Monday, 25 January 2016

Column | Bindu Bisarga

ବିନ୍ଦୁ ବିସର୍ଗ/ମୃଣାଳ
ଗ୍ରାମାଂଚଳର ବିକାଶ

ଗ୍ରାମାଂଚଳର କିପରି ବିକାଶ ହୋଇପାରିବ, ଗାଁରେ ଲୋକମାନେ କିପରି ରୋଜଗାରର ସାଧନ ଜୁଟେଇପାରିବେ ଏନେଇ ବହୁ ଚିନ୍ତା, ଭାବନା ଓ କାର୍ଯ୍ୟ ସ୍ବାଧୀନତା ପର ଦଶନ୍ଧିଗୁଡ଼ିକରେ କରାଯାଇଛି | ପଳ ଯେ ହୋଇନି ତାହା ନୁହେଁ | କିନ୍ତୁ ଏବେ ବି ସହର ଆଉ ଗାଁ ଭିତରେ ବଡ଼ ଫରକ ରହିଯାଇଛି | ରୋଜଗାରର ସୁଯୋଗ, ଜୀବନ ଧାରଣ ପାଇଁ ଭିତ୍ତିଭୂମି ଜନିତ ସୁଯୋଗ ସୁବିଧା ବା ଇନଫ୍ରାଷ୍ଟକ୍ଚରର ବେଶି ସୁବିଧା ସହରରେ ରହିଛି | ଫଳରେ ଗାଁ ଲୋକେ କ୍ରମଶଃ ସହରାଭିମୁଖୀ ହେଉଛନ୍ତି | ଫଳ: ସହରର ଇନଫ୍ରାଷ୍ଟ୍ରକ୍ଚର ଉପରେ ଚାପ ବଢ଼ୁଛି; ଆଉ ଗ୍ରାମ ରକ୍ତାଳ୍ପତାରେ ଭୋଗୁଛି |
ଏ ଅବସ୍ଥାରେ ପରିବର୍ତ୍ତନ ଦରକାର | ଗାନ୍ଧିଜୀଙ୍କ କଳ୍ପିତ ଗ୍ରାମ ସ୍ବରାଜର ଭିତ୍ତିଟି ହେଲା: ଆର୍ଥନୀତିକ ଦୃଷ୍ଟିରୁ ସମୃଦ୍ଧ ଗ୍ରାମ | ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ଗ୍ରାମାଂଚଳରେ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ବିପଣନ ଆବଶ୍ୟକ | ଉପଯୁକ୍ତ ବିପଣନ ଅଭାବରେ ଗାଁରେ ଉତ୍ପାଦିତ ସାମଗ୍ରୀର ସଠିକ ମୂଲ୍ୟ ମିଳୁ ନାହିଁ ଏବଂ ଲୋକେ ଆର୍ଥିକ ଦୃଷ୍ଟିରୁ ଅଗ୍ରସର ହୋପରୁ ନାହାନ୍ତି |
କେଇ ବର୍ଷ ତଳେ କେନ୍ଦ୍ର ଯୋଜନା କମିଶନର ଜଣେ ବରିଷ୍ଠ ପରାମର୍ଶଦାତା ଥିବା କମଲ ଟାଓରି ଗତ ବର୍ଷ ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନକୁ ଆସିଥିଲେ | କଥା ପ୍ରସଙ୍ଗରେ ସେ କହିଲେ, କ୍ଲଷ୍ଟର ଆପ୍ରୋଚ ଗ୍ରାମାଂଚଳ ଅର୍ଥନୀତିକୁ ସମୃଦ୍ଧ କରିବାର ଏକ ଉପଯୁକ୍ତ ସାଧନ ହୋଇପାରେ |
କ୍ଲଷ୍ଟର ଆପ୍ରୋଚ କ’ଣ? ଏହାର ଭିତ୍ତିଟି ହେଲା ସରଳ: ଗୋଟେ ଜାଗାରେ ଯଦି ବିକ୍ରି କଲାଭଳି ଯଥେଷ୍ଟ ଜିନିଷ ତିଆରି ହେବ- ତେବେ ତାହାକୁ ସହଜରେ ବିକ୍ରି କରିହେବ | ଉଦାହରଣ ସ୍ବରୂପ ଧରନ୍ତୁ ଗୋଟେ ଜାଗାରେ ବହୁତ ଲେମ୍ବୁ ଚାଷ ହେଉଛି, ପ୍ରଚୁର ଲେମ୍ବୁ ଉତ୍ପାଦିତ ହେଉଛି, ତା’ହେଲେ ଦୂରଦୂରାନ୍ତରୁ ଲେମ୍ବୁ ବ୍ୟବସାୟୀମାନେ ସେଠିକୁ ଲେମ୍ବୁ କିଣିବାକୁ ଯିବେ | ସେଠି ଯଦି ଜଣେ ଲୋ ଅଳ୍ପ କିଛି ଲେମ୍ବୁ ଉତ୍ପାଦନ କରୁଥିବ ତେବେ ବେପାରୀମାନେ ସେଠିକୁ ଯିବେନି| ଏକ୍ଷେତ୍ରରେ ଗୋଟିକିଆ ଭାବେ ଚାଷ କରୁଥିବା ଲୋକଟିର ବାରଗେନ ପାବାର ବା ଦରଦସ୍ତୁର କ୍ଷମତା କମ ହେବ | ପୁଣି ଲେମ୍ବୁ ଯଦି ଅଧିକ ଉତ୍ପାଦିତ ହେଲା, ତା’ହେଲେ ସେଠି ଗୋଟେ ଫୁଡ଼ ପ୍ରସେସିଯ ଇଣ୍ଡଷ୍ଟ୍ରୀ ବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କରିବାକୁ ମଧ୍ୟ ଜଣେ ଆଗ୍ରହୀ ହେବେ | କହିବା କଥା ହେଲା: ଗୋଟିଏ ଜାଗାରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ଉତ୍ପାଦନ ବା ସେବାର ଗୋଟେ ହବ୍ ତିଆରି ହେଲ ସଂପୃକ୍ତ ସମସ୍ତଙ୍କର ଲାଭ ହୋଇଥାଏ |
ପାହାଳର ରସଗୋଲା ଏକ୍ଷେତ୍ରରେ ଗୋଟେ ମଡେଲ ହୋଇପାରେ | କଟକ ଓ ଭୁବନେଶ୍ବର ମଝାମଝିରେ, ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ପାହାଳରେ ଦଶ ବର୍ଷ ତଳେ ବି ଅଳ୍ପ କିଛି ରସଗୋଲା ଦୋକାନ ଥିଲା | ଏବେ ଦୁଇ ଶହରୁ ଅଧିକ ରସଗୋଲା ଦୋକାନା ରହିଛି | ଏସବୁ ହୋଇଛି ପ୍ରାୟ ବିନା ସରକାରୀ ସାହାଯ୍ୟ ବା ପ୍ରୋତ୍ସାହନରେ | ଏଠୁ ରସଗୋଲା ରାଜ୍ୟର ବିଭିନ୍ନ ସ୍ତାନକୁ ବସ୍ ଯୋଗେ ଯାଉଛି | ଏବେ ଏଠି ଯଦି ପ୍ୟାକିଂର ୟୁନିଟଟିଏ ରହନ୍ତା, ପାହାଳ ରସଗୋଲାକୁ ଗୋଟେ ବ୍ରାଣ୍ଡ ଭାବରେ ପ୍ରମୋଟ୍ କରି ହୁଅନ୍ତା | ତେବେ ସାମଗ୍ରିକ ଭାବେ ଏହାର କାଟତି ଆହୁରି ବଢ଼ନ୍ତା | ପରୋକ୍ଷ ଭାବେ ଏହା ଏ ଅଂଚଳର ଅର୍ଥନୀତିକୁ ଆହୁରି ସମୃଦ୍ଧ କରନ୍ତା |
ଏ ପ୍ରକାର ଉନ୍ନୟନ ଧାରାରେ ସ୍ଥାନୀୟ ଲୋକମାନଙ୍କ ସଂପୃକ୍ତି ଅଧିକ ଆବଶ୍ୟକ | ସରକାର ଏଥିରେ କେବଳ ଫାସିଲିଟେଟରର ଭୂମିକା ଗ୍ରହଣ କରନ୍ତେ | ଆନୁସଙ୍ଗିକ ସୁଯୋଗ ସୁବିଧା ବା ଇନଫ୍ରାଷ୍ଟ୍ରକ୍ଚର ସୃଷ୍ଟିରେ ସହଯୋଗ କରନ୍ତ | ପ୍ରକୃତ ଉତ୍ପାଦନରେ ବିଶେଷ ମୁଣ୍ଡ ଖେଳାନ୍ତେ ନାହିଁ | ଲୋକମାନେ ନିଜ ଇଚ୍ଛାରେ ଏବଂ ନିଜ ସ୍ବାର୍ଥରେ ସେଇ ଜିନିଷ ଉତ୍ପାଦନ କରନ୍ତେ ବା ସେବା ଦିଅନ୍ତେ ତାହାର ଚାହିଦା ସୃଷ୍ଟି କରାଯାଇ ପାରିଛି | ତା’ହେଲେ ସେ ଅଂଚଳର ସର୍ବାଙ୍ଗୀନ ଉନ୍ନତି ହୁଅନ୍ତା |
ଏଥିପାଇଁ ପ୍ରଥମେ ଦରକାର ରିସୋର୍ସ ମ୍ୟାପିଂର | କେଉଁ ଅଂଚଳରେ କେଉଁ ଜିନିଷ ହେଉଛି/ହୋଇପାରନ୍ତା | ଗୋଟେ ଗୋଟେ ଅଂଚଳରର ଲୋକେ ଗୋଟେ ପ୍ରକାର ବୃତ୍ତିରେ ପାରଦର୍ଶୀତା ହାସଲ କରିଥାଇ ପାରନ୍ତି | ତାଙ୍କର ପାରଦର୍ଶୀତାକୁ ବିପଣନ କରି ସେ ଅଂଚଳର ଉନ୍ନୟନ କରାଯାଇ ପାରନ୍ତା |
(ଲେଖକ ୧୫ ବର୍ଷ କାଳ ସକ୍ରିୟ ସାମ୍ବାଦିକତା କରିବା ପରେ ବିଗତ ୧୫ ବର୍ଷ ଧରି ଗଣମାଧ୍ୟମ ଅଧ୍ୟାପନାରେ ଅଛନ୍ତି |)
ସଂଚାର ମାର୍ଗ, ଢେଙ୍କାନାଳ-୭୫୯୦୦୧
Posted at http://www.samanyakathan.com/readmore.php?sid=136
25.1.2016

No comments:

Post a Comment