ୍ୟାପୀ । ଖ. ଜାତି ବ୍ୟବସ୍ଥା ସମାଜ ପାଇଁ ଏକ ବାଧା । ଈଶ୍ୱରଙ୍କ ସୃଷ୍ଟିରେ ସମସ୍ତେ ସମାନ । ଗ. ଶ୍ରାଦ୍ଧ ଶାନ୍ତି ଇତ୍ୟାଦି ଅନ୍ଧବିଶ୍ୱାସ । ଘ. ଅହିଂସା ସର୍ବୋପରି । ଏ ଧର୍ମରେ ଦୀକ୍ଷିତ ଶିଷ୍ୟମାନଙ୍କ ପାଇଁ ସାଂସରିକ ବାଧା ବନ୍ଧନରୁ ମୁକ୍ତ ରହିବା ପାଇଁ ନାନା ପ୍ରକାର ନିୟମର ନିଗଡ଼ ରହିଛି । ମୋଟାମୋଟି ଭାବେ କହିଲେ ଏ ଧର୍ମ ଏକ ସରଳ ଏବଂ ଅନୁଶାସିତ ଜୀବନ ଜୀଇଁବାର ମାର୍ଗ ଦେଖାଏ ।
ଏ ଧର୍ମ କ୍ରମଶଃ ଓଡ଼ିଶା ଏବଂ ଆଖପାଖ ରାଜ୍ୟରେ ମୁଖ୍ୟତଃ ସମାଜର ଦଳିତ ଓ ପ୍ରତ୍ୟନ୍ତ ଜାତିର ଲୋକମାନଙ୍କ ଭିତରେ ଅଧିକ ବିସ୍ତାରିତ ହୋଇଥିଲା । ଢେଙ୍କାନାଳରେ ଏହା ରାଜ ପୃଷ୍ଠପୋଷକତା ପାଇଲା ପରେ ସମାଜର ଅନ୍ୟାନ୍ୟ ବର୍ଗର ଉର୍ଚ୍ଚ ଜାତ୍ିର ଲୋକମାନଙ୍କ ଭିତରେ ମଧ୍ୟ ଏହା ବିସ୍ତାରିତ ହୋଇଥିଲା ।
ମହିମା ଧର୍ମର ପ୍ରସାର, ପ୍ରଚାର ଏବଂ ଏହାକୁ ଏକ ଦାର୍ଶନିକ ମାନ୍ୟତା ଦେବା ପାଇଁ ସନ୍ଥ କବି ଭୀମ ଭୋଇଙ୍କର କବିତାର ଏକ ବଡ ଅବଦାନ ରହିଛି ।
୧୮୪୫ରେ ଏକ ଦରିଦ୍ର ଆଦିବାସୀ ପରିବାରରେ ଭୀମଭୋଇଙ୍କର ଜନ୍ମ ବୋଲି ଆକଳନ କରାଯାଏ । ତାଙ୍କର ଶୈଶବ ଏବଂ କୈଶୋର ଜୀବନ ସମ୍ପର୍କରେ ଖୁବ୍ ବେଶୀ ପ୍ରାମାଣିକ ତଥ୍ୟ ମିଳେ ନାହିଁ । କୌଣସି ବାଟରେ ସେ ମହିମା ଗୋସେଇଁଙ୍କ ସହିତ ଯୋଡି ହୁଅନ୍ତି ଏବଂ କ୍ରମଶଃ ମହିମା ଧର୍ମର ପ୍ରସାରରେ ଲାଗନ୍ତି । ଭୀମ ଭୋଇ ତାଙ୍କ ଜୀବନ କାଳରେ ଅନେକ ଗୀତ କବିତା ଜଣାଣ ଇତ୍ୟାଦି ସେ ରଚନା କରିଛନ୍ତି । ତାଙ୍କ କୃତିଗୁଡିକ ମଧ୍ୟରୁ ‘ସ୍ତୁତି ଚିନ୍ତାମଣି’ ଏକ ଭିନ୍ନ ମହତ୍ୱ ରଖେ । ଏଥିରେ ମହିମା ଦର୍ଶନର ବିଭିନ୍ନ ବିଭବ ଗୁଡିକ ସମ୍ପର୍କରେ କବିତା ଗୀତ ମାଧ୍ୟମରେ କୁହାଯାଇଛି । ଶୂନ୍ୟ, ପିଣ୍ଡ ବ୍ରହ୍ମାଣ୍ଡ, ଗୁରୁ, କରୁଣା, ଭକ୍ତି, ସମର୍ପଣ ଆଦି ଅବଧାରଣା ଗୁଡ଼ିକୁ ଏଥିରେ ବିସ୍ତାରିତ ଭାବରେ ବିଶ୍ଳେଷଣ କରାଯାଇଛି ।
ଶ୍ରୀ ବୀର କିଶୋର ଦାସ ‘ସ୍ତୁତି ଚିନ୍ତାମଣି’ର ଗୀତ-କବିତାଗୁଡ଼ିକୁ ସଂପାଦନା କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଏହାକୁ ପ୍ରକାଶ କରିଥିଲେ । ଜୟନ୍ତ କର ଶର୍ମା ତାକୁ ମୂଳ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ କରିଛନ୍ତି ।
ଡ. କର ଶର୍ମା(ଜନ୍ମ ୧୯୬୨) ବିଶ୍ୱଭାରତୀ (ଶାନ୍ତି ନିକେତନ)ରୁ ହିନ୍ଦୀ ଭାଷା ସାହିତ୍ୟରେ ସ୍ନାତ୍ତୋକତର ଉପାଧି ଲାଭ କରନ୍ତି । ତୁଳନାତ୍ମକ ସାହିତ୍ୟରେ ସେ ପିଏଚଡି କରନ୍ତି ତାପରେ ଅଧ୍ୟାପକ ଭାବରେ ତାଙ୍କର କର୍ମ ଜୀବନ ଆରମ୍ଭ କରନ୍ତି । ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସେ ପ୍ରଥମ ରେଜିଷ୍ଟ୍ରାର ଥିଲେ । ସମ୍ବଲପୁର ମହିଳା ମହାବିଦ୍ୟାଳୟର ହିନ୍ଦୀ ବିଭାଗର ମୁଖ୍ୟ ଭାବେ ସେ ନିକଟରେ ଅବସର ଗ୍ରହଣ କରିଛନ୍ତି ।
ଏହା ପୂର୍ବରୁ ସେ ସନ୍ଥକବି ବଳରାମ ଦାଶଙ୍କର ‘ଲକ୍ଷ୍ମୀ ପୁରାଣ’କୁ ହିନ୍ଦୀରେ ଅନୁବାଦ କରିଛନ୍ତି ।
ବର୍ତ୍ତମାନ ଆଲୋଚନା କରାଯାଉଥିବା ପୁସ୍ତକଟିର ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଭୀମଭୋଇଙ୍କର ନିଛକ ଓଡିଆ କବିତା ଗୁଡ଼ିକର ଅତି ସୁନ୍ଦର, ସାବଲୀଳ ଓ ସୁଖପାଠ୍ୟ ହିନ୍ଦୀ ଅନୁବାଦ । ସ୍ତୁତି ଚିନ୍ତାମଣିରେ ଯେଉଁ କବିତା ଗୁଡିକ ଅଛି ପ୍ରତ୍ୟେକଟିରେ କୋଡିଏଟି ପଦ ଅଛି । ପଦ ପଡୁଥିବା କବିତାକୁ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରିବା ବେଶ କଷ୍ଟ କାମ । ତାର କାରଣ ହେଉଛି କବିତାର ଅର୍ଥ ଓ ଭାବ ସହିତ ତାହାର ସାଙ୍ଗୀତିକତାକୁ ମଧ୍ୟ ଅକ୍ଷୁର୍ଣ୍ଣ ରଖିବାକୁ ପଡ଼େ । ଏ କାମଟି ଆଦୌ ସହଜ ନୁହଁ । ମୂଳ ଭାଷା ଏବଂ ଅନୁବାଦ କରାଯାଉଥିବା ଭାଷା- ଉଭୟ ଉପରେ ଅନୁରୂପ ଦକ୍ଷତା ସହିତ, କବିତାର ଭାବକୁ ଭଲ ଭାବେ ନ ବୁଝିଲେ ଏହା କରି ହେବ ନାହିଁ । କିନ୍ତୁ ଡ଼. ଜୟନ୍ତ କର ଶର୍ମା ଏହାକୁ ବଡ ସୁ୍ନ୍ଦର ଭାବରେ କରିଛନ୍ତି ।
ଏ ଅନୁବାଦଟି ନିଛକ ଓଡିଆ ଜଣାଣ, ଭଜନ ଏବଂ ଓଡିଶାରୁ ଉଦ୍ଭବ ଏକ ଦାର୍ଶନିକ ଚେତନାକୁ ହିନ୍ଦୀଭାଷି ବୃହତ୍ତର ସମାଜ ପାଖରେ ପହଞ୍ଚେଇବାରେ ଅତ୍ୟନ୍ତ ଉପଯୋଗୀ ସିଦ୍ଧ ହେବ ଏଥିରେ ସନ୍ଦେହ ନାହିଁ ।
https://www.odishasahitya.com/bahikatha-52/
16-30 Nov. 2022
No comments:
Post a Comment